ETV Bharat / state

LIVE UPDATE: ଦେବସ୍ନାନ ପୂର୍ଣ୍ଣିମା; ଚତୁର୍ଦ୍ଧାମୂର୍ତ୍ତିଙ୍କ 'ଗଜାନନ ବେଶ' ଦର୍ଶନ କଲେ ଲକ୍ଷାଧିକ ଭକ୍ତ

Puri Snana Yatra Live Updates
ଦେବସ୍ନାନ ଦେବସ୍ନାନ ଲାଇଭ (ETV Bharat Odisha)
author img

By ETV Bharat Odisha Team

Published : June 29, 2026 at 5:17 AM IST

|

Updated : June 29, 2026 at 11:01 PM IST

Choose ETV Bharat

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଭକ୍ତ ସମ୍ମୁଖରେ ସ୍ନାନ କରି ଗଜାନନ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ସ୍ନାନବେଦୀର ଅପେକ୍ଷାର ଅନ୍ତ ଘଟିଛି । ବର୍ଷେ ପରେ ପୁଣି ମହାବାହୁ ସ୍ନାନମଣ୍ଡପକୁ ଆସିଛନ୍ତି । ଭୋର ୫ଟାରୁ ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା । ପହଣ୍ଡି ଶେଷ ହେବା ପରେ ମଙ୍ଗଳାଳତି ହୋଇଥିଲା । ଦିନ ୧୨ ଟା ରୁ ୨ ଟା ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହେବ । ୪ଟାରୁ ୫ଟା ମଧ୍ୟରେ ଦୁର୍ଲଭ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ୭ ଟାରୁ ୯ ଟା ୩୦ ପର୍ଯ୍ୟନ୍ତ ସାହାଣମେଲା, ରାତି ୧୦ ଟାରେ ହାତୀବେଶ ମଇଲମ, ରାତି ୧୦ଟା ୩୦ ପୁଷ୍ପାଞ୍ଜଳି ଏବଂ ଡୋର ଲାଗି, ରାତି ୧୧ ଟାରୁ ୨ ଟା ମଧ୍ୟରେ ବାହୁଡା ପହଣ୍ଡି, ରାତି ୨ ଟା ୩୦ ରେ ସୁନା ଚିତା ଏବଂ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ । ସ୍ନାନବେଦୀରେ ଗଜାନନ ବେଶରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଛନ୍ତି ଭକ୍ତ । ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

LIVE FEED

8:03 PM, 29 Jun 2026 (IST)

ଅଣସର ଘରେ ପ୍ରବେଶ କରିବେ ଚତୁର୍ଦ୍ଧାମୂର୍ତ୍ତି

ଭକ୍ତଜନଙ୍କୁ ଦିବ୍ୟସୁନ୍ଦର ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସ୍ନାନବେଦୀରେ ଭୋଗନୀତି ଶେଷ ହୋଇଛି । କିଛି ସମୟ ପରେ ଗୋଟି ପହଣ୍ଡି ନୀତିରେ ଅଣସର ଘରେ ପ୍ରବେଶ କରିବେ ପ୍ରଭୁ ଜଗନ୍ନାଥ, ଭଉଣୀ ସୁଭଦ୍ରା, ବଡ଼ ଭାଇ ବଳଭଦ୍ର ଓ ସୁଦର୍ଶନ ମହାରାଜ । ଅତ୍ୟଧିକ ସ୍ନାନ ହେତୁ ଜ୍ବରରେ ପୀଡିତ ହେବେ ପ୍ରଭୁ । ରତ୍ନବେଦୀରେ ପୂଜା ପାଇବେ ପଟିଦିଅଁ ।

4:49 PM, 29 Jun 2026 (IST)

ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ମହାବାହୁ

ଶ୍ରୀଜିଉଙ୍କର ଦୁର୍ଲଭ ବେଶ ମଧ୍ୟରୁ 'ଗଜାନନ ବେଶ' ଅନ୍ୟତମ । ବଡ଼ ଭାଇ ବଳଦେବ ଧଳା ହାତୀ ବେଶ ଧାରଣ କରିଛନ୍ତି । ଜଗନ୍ନାଥ ମହାପ୍ରଭୁ କଳା ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଦେବୀ ସୁଭଦ୍ରା ପଦ୍ମ ବେଶରେ ସଜ୍ଜିତ ହୋଇଛନ୍ତି । ଚତୁର୍ଦ୍ଧାମୂର୍ତ୍ତି ବିଭିନ୍ନ ସୁନ୍ଦର ପୁଷ୍ପମାଳ ଓ ଅଳଙ୍କାର ଧାରଣ କରିଛନ୍ତି । ଶ୍ରୀଜିଉଙ୍କ ଏହି ଦୁର୍ଲଭ ବେଶ ଶ୍ରୀକ୍ଷେତ୍ରକୁ ଆଗତ ଲକ୍ଷାଧିକ ଭକ୍ତ ଦର୍ଶନ କରୁଛନ୍ତି ।

4:27 PM, 29 Jun 2026 (IST)

ଗଜାନନ ବେଶରେ ସଜେଇ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ଗଜାନନ ବେଶରେ ସଜ୍ଜେଇ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ମହାରାଜା ଦିବ୍ୟସିଂହଦେବଙ୍କ ଛେରା ପହଁରା ନୀତି ସମାପନ ପରେ ବିଭିନ୍ନ ଅଳଙ୍କାର ପରିଧାନ କରୁଛନ୍ତି ଶ୍ରୀଜିଉ । କିଛି ସମୟ ପରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ସୁଦର୍ଶନ, ବଡ଼ ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାବହୁ ଶ୍ରୀଜଗନ୍ନାଥ ।

3:40 PM, 29 Jun 2026 (IST)

ଛେରା ପହଁରା ନୀତି ସମାପ୍ତ

ଶ୍ରୀଜିଉଙ୍କ ଦିବ୍ୟ ସ୍ନାନ ନୀତି ପରେ ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଛେରା ପହଁରା ନୀତି ସମାପ୍ତ ହୋଇଛି । କିଛି କ୍ଷଣ ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଗଜ ବେଶ ଅନୁଷ୍ଠିତ ହେବ ।

3:00 PM, 29 Jun 2026 (IST)

ସ୍ନାନବେଦୀରେ ଛେରାପହଁରା କରୁଛନ୍ତି ଗଜପତି ମହାରାଜ

ମହାରାଜ ଦିବ୍ୟସିଂହଦେବ ସ୍ନାନବେଦୀରେ ପହଞ୍ଚିଛନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହିତ ଛେରାପହଁରା ନୀତି କରିବେ । ଛେରାପହଁରା ନୀତି ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର 'ଗଜାନନ ବେଶ' ଅନୁଷ୍ଠିତ ହେବ ।

2:12 PM, 29 Jun 2026 (IST)

ସୁରୁଖୁରୁରେ ରଥଯାତ୍ରା ପାଇଁ ଗଜପତି ମହାରାଜଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ: ସମ୍ବିତ ପାତ୍ର

ସମଗ୍ର ପୁରୀବାସୀଙ୍କ ତରଫରୁ ପୁରୀ ସାଂସଦ ସମ୍ବିତ ପାତ୍ର ଗଣମାଧ୍ୟମକୁ ଧନ୍ୟବାଦ ଜ୍ଞାପନ କରି ସମଗ୍ର ବିଶ୍ବବାସୀଙ୍କୁ ଦେବସ୍ନାନ ପୂର୍ଣ୍ଣିମାର ଶୁଭେଚ୍ଛା ଦେଇଛନ୍ତି । ଦେଶରେ ଭାରତୀୟ ଜନତା ପାର୍ଟିର ସ୍ବତନ୍ତ୍ର ଅଭିଯାନ ବିଷୟରେ କହିଛନ୍ତି । ସୁରୁଖୁରୁରେ ରଥଯାତ୍ରା ଅନୁଷ୍ଠିତ ହେବା ପାଇଁ ମୁଖ୍ୟମନ୍ତ୍ରୀ, ଗଜପତି ମହାରାଜଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି । ଆଗାମୀ ଦିନରେ ପୁରୀର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହେବ ବୋଲି ପୁରୀ ସାଂସଦ ସୂଚନା ଦେଇଛନ୍ତି ।

1:41 PM, 29 Jun 2026 (IST)

ପୁରୀ ଗସ୍ତ ଅବସରରେ ରାଜନଅରଠାରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଗାମୀ ରଥଯାତ୍ରା ପ୍ରସ୍ତୁତି ବ୍ୟବସ୍ଥା ଓ ଅନ୍ୟାନ୍ୟ ବିଷୟରେ ଗଜପତି ମହାରାଜଙ୍କ ସହିତ ଆଲୋଚନା କଲେ ।

(null)

12:45 PM, 29 Jun 2026 (IST)

ଆରମ୍ଭ ହେଲା ମହାପ୍ରଭୁଙ୍କ ସ୍ନାନନୀତି

ଆରମ୍ଭ ହେଲା ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ନୀତି । ଏହି ଦିବ୍ୟ ମୂହୁର୍ତ୍ତକୁ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତବୃନ୍ଦ । ୧୦୮ କଳସୀ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଚତୁର୍ଦ୍ଧା ମୂର୍ତ୍ତି ।

11:19 AM, 29 Jun 2026 (IST)

ବାଲୁକା ଚିତ୍ରକଳା ମାଧ୍ୟମରେ ସ୍ନାନଯାତ୍ରାର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ଏବଂ ମାନସ

ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ପ୍ରସିଦ୍ଧ ଆନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏବଂ ମାନସ କୁମାର ସାହୁ । ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ ଚତୁର୍ଦ୍ଧାମୂର୍ତ୍ତିଙ୍କ ଏକ ସୁନ୍ଦର ବାଲୁକା ଚିତ୍ରକଳା ପ୍ରସ୍ତୁତ କରିଥିବା ବେଳେ ଶିଳ୍ପୀ ମାନସ କୁମାର ସାହୁ ଏବଂ ତାଙ୍କର ଛାତ୍ରଛାତ୍ରୀମାନଙ୍କ ସହିତ, ଭୁବନେଶ୍ୱରରେ ପ୍ରଭୁ ଶ୍ରୀବଳଭଦ୍ର, ପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା' ସୁଭଦ୍ରାରଙ୍କ ସୁନ୍ଦର ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି ।

11:10 AM, 29 Jun 2026 (IST)

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

ମହାପ୍ରଭୁଙ୍କ ମାନବୀୟ ଲୀଳାର ଆଦ୍ୟ ପର୍ବ ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀବିଗ୍ରହଙ୍କ ଦିବ୍ୟସ୍ନାନ ଓ ଗଜାନନ ବେଶ ଦର୍ଶନ କରିବା ପାଇଁ ଆତୁର ଭକ୍ତ ମନ । ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଧ୍ବନିରେ କମ୍ପୁଛି ଶ୍ରୀକ୍ଷେତ୍ର । ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ଶୁଅ ଛୁଟିଛି । । ଦିନ ୧୨ଟା ରୁ ୨ ଟା ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହେବ । ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୁରୀରେ ବ୍ୟପକ ବ୍ୟବସ୍ଥା କରାଯାଇଛି ।

8:46 AM, 29 Jun 2026 (IST)

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଉ କିଛି ସମୟ ପରେ 108 ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ ।

7:26 AM, 29 Jun 2026 (IST)

ସରିଲା ତିନି ଠାକୁରଙ୍କ ପହଣ୍ଡି ବିଜେ ନୀତି

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପହଣ୍ଡି ଶେଷ କରି ସ୍ନାନବେଦୀରେ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି । ଏହାପରେ ହେବ ମଙ୍ଗଳାଳତି । ଦିନ ୧୨ଟାରୁ ୨ଟା ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହେବ ।

6:25 AM, 29 Jun 2026 (IST)

ସ୍ନାନ ମଣ୍ଡପରେ ବିଜେ କଲେ ଚକ୍ରରାଜ ସୁଦର୍ଶନ ଏବଂ ପ୍ରଭୁ ଶ୍ରୀବଳଭଦ୍ର

ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ । ପ୍ରଥମେ ସ୍ନାନ ମଣ୍ଡପରେ ବିଜେ କଲେ ଚକ୍ରରାଜ ସୁଦର୍ଶନ ଏବଂ ପ୍ରଭୁ ଶ୍ରୀବଳଭଦ୍ର । ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ଆସୁଛନ୍ତି ମା' ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ।

Last Updated : June 29, 2026 at 11:01 PM IST