
ସାହିତ୍ୟ ପ୍ରେମରେ ବିପିନ; ଦିନରେ ଅଟୋ ଚଲାନ୍ତି, ବିଳମ୍ବିତ ରାତିରେ କବିତାର ସାଧନା କରନ୍ତି (Etv Bharat)
ସ୍ୱତନ୍ତ୍ର ରିପୋର୍ଟ- ସତ୍ୟଜିତ୍ ରାଉତ
ଭୁବନେଶ୍ୱର: ଏଇତ ଜୀବନ ମୁଠାଏ ଜୀବନ, ଯେଉଁଠି ହୁଏ ସପନ । ଆଶା ପୂର୍ଣ୍ଣିମାରେ ଦୁଃଖର ବାଦଲ, ଢାଙ୍କେ ସୁଧାଂଶୁ ବଦନ ।।
ଦିଗ ହରା ହୋଇ ଉଡଇ ଯେଉଁଠି, ଭୁଲି ନିଜ ବାସସ୍ଥାନ । କିଏ ସେ ନିଜର କିଏ ସାତ ପର, ନୋହେ ଆଉ ତିଳେ ଜ୍ଞାନ ।।
ରାଜଧାନୀର ବ୍ୟସ୍ତବହୁଳ ସମୟ ଫାଙ୍କରେ ଏମିତି ଦୃଷ୍ଟି ନେଇ ଜୀବନକୁ ଖୋଜୁଥିବା ଦରଦୀ ମଣିଷ ହେଉଛନ୍ତି ବିପିନ ହରିଚନ୍ଦନ। ଭୁବନେଶ୍ୱରରେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରନ୍ତି। ପେଷାରେ ସେ ଜଣେ ଅଟୋ ଚାଳକ । କିନ୍ତୁ ନିଶା ତାଙ୍କର କବିତା ଲେଖିବା । କବିତା ଜରିଆରେ ନୂଆ ଚିନ୍ତାଧାରା ଏବଂ ଭାବନାକୁ ଉପସ୍ଥାପନ କରି ବିପିନ ଓଡ଼ିଆ ଭାଷା ଓ ସାହିତ୍ୟକୁ ଅଧିକ ସମୃଦ୍ଧ କରୁଛନ୍ତି। ନିଜର ବ୍ୟସ୍ତବହୁଳ ଜୀବନରେ କିଛି ସମୟ ବାହାର କରି ସେ ସାହିତ୍ୟକୁ ସମୟ ଦେଉଛନ୍ତି। ପ୍ରାୟ ୨୫ ବର୍ଷ ହେବ ବିପିନ କବିତା ଲେଖି ଆସୁଛନ୍ତି। କବିତା ଜରିଆରେ ଶିକ୍ଷଣୀୟ ବାର୍ତ୍ତା ଦେଉଥିବା ସାହିତ୍ୟ ପ୍ରେମୀ ଅଟୋ ଚାଳକ ବିପିନଙ୍କୁ ନେଇ ଇଟିଭି ଭାରତର ସ୍ୱତନ୍ତ୍ର ଉପସ୍ଥାପନା।
ସାହିତ୍ୟ ପ୍ରେମରେ ବିପିନ; ଦିନରେ ଅଟୋ ଚଲାନ୍ତି, ବିଳମ୍ବିତ ରାତିରେ କବିତାର ସାଧନା କରନ୍ତି (Etv Bharat) କବି ବିପିନଙ୍କ ବିଷୟରେ......ବିପିନଙ୍କ ସାହିତ୍ୟ ପ୍ରେମ; ପେଷାରେ ଅଟୋ ଚାଳକ, ନିଶା କିନ୍ତୁ କବିତା ଲେଖିବା (Etv Bharat) କବି ବିପିନଙ୍କ ଘର ପୁରୀ ଜିଲ୍ଲା କଣାସ ବ୍ଲକ ଅଞ୍ଜିରା ଗ୍ରାମରେ। ବାପା-ମା'ଙ୍କର ସନ୍ତାନ କହିଲେ, ବିପିନଙ୍କୁ ମିଶାଇ ଦୁଇ ପୁଅ ଓ ୪ ଝିଅ। ବିପିନଙ୍କ ଜଣେ ଭଉଣୀଙ୍କ ବ୍ୟତୀତ ଅନ୍ୟ ସମସ୍ତେ ବିବାହ କରି ପରିବାର ଆରମ୍ଭ କଲେଣି। ୨୦୦୪ ମସିହାରୁ ବିପିନଙ୍କ ମା' ଭୋବନୀ ହରିଚନ୍ଦନଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ମୃତ୍ୟୁଞ୍ଜୟ ହରିଚନ୍ଦନ କିଛିମାସ ତଳେ ଆଖି ବୁଝିଥିଲେ। ଏବେ ଭୁବନେଶ୍ୱର ଖଣ୍ଡଗିରିବାରି ଅଞ୍ଚଳରେ ବିପିନ ତାଙ୍କ ପତ୍ନୀଙ୍କ ସହ ରହୁଛନ୍ତି । ୭ରୁ ୮ ବର୍ଷ ହେବ ରାଜଧାନୀରେ ଅଟୋ ଚଳାଇ ବିପିନ ଅର୍ଥ ରୋଜଗାର କରୁଛନ୍ତି। ବିପିନ ଦଶମ ଯାଏ ଗାଁ ନିକଟ ଓହ୍ଲାଣସ୍ଥିତ ଗ୍ରାମେଶ୍ୱର ବିଶ୍ଵନାଥ ଉଚ୍ଚ ବିଦ୍ୟାଳୟରେ ପଢିଥିଲେ। ପରେ ଭୁବନେଶ୍ୱର ଜୟଦେବ କଲେଜରେ କଳାରେ ଯୁକ୍ତ-୨ ଓ ସ୍ନାତକ ଶେଷ କରିଥିଲେ। ୧୦ ବର୍ଷ ତଳେ ସହଧର୍ମୀଣି ଭାବେ ଅର୍ଚ୍ଚନା ପ୍ରଧାନଙ୍କ ସେ ହାତ ଧରିଥିଲେ। ପତ୍ନୀ ଅର୍ଚ୍ଚନା ମଧ୍ୟ ସବୁପ୍ରକାର ସହଯୋଗ କରି ବିପିନଙ୍କୁ ପ୍ରେରଣା ଯୋଗାଉଛନ୍ତି।
ସ୍ୱାଧୀନ ଭାବେ ବଞ୍ଚିବାକୁ ବାଧ୍ୟ କରିଥିଲା କବିତାର ପଂକ୍ତି ବିପିନଙ୍କ ସାହିତ୍ୟ ପ୍ରେମ; ପେଷାରେ ଅଟୋ ଚାଳକ, ନିଶା କିନ୍ତୁ କବିତା ଲେଖିବା (Etv Bharat) ପିତା, ମାତା ଜନ୍ମ ମାଟି ସ୍ନେହ ଦାନ, ସବୁ ଯାଉ ଅଛି ଭୁଲି । ରଙ୍ଗୀନ ରାଇଜେ ମଣିଷଚ୍ୱ ହଜେ, ଲାଗେ ସରିଆସେ କଳି ।।
ଭ୍ରଷ୍ଟାଚାର ଆଜି ହେଉଛି ସମାଜ, ନାହିଁ କାହିଁ ଧର୍ମ ଭାବ । ଲେକେ ଦେଖିବାକୁ ଦିଅଁ ପୂଜିବାକୁ, ମନ୍ଦିରେ ସ୍ୱାର୍ଥକୁ ଠାବ ।।
ନିଜସ୍ୱ କବିତାର ଏମିତି କେତେଗୁଡିଏ ପଂକ୍ତି ବିପିନଙ୍କୁ ସ୍ୱାଧୀନ ଭାବେ ଅର୍ଥ ଉପାର୍ଜନ କରିବାକୁ ବାଧ୍ୟ କରିଥିଲା। ତେଣୁ ସେ ପର ଅଧୀନରେ କାମ କରିବେ ନାହିଁ ବୋଲି ସେ ମନସ୍ତ କରିଥିଲେ । ବିପିନ ୮ ବର୍ଷ ତଳେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ହଠାତ୍ କର୍ମକ୍ଷେତ୍ରରେ କିଛି ସମସ୍ୟା ଉପୁଜିଥିଲା। ଏହାପରେ ସେ ଏକ ଅଟୋ କିଣିଥିଲେ। ପରେ ସ୍ୱାଧୀନ ଭାବେ ଅଟୋ ଚଳାଇ ପରିବାର ଚଲାଇ ଆସୁଛନ୍ତି।
ବିପିନଙ୍କ ସାହିତ୍ୟ ପ୍ରେମ; ପେଷାରେ ଅଟୋ ଚାଳକ, ନିଶା କିନ୍ତୁ କବିତା ଲେଖିବା (Etv Bharat) ବହି ପ୍ରକାଶ ପାଇଁ ଅର୍ଥ ସାଜିଛି ବାଧକଅଟୋ ଚଳାଇବା ସମୟରେ କିଛି ଭାବନା ଆସିଲେ, ବିପିନ ରାସ୍ତାରେ ଅଟକି ଯାଆନ୍ତି। ଖାତା କଲମରେ ସଙ୍ଗେ ସଙ୍ଗେ କବିତାର ପଂକ୍ତିକୁ ଉତାରି ଦିଅନ୍ତି। ବିଶେଷ କରି ରାତି ୧୧ଟାରୁ ବିଳମ୍ବିତ ରାତି ୩ଟା ମଧ୍ୟରେ ସେ ଲେଖାଲେଖି କରନ୍ତି। ବିପିନ ଏଯାଏ ୧୫୦ରୁ ଅଧିକ କବିତା ଲେଖିସାରିଲେଣି। ପୁସ୍ତକ ପ୍ରକାଶ କରିବା ପାଇଁ ଚାହୁଁଛନ୍ତି । ହେଲେ ସମୟ ଅଭାବ ପଡୁଥିବା ବେଳେ ଅର୍ଥ ମଧ୍ୟ ବାଧକ ସାଜୁଛି। ଆଗକୁ ବିପିନ ବହି ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିସହ ନିଜ ଗାଁ ଇତିହାସକୁ ନେଇ ମଧ୍ୟ ଅନ୍ୟ ଏକ ବହି ମଧ୍ୟ ପ୍ରକାଶ କରିବାକୁ ସେ ଯୋଜନା କରିଛନ୍ତି।
ବିପିନଙ୍କ ସାହିତ୍ୟ ପ୍ରେମ; ପେଷାରେ ଅଟୋ ଚାଳକ, ନିଶା କିନ୍ତୁ କବିତା ଲେଖିବା (Etv Bharat) ପତ୍ରପତ୍ରିକାରେ ପ୍ରକାଶ ପାଇଛି କବିତା, ହୋଇଛନ୍ତି ସମ୍ବର୍ଦ୍ଧିତ ସାହିତ୍ୟ ପାଇଁ ବିପିନ ହରିଚନ୍ଦନ ପାଇଥିବା ପୁରସ୍କାର (Etv Bharat) ବିପିନ ବୃତ୍ତିରେ ଜଣେ ଅଟୋ ଚାଳକ । ତେଣୁ ଅନେକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରୁନାହାନ୍ତି। ତାଙ୍କର ବହୁ କବିତା ଓ ଗୀତକବିତା ବିଭିନ୍ନ ପତ୍ରପତ୍ରିକାରେ ମଧ୍ୟ ପ୍ରକାଶ ପାଇଛି। ସ୍ୱାଗତୀିକା, କବି ଓ କବିତା, କଥାରେ କଥାରେ, ସପ୍ତଫେଣି, ମନସ୍ୱିନୀ ଆଦି ବିଭିନ୍ନ ପତ୍ରପତ୍ରିକାରେ ବିପିନଙ୍କ ସୁନ୍ଦର ସୁନ୍ଦର କବିତା ପ୍ରକାଶ ପାଇଛି। ଏହା ପାଠକୀୟ ଆଦୃତି ମଧ୍ୟ ଲାଭ କରିଛି। ଏପରିକି ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ବିପିନଙ୍କୁ ଯୋଗାଯୋଗ କରି ତାଙ୍କ ଲେଖା ମାଗି ନେଇଥାନ୍ତି। ସୁନ୍ଦର କବିତା ପାଇଁ ବିପିନଙ୍କୁ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଖୋର୍ଦ୍ଧାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ହାତରୁ ସେ ପୁରସ୍କୃତ ହୋଇଥିଲେ। ସେହିପରି ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତିବିଶେଷଙ୍କ ଠାରୁ ମଧ୍ୟ ବିପିନ ସମ୍ମାନିତ ହୋଇଛନ୍ତି।
ସାହିତ୍ୟ ପାଇଁ ବିପିନ ହରିଚନ୍ଦନ ପାଇଥିବା ପୁରସ୍କାର (Etv Bharat) ଗ୍ରାମ ଦେବତୀଙ୍କ ଆଶୀର୍ବାଦ ବଳରେ ଚାଲିଥିଲା କଲମ ମୁନବିପିନ କହିଛନ୍ତି, ଆମ ଗ୍ରାମ ଦେବତୀ ମା' ଭଗବତୀଙ୍କ ଆଶୀର୍ବାଦ ବଳରେ ମୋ କଲମ ମୁନ ଚାଲିବା ଆରମ୍ଭ କରିଥିଲା। ମାଟ୍ରିକ ବୋର୍ଡ ପରୀକ୍ଷାରେ ଫେଲ ହେବାରୁ ମୁଁ ଠାକୁରାଣୀଙ୍କ ଉପରେ ଅଭିମାନ କରିଥିଲି। ଏମିତିକି ମା'ଙ୍କ କୌଣସି କାର୍ଯ୍ୟକୁ ମଧ୍ୟ ଯାଉ ନ ଥିଲି। ଦିନେ କାଳୀପୂଜା ସମୟରେ ମା' ମୋ ସ୍ୱପ୍ନରେ ଆସି ତାଙ୍କ ମନ୍ଦିରକୁ ଡାକିଥିଲେ। ଏହାପରେ ମା'ଙ୍କ ମନ୍ଦିରକୁ ଯାଇଥିଲି, ସେଠାରେ ମା' ମତେ କେତେକ ସଙ୍କେତ ଦେଇଥିଲେ। ସେହିଦିନଠାରୁ ହିଁ କଲମ ମୁନ ଚାଲିଥିଲା। ବିପିନ ଆହୁରି କହିଛନ୍ତି, ଭୁବନେଶ୍ୱରରେ ଆମ ବସ୍ ଅଧିକ ମାତ୍ରାରେ ଚଳାଚଳ କରୁଥିବାରୁ ଅଟୋରେ ଯାତ୍ରୀ ସଂଖ୍ୟା କମିବାରେ ଲାଗିଛି। ଏବେ ଅଟୋରେ ଯାତ୍ରୀ ହେଉ ନ ଥିବାରୁ ଭଡ଼ା କମ ହେଉଛି। ତେଣୁ ଚଳିବା କଷ୍ଟକର ହୋଇପଡୁଛି। ତଥାପି ଏହି ବୃତ୍ତି ଚାଲୁ ରଖି ଖୁସି ଅଛି ବୋଲି ବିପିନ କହିଛନ୍ତି।
ଇଟିଭି ଭାରତ, ଭୁବନେଶ୍ୱର
ଏହା ମଧ୍ୟ ପଢନ୍ତୁ ଜଗା ଡାକରେ ବିହ୍ୱଳ ବୃନ୍ଦାବନ...ସାଇକେଲରେ ତୁଳସୀ ନେଇ ବାଲେଶ୍ୱରରୁ ଯାଉଛନ୍ତି ପୁରୀ
ଏହା ମଧ୍ୟ ପଢନ୍ତୁ ଅଟକାଇ ପାରିନି ଅକ୍ଷମତା: ସିଲେଇ ତାଲିମ ଦେଇ 700 ମହିଳାଙ୍କୁ କରିଛନ୍ତି ସ୍ବାବଲମ୍ବୀ