ETV Bharat / state

କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକରେ ମିଳିବ ମଦ: ଅବକାରୀ ମନ୍ତ୍ରୀ

ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନରେ ବିଧାନସଭାରେ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକରେ ମିଳିବ ମଦ: ଅବକାରୀ ମନ୍ତ୍ରୀ
କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକରେ ମିଳିବ ମଦ: ଅବକାରୀ ମନ୍ତ୍ରୀ (ETV BHARAT ODISHA)
author img

By ETV Bharat Odisha Team

Published : February 21, 2026 at 3:37 PM IST

|

Updated : February 21, 2026 at 4:21 PM IST

3 Min Read
Choose ETV Bharat

ଭୁବନେଶ୍ବର: ଆଗାମୀ ଦିନରେ ରାଜ୍ୟରେ ଆଉ କାଚ ବୋତଲରେ ମିଳିବନାହିଁ ମଦ । ଆଗାମୀ ଦିନରେ ଟେଟ୍ରା ପ୍ୟାକରେ ମିଳିବ ମଦ । କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକରେ ମିଳିବାକୁ ଯାଉଛି ମଦ । ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନରେ ବିଧାନସଭାରେ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ରାଜ୍ୟରେ ଠିପି ଖୋଲା ଓ ଠିପି ବନ୍ଦ ମଦ କାଚ ବୋତଲରେ ବିକ୍ରୟ ହେଉଛି । ମଦ୍ୟପମାନେ ମଦ ପିଇ ପୋଖରୀ ଘାଟରେ, ନଦୀ ତୁଠରେ, ନାଳ ମାନଙ୍କରେ ମଦ ବୋତଲ ଭାଙ୍ଗି ପକାଉଛନ୍ତି । କାଚ ଗୁଡିକ ଚାଷ ବିଲକୁ ଫୋପାଡୁଛନ୍ତି । ଭଙ୍ଗା କାଚ ଗୋଡରେ ଲାଗି ଲୋକ ବିପଦ ଶଙ୍କୁଳରେ ପଡୁଛନ୍ତି । ସେହିପରି ନିଶାଗ୍ରସ୍ତ ବ୍ୟକ୍ତି କାଚ ବୋତଲରେ ସହଯୋଗୀ, ଆଖପାଖର ଲୋକଙ୍କୁ ଆକ୍ରମଣ କରିବାର ନଜିର ଓ ଅଭିଯୋଗ ମଧ୍ୟ ରହିଛି । ତେଣୁ କାଚ ବୋତଲ ପରିବର୍ତ୍ତେ ପ୍ଲାଷ୍ଟିକ ବୋତଲ କିମ୍ବା କ୍ଷତି କାରକ ନହେବା ଭଳି ଅନ୍ୟ କୌଣସି ବୋତଲ ବ୍ୟବହାର କରିବା ପାଇଁ ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥା କରିବା ପାଇଁ ଦାବି ହେଉଥିଲା । ମଦ ତିଆରି କରୁଥ‌ିବା ଶିଳ୍ପ ମାନଙ୍କୁ କାଚ ବଦଳରେ ଅନ୍ୟାନ୍ୟ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେବେ କି ବୋଲି ପ୍ରଶ୍ନ କରିଥିଲେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ।


ବିଧାନସଭାରେ ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନରେ ଉତ୍ତର ଦେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଅବକାରୀ ନୀତି ଅନୁସାରେ କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍ ବ୍ୟବହାରକୁ ଅନୁମତି ଦିଆଯାଇଛି । ଯାହା ପରିବେଶ ସୁରକ୍ଷା ପାଇଁ ମଧ୍ୟ ଅନୁକୂଳ । ଏହା ସହିତ ପରିବେଶ ସୁରକ୍ଷାର ଦୃଷ୍ଟିକୋଣରୁ ସରକାର ସମସ୍ତ ସମ୍ପୃକ୍ତ ସଂସ୍ଥା ବା ବ୍ୟକ୍ତିମାନଙ୍କୁ କାଚ ବୋତଲର ପୁନଃବ୍ୟବହାର ପାଇଁ ଉତ୍ସାହିତ କରିଛନ୍ତି ।"



ସେହିପରି ରାଜ୍ୟରେ ପ୍ରତିବର୍ଷ କ୍ରମାଗତ ଭାବେ ମଦ ବିକ୍ରି ବଢି ଚାଲିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ୧୦ ମାସରେ ୬୫୬୯ କୋଟି ଟଙ୍କାର ମଦ ପିଇ ଦେଇଛନ୍ତି ରାଜ୍ୟବାସୀ । ୧୦ ମାସରେ ୬୨୦ ଲକ୍ଷ ଲଣ୍ଡନ ପ୍ରୁଫ ଲିଟର ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ ୧୦୯୨ ଲକ୍ଷ BULK ଲିଟର ବିଅର ଏବଂ ୯୭ ଲକ୍ଷ ଲଣ୍ଡନ ପ୍ରୁଫ ଲିଟର ଦେଶୀ ମଦ ବିକ୍ରି ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ମଦ ବିକ୍ରିରୁ ୭୨୧୬ କୋଟି ରାଜସ୍ୱ ଆଦାୟ ହୋଇଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ୮୧୯୫ କୋଟିର ରାଜସ୍ୱ ଆଦାୟ ହୋଇଛି । ରାଜ୍ୟରେ ବିଗତ ୧୯ ମାସ ମଧ୍ୟରେ ବନ୍ଦ ହୋଇ ରହିଥ‌ିବା ମଦ ଦୋକାନ ଖୋଲିବା ଏବଂ ନୂତନ ମଦ ଦୋକାନ ଖୋଲିବା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ଚାଲିଛି । ଆଗାମୀ ଦିନରେ ରାଜ୍ୟରେ ନୂଆ ମଦ ଦୋକାନ ଖୋଲା ହେବାର ପ୍ରସ୍ତାବ ନାହିଁ । ନୂତନ ନୀତି ପ୍ରଣୟନ କରିବାର ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଅଛି ।



ସେହିପରି ଅବକାରୀ ମନ୍ତ୍ରୀ କହିଛନ୍ତି, "୨୦୨୪-୨୫ ମସିହାରୁ ରାଜ୍ୟରେ ଖୋଲାଯାଇଥିବା ON SHOP ଓ ଦେଶୀ ମହୁଲି ଭାଟିର ତଥ୍ୟ ସଂଗ୍ରହ ଚାଲିଛି । ନିଶା ସେବନର କୁପ୍ରଭାବ ଓ ଭୟାବହତା ସମ୍ପର୍କରେ ସାଧାରଣ ଲୋକମାନଙ୍କୁ ସଚେତନ କରିବା ନିମନ୍ତେ 'ଆମ ସଂକଳ୍ପ - ନିଶା ନୁହେଁ ଜୀବନ' ଭଳି ଅଭିଯାନ ମାଧ୍ୟମରେ ପଥପ୍ରାନ୍ତ ନାଟକ, ଦାସକାଠିଆ ଓ ପାଲା ପରି ଲୋକକଳା ସହିତ ପ୍ରଚାର ପ୍ରସାର କରାଯାଉଛି । ଯାହା ମାଧ୍ୟମରେ ମଦ୍ୟପାନର ଭୟାବହତା ବିଷୟରେ ଜନସାଧାରଣଙ୍କୁ ସଚେତନ ଓ ଅବଗତ କରାଯାଉଛି । IEC କାର୍ଯ୍ୟକ୍ରମ ବାବଦକୁ ୨୦୨୪-୨୫ ବର୍ଷରୁ ଅଦ୍ୟାବଧି ୫,୩୭,୫୦୦ ଟଙ୍କା ବ୍ୟୟ କରାଯାଇଛି ।



ରାଜ୍ୟରେ ଠିପି ଖୋଲା ଓ ଠିପି ବନ୍ଦ ମଦ ଦୋକାନ ସ୍ଥାପନା ପ୍ରଚଳିତ ଅବକାରୀ ଆଇନ ଓ ନୀତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କରାଯାଉଛି । ସମ୍ପର୍କିତ ଗ୍ରାମ ପଞ୍ଚାୟତର ଜନସଂଖ୍ୟା ୨୦,୦୦୦ ରୁ ଅଧିକ ଥିଲେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡରୁ ୫୦୦ ମିଟର ମଧ୍ଯରେ ଏବଂ ଜନସଂଖ୍ୟା ୨୦,୦୦୦ ରୁ କମ ଥିଲେ ୨୨୦ ମିଟର ମଧ୍ଯରେ ମଦ ଦୋକାନ ସ୍ଥାପନା ନିଷିଦ୍ଧ ରହିଛି । ଏହି ନିର୍ଦ୍ଦେଶ ଗୁଡ଼ିକୁ କଡାକଡି ଭାବରେ ଅନୁସରଣ କରାଯାଉଛି । ମଦ୍ୟପାନ କରି ଯାନ ବାହନ ଚଲେଇବା ଆଇନତଃ ଦଣ୍ଡନୀୟ ଅପରାଧ ଅଟେ । ଏଣୁ ଏହାକୁ ରୋକିବା ପାଇଁ ପରିବହନ, ପୁଲିସ ଓ ଅବକାରୀ ବିଭାଗ ଦ୍ବାରା ନିୟମିତ ଯାଞ୍ଚ କରି ଆଇନାନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।



ଓଡିଶାରେ ଅବୈଧ ମଦ ତିଆରି ଓ ବିକ୍ରୟ ରୋକିବା ପାଇଁ ଅବକାରୀ ବିଭାଗ ସନ୍ଧିଗ୍ଧ ସ୍ଥାନଙ୍କରେ ନିୟମିତ ଚଢାଉ ଜାରି ରଖୁଛନ୍ତି । ବେଆଇନ ଓ ଅପମିଶ୍ରିତ ମଦ ବିରୋଧରେ ବ୍ୟାପକ ଏବଂ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ ମାଧ୍ୟମରେ ସମସ୍ତ ଜିଲ୍ଲାରେ ଏନଫୋର୍ସମେଣ୍ଟ ଅପରେସନକୁ ଜୋରଦାର ହୋଇଛି । ଫଳରେ ୮୨.୪୮ କୋଟି ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ ଜବତ କରାଯାଇଛି । ଏହି ଅଭିଯାନ ସମୟରେ ୧୫,୦୪୫ ମାମଲା ରୁଜୁ କରାଯାଇଛି । ସେହିଭଳି ଚାରୋଟି Special Intensive Enforcement Drive ସମୟରେ ୭,୧୭୫ ଜଣଙ୍କୁ ଗିରଫ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ- ବାରମ୍ବାର ବାରମ୍ବାର ପେଟ ଯନ୍ତ୍ରଣା ହେଉଛି କି ? ହୋଇପାରେ କିଡନୀ ରୋଗର ଲକ୍ଷଣ

ଏହା ମଧ୍ୟ ପଢ଼ନ୍ତୁ- ଦୁଇ ସପ୍ତମ ଶ୍ରେଣୀ ଛାତ୍ର ବିଦ୍ୟାଳୟକୁ ମଦ ପିଇ ଆସିଥିବା ଅଭିଯୋଗ

ଇଟିଭି ଭାରତ, ଭୁବନେଶ୍ବର

Last Updated : February 21, 2026 at 4:21 PM IST