100 ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମିଳିଲା MV Ocean Winner ଜାହାଜର ଏକ ଲାଇଫବୋଟ୍, ଏବେ ବି ନିଖୋଜ 22 କ୍ରୁ ମେମ୍ବର
ପାରାଦ୍ବୀପ ବନ୍ଦରରୁ ଚୀନକୁ ପ୍ରାୟ 71,000 ମେଟ୍ରିକ୍ ଟନ୍ ଲୁହାପଥର ନେଇ ଯାତ୍ରା କରିଥିବା ପଣ୍ୟବାହୀ ଜାହାଜ MV Ocean Winner ଅଗଷ୍ଟ 22 ତାରିଖରେ ବଙ୍ଗୋପସାଗରରେ ବୁଡ଼ି ଯାଇଥିଲା। ରିପୋର୍ଟ: ସୁଶାନ୍ତ ପାତ୍ର

Published : August 26, 2026 at 7:27 AM IST
MV OCEAN WINNER , ଜଗତସିଂହପୁର: ବଙ୍ଗୋପସାଗରରେ ପାନାମା-ପତାକାବାହୀ କାର୍ଗୋ ଜାହାଜ MV Ocean Winner ବୁଡ଼ିଯିବା ପରେ ନିଖୋଜ କ୍ରୁ ସଦସ୍ୟଙ୍କୁ ଖୋଜିବା ପାଇଁ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ବରାନ୍ବିତ କରାଯାଇଛି । ଜାହାଜ ବୁଡ଼ିବାର ପ୍ରାୟ ୧୦୦ ଘଣ୍ଟା ପରେ ମଙ୍ଗଳବାର ଭାରତୀୟ ତଟରକ୍ଷୀ ବାହିନୀର ଉଦ୍ଧାରକାରୀ ଦଳ ମଝି ସମୁଦ୍ରରେ ଏକ ଲାଇଫ ବୋଟ୍ ଠାବ କରିଛନ୍ତି । ଏହା MV Ocean Winnerର ଲାଇଫ ବୋଟ୍ ବୋଲି ଜଣାପଡ଼ିଛି ।
ମଝି ସମୁଦ୍ରରେ ଭାସୁଥିବା ଅବସ୍ଥାରେ ତଟରକ୍ଷୀ ବାହିନୀର ଉଦ୍ଧାରକାରୀ ଦଳ ଏହି ଲାଇଫବୋଟ୍କୁ ଠାବ କରିଛନ୍ତି । ଲାଇଫବୋଟ୍ ଭିତରେ କୌଣସି କ୍ରୁ ସଦସ୍ୟ ନଥିବା ଜଣାପଡ଼ିଛି । ଲାଇଫ ବୋଟ୍ ଠାବ ହେବା ପରେ ଏହାର ଆଖପାଖ ଅଞ୍ଚଳରେ ଉଦ୍ଧାରକାରୀ ଦଳ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।
ଭାରତୀୟ ତଟରକ୍ଷୀ ବାହିନୀ (ICG) ପକ୍ଷରୁ ଜାରି ପ୍ରେସ ବାର୍ତ୍ତା ଅନୁସାରେ, MV Ocean Winnerର ନିଖୋଜ ୨୨ ଜଣ କ୍ରୁ ସଦସ୍ୟଙ୍କ ସନ୍ଧାନରେ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ୍ ବର୍ତ୍ତମାନ ସୁଦ୍ଧା ବଳବତ୍ତର ରହିଛି । ଅପରେସନ୍ରେ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ଓ ଅନ୍ୟ ଉଦ୍ଧାରକାରୀ ଟିମ୍ ନିୟୋଜିତ ହୋଇଛନ୍ତି ।
ଭାରତୀୟ ତଟରକ୍ଷୀ ବାହିନୀ (ICG) ସୂଚନା ଅନୁସାରେ, ପଣ୍ୟ ଜାହାଜ MV Ocean Winner ଅଗଷ୍ଟ 20 ତାରିଖରେ ଓଡ଼ିଶାର ପାରାଦ୍ବୀର ବନ୍ଦରରୁ ଜଳପଥରେ ଚୀନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଅଗଷ୍ଟ 22 ତାରିଖରେ MV Ocean Winner ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ପରେ ଜାହାଜଟି ବଙ୍ଗୋପସାଗରରେ ବୁଡ଼ିଯାଇଥିବା ସୂଚନା ମିଳିଥିଲା । ଜାହାଜରେ ଥିବା ୨୪ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ପୂର୍ବରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ୨୨ ଜଣଙ୍କର ଏଯାଏଁ କୌଣସି ପତ୍ତା ମିଳିନାହିଁ ।
ଜାହାଜ ବୁଡ଼ିବା ଘଟଣାକୁ ୧୦୦ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ନିଖୋଜ 22 କ୍ରୁ ସଦସ୍ୟଙ୍କ ସନ୍ଧାନ କାର୍ଯ୍ୟ ଜାରି ରହିଛି । ଲାଇଫବୋଟ୍ ଠାବ ହେବା ପରେ ଉଦ୍ଧାରକାରୀ ଦଳ ଆଶାବାଦୀ ହୋଇଛନ୍ତି । ଲାଇଫବୋଟ୍ ଯେଉଁ ସ୍ଥାନରେ ମିଳିଛି, ସେହି ଅଞ୍ଚଳକୁ କେନ୍ଦ୍ର କରି ନିଖୋଜ କ୍ରୁ ସଦସ୍ୟମାନଙ୍କ ସନ୍ଧାନ ଅଭିଯାନକୁ ଅଧିକ ତ୍ବରାନ୍ବିତ କରାଯାଇଛି । ଉଦ୍ଧାର ଅପରେସନ୍ର ପରବର୍ତ୍ତୀ ଅପଡେଟ୍କୁ ଅପେକ୍ଷା କରାଯାଇଥିବା ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ... MV Ocean Winner ବୁଡିଯିବା ଘଟଣା, ରେସ୍କ୍ୟୁ ଅପରେସନ୍ରେ ସାମିଲ ହେଲା 3 ଜାହାଜ |
ଇଟିଭି ଭାରତ, ଜଗତସିଂହପୁର

