ଅଦିନିଆ ରଥଯାତ୍ରା ପ୍ରସଙ୍ଗ, ଇସ୍କନର ଚିନ୍ତା ଚୈତନ୍ୟ ଉଦୟ ହେଉ: ଆଇନମନ୍ତ୍ରୀ
ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପରମ୍ପରାକୁ ଇସ୍କନ କର୍ତ୍ତୃପକ୍ଷ ବାରମ୍ବାର ଅଣଦେଖା କରୁଛନ୍ତି । ଶୀଘ୍ର ନଚେତିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ କହିଲେ ଆଇନମନ୍ତ୍ରୀ ।

Published : October 22, 2025 at 5:30 PM IST
ଭୁବନେଶ୍ବର: ଅଦିନିଆ ରଥ ଯାତ୍ରାର ଆୟୋଜନକୁ ନେଇ କ୍ଷୁବ୍ଧ ପୁରୀ ଗଜପତି । ବାରମ୍ବାର ଚେତାବନୀ ପରେ ମଧ୍ୟ ସୁଧୁରୁନି ଇସ୍କନ । ରଥଯାତ୍ରା ଆୟୋଜନର ସଠିକ ସମୟ ବିଷୟରେ ଅବଗତ କରାଯାଇଛି । ଏହା ସହିତ ଗଜପତି ଚିଠିରେ ରଥଯାତ୍ରା ପାଇଁ ରୀତି ନୀତି କଣ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି l ଏନେଇ ଇସ୍କନର ଉତ୍ତରକୁ ଅପେକ୍ଷା l ଏହି ପ୍ରସଙ୍ଗରେ ମତ ରଖିଛନ୍ତି ଆଇନମନ୍ତ୍ରୀ ।
ମହାପ୍ରଭୁଙ୍କ ରୀତିନୀତି ଭଙ୍ଗ କରିବାକୁ ଦିଆଯିବ ନାହିଁ: ଆଇନ ମନ୍ତ୍ରୀ
ଅଦିନିଆ ରଥଯାତ୍ରା ପ୍ରସଙ୍ଗକୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି, "ଗଜପତି ମହାରାଜ ଇସ୍କନକୁ ଚିଠିରେ ରଥଯାତ୍ରା ପାଇଁ ରୀତିନୀତି କ’ଣ ରହିବ ଏବଂ କିପରି ପାଳନ କରାଯିବ ତାହା ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି । କୌଣସି ସ୍ଥାନରେ ମହାପ୍ରଭୁଙ୍କ ରୀତିନୀତି ଭଙ୍ଗ କରିବାକୁ ଦିଆଯିବ ନାହିଁ । ଇସ୍କନ ଏହାର କ’ଣ ଉତ୍ତର ଦେଉଛନ୍ତି ତାହା ଅପେକ୍ଷା କରିଛୁ । ନଚେତ୍ ଆଇନଗତ ପଦକ୍ଷେପ ନେବୁ । ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପରମ୍ପରାକୁ ଇସ୍କନ କର୍ତ୍ତୃପକ୍ଷ ବାରମ୍ବାର ଅଣଦେଖା କରୁଛନ୍ତି । ଏହା କୋଟିକୋଟି ଜଗନ୍ନାଥପ୍ରେମୀଙ୍କୁ ଗଭୀର ଆଘାତ ଦେଉଛି ।"
ଇସ୍କନର ଅଦିନିଆ ରଥଯାତ୍ରା ଆୟୋଜନ ପ୍ରସଙ୍ଗ-
- ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା
- ଇସ୍କନର ଚିନ୍ତା ଚୈତନ୍ୟ ଉଦୟ ହେଉ କହିଲେ ମନ୍ତ୍ରୀ
- 'ଗଜପତି ଚିଠିରେ ରଥଯାତ୍ରା ରୀତି ନୀତି ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି'
ଇସ୍କନକୁ ଅନେକ ଥର ଦିଆଗଲାଣି ଚେତାବନୀ:
ଏ ନେଇ ପୂର୍ବରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅନେକ ଥର ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିସାରିଛନ୍ତି । ଏହା ସତ୍ତ୍ବେ ଇସ୍କନ ଅଦିନିଆ ରଥଯାତ୍ରା ଆୟୋଜନ କରୁଛି । ତେବେ ଇସ୍କନର ଏଭଳି ପଦକ୍ଷେପ ନେଇ ଗଜପତି ମହାରାଜା ପୁଣି ଚିଠି ଲେଖିଛନ୍ତି । ସେ ଇସ୍କନ ଗଭର୍ଣ୍ଣିଂ ବଡି କମିସନ (ଜିବିସି) ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସଙ୍କୁ ଚିଠି ଲେଖିଛନ୍ତି ।
ନିର୍ଦ୍ଧାରିତ ତିଥିରେ ପାଳନ ହେବ ସ୍ନାନଯାତ୍ରା:
ଅଦିନିଆ ରଥଯାତ୍ରା ଆୟୋଜନ କରିବାକୁ ଇସ୍କନ ଉପରେ କ୍ଷୁବ୍ଧ ଗଜପତି ମହାରାଜ । ଦେଶ ଓ ବିଦେଶରେ ଇସ୍କନ ପକ୍ଷରୁ ସ୍ନାନଯାତ୍ରା ଓ ରଥଯାତ୍ରା ନିର୍ଦ୍ଧାରିତ ତିଥିରେ କରିବା ନେଇ ଉତ୍ତର ଦେଇଛନ୍ତି ମାୟାପୁର ସ୍ଥିତ ଇସ୍କନ ପରିଚାଳନା କମିଟିର ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସ । ଗତ ଅକ୍ଟୋବର ୧୯ ତାରିଖରେ ପୁରୀ ଗଜପତିଙ୍କୁ ଏକ ଚିଠି ମାଧ୍ୟମରେ ଉତ୍ତର ଦେଇଛନ୍ତି । ଇସ୍କନ ପରିଚାଳନା କମିଟି ଅଧ୍ୟକ୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ନିର୍ଦ୍ଧାରିତ ତିଥିରେ ଅର୍ଥାତ ଜ୍ୟେଷ୍ଠ ପୂର୍ଣ୍ଣିମାରେ ପାଳନ କରିବାକୁ ସହମତି ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ପୁଣି ଇସ୍କନକୁ ଗଜପତି ମହାରାଜାଙ୍କ ଚିଠି; 9 ଦିନରେ ଭାରତ ବାହାରେ ରଥଯାତ୍ରା ପାଇଁ ସହମତି ନାହିଁ ଇସ୍କନ ପୁଣି ଇସ୍କନର ମନମାନି: ବିବାଦ ସତ୍ତ୍ୱେ ପାଳିଲା ଅଦିନିଆ ରଥଯାତ୍ରା, ସେବାୟତଙ୍କ କାର୍ଯ୍ୟାନୁଷ୍ଠାନ ଦାବି |
ରଥଯାତ୍ରା ପାଳନକୁ ନେଇ ଦ୍ବନ୍ଦ:
ମାତ୍ର ବିଦେଶରେ ରଥଯାତ୍ରାକୁ ନିର୍ଦ୍ଧାରିତ ତିଥି ଅର୍ଥାତ ଆଷାଢ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ପାଳନ କରିବାକୁ ଇସ୍କନ କର୍ତ୍ତୃପକ୍ଷ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି । ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ଯାତ୍ରାକୁ ନିର୍ଦ୍ଧାରିତ ନଅ ଦିନ ମଧ୍ୟରେ ସମାପ୍ତ କରିବାକୁ ନେଇ ଗଜପତି ମହାରାଜା କରିଥିବା ଅପିଲକୁ ଇସ୍କନ କର୍ତ୍ତୃପକ୍ଷ ଚିଠିରେ ଉତ୍ତର ଦେଇଛନ୍ତି । ବିଦେଶରେ କେବଳ ସପ୍ତାହର ଶେଷ ଦିନରେ ରଥଯାତ୍ରା ଅନୁଷ୍ଠିତ ହୋଇପାରିବ ବୋଲି ଇସ୍କନ ପକ୍ଷରୁ କୁହାଯାଇଛି । ଏନେଇ ଗଜପତି ମହାରାଜ ଏକ ପ୍ରସ୍ତାବ ରଖିଛନ୍ତି । ଆଷାଢ ଶୁକ୍ଲ ପକ୍ଷ ଦ୍ବିତୀୟା ତିଥିରୁ ଆରମ୍ଭ ହେଉଥିବା ମହାପ୍ରଭୁଙ୍କ ନବ ଦିନାତ୍ମକ ରଥଯାତ୍ରା ମଧ୍ୟରେ ପଡୁଥିବା ସପ୍ତାହନ୍ତରେ ବିଦେଶରେ ରଥଯାତ୍ରା ଆୟୋଜନ ନେଇ ପ୍ରସ୍ତାବ ଦେଇଛନ୍ତି ଗଜପତି । କିନ୍ତୁ ଏହି ନିର୍ଦ୍ଧାରିତ ନଅ ଦିନ ବାହାରେ ରଥଯାତ୍ରା କରାଯିବା ଶ୍ରୀଜଗନ୍ନାଥ ସଂସ୍କୃତି ବିରୋଧୀ ବୋଲି ଗଜପତି କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର

