ମୟୂରଭଞ୍ଜରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ: ଖୋଲାଖୋଲି ଆଇନକୁ ହାତକୁ ନେଉଛନ୍ତି ଲୋକେ
ମୋରାଡ଼ା ଘଟଣାରେ ୧୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅମ୍ବଶିକଡ଼ା ଘଟଣାରେ ୧୬ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି

Published : February 25, 2026 at 5:41 PM IST
|Updated : February 25, 2026 at 8:30 PM IST
ରାଇରଙ୍ଗପୁର(ମୟୂରଭଞ୍ଜ): ଶାନ୍ତ ମୟୂରଭଞ୍ଜ ଏବେ ଅଶାନ୍ତ । ଜିଲ୍ଲାରେ ଦିନକୁ ଦିନ ବଢ଼ିଚାଲିଛି ଭିଡ଼ ହିଂସା । ନିର୍ଭୟରେ ଆଇନକୁ ହାତରେ ନେଉଛନ୍ତି ଲୋକେ । କେତେବେଳେ ଛୁଆ ଚୋର ଭାବି ପିଟି ପିଟି ମାରି ଦିଆ ଯାଉଛି ତ ପୁଣି କେତେବେଳେ କୋର୍ଟରେ ସାକ୍ଷୀ ଦେବାରୁ ପିଟି ପିଟି ହତ୍ୟା କରାଯାଉଛି । ମୟୂରଭଞ୍ଜ ଜିଲ୍ଲାରେ ଏଇ କିଛି ଦିନ ହେବ ଏପରି କିଛି ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ବିଶେଷକରି ଏବେ ଜିଲ୍ଲାରେ ଛୁଆ ଚୋର ଗୁଜବ ସୃଷ୍ଟି ହୋଇଛି । ଫଳରେ ବିନା କାରଣରେ ଅଚିହ୍ନା ଅପରିଚିତ ଲୋକେ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହେଉଛନ୍ତି । କିଛି ଆକ୍ରମଣରେ ଗୁରୁତର ହେଉଥିବା ବେଳେ କାହାରି ଜୀବନ ମଧ୍ୟ ଯାଉଛି । ଦେଖିବାକୁ ଗଲେ ମୟୂରଭଞ୍ଜରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିଛି ।
ଛୁଆ ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା
ଗତ ସୋମବାର (୨୩ ଫେବୃଆରୀ) ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ଥାନା ଅଞ୍ଚଳରେ ଛୁଆ ଚୋର ସନ୍ଦେହରେ ଜଣେ ଯୁବକଙ୍କୁ କିଛି ସ୍ଥାନୀୟ ଲୋକେ ମାଡ଼ ମାରିବା ଫଳରେ ଯୁବକ ଜଣଙ୍କ ମୃତ୍ୟୁ ହୋଇଥିଲେ। ମୋରୋଡ଼ା ଥାନା ଅନ୍ତର୍ଗତ ଡେଙ୍ଗାଶୋଳ ଲୋଧା ସାହି ନିକଟରେ ଚାରି ଜଣ ଯୁବକଙ୍କୁ ଛୁଆ ଚୋର ସନ୍ଦେହରେ ସ୍ଥାନୀୟ ଲୋକେ ଗୋଡ଼ାଇବାରୁ ତିନି ଜଣ ଯୁବକ ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ଜଣକୁ ଗାଁ ଲୋକେ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ । ପରେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାରମାଇଲ ସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଯୁବକଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ମୃତଦେହ ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ମୃତ ଯୁବକ ଜଣକ ମାନସିକ ଭାରସାମ୍ୟ ହରାଇଥିବା ଥାନା ଅଧିକାରୀ ସୁମିତ କୁମାର ସୋରେନ ସୂଚନା ଦେଇଛନ୍ତି ।
ପିଲା ଚୋର ସନ୍ଦେହରେ ଦମ୍ପତିଙ୍କୁ ନିସ୍ତୁକ ମାଡ଼
ଆଉ ଏକ ଘଟଣାକ୍ରମରେ ପିଲା ଚୋର ସନ୍ଦେହରେ ଜନୈକ ଦମ୍ପତିଙ୍କୁ ନିସ୍ତୁକ ମାଡ଼ ହୋଇଛି । ଜିଲ୍ଲାର ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଆମ୍ବଶିକଡ଼ା ଗ୍ରାମରେ ଏପରି କିଛି ଅଭାବନୀୟ ଘଟଣା ଘଟିଛି । ଜନୈକ ଦମ୍ପତି ନିଜ ଅଟୋ ଯୋଗେ ଆମ୍ବଶିକଡ଼ା ଦେଇ ଯାଉଥିବା ବେଳେ ସେମାନଙ୍କୁ ଲୋକେ ଅଟକାଇଥିଲେ । ସେମାନେ କିଛି ବୁଝିବା ପୂର୍ବରୁ ଲୋକେ ପିଲା ଚୋର କହି ମାଡ଼ ମାରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଶହ ଶହ ଲୋକ ରୁଣ୍ଡ ହୋଇ ଦୁଇ ଜଣଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରିଥିଲେ । ପିଲା ଚୋର ନୁହଁ ବୋଲି ବାରମ୍ବାର ଦମ୍ପତି କାକୁତିମିନତୀ କଲେ ମଧ୍ୟ କେହି ଶୁଣି ନଥିଲେ । ମାନବିକତା ଭୁଲି ମନଇଚ୍ଛା ଯିଏ ପାରିଲା ପିଟି ଚାଲିଲା । ଜୀବନକୁ ବାଜି ଲଗାଇ ପତ୍ନୀଙ୍କ ରକ୍ଷା କବଚ ସାଜିଲେ ସ୍ବାମୀ । ଏବଂ ନିଜେ ଲହୁଲୁହାଣ ହେବା ସହ ସ୍ତ୍ରୀ ଙ୍କୁ ରକ୍ଷା କଲେ । ଦମ୍ପତି ଜଣକ ସ୍ଥାନୀୟ କେନ୍ଦୁଆ ରଂଗୀଭୋଳ ଗ୍ରାମର ହିମାନି ହାଁସଦା ଓ ତାଙ୍କ ସ୍ବାମୀ ବାରିପଦା ସହର ତକତପୁର ଅଞ୍ଚଳର ଗଣେଶ୍ବର କିସ୍କୁ । ଏପରିକି ସେମାନଙ୍କୁ ଉଦ୍ଧାର ପାଇଁ ପହଞ୍ଚିଥିବା ୪ ଜଣ ପୋଲିସକର୍ମୀଙ୍କୁ ଲୋକେ ମାରିବାକୁ ପଛାଇ ନଥିଲେ । କିଛି ସମୟ ପରେ ବାରିପଦା ସଦର ଉପଖଣ୍ଡ ଅଧିକାରୀ ଓ ସଦର ଥାନା ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଘଉଡ଼ାଇବା ସହ ଦମ୍ପତିଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣାରେ ପୋଲିସ ୫ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି ।
କିଛି ଦିନ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯଥା: ବାଙ୍ଗିରିପୋଷି, କୁଳିଅଣା, ଚାନ୍ଦୁଆ, ଝାରପୋଖରିଆ, କଳାବାଡ଼ିଆ, ଚିତ୍ରଡ଼ା, ମରୋଡ଼ା, ଶ୍ୟାମାଖୁଣ୍ଟା, ବିଶୋଇ, ବାରିପଦା ଆଦି ଅଞ୍ଚଳରେ ଛୁଆ ଚୋର ର ଗୁଜବ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ବିଭିନ୍ନ ସୋସିଆଲ ମିଡିଆ ଯୋଗେ ଗୁଜବ ପ୍ରଚାରିତ ହେଉଛି । ଯାହା ଫଳରେ ସ୍ଥାନୀୟ ଲୋକେ ଅଚିହ୍ନା, ଅପରିଚିତ ଲୋକଙ୍କୁ ଦେଖିଲେ ଛୁଆ ଚୋର ଭାବି ଉତ୍ୟକ୍ତ ହୋଇ ପଡୁଛନ୍ତି ଏବଂ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ଆଇନକୁ ହାତକୁ ନେଇ ଆଇନ ହାତରେ ବନ୍ଧା ହେଉଛନ୍ତି ।
ଅନ୍ୟ ଏକ ଘଟଣା କ୍ରମରେ, କୋର୍ଟରେ ଜଣେ ଯୁବକ ସାକ୍ଷୀ ଦେବା ପରେ ତାଙ୍କୁ ପିଟି ପିଟି ହତ୍ୟା କରା ଯାଇଛି । ଜିଲ୍ଲାର ଖୁଣ୍ଟା ଥାନା ଅଞ୍ଚଳରେ ଘଟିଛି ଏପରି କିଛି ଲୋମଟାଙ୍କୁରା ହତ୍ୟା ଘଟଣା । ମୃତକ ଜଣକ ଗଡ଼ିଗାଁ ଗ୍ରାମର କାହ୍ନୁ ମଢେଇ । କାହ୍ନୁ ମଧ୍ୟ ଜଣେ ପେଶାଦାର ଅପରାଧୀ । ଏକ ଚୋରି ମାମଲାରେ ସେ ଜେଲ୍ ଯାଇଥିବା ବେଳେ ନିକଟରେ ଜାମିନରେ ଫେରିଥିଲା । ପୋଲିସର ସୂଚନା ଅନୁଯାୟୀ, ଗତ ନଭେମ୍ବର ମାସରେ ଉଦଳା ଥାନା ଅନ୍ତର୍ଗତ ଧାନଘେରା ଗ୍ରାମରେ ଗ୍ୟାସ ସିଲିଣ୍ଡର ଚୋରି ଘଟଣାରେ କାହ୍ନୁ ଓ ତା ସହଯୋଗୀ ବାପି କୋହ୍ଲାର, ଗାଁ ଲୋକଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ । ଗାଁ ଲୋକେ ଦୁହିଁଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଯେଉଁଥିରେ ବାପିର ମୃତ୍ୟୁ ଘଟିଥିଲା । ଚୋରି ଘଟଣାରେ କାହ୍ନୁ ଗିରଫ ହୋଇଥିବା ବେଳେ ବାପିକୁ ହତ୍ୟା ଅଭିଯୋଗରେ ଗ୍ରାମର ୧୧ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ବାପି ହତ୍ୟା ଘଟଣାରେ କାହ୍ନୁ ଏକମାତ୍ର ସାକ୍ଷୀ ଥିବାରୁ, ସେ ସାକ୍ଷ୍ୟ ଦେବାପାଇଁ ଉଦଳା କୋର୍ଟ ଯାଇ ଫେରିବା ପରେ ସେହି ଘଟଣାର ଜଣେ ହତ୍ୟା ଅଭିଯୁକ୍ତଙ୍କ ସହିତ ଭେଟ ସମୟରେ ବଚସା ହେବାରୁ ସେଠାରେ ଥିବା ଚାରିଜଣ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ପୋଲିସ ୫୦/୨୬ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇବା ସହିତ ବିଶିପୁର ଗ୍ରାମର ଅଭିଯୁକ୍ତ ଦୁଲାରାମ ମୁର୍ମୁକୁ ଗିରଫ କରିବା ସହ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରଖିଥିବା କହିଛନ୍ତି, ଖୁଣ୍ଟା ଥାନା ଅଧିକାରୀ ପଞ୍ଚାନନ ମହାନ୍ତି ।
ପିଲା ଚୋରି ଗୁଜବକୁ ନେଇ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ଜନ ସାଧାରଣଙ୍କୁ ବିଶୃଙ୍ଖଳା ସୃଷ୍ଟି ନ କରିବାକୁ ଆହ୍ବାନ ଦେଇଛନ୍ତି । ଜିଲ୍ଲାରେ ପିଲା ଚୋରି ଗୁଜବକୁ ନେଇ ସବୁଆଡେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଥିଲା ବେଳେ ଏଥିରେ ରୋକ୍ ଲଗାଇବାକୁ ଏସ୍ପି ପରିସ୍ଥିତିର ସମୀକ୍ଷା କରି କହିଛନ୍ତି । ସେ କହିଛନ୍ତି ଯେ, "ଏହିପରି ଗୁଜବ ଯୋଗୁଁ ବିଭିନ୍ନ ସ୍ଥାନରେ ଅନେକ ସାଧାରଣ ବ୍ୟକ୍ତିମାନଙ୍କୁ ମାରପିଟ୍ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି । ମୋରାଡ଼ା ଥାନା ଅନ୍ତର୍ଗତ ଡେଙ୍ଗାଶୋଳ ଲୋଧା ସାହିରେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କୁ ମାରପିଟ୍ କରାଯାଇଥିଲା। ଏହା ପରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୧୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେହିପରି ବାରିପଦା ସଦର ଥାନା ଅନ୍ତର୍ଗତ ଅମ୍ବଶିକଡା ଗାଁରେ ଛୁଆ ଚୋରି ଘଟଣାରେ ଦମ୍ପତି ଙ୍କ ସହ ଗଣ୍ଡଗୋଳ କରିଥିବା ୧୬ ଜଣ ସ୍ଥାନୀୟ ବାସୀ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ତେବେ ଏହିସବୁ ଘଟଣାକୁ ରୋକ୍ ଲଗାଇବା ପାଇଁ ସାମ୍ୱାଦିକ ସମ୍ମିଳନୀରେ ଗଣମାଧ୍ୟମ ଜରିଆରେ ମୟୂରଭଞ୍ଜ ଏସ୍ପି ବରୁଣ ଗୁଣ୍ଟୁପାଲି ଲୋକମାନଙ୍କୁ ଅପିଲ୍ କରିଛନ୍ତି ଯେ, ଏହିପରି ଗୁଜବ ପ୍ରଚାର କରନ୍ତୁ ନାହିଁ ଏବଂ କୌଣସି ସନ୍ଦେହଜନକ ବ୍ୟକ୍ତିଙ୍କୁ ଦେଖିଲେ ସ୍ଥାନୀୟ ପୋଲିସ୍କୁ ତୁରନ୍ତ ସୂଚନା ଦିଅନ୍ତୁ । ଆଇନ୍ କୁ ନିଜ ହାତରେ ନ ନେବାକୁ ସେ ଅପିଲ କରିଛନ୍ତି । ଆଇନକୁ ହାତକୁ ନେଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏହା ସହ ଜିଲ୍ଲାର ସମସ୍ତ ଥାନାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସମସ୍ତ ସରପଞ୍ଚ ଏବଂ ଲୋକ ପ୍ରତିନିଧିମାନଙ୍କୁ ଏବାବଦରେ ସଚେତନ କରିବାକୁ କହିଛନ୍ତି । ଏହି ସଚେତନତା ଅଭିଯାନ ଜରିଆରେ ଗୁଜବ କୁ କିପରି ରୋକ୍ ଲଗାଯାଇ ପାରିବ ଏବଂ କିଭଳି ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବ," ସେନେଇ ମୟୂରଭଞ୍ଜ ଏସପି ସୂଚନା ପ୍ରଦାନ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ- ଗୋରୁ ବୋଝେଇ ଗାଡି ଡ୍ରାଇଭରଙ୍କୁ ଆକ୍ରମଣ ଓ ମୃତ୍ୟୁ ଘଟଣାରେ ତିନି ଗିରଫ
ଏହା ମଧ୍ୟ ପଢ଼ନ୍ତୁ- ସମ୍ବଲପୁରରେ ପଶ୍ଚିମବଙ୍ଗ ଶ୍ରମିକଙ୍କୁ ପିଟିପିଟି ହତ୍ୟା, 6 ଗିରଫ
ଇଟିଭି ଭାରତ, ରାଇରଙ୍ଗପୁର

