ETV Bharat / state

ଝାଡ଼ଖଣ୍ଡରୁ ଆଣି ଓଡ଼ିଶା ମଣ୍ଡିରେ ବିକ୍ରି ଯୋଜନା, ଚଢ଼ାଉ ବେଳେ ୧୧୫୦ ବସ୍ତା ଧାନ ଜବତ

ଝାଡ଼ଖଣ୍ଡ ଧାନ ଗଚ୍ଛିତ ସ୍ଥାନରେ ହେଲା ଚଢ଼ାଉ । ୧୧୫୦ ବସ୍ତା ଧାନ ଜବତ ସହ ସିଲ ହେଲା ଘର । ୫୦୦ କୁଇଣ୍ଟାଲରୁ ଅଧିକ ଧାନ ଜବତ ।

Large quantities of paddy Seized allegedly sourced from Jharkhand stockpiled in Mayurbhanj
ଝାଡ଼ଖଣ୍ଡ ଧାନ ଗଚ୍ଛିତ ସ୍ଥାନରେ ଚଢ଼ାଉ (ETV Bharat)
author img

By ETV Bharat Odisha Team

Published : January 5, 2026 at 6:19 PM IST

3 Min Read
Choose ETV Bharat

ରାଇରଙ୍ଗପୁର: ଅଧିକ ଏମଏସପି ମୂଲ୍ୟ ପାଇବା ପାଇଁ ଝାଡଖଣ୍ଡ ଧାନକୁ ଓଡ଼ିଶାର ଲ୍ୟାମ୍ପରେ ବିକିବା ପାଇଁ ଯୋଜନା ହେଉଥିଲା । ହେଲେ ସବୁ ଯୋଜନା ପଣ୍ଡ କରି ମୟୂରଭଞ୍ଜ ଜିଲ୍ଲାର ଯାମଦା ବ୍ଲକ୍ ଅନ୍ତର୍ଗତ ବଡଦୁନ୍ଦୁ ଗ୍ରାମରେ ଚଢ଼ାଉ କରାଯାଇଛି । ଜିଲ୍ଲା ପ୍ରଶାସନ ଅଧିକାରୀମାନେ ମିଳିତ ଭାବେ ଧାନ ଗଚ୍ଛିତ ଥିବା ସ୍ଥାନରେ ଚଢ଼ାଉ କରିଛନ୍ତି । ପ୍ରାୟ ୧୧୫୦ ଗଚ୍ଛିତ ଧାନ ବସ୍ତା ସମେତ ଦୁଇଟି ଘରକୁ ସିଲ କରିଛନ୍ତି ।

ଝାଡ଼ଖଣ୍ଡ ଧାନ ଗଚ୍ଛିତ ସ୍ଥାନରେ ଚଢ଼ାଉ (ETV Bharat)

ଝାଡ଼ଖଣ୍ଡରୁ ଓଡ଼ିଶା ଆସିଥିଲା ଧାନ:

ରାଇରଙ୍ଗପୁରର ଅତିରିକ୍ତ ବେସାମରିକ ଯୋଗାଣ ଅଧିକାରୀ ସାରଙ୍ଗଧର ବେହେରା କହିବା ଅନୁସାରେ, ବେପାରୀମାନେ ଓଡ଼ିଶାରେ ଝାରଖଣ୍ଡର ଟନ ଟନ ଧାନ ବିକ୍ରି କରିବା ପାଇଁ କିଛି ଯୋଜନା କରିଥିଲେ । ମୟୂରଭଞ୍ଜ ଓ ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତି ଜାମଦା ବ୍ଲକ ଅନ୍ତର୍ଗତ ବଡ଼ଦୁନ୍ଦୁ ଲ୍ୟାମ୍ପ ନିକଟରେ ଏକ ବନ୍ଦ ଘର ଭିତରେ ଧାନ ଗଚ୍ଛିତ କରି ରଖିଥିଲେ । ଗତ ଶନିବାର ବଡ଼ଦୁନ୍ଦୁ ଲ୍ୟାମ୍ପ ଉଦଘାଟନ ହୋଇଥିବା ବେଳେ ଆଗକୁ ଯୋଜନା କରି ଓଡ଼ିଶାରେ ଧାନ ବିକ୍ରି କରି ଅଧିକ ଏମଏସପି ଅର୍ଥ ହାତେଇଥାନ୍ତେ । ଯାହାକୁ ନେଇ କିଛି ବେପାରୀ ସକ୍ରିୟ ହୋଇଥିଲେ । ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କ ନାମ ପୂର୍ବରୁ ପଞ୍ଜିକରଣ ମଧ୍ୟ ହୋଇଥିଲା । ଓଡ଼ିଶା ସରକାର ଧାନ ଏମଏସପି ମୂଲ୍ୟ ଝାଡ଼ଖଣ୍ଡ ମୂଲ୍ୟ ତୁଳନାରେ ଅଧିକ ଥିବାରୁ ଏନେଇ ଦଲାଲ ଗ୍ରୁପ ସକ୍ରିୟ ହୋଇଥିଲେ । ଝାଡ଼ଖଣ୍ଡରେ ଚାଷ ହୋଇଥିବା ଉକ୍ତ ଧାନ ସୀମାନ୍ତ ପାର ହୋଇ ବିଳମ୍ବିତ ରାତି କିମ୍ବା ଭୋର ସମୟରେ ଓଡ଼ିଶାକୁ ପ୍ରବେଶ କରି ଗଚ୍ଛିତ ହୋଇ ରହିଥିଲା ।

Large quantities of paddy Seized allegedly sourced from Jharkhand stockpiled in Mayurbhanj
ଝାଡ଼ଖଣ୍ଡ ଧାନ ଗଚ୍ଛିତ ସ୍ଥାନରେ ଚଢ଼ାଉ (ETV Bharat)

୧୧୫୦ ଗଚ୍ଛିତ ଧାନ ବସ୍ତା ଜବତ:

ଏକ ନିର୍ଜନ ସ୍ଥାନରେ ବନ୍ଦ ଘର ମଧ୍ୟରେ ଟନ ଟନ ଧାନ ଗଚ୍ଛିତ କରି ରଖାଯାଇଥିବାର ସୂଚନା ମିଳିଥିଲା । ଯାହାକୁ ନେଇ ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଜାମଦା ବିଡିଓ ଦେବାଶିଷ ପଣ୍ଡା, ଜାମଦା ତହସିଲଦାର ମଧୁସୂଦନ ପାଢ଼ୀ, ଅତିରିକ୍ତ ମୁଖ୍ୟ ଯୋଗାଣ ଅଧିକାରୀ ସାରଙ୍ଗଧର ବେହେରା, ବହଳଦା ଥାନା ପୋଲିସ କର୍ମଚାରୀ ଓ ଜାମଦା ଯୋଗାଣ ନିରୀକ୍ଷକଙ୍କ ଏକ ମିଳିତ ଟିମ ବଡ଼ଦୁନ୍ଦୁ ଗ୍ରାମ ଲ୍ୟାମ୍ପ ପଛକୁ ଥିବା ସେକ ଦିଲଖୁସ ଓ ନୁର ଜାହାନ ବିବିଙ୍କ ଘରେ ଚଢ଼ାଉ କରିଥିଲେ । ସେକ ଦିଲଖୁସଙ୍କ ଘରୁ ୮୦୦ ବସ୍ତା ଓ ନୁର ଜାହାନ ବିବିଙ୍କ ଘରୁ ୩୫୦ ବସ୍ତା ଧାନ ସିଲ କରାଯାଇଛି । ଧାନ ବସ୍ତା ଓ ଦୁଇଟି ଘରକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇ ଘର ମାଲିକଙ୍କୁ ନୋଟିସ ପ୍ରଦାନ କରାଯାଇଛି । ଏତେ ପରିମାଣର ଧାନ ଗଚ୍ଛିତ ରଖିବା ନେଇ କାଗଜପତ୍ର ଦେଖାଇବାକୁ ସମୟ ଦିଆଯାଇଛି ।

Large quantities of paddy Seized allegedly sourced from Jharkhand stockpiled in Mayurbhanj
ଝାଡ଼ଖଣ୍ଡ ଆସିଥିବା ଧାନକୁ ଗଚ୍ଛିତ କରି ରଖାଯାଇଥିବା ସ୍ଥାନରେ ଚଢ଼ାଉ (ETV Bharat)

ଲକ୍ଷ ଲକ୍ଷ ଟଙ୍କାର ଧାନ ଜବତ:

ଗତକାଲି ଗଚ୍ଛିତ ଧାନ ଜବତ କରାଯାଇ ଚାରୋଟି ଟ୍ରକରେ ରାଇରଙ୍ଗପୁର ନିକଟସ୍ଥ କଣ୍ଟାଶୋଲା ସ୍ଥିତ ସିଂଘାଲ ରାଇସ୍ ମିଲ୍କୁ ଅଣାଯାଇଥିଲା । ସେଠାରେ ପାଖାପାଖି ୧୧୫୦ ଧାନ ବସ୍ତା ଓଜନ କରାଯିବାରୁ ୫୦୦ କୁଇଣ୍ଟାଲରୁ ଅଧିକ ଧାନ ରହିଥିବା ଜଣାପଡିଥିଲା । ସେକ ଦିଲଖୁସଙ୍କ ଘରୁ ୩୪୭.୬୩ କୁଇଣ୍ଟାଲ ଧାନ ବାହାରି ଥିବା ବେଳେ ନୁର ଜାହାନ ବିବିଙ୍କ ଘରୁ ୧୭୦.୯୬ କୁଇଣ୍ଟାଲ ଧାନ ବାହାରିଛି । ଓଡ଼ିଶାରେ ଅଧିକ ଏମଏସପି ଓ ଇନପୁଟ ସବସିଡି ମିଶି ଉକ୍ତ ଧାନର ଆନୁମାନିକ ମୂଲ୍ୟ ପାଖାପାଖି ସାଢେ ସତର ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୋୟଙ୍କ ନିର୍ଦ୍ଦେଶ କ୍ରମେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ସୀମାନ୍ତ ରାଜ୍ୟରେ ଟନ ଟନ ଧାନ ଗଚ୍ଛିତ ଥିବା ବେଳେ ପ୍ରଶାସନିକ ଚଢ଼ାଉ ଦ୍ଵାରା ଓଡ଼ିଶାରେ ବିକ୍ରି କରିବା ଯୋଜନା ବିଫଳ ହୋଇଛି । ଯାହା ଫଳରେ ଓଡ଼ିଶାର ଚାଷୀ ଉପକୃତ ହେବେ ।

Large quantities of paddy Seized allegedly sourced from Jharkhand stockpiled in Mayurbhanj
ଝାଡ଼ଖଣ୍ଡ ଧାନ ଗଚ୍ଛିତ ସ୍ଥାନରେ ଚଢ଼ାଉ (ETV Bharat)

ଦୁଇଟି ଘର ସିଲ:
ରାଇରଙ୍ଗପୁରର ଅତିରିକ୍ତ ବେସାମରିକ ଯୋଗାଣ ଅଧିକାରୀ ସାରଙ୍ଗଧର ବେହେରା କହିଛନ୍ତି, "ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟରୁ ବିପୁଳ ପରିମାଣରେ ଧାନ ଆଣି ଦୁନ୍ଦୁ ଗ୍ରାମରେ ବେପାରୀ ଗଚ୍ଛିତ ରଖିଥିଲେ ଧାନ । ମୟୂରଭଞ୍ଜ ଜିଲ୍ଲାପାଳ ଓ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଯାମଦା ତହସିଲଦାର, ଯାମଦା ବିଡିଓ, ଯାମଦା ଏମଆଇ ପ୍ରମୁଖ ବହଳଦା ଥାନା ପୋଲିସ ସହାୟତାରେ ବଡ଼ଦୁନ୍ଦୁ ଗ୍ରାମ ସ୍ଥିତ ଲ୍ୟାମ୍ପ ପଛପଟେ ଥିବା ଦୁଇଟି ଗୋଦାମ ଘରେ ଚଢ଼ାଉ କରା ଯାଇଥିଲା । ସେକ ଦିଲଖୁସଙ୍କ ଗୋଦାମ ଘରୁ ପାଖାପାଖି ୮୦୦ ବସ୍ତା ଧାନ ଓ ନୁର ଜାହାନ ବିବିଙ୍କ ନୂତନ ଘରୁ ପାଖାପାଖି ୩୫୦ ବସ୍ତା ଧାନ ଥିବା ଦେଖିବାକୁ ପାଇ ଦୁଇ ଜଣଙ୍କୁ ନୋଟିସ ଜାରି କରିବା ସହିତ ଧାନ ବସ୍ତା ଗୁଡ଼ିକୁ ଜବତ କରିବା ସହ ଦୁଇଟି ଘରକୁ ସିଲ୍ କରା ଯାଇଥିଲା ।"

ଏହା ମଧ୍ୟ ପଢ଼ନ୍ତୁ...

ଖରିଫ ଧାନ ସଂଗ୍ରହର ସିଏସଙ୍କ ସମୀକ୍ଷା; କୃଷକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ମଣ୍ଡି ସୁପରିଚାଳନା କରିବାକୁ ନିର୍ଦ୍ଦେଶ

ଓଡ଼ିଶାରୁ 6 ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବ କେନ୍ଦ୍ର: ଯୋଗାଣ ମନ୍ତ୍ରୀ

ଅତିରିକ୍ତ ବେସାମରିକ ଯୋଗାଣ ଅଧିକାରୀ ଆହୁରି କହିଛନ୍ତି, "ପରେ ଚାରୋଟି ଗାଡି ସାହାଯ୍ୟରେ ଧାନ ବସ୍ତାଦଗୁଡିକ ରାଇରଙ୍ଗପୁର ନିକଟସ୍ଥ କଣ୍ଟାଶୋଲା ସ୍ଥିତ ସିଂଘାଲ ରାଇସ୍ ମିଲ୍‌କୁ ଅଣା ଯାଇଥିଲା । ସେଠାରେ ଓଜନ କରିବାରୁ ଦିଲଖୁସ ଙ୍କ ୩୪୭.୬୩ କୁଇଣ୍ଟାଲ ଓ ନୁର ଜାହାନ ବିବି ଙ୍କ ୧୭୦.୯୬ କୁଇଣ୍ଟାଲ ଧାନ ବାହାରି ଥିଲା। ଜବତ ଧାନ ସିଂଘାଲ ରାଇସ୍ ମିଲ୍ ମାଲିକଙ୍କ ଜିମାରେ ରଖାଯାଇଛି । ମୟୂରଭଞ୍ଜ ଜିଲ୍ଲାପାଳ ଓ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, ମୟୂରଭଞ୍ଜ