ଲ୍ୟାବ-ଗ୍ରୋନ୍ ଡାଏମଣ୍ଡ ଓ ସହାୟକ କ୍ଷେତ୍ରକୁ ମିଳିବ ଅଗ୍ରାଧିକାର
ଗୁଜରାଟରେ ଅନୁଷ୍ଠିତ ଓଡ଼ିଶା ନିବେଶକ ସମ୍ମେଳନୀରେ ପ୍ରାପ୍ତ ନିବେଶ ଉଦ୍ଦେଶ୍ୟ କାର୍ଯ୍ୟକାରିତା ଅଗ୍ରଗତି ସଂପର୍କରେ ହୋଇଛି ସମୀକ୍ଷା । ରିପୋର୍ଟ-ଭବାନୀ ଶଙ୍କର ଦାସ


Published : May 12, 2026 at 10:32 PM IST
|Updated : May 12, 2026 at 10:51 PM IST
ଭୁବନେଶ୍ୱର: ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ଶିଳ୍ପ ବିଭାଗ ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକ । ଗୁଜରାଟରେ ଅନୁଷ୍ଠିତ ଓଡ଼ିଶା ନିବେଶକ ସମ୍ମେଳନୀରେ ପ୍ରାପ୍ତ ନିବେଶ ଉଦ୍ଦେଶ୍ୟ କାର୍ଯ୍ୟକାରିତା ଅଗ୍ରଗତି ସଂପର୍କରେ ହୋଇଛି ସମୀକ୍ଷା । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଲ୍ୟାବ-ଗ୍ରୋନ ଡାଏମଣ୍ଡ ସହ ଓ ଅନ୍ୟାନ୍ୟ ସହାୟକ କ୍ଷେତ୍ରକୁ ମଧ୍ୟ ଅଗ୍ରାଧିକାର ଦିଆଯିବ ବୋଲି ଆଲୋଚନା ହୋଇଛି ।
ଚଳିତ ମେ ମାସ ୫ରୁ ୭ ତାରିଖ ମଧ୍ୟରେ ଗୁଜରାଟର ଅହମ୍ମଦାବାଦ, ମୁନ୍ଦ୍ରା ଓ ଭଦୋଦରାରେ ଆୟୋଜିତ ହୋଇଛି, ଓଡ଼ିଶା ନିବେଶକ ସମ୍ମିଳନୀ ଓ ରୋଡ ଶୋ' । ଏହାର ଫଳାଫଳ ଆକଳନ ଆଧାରରେ ନିବେଶକଙ୍କୁ ରାଜ୍ୟରେ ଶିଳ୍ପ ଓ ବିଭିନ୍ନ କ୍ଷେତ୍ରରେ ସୁବିଧାରେ ପ୍ରକଳ୍ପ ସ୍ଥାପନ ନିମନ୍ତେ ଅନୁକୂଳ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଏହି ଉଦ୍ଦେଶ୍ୟରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏକ ସମୀକ୍ଷା ବୈଠକରେ ଆଲୋଚନା କରି ଶିଳ୍ପାୟନ କ୍ଷେତ୍ରରେ ରାଜ୍ୟର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।

ଧାମରା ଅଂଚଳରେ ବନ୍ଦରଭିତ୍ତିକ ଓ ଆନୁସଙ୍ଗିକ କ୍ଷେତ୍ରରେ ବିକାଶ ପାଇଁ ପ୍ରସ୍ତାବିତ ନିବେଶ ପାଇଁ ନିବେଶକମାନଙ୍କୁ ସୁବିଧା ଓ ବ୍ୟବସ୍ଥା ଅନୁଧ୍ୟାନ କରାଯିବାକୁ ଆଲୋଚନା ହୋଇଛି । ଲ୍ୟାବ-ଗ୍ରୋନ୍ ଡାଏମଣ୍ଡ କ୍ଷେତ୍ରର ଗତିକୁ ଦୃଷ୍ଟିରେ ରଖି ଏ ସଂପର୍କରେ ଗ୍ରହଣ କରାଯାଇଥିବା ବୁଝାମଣା ପତ୍ର ବା ଆବେଦନ ପାଇଁ ସ୍ଥାନ ନିରୂପଣ ଓ ଜମି ସୁବିଧା ପାଇଁ ତ୍ୱରିତ ବ୍ୟବସ୍ଥା ଗ୍ରହଣ କରାଯିବ । ଏଥିରେ ପ୍ରମୁଖ ଲ୍ୟାବ-ଗ୍ରୋନ୍ ଡାଏମଣ୍ଡ ସହ ଓ ଅନ୍ୟାନ୍ୟ ସହାୟକ କ୍ଷେତ୍ରକୁ ମଧ୍ୟ ଅଗ୍ରାଧିକାର ଦିଆଯିବ । ଏଥି ସହିତ ଅନ୍ୟ ପ୍ରସ୍ତାବିତ କ୍ଷେତ୍ର ଓ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କରେ ବିସ୍ତୃତ ଆଲୋଚନା କରି ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ଗୁଜରାଟ ନିବେଶକ ସମ୍ମିଳନୀ ଏବଂ ରୋଡ ଶୋ' ଯୋଗୁଁ ରାଜ୍ୟରେ ଶିଳ୍ପାୟନ କ୍ଷେତ୍ରରେ ଆଗ୍ରହ ବୃଦ୍ଧି ପାଇଛି । ଯେଉଁଥିରେ ୭୧ଟି ପ୍ରକଳ୍ପ ପ୍ରସ୍ତାବ ୪୮,୩୩୦ କୋଟି ଟଙ୍କା ଓ ୬୭,୮୩୮ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରହିଛି । ଯେଉଁଥିରେ ୧୧,୩୦୦ କୋଟି ଟଙ୍କା ମୂଲ୍ୟର ୮ଟି ଏମଓୟୁ ଓ ୩୭,୦୩୦ କୋଟି ଟଙ୍କା ମୂଲ୍ୟର ୬୩ଟି ନିବେଶ ଉଦ୍ଦେଶ୍ୟ ଫର୍ମ ରହିଛି । ନିବେଶକଙ୍କୁ ପ୍ରକଳ୍ପ ସ୍ଥାପନ ପାଇଁ ରୋଡ୍ ମ୍ୟାପ୍ ସଂପର୍କରେ ଇପିକଲ ଓ ଇଡକୋ କର୍ତ୍ତୃପକ୍ଷଙ୍କ ସହିତ ବୈଠକରେ ଆଲୋଚନା ହୋଇଛି । ପ୍ରସ୍ତାବ ଗ୍ରହଣ ପରେ ରାଜ୍ୟ ସରକାରଙ୍କ ତରଫରୁ ରହିଥିବା ସିଙ୍ଗଲ ଓ୍ୱିଣ୍ଡୋ ବ୍ୟବସ୍ଥାରେ ନିର୍ଦ୍ଧାରିତ ସମୟ ଭିତରେ ପ୍ରକଳ୍ପଗୁଡିକୁ ଅନୁମୋଦନ କରାଯିବା ସଂପର୍କରେ ବୈଠକରେ ଆଲୋଚନା ହୋଇଛି ।
ଲୋକସେବା ଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ, ପରିଚାଳନା ନିର୍ଦ୍ଦେଶକ, ଇଡକୋ ନିର୍ଦ୍ଦେଶକ, ବୟନ ଓ ହସ୍ତଶିଳ୍ପ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ଏବଂ ଇପିକଲର ବରିଷ୍ଠ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଏହା ମଧ୍ୟ ପଢନ୍ତୁ- ରାଜ୍ୟରେ ଭିତ୍ତିଭୂମି ବିକାଶ ପାଇଁ ସମୀକ୍ଷା ବୈଠକ, ୧୧୩୦ କୋଟିର ୫ଟି ନୂତନ ପିପିପି ପ୍ରକଳ୍ପକୁ ମଞ୍ଜୁରୀ
ଏହା ମଧ୍ୟ ପଢନ୍ତୁ- ଡିଜିଟାଲ ଯୁଗରେ ରାଜସ୍ୱ ପ୍ରଶାସନର ବଦଳୁଛି ଭୂମିକା, ନୂଆ ଓଡ଼ିଶାର ସ୍ଵପ୍ନ ଦେଖିବା ଜରୁରୀ: ମୁଖ୍ୟ ଶାସନ ସଚିବ
ଇଟିଭି ଭାରତ, ଭୁବନେଶ୍ୱର

