ETV Bharat / state

ସମୃଦ୍ଧ ଓଡିଶାର ଏକ ନମ୍ବର ଜିଲ୍ଲା ସହ ଅର୍ଥନୈତିକ ଆକ୍ଟିଭିଟିର ପ୍ରାଣକେନ୍ଦ୍ର ହେବ ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ

କ୍ୟାପିଟାଲ ରିଜନ୍ ରିଙ୍ଗ୍ ରୋଡ୍ ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ଓଡିଶାର ଅର୍ଥନୈତିକ ଆକ୍ଟିଭିଟିର ପ୍ରାଣକେନ୍ଦ୍ର ହେବ ବୋଲି 'ଖୋର୍ଦ୍ଧା ମହୋତ୍ସବ ୨୦୨୫'ର ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ।

CM Mohan Majhi At  Khordha Mahotsav 2025
ଖୋର୍ଦ୍ଧା ମହୋତ୍ସବ ୨୦୨୫ (@CMO_Odisha)
author img

By ETV Bharat Odisha Team

Published : December 26, 2025 at 7:32 AM IST

3 Min Read
Choose ETV Bharat

CM at Khordha Mahotsav ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ ଭେଟି । 'ଖୋର୍ଦ୍ଧା ମହୋତ୍ସବ ୨୦୨୫'ରେ ସାମିଲ ହୋଇ ଖୋର୍ଦ୍ଧାରେ ପ୍ରାୟ ୫୧୬ କୋଟି ଟଙ୍କା ବ୍ୟୟ ବରାଦରେ ୩୯ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ସେହିପରି ୩୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ୭ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମସ୍ତ ପ୍ରକଳ୍ପ ମଧ୍ୟରେ ରାସ୍ତା, ସ୍ୱାସ୍ଥ୍ୟ, ପରିବହନର ପ୍ରକଳ୍ପ ମାନ ସ୍ଥାନିତ ହୋଇଛି ।

ଖୋର୍ଦ୍ଧା ମହୋତ୍ସବ ୨୦୨୫:

'ଖୋର୍ଦ୍ଧା ମହୋତ୍ସବ ୨୦୨୫'ର ରୌପ୍ୟ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, କ୍ୟାପିଟାଲ ରିଜନ୍ ରିଙ୍ଗ୍ ରୋଡ୍ ଦ୍ୱାରା ଖୋର୍ଦ୍ଧା ହେବ ଓଡିଶାର ଅର୍ଥନୈତିକ ଆକ୍ଟିଭିଟିର ପ୍ରାଣକେନ୍ଦ୍ର । ଖୋର୍ଦ୍ଧାକୁ ସମୃଦ୍ଧ ଓଡିଶାର ଏକ ନମ୍ବର ଜିଲ୍ଲା ଭାବେ ବିକଶିତ କରାଯିବ । କାରଣ ଆଗାମୀ ଦିନରେ ଏଇ ଖୋର୍ଦ୍ଧା ପାଇକ ମାଟିର ଯୁବ ପୀଢ଼ିଙ୍କ ହାତରେ ସେମିକଣ୍ଡକ୍ଟର ଚିପ ତିଆରି ହେବ । ଆଉ ଅଗ୍ନି, ପୃଥ୍ଵୀ, ଆକାଶ ଭଳି ମିସାଇଲରେ ଏହି ଚିପ ବ୍ୟବହାର ହେବ । ଖୋର୍ଦ୍ଧା ମହୋତ୍ସବ ୨୦୨୫' ଏକ ଉତ୍ସବ କିମ୍ବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଞ୍ଚ ହୋଇ ରହିନାହିଁ, ବରଂ ଏହା ବିକାଶର ମଞ୍ଚ ପାଲଟିଛି ।

CM Mohan Majhi At  Khordha Mahotsav 2025
ଖୋର୍ଦ୍ଧା ମହୋତ୍ସବ ୨୦୨୫ (@CMO_Odisha)
କ୍ୟାପିଟାଲ ରିଜନ୍‌ ରିଙ୍ଗ୍‌ ରୋଡ:

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, "୨୦୩୬ରେ ଯେତେବେଳେ ଆମେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ଏକ ଶହ ବର୍ଷ ପୂର୍ତ୍ତି ପାଳନ କରିବା, ସେତେବେଳେ ଆମ ରାଜ୍ୟ ଦେଶର ପ୍ରଥମ ପାଞ୍ଚଟି ବିକଶିତ ରାଜ୍ୟ ଭାବେ ସ୍ଥାନ ପାଇବ । ଏହି ସ୍ଵପ୍ନକୁ ସାକାର କରିବା ପାଇଁ ଆମ ସରକାର ପ୍ରଥମ ଦିନରୁ ହିଁ କାର୍ଯ୍ୟ କରି ଆସୁଛନ୍ତି । ସମୃଦ୍ଧ ଓଡିଶା ଗଠନ ପାଇଁ ପ୍ରତ୍ଯେକ ଜିଲ୍ଲା ସମୃଦ୍ଧ ହେବା ଆବଶ୍ୟକ । ତେଣୁ ଆଗାମୀ ଦିନରେ ସମୃଦ୍ଧ ଖୋର୍ଦ୍ଧା ଜିଲ୍ଲା ବିକଶିତ ଓଡ଼ିଶା ଗଠନ ଦିଗରେ ଏକ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । କେନ୍ଦ୍ର ସରକାର କ୍ୟାପିଟାଲ ରିଜନ୍‌ ରିଙ୍ଗ୍‌ ରୋଡକୁ ଅନୁମୋଦନ କରିଛନ୍ତି । ୧୧୧ କିଲୋମିଟର ବିଶିଷ୍ଟ ଏହି ରାସ୍ତା କଟକ ଟାଙ୍ଗୀରୁ ଆରମ୍ଭ ହୋଇ ରାମେଶ୍ୱର ପର୍ଯ୍ୟନ୍ତ ନିର୍ମାଣ କରାଯିବ । ଖୋର୍ଦ୍ଧାଠୁ ଭୁବନେଶ୍ୱର ଦେଇ କଟକ ପର୍ଯ୍ୟନ୍ତ ସବୁ ଅଞ୍ଚଳର ସଂପ୍ରସାରଣ ହେବ । ଏ ତିନୋଟି ସହର ଗୋଟିଏ ସହର ପରି ଏକ ବ୍ୟାପକ ଅଞ୍ଚଳରେ ପରିବ୍ୟାପ୍ତ ହେବ । ଏହି ଅଞ୍ଚଳ ଓଡିଶାର ଅର୍ଥନୈତିକ ଆକ୍ଟିଭିଟିର ପ୍ରାଣକେନ୍ଦ୍ର ହେବ ।

CM Mohan Majhi At  Khordha Mahotsav 2025
ଖୋର୍ଦ୍ଧା ମହୋତ୍ସବ ୨୦୨୫ (@CMO_Odisha)

ଖୋର୍ଦ୍ଧା, ପୁରୀ, କଟକ ଓ ଜଗତସିଂହପୁର ଜିଲ୍ଲାରେ ଅର୍ଥନୈତିକ ଜୋନ କାର୍ଯ୍ୟକ୍ଷମ ହେବ । ଏଗୁଡିକୁ ସବୁ ରାଜ୍ୟର ‘ଗ୍ରୋଥ୍ ହବ୍’ ଭାବେ ବିକଶିତ ହେବ । ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ଦୀର୍ଘ ୪୦-୫୦ ବର୍ଷ ଧରି କଚ୍ଛପ ଗତିରେ ଚାଲିଥିଲା । ଆଜି ଏହା ପ୍ରାୟ ସମ୍ପୂର୍ଣ୍ଣ ହେବା ଉପରେ । ୩୦୧ କିଲୋମିଟରରୁ ଆଉ ୭୫ କିଲୋମିଟର, ଦଶପଲ୍ଲା ଓ ପୁରୁଣା କଟକ ମଧ୍ୟରେ ନିର୍ମାଣ ହେଉଛି । ଆସନ୍ତାବର୍ଷ ଶେଷ ସୁଦ୍ଧା ଏହି ଲାଇନରେ ନୂଆ ଟ୍ରେନରେ ବଲାଙ୍ଗୀର ପର୍ଯ୍ୟନ୍ତ ଯାତ୍ରା ହୋଇପାରିବ । ଆଗାମୀ ଦିନରେ ଏହି ରେଳପଥ ଉପକୂଳ ଓଡିଶା ଏବଂ ପଶ୍ଚିମ ଓଡିଶାର ଜୀବନ ରେଖା ହେବାକୁ ଯାଉଛି ।"

୩୭ ହଜାର ନିଯୁକ୍ତି:

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ଗତ ଏପ୍ରିଲ ମାସରେ ମୁଁ ଖୋର୍ଦ୍ଧା ଆସି ପ୍ରାୟ ୬ ହଜାର କୋଟି ଟଙ୍କାର ୧୩ଟି ପ୍ରକଳ୍ପର ଭିତ୍ତି ସ୍ଥାପନ କରିଥିଲି । ଏହା ଦ୍ୱାରା ୩୭ ହଜାର ନିଯୁକ୍ତି ସୃଷ୍ଟି ସୁନିଶ୍ଚିତ ହୋଇପାରିଛି । କେବଳ ପାରମ୍ପରିକ ଖଣି ଓ ମେଟାଲ୍ସ ଜନିତ ଶିଳ୍ପ ନୁହେଁ, ସେମିକଣ୍ଡକ୍ଟର, ଇଲୋକ୍ଟ୍ରୋନିକ୍ସ, ଟେକ୍ସଟାଇଲ୍ସ, କେମିକାଲ୍ସ, ପେଟ୍ରୋ-କେମିକାଲ୍ସ, ଫିନଟେକ, ଇନ୍‍ସିଓର୍ ଟେକ୍, ଟୁରିଜିମ କ୍ଷେତ୍ରରେ ଶିଳ୍ପର ବିବିଧକରଣ ମଧ୍ୟ କରାଯାଉଛି । ଆସନ୍ତା ଦିନମାନଙ୍କରେ ଏହି ଶିଳ୍ପାୟନ ଆହୁରି ତୀବ୍ରତର ହେବ । କାରଣ ପ୍ରତିବର୍ଷ ଲକ୍ଷ ଲକ୍ଷ ଯୁବା ଶ୍ରମ ବଜାରକୁ କାର୍ଯ୍ୟ ଅନ୍ଵେଷଣରେ ପ୍ରବେଶ କରୁଛନ୍ତି । ତାଙ୍କ ପାଇଁ ଆମକୁ ନୂତନ ସୁଯୋଗ ସୃଷ୍ଟି କରିବାକୁ ପଡିବ ।"

CM Mohan Majhi At  Khordha Mahotsav 2025
ଖୋର୍ଦ୍ଧା ମହୋତ୍ସବ ୨୦୨୫ (@CMO_Odisha)

ଖୋର୍ଦ୍ଧା ହେଉଛି ବୀରମାଟି:

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ଖୋର୍ଦ୍ଧା ମାଟି ହେଉଛି ବୀରମାଟି । ଏ ମାଟି ହେଉଛି ବଳିଦାନ, ତ୍ୟାଗ ଏବଂ ଶୌର୍ଯ୍ୟର ପ୍ରତୀକ । ଓଡିଶା ରାଜ୍ୟର ସୁଦୀର୍ଘ ଇତିହାସରେ ଖୋର୍ଦ୍ଧା ଜିଲ୍ଲାର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏକ ଲମ୍ବା ସମୟ ଧରି ଏହା ଓଡିଶା ଶାସନର ପ୍ରଶାସନିକ କେନ୍ଦ୍ର ହୋଇ ରହିଥିଲା । ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ୧୮୧୭ ମସିହାରେ ଏ ମାଟିର ବୀର ପାଇକ, ଚାଷୀ, ମୁଲିଆ, ସାଧାରଣ ଲୋକେ, ବର୍ବର ଇଂରେଜ ଶାସକ ବିରୁଦ୍ଧରେ ବକ୍ସି ଜଗବନ୍ଧୁ ବିଦ୍ଯାଧର ମହାପାତ୍ରଙ୍କ ନେତୃତ୍ଵରେ ଲଢିଥିଲେ । ଏହାର ବହୁ ପୂର୍ବରୁ ୧୮୦୪ ମସିହାରେ ଖୋର୍ଦ୍ଧା ଗଡର ବାଳକ ରାଜା ମୁକୁନ୍ଦଦେବଙ୍କ ଚାଳକ ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ନେତୃତ୍ଵରେ ଏହି ବିଦ୍ରୋହ କୁହୁଳିଥିଲା । ପାଇକଙ୍କ ଏହି ବିଦ୍ରୋହ ବ୍ରିଟିଶ ସରକାରକୁ ସେ ସମୟରେ ବି ଦୋହଲାଇ ଦେଇଥିଲା ।"

CM Mohan Majhi At  Khordha Mahotsav 2025
ଖୋର୍ଦ୍ଧା ମହୋତ୍ସବ ୨୦୨୫ (@CMO_Odisha)

ଏହା ମଧ୍ୟ ପଢ଼ନ୍ତୁ...

ଜାନୁୟାରୀ ୧୦ ସୁଦ୍ଧା ସାରା ରାଜ୍ୟରେ ଧାନକିଣା, ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ୱନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

୭ ବିଭାଗର ୧୦ ପ୍ରସ୍ତାବକୁ କ୍ୟାବିନେଟର ମୋହର; ଲାଗୁ ହେବ 'ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’

ରାଜ୍ୟରେ ଗଠନ ହେବ ୫ଟି ନୂଆ ମ୍ୟୁନିସିପାଲିଟି ଓ ୨୪ଟି ନୂଆ ଏନ୍ଏସି; ଘୋଷଣା କଲେ ମୁଖ୍ୟମନ୍ତ୍ରୀ


କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ପ୍ରଶାନ୍ତ ଜଗଦେବ, ପୂର୍ବତନ ବିଧାୟକ ଦିଲୀପ ହରିଚନ୍ଦନ, ମହୋତ୍ସବ ସମ୍ପାଦକ ନରେନ୍ଦ୍ର ପୃଷ୍ଟି, ଜିଲ୍ଲାପାଳ ଅମୃତ ଋତୁରାଜ, ସିଡିଓ ଜ୍ୟୋତି ଶଙ୍କର ସାହୁ, ବିଏମସି କମିଶନର ଚଞ୍ଚଳ ରାଣା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର