ପରିବା ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୋକାନ ଭିତରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ
ପରିବା ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ । ଦୋକାନ ଭିତରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ । ଟାୟାର ଜାଳି ରାସ୍ତା ଅବରୋଧ କଲେ ଅଞ୍ଚଳବାସୀ । ପୋଲିସ କହିଲା ନିଆଯିବ କାର୍ଯ୍ୟାନୁଷ୍ଠାନ ।

Published : December 27, 2025 at 1:31 PM IST
Shopkeeper Burnt Alive କେନ୍ଦ୍ରାପଡ଼ା: ରାତିରେ ଦୋକାନ ଭିତରେ ଶୋଇଥିଲେ । ସକାଳୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଦୋକାନ ଭିତରୁ ମୃତଦେହ ଉଦ୍ଧାର କରାଯାଇଛି । ସେପଟେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଓ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଥାନା ଠାରୁ ମାତ୍ର ୩୦୦ ମିଟର ଦୂରରେ ଏଭଳି ଘଟଣା ଘଟିଥିବା ବେଳେ ପୋଲିସ ନିଷ୍କ୍ରିୟତା ଅଭିଯୋଗ ଆଣି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଅଞ୍ଚଳବାସୀ ।
ଦୋକାନ ସହ ଜଳିଗଲେ ଦୋକାନୀ:
କେନ୍ଦ୍ରାପଡ଼ା କୁଦାନଗରୀ ଥାନା ଅନ୍ତର୍ଗତ କଳାବୁଦା ବାରିଣୀ ପୋଲ ନିକଟରେ ୪୬ ବର୍ଷୀୟ ସୁବାଷ ମଲିକ ପରିବା ବ୍ୟବସାୟ କରୁଥିଲେ । ସେଠାରେ ଦୋକାନ ଖୋଲିବା ଦିନରୁ ତାଙ୍କ ଉପରେ କିଛି ବ୍ୟବସାୟୀଙ୍କ ଆକ୍ରୋଶ ରହିଥିଲା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ସବୁଦିନ ଭଳି ଗତକାଲି (ଶୁକ୍ରବାର) ରାତିରେ ସୁବାଷ ଦୋକାନ ବନ୍ଦ କରି ଭିତରେ ଶୋଇଥିଲେ । ଆଜି ସକାଳୁ ସ୍ଥାନୀୟ ଲୋକ ମର୍ଣ୍ଣିଂୱାକ ଯାଉଥିବା ବେଳେ ଦୋକାନଟି ସମ୍ପୂର୍ଣ୍ଣ ଜଳି ଯାଇ ସେଠାରୁ ଧୂଆଁ ବାହାରୁଥିବା ଦେଖିଥିଲେ । ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳକୁ ଆସି ପୋଲିସକୁ ଖବର ଦେଇଥିଲେ ।

ରାସ୍ତାକୁ ଅବରୋଧ କଲେ ଉତ୍ୟକ୍ତ ଲୋକ:
ସେପଟେ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ, ଥାନା ଠାରୁ ଅଳ୍ପ ଦୂରରେ ଏଭଳି କାଣ୍ଡ ଘଟିଥିବା ଓ ବାରମ୍ବାର ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ନ ଥିଲା । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇବା ସହ ଉତ୍ୟକ୍ତ ଲୋକମାନେ କଳାବୁଦା ଠାରେ ରାସ୍ତା ଉପରେ ଟାୟାର ଜାଳି ପାଟକୁରା-କୋରୁଆ ରାସ୍ତାକୁ ଅବରୋଧ କରିବା ପରେ କେନ୍ଦ୍ରାପଡା ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ସୁବାଷଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏହା ମଧ୍ୟ ପଢ଼ନ୍ତୁ... ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା ଟ୍ରକ, 9 ଯାତ୍ରୀ ଜୀବନ୍ତ ଦଗ୍ଧ ବିଦ୍ୟୁତ ତାର ଛିଣ୍ଡି ଜଳିଗଲା ବର୍ଷକର ଅମଳ ଧାନ; TPNODLକୁ ଦାୟୀକରି କ୍ଷତିପୂରଣ ଦାବି |
ଏନେଇ କୁଦାନଗରୀ ପୋଲିସ ଅଧିକାରୀ ଅରବିନ୍ଦ ଶରଣ ମହାନ୍ତି କହିଛନ୍ତି, "କୁଦାନଗରୀ ଥାନାରେ ଏକ ମାମଲା ରୁଜୁ ହୋଇଛି । ମୃତଦେହର ବ୍ୟବଚ୍ଛେଦ କରାଯିବ ଏବଂ ତଦନ୍ତ କରାଯାଇ ଯାହା ରିପୋର୍ଟ ଆସିବ ସେନେଇ ପଦକ୍ଷେପ ନିଆଯିବ । ଅଗ୍ନିଶମ ବିଭାଗ ଟିମ୍ ଓ ସାଇଣ୍ଟିଫିକ ଟିମ ଆସି ମୃତଦେହ ଓ ଘଟଣାସ୍ଥଳର ଫଟୋ ଏବଂ ଅନ୍ୟାନ୍ୟ ପ୍ରମାଣ ନେବା ପରେ ଆମେ ଘଟଣା ଘଟିଥିବା ସ୍ଥାନରେ ତଦନ୍ତ କରିବୁ ଓ ପଦକ୍ଷେପ ନେବୁ ।"
ଇଟିଭି ଭାରତ, କେନ୍ଦ୍ରାପଡା

