ETV Bharat / state

ଚନ୍ଦ୍ରଗ୍ରହଣ ପାଇଁ ବଦଳିଲା ଦେବନୀତି ପରମ୍ପରା,ବ୍ରାହ୍ମ ମୁହୂର୍ତ୍ତ ବଦଳରେ ମଧ୍ୟରାତ୍ରିରେ ବିଦୁରଙ୍କୁ ଦର୍ଶନ ଦେଲେ ହରି ଓ ହର

ଏ ସ୍ଥାନଟିର ନାଁ ହେଉଛି ଓଁକାର କ୍ଷେତ୍ର । କାରଣ ଏଠାରେ ହରହରିଙ୍କ ମେଳଣ ହୁଏ। ଏହି ମେଳଣକୁ ଦେବତାମାନେ କରି ଆସୁଛନ୍ତି । କେବେଠାରୁ ଏହି ମେଳଣ ହୋଇଆସୁଛି କହିବା ସମ୍ଭବ ହେବନାହିଁ।

kendrapara olakana melan start from today
ଆରମ୍ଭ ହେଲା ଓଡିଶା ପ୍ରସିଦ୍ଧ ଓଳକଣା ମେଳଣ (Etv Bharat)
author img

By ETV Bharat Odisha Team

Published : March 3, 2026 at 9:57 AM IST

|

Updated : March 3, 2026 at 10:36 AM IST

4 Min Read
Choose ETV Bharat

ରିପୋର୍ଟ:ରାଧାକାନ୍ତ ମହାନ୍ତି

କେନ୍ଦ୍ରପଡା: ଚନ୍ଦ୍ରଗ୍ରହଣ ପାଇଁ ବଦଳିଲା ପ୍ରଥା ଆଉ ପରମ୍ପରା । ବ୍ରାହ୍ମ ମୁହୂର୍ତ୍ତ ବଦଳରେ ମଧ୍ୟରାତ୍ରରେ ଭେଟ ହେଲେ ହରି ଆଉ ହର। ଅନୁଷ୍ଠିତ ହେଲା ମାଳିକା ଏବଂ ଓଡିଶା ପ୍ରସିଦ୍ଧ ଓଳକଣା ମେଳଣ। ଦ୍ଵାପର ଯୁଗର କିମ୍ବଦନ୍ତୀକୁ ନେଇ ଭକ୍ତଙ୍କୁ ସୃଷ୍ଟିର ଆଦି ଓ ଅନ୍ତ ଦର୍ଶନ ଦେବା ପରମ୍ପରା ପାଳିତ ହେଉଥିବାବେଳେ ଦୋଳ ପୂର୍ଣ୍ଣିମା ମଙ୍ଗଳବାର ବ୍ରାହ୍ମ ମୁହୂର୍ତ୍ତରୁ ଚନ୍ଦ୍ରଗ୍ରହଣ ଯୋଗୁଁ ଦେବନୀତି ନିଷେଧ ହୋଇଥିବାରୁ ଚଳିତବର୍ଷ ପ୍ରଥମ ଥର ପାଇଁ ଭଙ୍ଗ ହୋଇଛି ଏହି ପରମ୍ପରା।

ଆରମ୍ଭ ହେଲା ଓଡିଶା ପ୍ରସିଦ୍ଧ ଓଳକଣା ମେଳଣ (Etv Bharat)


କଣ ରହିଛି କିମ୍ବଦନ୍ତୀ,କିଏ ମାଗିଥିଲେ ବର:-

ଏହି ପ୍ରସିଦ୍ଧ ମେଳଣର କିମ୍ବଦନ୍ତୀ ସମ୍ପର୍କରେ ସୂଚନା ଦେଇ ଓଳକଣା ମେଳଣ ପ୍ରଚାର କମିଟି ଅଧ୍ୟକ୍ଷ ଦେବେନ୍ଦ୍ର ସାହୁ କୁହନ୍ତି, 'ଏ ସ୍ଥାନଟିର ନାଁ ହେଉଛି ଓଁକାର କ୍ଷେତ୍ର । କାରଣ ଏଠାରେ ହର ଏବଂ ହରିଙ୍କ ମେଳଣ ହୁଏ। ଅଚ୍ୟୁତାନନ୍ଦ ଦାସ ତାଙ୍କ ମାଳିକାରେ ଏହି ସ୍ଥାନକୁ ଓଁକାର କ୍ଷେତ୍ର ବୋଲି ଲେଖିଛନ୍ତି। ଏହି ମେଳଣକୁ ଦେବତା ମାନେ କରି ଆସୁଛନ୍ତି । ତେଣୁ କେବେଠାରୁ ଏହି ମେଳଣ ହୋଇ ଆସୁଛି ତାହା କହିବା ସମ୍ଭବ ହେବନାହିଁ। ଏହି ମେଳଣ ପୁରାଣ ଯୁଗରୁ ହୋଇ ଆସୁଥିବା ଆମେ ବିଭିନ୍ନ କିମ୍ବଦନ୍ତୀ ଓ ଲେଖାରୁ ଜାଣିବାକୁ ପାଇଲୁ।'

kendrapara olakana melan start from today
ଆରମ୍ଭ ହେଲା ଓଡିଶା ପ୍ରସିଦ୍ଧ ଓଳକଣା ମେଳଣ (Etv Bharat)

ପୁରାଣ ଉପାଖ୍ୟାନ ଦେଇ ପ୍ରଚାର କମିଟି ଅଧ୍ୟକ୍ଷ କହିଛନ୍ତି, 'ପୁରାଣ ଯୁଗରେ ଯେତେବେଳେ ପାଣ୍ଡବ ପାଞ୍ଚ ଭାଇ ପଶା ଖେଳରେ ହାରି ଯାଇଥିଲେ ତାଙ୍କର ରାଜ୍ୟ ଛଡାଇନେବା ସହ ବନବାସ ଓ ଅଜ୍ଞାତବାସରେ କୌରବମାନେ ପଠାଇଥିଲେ। ବନବାସ ଶେଷ ହେବା ପରେ ରହିବା ପାଇଁ ପାଣ୍ଡବ ପାଞ୍ଚ ଭାଇଙ୍କୁ ୫ଟି ପଡା(ଗାଁ) ଦେବା ପାଇଁ ଶ୍ରୀକୃଷ୍ଣ ଦୁର୍ଯ୍ୟୋଧନଙ୍କ ପାଖକୁ ଯାଇଥିବା ବେଳେ ଦୁର୍ଯ୍ୟୋଧନ ବିନା ଯୁଦ୍ଧରେ ଛୁଞ୍ଚି ମୁନରେ ମୁନେ ଜାଗା ଦେବେ ନାହିଁ ବୋଲି କହିବା ସହ କୁରୁସଭା ମଧ୍ୟରୁ ଶ୍ରୀକୃଷ୍ଣଙ୍କୁ ଅପମାନିତ କରି ବିଦାୟ ଦେଇଥିଲେ। ଲଜ୍ଜା ବୋଧ ସହ ଶ୍ରୀକୃଷ୍ଣଙ୍କୁ ଭୋକ ଲାଗିବାରୁ ସେ ଭକ୍ତ ବିଦୁରଙ୍କ ଘରକୁ ଯାଇ ଖାଦ୍ୟ ମାଗିଥିଲେ। ସେତେବେଳେ ବିଦୁରଙ୍କ ଘରେ ଭାତ ଶାଗ ଭଜାକୁ ଛାଡିଦେଲେ ଆଉ କିଛି ନଥିଲା। ତେବେ ଏହି ଖାଦ୍ୟ ଖାଇ ଶ୍ରୀକୃଷ୍ଣଙ୍କ କ୍ଷୁଧା ଦୂର ହେବା ପରେ ଭକ୍ତଙ୍କୁ ଭଗବାନ ବର ମାଗିବା ପାଇଁ କହିଥିଲେ। ଭକ୍ତ ବିଦୁର ନିଜ ଚର୍ମ ଚକ୍ଷୁରେ ହରି ଓ ହରଙ୍କୁ ଦେଖିବେ ବୋଲି କହିବା ପରେ ପ୍ରଭୁ ଶ୍ରୀକୃଷ୍ଣ ବିଦୁରଙ୍କ ଫାଲଗୁନ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିର ବ୍ରାହ୍ମ ଅର୍ଥାତ ସକାଳ ସମୟରେ ଏହି ମନୋକାମନା ପୂର୍ଣ୍ଣ ହେବ ବୋଲି ବର ଦେଇଥିଲେ। ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ କିମ୍ବଦନ୍ତୀ ଅନୁଯାୟୀ ଭକ୍ତ ବିଦୁରଙ୍କୁ ହରି ଓ ହର ଦର୍ଶନ ଦେଇଥାନ୍ତି। ତେବେ ଚଳିତବର୍ଷ ଚନ୍ଦ୍ରଗ୍ରହଣ ପାଇଁ ମେଳଣ କାର୍ଯ୍ୟକ୍ରମ ଶୀଘ୍ର ହେଉଛି' ବୋଲି ସୂଚନା ଦେଇ କହିଛନ୍ତି।

kendrapara olakana melan start from today
ଆରମ୍ଭ ହେଲା ଓଡିଶା ପ୍ରସିଦ୍ଧ ଓଳକଣା ମେଳଣ (Etv Bharat)

ହରି ଓ ହରଙ୍କୁ ଦର୍ଶନ କରନ୍ତି ବିଦୁର

ସେହିପରି ଏଠାରେ ଥିବା ବିଦୁର ମନ୍ଦିରର ପୂଜକ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ପୂଜକ କୈଳାସ ଚନ୍ଦ୍ର ପଣ୍ଡା କୁହନ୍ତି,"ମୁଁ ଏଠାର ପୂଜାରୀ ଅଛି, ଆମର ୭ ପିଢିରୁ ଅଧିକ ହେବ ଆମେ ସେବା କାର୍ଯ୍ୟ କରୁଛୁ। ଭକ୍ତ ବିଦୁର ହେଉଛନ୍ତି ଦୁର୍ଯ୍ୟୋଧନଙ୍କ ଦାଦା । ବିଦୁରଙ୍କୁ ଦୁର୍ଯ୍ୟୋଧନ ତଡିଦେବା ପରେ ସେ ଏଇଠି ଆସି ଅବସ୍ଥାନ କଲେ। ଓଳେଇ କରି ରହିବାରୁ ଏହି ସ୍ଥାନର ନାଁ ଓଳକଣା। ରାଜସଭାରେ ଲଜ୍ଜିତ ହୋଇ ଶ୍ରୀକୃଷ୍ଣ ଫେରି ବିଦୁରଙ୍କ ଘରେ ପହଞ୍ଚି ଖାଦ୍ୟ ମାଗିବାରୁ ସେ (ବିଦୁର) ଶ୍ରୀକୃଷ୍ଣଙ୍କୁ ଶାଗ ଭଜା ଓ ଭାତ ଦେଇ କ୍ଷୁଧା ଦୂର କରିଥିଲେ। ମାହାଙ୍ଗାରୁ ଆସୁଥିବା ବିଭାନରେ ରାଧାକୃଷ୍ଣଙ୍କ ସମେତ ବୀର ଭଦ୍ରେଶ୍ୱରଙ୍କ ଚୂଳ ମାଳ ଆସିଥାଏ।ଏଠାରେ ପହଞ୍ଚିବା ପରେ ୧୦୮ ଘଣ୍ଟ ସହ ଦକ୍ଷିଣ ଦ୍ୱାର ମାତ୍ର ଗୋଟିଏ ଦିନ ପାଇଁ ଖୋଲାଯାଇ ଆଳତି ହୋଇଥାଏ ଯାହାକୁ ଭକ୍ତ ବିଦୁର ଦେଖିଥାନ୍ତି। ମାଳିକାରେ ବର୍ଣ୍ଣିତ ତଥ୍ୟ ଅନୁସାରେ ଛତିଆ ହେବ ପୁରୀ, ପୁରୀ ହେବ ହତଶିରୀ। ଛତିଆରେ ହେବ ଲୀଳା,ଓଳକଣାରେ ହେବ ମେଳା"ବୋଲି କହିଛନ୍ତି।

kendrapara olakana melan start from today
ଆରମ୍ଭ ହେଲା ଓଡିଶା ପ୍ରସିଦ୍ଧ ଓଳକଣା ମେଳଣ (Etv Bharat)


ବିଦୂର କିଏ ଓ କାହିଁକି ହରିହର ଦର୍ଶନ ବର ମାଗିଥିଲେ:-
ଦ୍ଵାପର ଯୁଗରେ ଧୃତରାଷ୍ଟ୍ରଙ୍କ ରାଜତ୍ୱ ସମୟରେ ରାଜସଭାର ମହାମନ୍ତ୍ରୀ ଥିଲେ ବିଦୂର। ଗବେଷକ ତଥା ବଳଦେବଜୀଉ ମନ୍ଦିରର ପୂଜାପଣ୍ଡା ଜ୍ୟୋତିରଞ୍ଜନ ପତ୍ରୀଙ୍କ କହିବାନୁଯାୟୀ,"ଏକଦା ଋଷି ମାଣ୍ଡବ୍ୟଙ୍କ ଆଶ୍ରମରେ ଦଳେ ଚୋର ଚୋରି ଜିନିଷ ରଖି ଦେଇଯିବା ପରେ ରାଜାଙ୍କ ସୈନିକ ମାନଙ୍କଦ୍ୱାରା ଏହି ଚୋରି ଜିନିଷ ଋଷିଙ୍କ ଆଶ୍ରମରୁ ଜବତ ହୋଇଥିଲା। ତେବେ ରାଜା ଋଷି ମାଣ୍ଡବ୍ୟଙ୍କୁ ଫାଶୀ ଦଣ୍ଡାଦେଶ କରିବା ପରେ ସୈନ୍ୟମାନେ ଋଷିଙ୍କୁ ଗଛରେ ଓହଳାଇ ଫାଶୀ ଦେଇଥିଲେ ହେଁ ଋଷିଙ୍କର ମୃତ୍ୟୁ ହୋଇନଥିଲା। ତେବେ ଋଷି ଯେ ଦୋଷୀ ନୁହନ୍ତି ଜାଣି ରାଜା ସଙ୍ଗେସଙ୍ଗେ ମାଣ୍ଡବ୍ୟଙ୍କୁ ମୁକ୍ତ କରିଥିଲେ। ତେବେ ଏଭଳି ଅବସ୍ଥା ପାଇଁ ଋଷି ମାଣ୍ଡବ୍ୟ ଯମ ଲୋକ ଯାଇ ସେଠାରେ ତାଙ୍କର ଅପରାଧ ସମ୍ପର୍କରେ ପଚାରିଥିଲେ? ତେବେ ଯମରାଜା ମାଣ୍ଡବ୍ୟଙ୍କ ଅଭିଶାପ ଫଳରେ ଦ୍ୱାପର ଯୁଗରେ ଜଣେ ମାନବ ରୂପରେ ଜନ୍ମଗ୍ରହଣ କରିଥିଲେ।ଯାହାଙ୍କର ନାଁ ରହିଥିଲା ବିଦୂର" ବୋଲି କହିଛନ୍ତି।


ହରି ଓ ହରଙ୍କ ଭେଟ ଦେଖିଥାନ୍ତି ସ୍ୱର୍ଗର ଦେବତା ଓ ଲୋକେ:-
ଏହି ମେଲଣକୁ ବିଜେ ହୋଇଥିବା ଶତାଧିକ ବିମାନ ଗୁଡ଼ିକରେ ରାଧାକୃଷ୍ଣଙ୍କର ବିଗ୍ରହ ଆସିଥିଲା ବେଳେ ମାହାଙ୍ଗା ଭଦ୍ରେଶ୍ୱରରୁ ଆସୁଥିବା ଏକମାତ୍ର ବୀର ଭଦ୍ରେଶ୍ୱରଙ୍କ ବିମାନରେ ରାଧାକୃଷ୍ଣଙ୍କ ସହିତ ଶ୍ରୀ ଶ୍ରୀ ବୀର ଭଦ୍ରେଶ୍ୱରଙ୍କ ପ୍ରତୀକ ‘ହର’ ହିଁ ଓଳକଣା ମେଳଣକୁ ଆସିଥାନ୍ତି। ମାହାଙ୍ଗାର ଭଦ୍ରେଶ୍ୱର ଗ୍ରାମରୁ ଆସୁଥିବା ଶ୍ରୀ ବୀର ଭଦ୍ରେଶ୍ୱର ବିଭାନ ଓଳକଣା ମେଳଣର ଅନ୍ୟତମ ଆକର୍ଷଣ କାରଣ ସେ ହେଉଛନ୍ତି ମେଳଣ ପଡ଼ିଆର ଅଧିପତି। ଭଦ୍ରେଶ୍ୱର ବିମାନରେ ଠାକୁର ‘ରାଧାକୃଷ୍ଣ’ଙ୍କ ବିଗ୍ରହ ସହିତ ଶିବଶକ୍ତିର ପ୍ରତୀକ ‘ଚୂଳମାଳ’ ଆସିଥାଏ। ମେଳଣକୁ ଆସିବା ଦିନ ଭଦ୍ରେଶ୍ୱର ଶୈବମନ୍ଦିରରେ ବଡ଼ପଣ୍ଡା ଚୂଳମାଳ ଚଢ଼ାଇବା ସହିତ ପହଡ଼ ପକାଇଥାନ୍ତି। ଇତିମଧ୍ୟରେ ବିମାନରେ ରାଧାକୃଷ୍ଣ ବିଗ୍ରହ ବିଭିନ୍ନ ଗାଁରୁ ଭୋଗ ଖାଇ ଆସିବା ପରେ ଅନ୍ନପ୍ରସାଦ ଅର୍ପଣ କରାଯାଇଥାଏ। ଏହିଦିନ ମେଳଣ ପଡିଆ ମଧ୍ୟରେ ଥିବା ଅଣାକାରଙ୍କ ନିକଟରେ ସ୍ୱର୍ଗର ତେତ୍ରିଶ କୋଟି ଦେବତା ଓହ୍ଲାଇ ଆସନ୍ତି ବୋଲି ପୁରାଣରେ ବର୍ଣ୍ଣିତ ରହିଥିବା କୁହନ୍ତି ଶ୍ରଦ୍ଧାଳୁ।

ବିନା ନିମନ୍ତ୍ରଣରେ ମେଳଣ ପଡିଆକୁ ଆସିଥାନ୍ତି ଶହଶହ ବିଭାନ:-
ସ୍ୱାଭାବିକ ଭାବରେ ମେଳଣ ଯାତ୍ରାକୁ ଆସୁଥିବା ଠାକୁର ବାଡ଼ିଗୁଡ଼ିକର ବିଭାନଙ୍କୁ ଫୁଲ,ପାନ ଦେଇ ଅତିଥି ଭାବରେ ନିମନ୍ତ୍ରଣ କରାଯିବା ସହିତ ଯଥାବିଧି ବିଦାଖି ସମ୍ମାନ ଦେବାର ପରମ୍ପରା ପ୍ରଚଳିତ ରହିଛି । ତେବେ 'ଓଳକଣା ମେଳଣ' ଯାତ୍ରାରେ ଅଂଶଗ୍ରହଣ କରୁଥିବା ପ୍ରାୟ ଦୁଇଶହରୁ ଅଧିକ ବିଭାନଙ୍କୁ ଆମନ୍ତ୍ରଣ କରାଯାଇନଥାଏ କି ବିଦାଖି ମଧ୍ୟ ପ୍ରଦାନ କରାଯାଇ ନଥାଏ।

ଓଁ କାର କ୍ଷେତ୍ର ନାମର ତାତ୍ପର୍ଯ୍ୟ:-
ଏଠାରେ ଅନୁଷ୍ଠିତ ହେଉଥିବା ମେଳଣକୁ "ଦେବସଭା" ଭାବରେ ଅଭିହିତ କରାଯାଇଥାଏ। ଦେବସଭା ଭଙ୍ଗପରେ ଠାକୁରମାନେ ବ୍ରାହ୍ମମୁହୂର୍ତ୍ତରେ ବିଦାୟ ନେଲାବେଳେ ସେମାନଙ୍କ ସାମ୍ନାରେ ବିଛା ଯାଇଥାଏ ନୂଆବସ୍ତ୍ର ଓ ଏଥିରେ ଦିଆଯାଇଥାଏ ନୈବେଦ୍ୟର(ଭୋଗ)। ଓଳକଣା ମେଳଣର ଉତ୍ପତ୍ତି "ହରି-ହର"ଦର୍ଶନ ମୂଳଭିତ୍ତି ଉପରେ ପ୍ରତିଷ୍ଠିତ ହୋଇଥିବାରୁ ଏଠାକୁ ପ୍ରତିବର୍ଷ ଦେଶର ବିଭିନ୍ନ ପ୍ରାନ୍ତରରୁ ଛୁଟି ଆସିଥାନ୍ତି ସାଧୁସନ୍ଥ। ସେହିପରି ମହାପୁରୁଷ ଅରକ୍ଷିତ ଦାସ ଏଠାରୁ ସିଦ୍ଧି ପ୍ରାପ୍ତ କରିଥିବାରୁ ଏହାକୁ ଓଁକାର କ୍ଷେତ୍ର ବା ଅଣାକାର କ୍ଷେତ୍ର ବୋଲି କୁହାଯାଏ


କଳସ ଧାନ ପାଇଁ ପ୍ରତିଯୋଗିତା:
ମେଳଣ ପଡ଼ିଆର ପୂର୍ବ ଦିଗରୁ ଆସୁଥିବା ଡେରାବିଶର ଲକ୍ଷ୍ମୀ ବିଭାନର ବିଶେଷତ୍ୱ ଅନୁଯାୟୀ ଏହି ବିଭାନ ନିକଟରେ ବସିଥିବା କଳସର ତଳେ ଥିବା ଧାନକୁ ନିଜ ପାଖରେ ରଖିଲେ ଧନଧାନ୍ୟ ପୂର୍ଣ୍ଣ ହୋଇଥାଏ। ତେଣୁ ବିଭାନ ଉଠିବା ପରେ ଏହି ଧାନ ଗୁଡିକୁ ଭକ୍ତମାନଙ୍କୁ ଫିଙ୍ଗା ଯାଇଥାଏ।ଏହି ଧାନକୁ ନେବାପାଇଁ ଭକ୍ତଙ୍କ ମଧ୍ୟରେ ଯେମିତି ପ୍ରତିଯୋଗିତା ଲାଗିଥାଏ।ଭୂମିରେ ପଡିଥିବା ଧାନକୁ ଭକ୍ତମାନେ ଖୁଣ୍ଟିଖୁଣ୍ଟି ନେଇଥାନ୍ତିବୋଲି କୁହନ୍ତି ଜନୈକା ମହିଳା ଶ୍ରଦ୍ଧାଳୁ ସ୍ବର୍ଣ୍ଣଲତା ପ୍ରଧାନ।

ମେଳଣ ପାଇଁ ପୋଲିସ ପ୍ରଶାସନର ବ୍ୟବସ୍ଥା:-
ଚଳିତବର୍ଷ ମେଳଣ ପାଇଁ ଉଭୟ କେନ୍ଦ୍ରାପଡ଼ା ଡେରାବିଶ୍ ପୋଲିସ ଓ କଟକର ଭଦ୍ରେଶ୍ୱର ପୋଲିସ ପକ୍ଷରୁ ୩ ପ୍ଲାଟୁନ ପୋଲିସ ଫୋର୍ସ ସମେତ ୧୫ଜଣ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହୋଇଥିଲେ।ତେବେ ସକାଳୁ ଚନ୍ଦ୍ରଗ୍ରହଣ ନୀତି ଥିବାରୁ ରାତିରେ ହିଁ ମେଳଣର ସମାପନ ହେବ ବୋଲି କହିଛନ୍ତି କେନ୍ଦ୍ରାପଡା ଏସଡିପିଓ ଜ୍ୟୋତିରଞ୍ଜନ ଗୌଡା।


ଇଟିଭି ଭାରତ,କେନ୍ଦ୍ରାପଡା

ଏହା ମଧ୍ୟ ପଢନ୍ତୁ ହର୍ବାଲ ହୋଲିକୁ ମହିଳାଙ୍କ ଗୁରୁତ୍ବ, ଫଳ-ଫୁଲ-ପତ୍ରରୁ ପ୍ରସ୍ତୁତ କରୁଛନ୍ତି ପ୍ରାକୃତିକ ରଙ୍ଗ

ଏହା ମଧ୍ୟ ପଢନ୍ତୁ 47 ବର୍ଷ ପରେ ଦୋଳ ଯାତ୍ରାକୁ ପ୍ରଭାବିତ କଲା ଚନ୍ଦ୍ରଗ୍ରହଣ; ଗର୍ଭବତୀମାନେ କେମିତି ମାନିବେ, ଜାଣନ୍ତୁ

Last Updated : March 3, 2026 at 10:36 AM IST