ରୋଗୀର ହୃଦୟ ଜିତିଲେ ଡ଼ାକ୍ତର: ବିରଳ ହୃଦରୋଗରେ ପୀଡିତ 29 ବର୍ଷୀୟ ଝିଲନଙ୍କୁ ମିଳିଲା ନୂଆ ଜୀବନ
କେନ୍ଦ୍ରାପଡ଼ା ୨୯ ବର୍ଷୀୟ ଯୁବତୀ ଝିଲନ ଛୋଟ ବେଳୁ 'ଇବଷ୍ଟେନ ଆନୋମାଲି' ନାମକ ବିରଳ ହୃଦରୋଗରେ ପୀଡିତ ଥିଲେ । ଅସ୍ତ୍ରୋପଚାର ପାଇଁ ଅର୍ଥାଭାବ ସାଜିଥିଲା ପ୍ରତିବନ୍ଧକ । ନୂଆ ଜୀବନ ଦେଲେ ଡାକ୍ତର

Published : February 20, 2026 at 8:12 PM IST
ରିପୋର୍ଟ: କସ୍ତୁରୀ ରାୟ
ରାଧାକାନ୍ତ ମହାନ୍ତି
କେନ୍ଦ୍ରାପଡ଼ା: 'ଭଗବାନଙ୍କ ଉପରେ ଛାଡିଦିଅ, ଆମ ହାତରେ କିଛି ନାହିଁ' ବେଙ୍ଗାଲୁରୁରେ ଡାକ୍ତରଙ୍କ ଏପରି ନୈରାଶ୍ୟଜନକ କଥା ଭାଙ୍ଗି ଦେଇଥିଲା ୨୯ ବର୍ଷୀୟ ଯୁବତୀ ଝିଲନ ବେହେରାଙ୍କ ହୃଦୟ । ଚିକିତ୍ସା ପାଇଁ ମଧ୍ୟ ଆବଶ୍ୟକ ଥିଲା ଲକ୍ଷାଧିକ ଟଙ୍କା । ପରିବାରର ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନଥିବାରୁ ସେ ବଞ୍ଚିବାର ଆଶା ବି ଛାଡ଼ିଦେଇଥିଲେ । ହେଲେ ବିଧିର ବିଧାନ ଥିଲା ଭିନ୍ନ । ସୋସିଆଲ ମିଡିଆରେ ଏକ ପୋଷ୍ଟ ବଦଳାଇ ଦେଇଥିଲା ତାଙ୍କ ଜୀବନର ଗତିପଥ । ଏହା ପରେ ସାମାଜିକ ସଙ୍ଗଠନ ଓ ଓଡ଼ିଶା ପୋଲିସ ବିଭାଗ ଦେବଦୂତ ସାଜି ଆଜି ତାଙ୍କୁ ନୂଆ ଜୀବନ ଦେଇଛନ୍ତି । ଡାକ୍ତରଙ୍କ ପ୍ରୟାସ ପାଇଁ ସହଜରେ ନିଶ୍ବାସ ନେଉଛନ୍ତି ଝିଲନ ।
ଅସ୍ତ୍ରୋପଚାର ପାଇଁ 28 ବର୍ଷର ଅପେକ୍ଷା:
ଝିଲନ ବେହେରା । କେନ୍ଦ୍ରାପଡ଼ା ଇଶାନଡିଆ ଗ୍ରାମର ବାସିନ୍ଦା । ଛୋଟ ବେଳୁ 'ଇବଷ୍ଟେନ ଆନୋମାଲି'(Ebstein’s Anomaly) ନାମକ ବିରଳ ହୃଦରୋଗରେ ପୀଡିତ ଥିଲେ । ଏହା ଏକ ବିରଳ ଜନ୍ମଗତ ହୃତ୍ବିକୃତି ଅଟେ । ଯାହା ହୃଦରୋଗୀଙ୍କ ମଧ୍ୟରେ କେବଳ 1 ପ୍ରତିଶତ ରୋଗୀଙ୍କ ନିକଟରେ ଦେଖାଦେଇଥାଏ । ଏମ୍ସ ଯୋଧପୁର ଠାରେ ଝିଲନଙ୍କ ଚିକିତ୍ସକ ଡ଼ାକ୍ତର ଡଃ ମଧୁସୂଦନ କାଟି କହିଛନ୍ତି,"ଏହି ସମସ୍ୟା ପାଇଁ ଛୋଟବେଳରୁ ହିଁ ଅସ୍ତ୍ରୋପଚାରର ଆବଶ୍ୟକତା ରହିଥିଲା ।" ମାତ୍ର ଝିଲନଙ୍କୁ ଏହି ଜୀବନ ରକ୍ଷାକାରୀ ପ୍ରକ୍ରିୟା ପାଇଁ ଦୀର୍ଘ 28 ବର୍ଷର ଅପେକ୍ଷା କରିବାକୁ ପଡ଼ିଲା । ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ହୃତପିଣ୍ଡର ଟ୍ରାଇକସପିଡ଼ ଭାଲଭ (tricuspid valve) ବିକୃତ ଭାବେ ବିକଶିତ ହେବା ସହିତ ଭୁଲ ଜାଗାରେ ବିସ୍ଥାପିତ ହୋଇଥାଏ ବୋଲି ଝିଲନଙ୍କ ଚିକିତ୍ସକ ଏମ୍ସ ଯୋଧପୁରର ଡଃ ମଧୁସୂଦନ କାଟି କହିଛନ୍ତି ।
ଅର୍ଥାଭାବ ସାଜିଥିଲା ପ୍ରତିବନ୍ଧକ:
ସମୟ ନିଃଶ୍ବାସ ନେବାରେ ପ୍ରବଳ ଯନ୍ତ୍ରଣା, ଶରୀର ନୀଳ ପଡିବା ଓ ଅତ୍ୟଧିକ ହାଲିଆ ଲାଗିବା ଭଳି ଲକ୍ଷଣ ପ୍ରକାଶ ପାଇବାରେ ଲାଗିଲା । ଏଥିପାଇଁ କଟକରୁ ଭୁବନେଶ୍ବର ଏପରିକି ବେଙ୍ଗାଲୁରୁ ପର୍ଯ୍ୟନ୍ତ ସମସ୍ତ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଥିଲା 5ରୁ 7 ଲକ୍ଷ ଟଙ୍କା । ହେଲେ ପରିବାରର ଆର୍ଥିକ ପରିସ୍ଥିତି ଝିଅର ଚିକିତ୍ସା ପାଇଁ ଏହି ଟଙ୍କା ଯୋଗାଇପାରିନଥିଲା । "ମୁଁ ବଞ୍ଚିବାକୁ ଚାହୁଁଥିଲି ମାତ୍ର ଚିକିତ୍ସା ପାଇଁ ଅର୍ଥାଭାବରୁ କୌଣସି ଆଶା ହିଁ ନଥିଲା" ବୋଲି ଝିଲନ କହିଛନ୍ତି ।

ତାଙ୍କ ବାପା ସାଇକେଲ ମେକାନିକ ଓ ବଡ଼ ଭାଇ ମାଛ ବ୍ୟାପାର ସହିତ ଶ୍ରମିକ ଓ ଦିନ ମଜୁରିଆ ଭାବେ କାମ କରନ୍ତି । ଝିଲନଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ ତାଙ୍କୁ କେନ୍ଦ୍ରାପଡ଼ା, କଟକ, ଭୁବନେଶ୍ବର ଆଦି ଅନେକ ସ୍ଥାନକୁ ଚିକିତ୍ସା ପାଇଁ ନେଇଯାଇଛନ୍ତି । ମାତ୍ର ଚିକିତ୍ସା 5ରୁ 7 ଲକ୍ଷ ଟଙ୍କାର ଆବଶ୍ୟକତା ପରିବାରର ଆର୍ଥିକ ମେରୁଦଣ୍ଡ ଉପରେ ଦାଉ ସାଧେ । ଅନ୍ୟୋପାୟ ହୋଇ ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ବଞ୍ଚୁଥିଲେ ଝିଲନ ।
X ବଦଳାଇଲା ଜୀବନ:
ଜୁଲାଇ 2025ରେ ଏକ ଚମତ୍କାର ହୁଏ । ସୋସିଆଲ ମିଡିଆରେ ଗ୍ରାମର ଆସୋସିଏସନ ଅଫ ଟ୍ୱିଟର ଆକ୍ଟିଭିଷ୍ଟର ସଦସ୍ୟ ଚନ୍ଦ୍ରଶେଖର ସାହାଣୀ ଝିଲନଙ୍କ ହୃଦରୋଗ ଉପରେ ଏକ ସଂକ୍ଷିପ୍ତ ଭିଡିଓ ବନାଇ X ଗଣମାଧ୍ୟମରେ ପୋଷ୍ଟ କରନ୍ତି । ଏହି ଭିଡିଓରେ ବିଭିନ୍ନ ଅଧିକାରୀ, ସରକାର ଓ ସ୍ବେଚ୍ଛାକୃତ ସଂଗଠନ ଇଣ୍ଡିଆ କେୟାର୍ସକୁ ଟ୍ୟାଗ କରନ୍ତି । ଏହି ସୋସିଆଲ ମିଡିଆ ପୋଷ୍ଟ ଯୋଗୁଁ ସ୍ବେଚ୍ଛାକୃତ ସଂଗଠନ ଇଣ୍ଡିଆ କେୟାର୍ସ ପରିବାର ସହିତ ଯୋଗାଯୋଗ କରିଥିଲେ । ଏହା ପରେ ଛତିଶଗଡ଼ର ପେଡିଆଟ୍ରିକ ସର୍ଜନ ଡଃ ତନ୍ମୟ ମୋତିୱାଲା ଝିଲନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ରିପୋର୍ଟ ଦେଖିବା ସହିତ ଏମ୍ସ ଯୋଧପୁରର ଡକ୍ଟର ମଧୁସୂଦନ କାଟିଙ୍କୁ ଏହି କେସ୍ ସମ୍ପର୍କରେ ଅବଗତ କରାଇଥିଲେ ।

ଆୟୁଷ୍ମାନ ଭାରତ ବହନ କରିଲା ଚିକିତ୍ସା ଖର୍ଚ୍ଚ:
"ଓଡ଼ିଶାରେ ଏହି ବିରଳ ଅସ୍ତ୍ରୋପଚାର କରିବା ପାଇଁକୌଣସି ସୁବିଧା ଉପଲବ୍ଧ ନଥିଲା । ତେଣୁ ସେ ଏମ୍ସ ଯୋଧପୁରକୁ ଆସି ଏଠାରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ । ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ଆୟୁଷ୍ମାନ ଭାରତ ଯୋଜନା ଦ୍ବାରା ବହନ କରାଯାଇଥିଲା" ବୋଲି ଡକ୍ଟର ମଧୁସୂଦନ କାଟି କହିଛନ୍ତି । ଝିଲନ ଯୋଧପୁର ଆସିବା ପରେ ECHO, CT ଓ MRI ଭଳି ଗୁରୁତ୍ବପୂର୍ଣ୍ଣ ପରୀକ୍ଷା କରାଯାଇଥିଲା । ପରୀକ୍ଷା ଫଳରୁ ତାଙ୍କ ଅବସ୍ଥା ବିପଦପୂର୍ଣ୍ଣ ବୋଲି ଜଣାପଡ଼ିଥିଲା । ଫଳରେ ଅସ୍ତ୍ରୋପଚାର ପାଇଁ ବହୁ ସତର୍କତା ଅବଲମ୍ବନ କରାଯାଇଥିଲା ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

ଏପରି ଅତ୍ୟାଧୁନିକ ଓ ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାର କେବଳ ସ୍ବତନ୍ତ୍ର ସୁବିଧା ଥିବା ସ୍ଥାନରେ କରାଇବା ଆବଶ୍ୟକ ଯେପରି ଏମ୍ସ ଦିଲ୍ଲୀ, ଏମ୍ସ ଯୋଧପୁର ଏବଂ କେତେକ ବେସରକାରୀ ହସ୍ପିଟାଲ । ଏହି ଅସ୍ତ୍ରୋପଚାରରେ ଜୀବନ ପ୍ରତି ମଧ୍ୟ ବିପଦ ରହିଥାଏ ।
ଇଣ୍ଡିଆ କେୟାର୍ସ ଓ ଓଡ଼ିଶା ପୋଲିସର ସାହାଯ୍ୟ:
ଝିଲନଙ୍କ ପାଇଁ ଅସ୍ତ୍ରୋପଚାର ଯେତେ ଗୁରୁତ୍ବପୂର୍ଣ୍ଣ ଥିଲା, ସେତିକି ଜରୁରୀ ଥିଲା ସମର୍ଥନ । ଆର୍ଥିକ ସମସ୍ୟା ଯୋଗୁଁ ହୋଇପାରୁନଥିବା ଅସ୍ତ୍ରୋପଚାରର ଖର୍ଚ୍ଚ ଆୟୁଷ୍ମାନ ଭାରତ ବହନ କରିଥିଲା । ଇଣ୍ଡିଆ କେୟାର୍ସ ଚିକିତ୍ସା, ଯାତ୍ରା ଓ ରହଣି ପାଇଁ ଆବଶ୍ୟକ କାଗଜପତ୍ର ପ୍ରକ୍ରିୟାକୁ ତନଖି କରିଥିଲା । ଏହା ସହିତ ଓଡ଼ିଶା ସରକାରୀ ଅଧିକାରୀମାନେ ଆବଶ୍ୟକ ସାହାଯ୍ୟ ଯୋଗାଇଦେଇଥିଲେ । ଏହା ସହିତ ଓଡ଼ିଶା ପୋଲିସ ଓ ବରିଷ୍ଠ IPS ଅଧିକାରୀ ଝିଲନ ଓ ତାଙ୍କ ଭାଇଙ୍କ ରାଜସ୍ଥାନକୁ ଯାତ୍ରାରେ କୌଣସି ଅସୁବିଧା ନ ହେବା ପାଇଁ ସମସ୍ତ ଖର୍ଚ୍ଚର ଆୟୋଜନ କରିଥିଲେ ।

ଭଉଣୀ କଷ୍ଟ ଭାଇ ପାଇଁ ଅସହ୍ୟ:
ଭଉଣୀର ଏପରି ଅସୁସ୍ଥତାକୁ ନେଇ ବଡ଼ ଭାଇ ମିଲନ ବେହେରା ଖୁବ ଚିନ୍ତିତ ଥିଲେ । ଭଉଣୀର ଯନ୍ତ୍ରଣା ଦେଖିବା ତାଙ୍କ ପକ୍ଷେ ଅସହ୍ୟ ଥିଲା । "ସେ ଯନ୍ତ୍ରଣାରେ ଛଟପଟ ହେଲେ, ମୁଁ କାହାକୁ କିଛି ନକହି ଗୋଟିଏ କୋଣରେ ଯାଇ କାନ୍ଦେ" ବୋଲି କହିଛନ୍ତି ଝିଲନଙ୍କ ବଡ଼ ଭାଇ । ବିଭିନ୍ନ ସ୍ଥାନରୁ ଧାର କରଜ କରି ବହୁ ଡାକ୍ତରଙ୍କୁ ଦେଖାଇଥିଲେ ମଧ୍ୟ ସୁଫଳ ମିଳିନଥିଲା । "
ସେ ଯେତେବେଳେ ଯନ୍ତ୍ରଣାରେ ଗଡିଯାଇ ଭାଇ ମୁଁ ବଞ୍ଚିବିନି ମରିଯିବି ବୋଲି କୁହେ ମୋତେ ବହୁତ କାନ୍ଦ ଲାଗେ" କହିଥିଲେ ଝିଲନଙ୍କ ବଡ଼ ଭାଇ ମିଲନ ବେହେରା । ତାଙ୍କ ଭଉଣୀ ଓ ପରିବାରକୁ ସାହାଯ୍ୟ କରିଥିବା ପାଇଁ ସେ ସାମାଜିକ ଗଣମାଧ୍ୟମ ଓ ଇଣ୍ଡିଆ କେୟାର୍ସ ସଂଗଠନକୁ ଧନ୍ୟବାଦ କହିଛନ୍ତି ।
ଏକ ସୋସିଆଲ ମିଡିଆ ପୋଷ୍ଟ ବଦଳାଇ ଦେଲା ଝିଲନଙ୍କ ଜୀବନ । ସେ ଆଜି ସ୍ବାଚ୍ଛନ୍ଦ୍ୟ ଓ ବିନା କଷ୍ଟରେ ନିଶ୍ବାସପ୍ରଶ୍ବାସ ନେଉଛନ୍ତି । 28 ବର୍ଷର ଯନ୍ତ୍ରଣା, ଆର୍ଥିକ ଅଭାବ, ବିଭିନ୍ନ ସ୍ଥାନରୁ ନିରାଶା ଭଳି ଯନ୍ତ୍ରଣା ଗୁଡିକରେ ପରିଶେଷରେ ପୂର୍ଣ୍ଣଚ୍ଛେଦ ପଡିଛି । ଏବେ ଝିଲନଙ୍କ ହସ ହସ ମୁହଁ ଦେଖି ସାରା ପରିବାରର ମନ ପୁରି ଉଠୁଛି ।
ଏହା ମଧ୍ୟ ପଢନ୍ତୁ: କାମ କରିବାକୁ ଯାଇ ଥାଇଲାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ, ଫେରାଇ ଆଣିବାକୁ ଅପିଲ୍ ଶିକ୍ଷିତ ଜିଲ୍ଲା କେନ୍ଦ୍ରାପଡା ପାଇଁ ଲଜ୍ଜା ; ମାସକରେ ଦୁଇ ଦୁଇଟି ବାଲ୍ୟବିବାହ ପ୍ରଶାସନିକ ଅପାରଗତାକୁ ପଦାରେ ପକାଇଲା |
ଇଟିଭି ଭାରତ, କେନ୍ଦ୍ରାପଡା

