କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବଜୀଉଙ୍କ ପ୍ରିୟ 'ରସାବଳି' ; ୭୦୦ ବର୍ଷର ପୁରୁଣା ମିଠା, ଦିନକୁ ୧୦ ଲକ୍ଷ ଟଙ୍କା ବ୍ୟବସାୟ
କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ଠାକୁର ଶ୍ରୀ ବଳଦେବଜୀଉଙ୍କ ଜନ୍ମୋତ୍ସବ ଗମ୍ହା ପୂର୍ଣ୍ଣିମାକୁ 'ରସାବଳି' ଦିବସ ଭାବେ ପାଳନ କରାଯାଏ । ସଂଧ୍ୟା ଆଳତି ପୂର୍ବର ଲାଗି ହୁଏ ରସାବଳି ଭୋଗ ।ସ୍ପେଶାଲ ରିପୋର୍ଟ:ରାଧାକାନ୍ତ ମହାନ୍ତି

Published : August 28, 2026 at 2:51 PM IST
Kendrapada Rasabali କେନ୍ଦ୍ରାପଡ଼ା: 'ରସାବଳି', ଯାହାର ନା ଶୁଣିଲେ ପାଟିକୁ ଆପେ ଆପେ ଲାଳ ଆସିଯାଏ । ଛେନା ଓ କ୍ଷୀରରୁ ତିଆରି ଏକ ରସଯୁକ୍ତ ମିଠା 'ରସାବଳି' । ଏ ମିଠା ଖାଇବାକୁ ଯେତିକି ସ୍ବାଦିଷ୍ଟ, ଦେଖିବାକୁ ମଧ୍ୟ ସେତିକି ସୁନ୍ଦର । ରସାବଳି ହେଉଛି କେନ୍ଦ୍ରାପଡା ତୁଳସୀକ୍ଷେତ୍ରାଧୀପତି ପ୍ରଭୁ ଶ୍ରୀ ବଳଦେବଜୀୟୁଙ୍କ ପ୍ରିୟ ଖାଦ୍ୟ । ୨୦୨୩ ମସିହାରେ ଭାରତ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ରସାବଳିକୁ ଭୌଗୋଳିକ ସୂଚକ (ଜିଓଗ୍ରାଫିକାଲ ଇଣ୍ଡିକେଟର- GI )ମାନ୍ୟତା ପ୍ରଦାନ କରାଯାଇଛି । ଆଉ ଏହି ରସାବଳି ଲୋକଙ୍କ ପାଇଁ ଜୀବୀକା ବି ପାଲଟିଛି । ଦୈନିକ ବ୍ୟବସାୟ ୭ ଲକ୍ଷରୁ ୧୦ ଲକ୍ଷ ଟଙ୍କାର ରସାବଳୀ ବ୍ୟବସାୟ ହେଉଛି । ପ୍ରତିବର୍ଷ ରକ୍ଷାବନ୍ଧନ ଦିନ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଜନ୍ମୋତ୍ସବ ଦିନ ରସାବଳି ଦିବସ ପାଳନ କରାଯାଉଛି ।
କେବେଠୁ ରହିଛି ରସାବଳି ପରମ୍ପରା ?:
ତୁଳସୀ କ୍ଷେତ୍ର ଇଚ୍ଛାପୁରରେ ପ୍ରଭୁ ଅବସ୍ଥାନ କରିଥିବା ବେଳେ ପୁରାଣ ବର୍ଣ୍ଣନା ଅନୁସାରେ ମହାପ୍ରଭୁଙ୍କ ଏହା ହେଉଛି ଦ୍ଵିତୀୟ ବିଜେସ୍ଥଳୀ । ଅନ୍ୟସ୍ଥାନଗୁଡ଼ିକରେ ଦାରୁମୂର୍ତ୍ତି ପୂଜା ପାଉଥିବା ବେଳେ, ଏଠାରେ ମଣି ବିଗ୍ରହ ପୂଜା ପାଇଥାନ୍ତି । ଲୋକଙ୍କ କହିବା ଅନୁସାରେ, ଏଠାରେ ଦୀର୍ଘ ୭୦୦ ବର୍ଷ ଧରି ରସାବଳୀ ପରମ୍ପରା ପ୍ରଚଳିତ ହୋଇଆସୁଛି ।
ବଳଦେବଜୀଉ ମନ୍ଦିର ପୂଜାପଣ୍ଡା ସେବାୟତ ଜ୍ୟୋତିରଞ୍ଜନ ପତ୍ରୀ କହିଛନ୍ତି, "ରସାବଳି ଏବଂ କେନ୍ଦ୍ରାପଡ଼ା ହେଉଛି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଅର୍ଥାତ ଉଭୟ ଉଭୟଙ୍କର ପରିପୂରକ । କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ବଳଦେବଜୀଉ । ଆଉ ପ୍ରଭୁ ବଳଦେବଜୀଉଙ୍କର ପ୍ରିୟ ଭୋଗ ହେଉଛି ରସାବଳି । ପ୍ରଥମ ମନ୍ଦିର ଦ୍ୱାଦଶ ଖ୍ରୀଷ୍ଟାବ୍ଦରେ ଅନଙ୍ଗ ଭୀମଦେବଙ୍କ ସମୟରୁ ପୁରୁଣା ବସ୍ଷ୍ଟାଣ୍ଡରେ ନିର୍ମାଣ ହୋଇଥିଲା । ସେବେଠୁ ଜଗନ୍ନାଥ ପାଟଯୋଶୀ ଓ ଗୋବିନ୍ଦ ପାଟଯୋଶୀଙ୍କ ସମୟରେ ମହାପ୍ରଭୁଙ୍କର ରସାବଳି ଭୋଗ ଖଞ୍ଜା ଯାଇଥିଲା । ପରେ ମୋଗଲ ଶାସକ ଔରଙ୍ଗଜେବଙ୍କ ସମୟରେ ମନ୍ଦିର ଭଙ୍ଗା ଯାଇଥିଲା । ପରେ ମନ୍ଦିର ମରାଠା ଶାସନ ସମୟରେ ଷଠଗୋପୀ ରାମାୟନ୍ଦ ଦାସଙ୍କ ସମୟରେ ପୁନଃ ରସାବଳି ଖଞ୍ଜା ଯାଇଥିଲା । ସେହି ସମୟରୁ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କର ରସାବଳି ଭୋଗ କାର୍ଯ୍ୟକ୍ରମ ଜାରି ରହିଛି ।"'

ରସାବଳି ଇଚିହାସ:
ବଳରାମ ଦାସଙ୍କ ଦାଣ୍ଡି ରାମାୟଣ ଗ୍ରନ୍ଥର "ଅଯୋଧ୍ୟାକାଣ୍ଡ"ରେ ରସାବଳି ବାବଦରେ ଉଲ୍ଲେଖ ରହିଛି । ଏହା ପଞ୍ଚଦଶ ଶତାବ୍ଦୀରେ ପ୍ରକାଶିତ ହୋଇଥିଲା । ଏଥିରେ ବିଭିନ୍ନ ସମୟରେ ମୁଦ୍ରିତ ଏହି ଗ୍ରନ୍ଥର ଭିନ୍ନ ଭିନ୍ନ ସଂସ୍କରଣ ମଧ୍ୟରୁ ଗୋବିନ୍ଦ ରଥଙ୍କ ସମ୍ପାଦିତ ଓ ୧୯୧୨ ମସିହାରେ ପ୍ରକାଶିତ ଦାଣ୍ଡି ବାଲ୍ମିକୀ ରାମାୟଣ ପୁସ୍ତକରେ "ଅମୃତ ରସାବଳି" ନାମରେ ରସାବଳି ବାବଦରେ ବର୍ଣ୍ଣନା ରହିଛି ।
ସନ୍ଧ୍ୟାରେ ବଡ଼ ଠାକୁରଙ୍କ ପାଇଁ ଖଞ୍ଜା ୩୨ ଖଣ୍ଡ ରସାବଳି :
କୃଷି ଓ କୃଷକର ଦେବତା ମହାପ୍ରଭୁ ବଳଦେବଜୀଉଙ୍କ ପାଖରେ ପ୍ରତ୍ୟେକ ସନ୍ଧ୍ୟାରେ ରସାବଳୀକୁ ନୈବେଦ୍ୟ ରୂପେ ଭୋଗ ଲାଗି କରାଯାଇଥାଏ । ଦୈନିକ ସନ୍ଧ୍ୟା ଆଳତି ପୂର୍ବରୁ ପୁରୀ ୨୪ ଖଣ୍ଡ ଏବଂ ରସାବଳି ୩୨ ଖଣ୍ଡ ଲାଗି କରାଯାଏ । ୩୨ ଖଣ୍ଡ ରସାବଳିରୁ ୨୪ ଖଣ୍ଡ ରସାବଳୀକୁ ଦାତା (ଯାହାଙ୍କ ନାଁରେ ଆଳତୀ ହୁଏ) ନିଅନ୍ତି । ବାକି ୮ ଖଣ୍ଡ ତାଙ୍କର ପାଳିଆ ନିଅନ୍ତି । ଗୋଟିଏ ରସାବଳି ୬୦୦ ଗ୍ରାମ ଛେନାରେ ତିଆରି ହେଇଥାଏ ବୋଲି କୁହନ୍ତି ବଳଦେବଜୀଉ ମନ୍ଦିର ପ୍ରଶାସକ ବଳଭଦ୍ର ପତ୍ରୀ ।

ଦୈନିକ ୧୦ ଲକ୍ଷ ଟଙ୍କାର ରସାବଳି ବିକ୍ରି:
ନିଆରା ସ୍ଵାଦ ପାଇଁ କେନ୍ଦ୍ରାପଡା ରସାବଳି ପୃଥିବୀ ପ୍ରସିଦ୍ଧ ହୋଇପାରିଛି । ବଳଦେବଜୀଉଙ୍କ ମନ୍ଦିରରେ କମ୍ ପରିମାଣରେ ଏହା ତିଆରି ହେଉଥିବାରୁ ଅଧିକ ସଂଖ୍ୟାରେ ଭକ୍ତମାନଙ୍କର ଆବଶ୍ୟକତାକୁ ପୂରଣ କରିପାରୁନାହିଁ । ରସାବଳି, କେବଳ ବଳଦେବଜୀୟୁଙ୍କ ମନ୍ଦିରରେ ପ୍ରସ୍ତୁତ ହୋଇ ନଥାଏ, କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ ମିଠା କାରିଗରମାନେ ମଧ୍ୟ ରସାବଳି ପ୍ରସ୍ତୁତ କରିଥାନ୍ତି । ପ୍ରତିଦିନ ଏହି ସ୍ଥାନରୁ ଦେଶର ବିଭିନ୍ନ ରାଜ୍ୟ ତଥା ବାହାର ଦେଶକୁ ପଠାଯାଇ ଥାଏ ।
ରସାବଳି ନିର୍ମାତା ସଂଘ ସଭାପତି ବୈଷ୍ଣବ ପଣ୍ଡାଙ୍କ ସୂଚନା ଅନୁସାରେ, କେନ୍ଦ୍ରାପଡା ସହରରେ ପାଖାପାଖି ୧୭୩ଟି ରସାବଳି ଦୋକାନ ରହିଛି । ସାଧାରଣ ଦିନଗୁଡ଼ିକରେ ଛୋଟ ଓ ବଡ଼ ଆକାରର ମିଶି ଦୈନିକ ଦେଢ଼ ଲକ୍ଷରୁ ଅଧିକ ଖଣ୍ଡ ରସାବଳି ତିଆରି ହେଉଛି । କେବଳ କେନ୍ଦ୍ରାପଡ଼ା ସହରରେ ରସାବଳିର ଦୈନିକ ବ୍ୟବସାୟ ୭ ଲକ୍ଷରୁ ୧୦ ଲକ୍ଷ ଟଙ୍କାର ହେଉଛି । ପର୍ବପର୍ବାଣୀ ସମୟରେ ମିଠାର ଚାହିଦା ଅଧିକ ଥିବାରୁ ବେପାର ମଧ୍ୟ ଅଧିକ ହୁଏ ।

ରସାବଳୀକୁ GI ଟ୍ୟାଗ ମାନ୍ୟତା :
କେନ୍ଦ୍ରାପଡା ରସାବଳୀ ମିଷ୍ଟାନ୍ନ ନିର୍ମାତା ସଂଘ ଓ Rural Infrastructure Developement & Employment (RIDE) ପକ୍ଷରୁ ଦୁଇଟି ଦାବି କରାଯାଇଥିଲା । ନିର୍ମାତା ସଂଘର ଦାବି ପରେ RIDE ପକ୍ଷରୁ ନାବାର୍ଡର ସହଯୋଗ ନିଆ ଯାଇଥିଲା । " ରସାବଳିକୁ ୩ ଅକ୍ଟୋବର ୨୦୨୩ରେ ଭୌଗଳିକ ସଙ୍କେତ ବା GI ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ଅବଧି ଆସନ୍ତା ୨୦୩୧ ମସିହା ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ରହିଛି " ବୋଲି ତୁଳସୀକ୍ଷେତ୍ର ଗବେଷକ ନିରଞ୍ଜନ ମେକାପ ସୂଚନା ଦେଇଥିଲେ ।
'ରସାବଳି' ସାତଶହ ବର୍ଷ ପୂରୁଣା:
କେନ୍ଦ୍ରାପଡ଼ାରେ ବଡ଼ ଠାକୁର ଶ୍ରୀ ବଳଦେବଜୀଉ ନିଜ ଭାଇ ଭଉଣୀଙ୍କ ସହ ରହିବା ଦିନଠାରୁ ହିଁ ତିନି ଦିଅଁଙ୍କ ଠାରେ ଏହି ପ୍ରିୟ ନୈବେଦ୍ୟ ରସାବଳି ଲାଗି କରାଯାଉଛି । ତେବେ ଗବେଷକଙ୍କ ମତରେ ପ୍ରାୟ ୧୨୨୦ ଖ୍ରୀଷ୍ଟାବ୍ଦରେ ସହର ମଧ୍ୟସ୍ଥଳୀ ପୁରୁଣା ବସଷ୍ଟାଣ୍ଡରେ ପ୍ରଭୁ ବଳଦେବଜୀଉ ବିଜେ କରିଥିଲେ । ସେହିଦିନଠାରୁ ଠାକୁରଙ୍କ ନିକଟରେ ରସାବଳୀ ଭୋଗ କରାଯିବାର ପରମ୍ପରା ଆରମ୍ଭ ହୋଇଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ରସାବଳୀର ପ୍ରାୟ ୭ ଶହ ବର୍ଷର ଏକ ଦୀର୍ଘ ଇତିହାସ ରହିଛି ।

କିପରି ପ୍ରସ୍ତୁତ ହୁଏ ରସାବଳି:
ରସାବଳି ପାଇଁ ଶୁଦ୍ଧ କ୍ଷୀରରୁ ତିଆରି ଛେନା ଆବଶ୍ୟକ ହେଉଥିବା ବେଳେ, ସେଥିରେ ଅଳ୍ପ ମଇଦା ମିଶାଇ ପାଗ କରାଯାଏ । ଛେନା ସହ ସୁଗନ୍ଧିତ ମସଲାର ମିଶ୍ରଣ କରି ପ୍ରଥମେ ରସାବଳି ପାଇଁ ଆଣ ପ୍ରସ୍ତୁତ ହୁଏ । ପରେ ଏହାକୁ ଛୋଟ ଛୋଟ ପିଠା ଆକାରରେ ପ୍ରସ୍ତୁତ କରାଯାଇ ଘିଅରେ ଛଣା ଯାଇଥାଏ । ଛଣା ସରିବା ପରେ ପିଠାଗୁଡିକୁ କ୍ଷୀର ଓ ଚିନି ସିରାରେ ପକାଯାଏ । ତାପରେ ପ୍ରସ୍ତୁତ ହୋଇଯାଏ ସୁସ୍ବାଦୁ ମିଷ୍ଟାନ୍ନ ରସାବଳି ।
ରସାବଳି ପ୍ରସ୍ତୁତକାରୀ ରବୀନ୍ଦ୍ର ପ୍ରଧାନ କୁହନ୍ତି, "ରସାବଳି ସାଧାରଣତଃ ଛେନାରେ ଅଳେଇଚ ପଡି ତିଆରି ହୁଏ । ଏକ କିଲୋଗ୍ରାମ ଛେନାରେ ୫୦ ଗ୍ରାମ ଅଟା ଦିଆଯାଏ । ଶୁଦ୍ଧ ଡାଲଡା ଘିଅରେ ଛଣା ହୋଇ କ୍ଷୀରରେ ପଡ଼ିବ ଆଉ ତାପରେ ପ୍ରସ୍ତୁତ ହୁଏ ରସାବଳୀ । ଆମ ଦୋକାନରେ ପ୍ରତିଦିନ ପାଖାପାଖି ୫୦,୦୦୦ ଟଙ୍କାର ରସାବଳୀ ବିକ୍ରି ହୁଏ । ଜନ୍ମଦିନ, ବାହାଘର, ଭୋଜିଭାତ ହେଲେ ରସାବଳୀ ଅଧିକ ବ୍ୟବସାୟ ହୋଇଥାଏ । ଆମ ଶୁଦ୍ଧ ଛେନାରେ ରସାବଳୀ ପ୍ରସ୍ତୁତ କରୁ ।"

ଜଗତର ନାଥ ଜଗନ୍ନାଥଙ୍କ ପ୍ରିୟ ମିଠା ହେଉଛି 'ରସଗୋଲା' । ସେହିପରି କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବଜୀଉଙ୍କ ଅତି ପ୍ରିୟ ଭୋଗ 'ରସାବଳି' । ଏହା କେବଳ ଏକ ମିଷ୍ଟାନ୍ନ ନୁହେଁ, ବରଂ କେନ୍ଦ୍ରାପଡ଼ା ସଂସୃୃତି ଓ ପରାମ୍ପରାର ପ୍ରତୀକ !
ଏହା ମଧ୍ୟ ପଢ଼ନ୍ତୁ... ପାହାଳ ରସଗୋଲା...ଶତାବ୍ଦୀର ସ୍ୱାଦ: ଓଡ଼ିଶାର ପରିଚୟ, ଇତିହାସରୁ ଶିଳ୍ପ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାହାଣୀ ୫୦% ପର୍ଯ୍ୟନ୍ତ ବଢ଼ିଲା ଦର... ରକ୍ଷାବନ୍ଧନରେ ମିଠାର ଅଭାବ ଦେଲା ତିକ୍ତ ଅନୁଭୂତି |
ଇଟିଭି ଭାରତ, କେନ୍ଦ୍ରାପଡ଼ା

