ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା; ଜେଲ ଗଲେ ପାଞ୍ଚ ଅଭିଯୁକ୍ତ, ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଦାବି କଲା ବିଜେଡି
ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୫ ଜଣ ଗଲେ ଜେଲ । ଅଭିଯୋଗ ବିରୋଧରେ ଥାନା ସମ୍ମୁଖରେ ଅଭିଭାବିକା ଓ ଛାତ୍ରଛାତ୍ରୀଙ୍କ ହୋହାଲ୍ଲା ।


Published : February 22, 2026 at 10:31 PM IST
କେନ୍ଦ୍ରାପଡା: ରାଜକନିକା ଥାନା ଅନ୍ତର୍ଗତ ଏକ ଘରୋଇ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଓ ଅଣଶିକ୍ଷକଙ୍କ ଦ୍ଵାରା ଦୁଷ୍କର୍ମ ଘଟଣାରେ ଆଜି ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅନ୍ୟପଟେ ଏହା ଏକ କପୋଳକଳ୍ପିତ ମିଛ ଅଭିଯୋଗ ହୋଇଥିବା କହି ରାଜକନିକା ଥାନା ଆଗରେ ଦୀର୍ଘ ସମୟ ଧରି ଶିକ୍ଷକ ମାନଙ୍କୁ ନେବା ପାଇଁ ଆନ୍ଦୋଳନ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଏପଟେ ମହିଳା ବିରୋଧୀ ଅପରାଧ (CAW) ଶାଖା ଏହି ମାମଲାର ତଦନ୍ତ ତଦାରଖ କରୁଛି । ତଦନ୍ତ ଶୀଘ୍ର ସମାପ୍ତ କରିବା ପାଇଁ ତଦନ୍ତକୁ ତ୍ୱରାନ୍ୱିତ କରାଯାଉଛି ପଟ୍ଟାମୁଣ୍ଡାଇର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ କହିଛନ୍ତି । ତେବେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ବିଜେଡି ତୁରନ୍ତ ନ୍ୟାୟ ପାଇଁ ଫାଷ୍ଟ ଟ୍ରାକ କୋର୍ଟ ଗଠନ ଦାବି କରିଛି ।
ତ୍ୱରିତ ପଦକ୍ଷେପ ନେଲା ପୋଲିସ, ଅଭିଯୋଗ ଆଗରୁ ଅଟକ ଥିଲେ ୫ ଜଣ-
ଘଟଣା ସମ୍ପର୍କରେ ୨୦ ତାରିଖ ବିଳମ୍ବିତ ରାତିରେ ଶିଶୁ ସୁରକ୍ଷା ବିଭାଗ ଦ୍ଵାରା ଅବଗତ ହେବା ପରେ ୨୧ ତାରିଖ ସକାଳେ ରାଜକନିକା ଆଇଆଇସି ସଞ୍ଜୟ କୁମାର ମଲିକ ପିଡିତାଙ୍କ ଘରକୁ ଯାଇ ଏକ ଲିଖିତ ଏତଲା ବିନା ସଙ୍କୋଚରେ ଦେବାକୁ କହିଥିଲେ । ଏହାପରେ ଘଟଣା ଘଟିଥିବା ବିଦ୍ୟାଳୟରେ ପହଞ୍ଚି ଅଭିଯୁକ୍ତ ୫ ଜଣଙ୍କୁ ଥାନାକୁ ଡାକିଥିଲେ । ପରେ ପିଡ଼ିତାଙ୍କ ପରିବାର ପକ୍ଷରୁ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ହେବା ପରେ ପଚରାଉଚରା ପାଇଁ ଡକା ଯାଇଥିବା ୩ଜଣ ଶିକ୍ଷକ, ଜଣେ ଶିକ୍ଷୟତ୍ରୀ ଓ ପିଅନଙ୍କୁ ଅଟକ ରଖିଥିଲା ରାଜକନିକା ପୋଲିସ । ପରବର୍ତ୍ତୀ ସମୟରେ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ପିଡ଼ିତାଙ୍କ ଘର ଓ ବିଦ୍ୟାଳୟକୁ ଯାଇ ଛାନଭିନ କରିବା ସହ ତିନିଜଣ ଡ଼ିଏସପି, ସାଇଣ୍ଟିଫିକ ଟିମ ଦ୍ୱାରା ସରଜମିନ ତଦନ୍ତ କରାଇଥିଲେ ।
ଜାମିନ ନାମଞ୍ଜୁର, ଶିକ୍ଷକଙ୍କ ଠିକଣା କେନ୍ଦ୍ରାପଡା କାରାଗାର-
ଗତକାଲି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ପାଇବା ପରେ ରାଜକନିକା ଥାନା ପକ୍ଷରୁ ୫୪/୨୦୨୬ରେ ମାମଲା ରୁଜ୍ଜୁ କରାଯାଇ ଘରୋଇ ବିଦ୍ୟାଳୟର ଅଭିଯୁକ୍ତ ଶିକ୍ଷକ ଚନ୍ଦନ ପୃଷ୍ଟି, ବିଶ୍ୱରଞ୍ଜନ ସାହୁ, ରଶ୍ମିକାନ୍ତ ବିଶ୍ୱାଳ,ଶିକ୍ଷୟତ୍ରୀ ମିନତୀ ବାଇ ଓ ପିଅନ ରଶ୍ମିରଞ୍ଜନ ରଣାଙ୍କୁ ଅଟକ ରଖା ଯାଇଥିଲା । ଏମାନଙ୍କ ବିରୋଧରେ ବିଏନଏସ ଧାରା ୬୫(୨),୭୦(୨),୬୦,୪୯,୩୫୧(୨)(୩)/୩(୫) ଏବଂ ୪ ଓ ୬ ପୋକ୍ସୋ ଆକ୍ଟରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ପଟ୍ଟାମୁଣ୍ଡାଇ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁକାନ୍ତ ପାତ୍ର । ସେହିପରି ଅଭିଯୁକ୍ତ ମାନଙ୍କୁ କେନ୍ଦ୍ରାପଡା କୋର୍ଟରେ ହାଜର କରାଯିବା ପରେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ କେନ୍ଦ୍ରାପଡା କାରାଗାରକୁ ପଠାଇ ଦିଆଯାଇଛି ।
ଏନେଇ ପ୍ରତିକ୍ରିୟା ରଖି ପଟ୍ଟାମୁଣ୍ଡାଇର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ (SDPO) ସୁକାନ୍ତ କୁମାର ପାତ୍ର କହିଛନ୍ତି, "ମହିଳା ବିରୋଧୀ ଅପରାଧ (CAW) ଶାଖା ତଦନ୍ତ ତଦାରଖ କରୁଛି । ତଦନ୍ତ ଶୀଘ୍ର ସମାପ୍ତ କରିବା ପାଇଁ ତଦନ୍ତକୁ ତ୍ୱରାନ୍ୱିତ କରାଯାଉଛି । ବରିଷ୍ଠ ପୋଲିସ ଅଧିକାରୀମାନେ ରବିବାର ସ୍କୁଲର କିଛି ଶିକ୍ଷକ ଏବଂ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ। ପୋଲିସ ଦଳ ରବିବାର ପୀଡିତା ଝିଅର ତାଙ୍କ ଗାଁରେ ଥିବା ପିତାମାତାଙ୍କୁ ମଧ୍ୟ ପଚରାଉଚରା କରିଥିଲେ । ସ୍କୁଲରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି । ରବିବାର ଏକ ସାଇଣ୍ଟିଫିକ ଦଳ ସ୍କୁଲରେ ସାଇନ୍ସ ଲ୍ୟାବ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ମଧ୍ୟ ଯାଞ୍ଚ କରିଥିଲା । ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା 180 ଅନୁଯାୟୀ ପୀଡିତା ନାବାଳିକା ଝିଅର ଅଡିଓ-ଭିଡିଓ ବୟାନ ରେକର୍ଡ କରାଯାଇଥିଲା । ମାମଲାର ଶୀଘ୍ର ବିଚାର ପାଇଁ ଖୁବଶୀଘ୍ର ଜଣେ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟରଙ୍କୁ ନିଯୁକ୍ତ କରାଯିବ ।"
ବିଦ୍ୟାଳୟ ବିରୋଧରେ ଅଭିଯୋଗକୁ ଖଣ୍ଡନ କରି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ-
ସମଗ୍ର ରାଜ୍ୟରେ ଏଭଳି ସ୍ପର୍ଶକାତର ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଛାତ୍ରୀ ଓ ତାଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ମିଛ ଓ ଭିତ୍ତିହୀନ ବୋଲି କହିଛନ୍ତି ଅଭିଭାବିକ ଏବଂ ଛାତ୍ରୀ । ପ୍ରତିବାଦରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ପିଅନଙ୍କୁ ଛାଡିବା ଦାବି କରି ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଭାବିକା ଦୀର୍ଘ ସମୟ ଧରି ରାଜକନିକା ଥାନା ସମ୍ମୁଖରେ ଶହଶହ ସଂଖ୍ୟାରେ ପହଞ୍ଚି ହୋହଲ୍ଲା କରିଥିଲେ।
ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଏହି ଘରୋଇ ବିଦ୍ୟାଳୟରେ ପାଠ ପଢ଼ୁଥିବା ଜନୈକା ସପ୍ତମ ଶ୍ରେଣୀର ଛାତ୍ରୀ କୁହନ୍ତି,"ଏହା ଏକ ମିଛ ଅଭିଯୋଗ, ଆମ ସାର ନିର୍ଦ୍ଦୋଷ ଏବଂ ଆମ ସାରମାନଙ୍କୁ ନେଇ ଆମେ ଏଠାରୁ ଯିବୁ । ଆମ ସାର ମାନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ସବୁ ମିଛ ପ୍ରମାଣ ତେଣୁ ଆମର ଆଗକୁ ପରୀକ୍ଷା ଥିବାରୁ ଆମ ସାରମାନଙ୍କୁ ଛାଡି ଦିଅନ୍ତୁ ।"
ସେହିପରି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ଜନୈକା ଅଭିଭାବିକା କୁହନ୍ତି,"ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଆମ ଝିଅକୁ ଚାରିବର୍ଷ ହେଲାଣି ଏଭଳି ଶାରୀରିକ ନିର୍ଯ୍ୟାତନା ଦିଆଯାଉଛି,ଝିଅ ବର୍ତ୍ତମାନ ସପ୍ତମ ଶ୍ରେଣୀରେ ପଢୁଛି ତେଣୁ ତାକୁ ୧୨ କିମ୍ବା ୧୩ ବର୍ଷ ହେବ ତେବେ ୭-୮ ବର୍ଷରୁ ଝିଅ ଯେତେବେଳେ ଏଭଳି ଶିକାର ହୋଇଥିଲା ସେତେବେଳେ ସେ ଝିଅର ମା ଜାଣିପାରିଲା ନାହିଁ କେମିତି?ମୁଁ ସେହି ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀର ଅଭିଭାବିକା କିନ୍ତୁ ମୁଁ ଦିନେ ହେଲେ କୌଣସି ଶିକ୍ଷକ ଏଭଳି କରିଥିବା ସମ୍ପର୍କରେ ମୋ ଝିଅଠାରୁ ଶୁଣିନାହିଁ କି ଅନୁଭବ ମଧ୍ୟ କରିନାହିଁ । ଏହା ବିଦ୍ୟାଳୟ ଓ ଶିକ୍ଷକ ମାନଙ୍କ ମଧ୍ୟରେ ଏକ ବଡ଼ ଷଡଯନ୍ତ୍ର, ସାରମାନଙ୍କୁ ନ୍ୟାୟ ମିଳୁ ।"
ତୁରନ୍ତ ନ୍ୟାୟ ପାଇଁ ଗଠନ ହେଉ ଫାଷ୍ଟ ଟ୍ରାକ କୋର୍ଟ-
କେନ୍ଦ୍ରାପଡା ରାଜକନିକା ନାବାଳିକା ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି । ରାଜ୍ୟର ଆଇନ ଶୃଙ୍ଖଳା ଓ ମହିଳା ସୁରକ୍ଷା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ବିଜେପି ଶାସନର ୧୯ ମାସରେ ୪୦, ୦୦୦ରୁ ଉର୍ଦ୍ଧ୍ବ ମହିଳା ନିର୍ଯ୍ୟାତନା, ୪୦୦୦ ମହିଳା ଦୁଷ୍କର୍ମ ଓ ୨୦୦ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛି ବିଜେଡି। ସରକାର ମିଛ ସଫଳତା ବଖାଣି ଆତ୍ମ ପ୍ରଚାରରେ ବିଭୋର ହୋଇଥିବା ବେଳେ ପୀଡ଼ିତାଙ୍କୁ ତ୍ୱରିତ ନ୍ୟାୟ ପାଇଁ ଫାଷ୍ଟ ଟ୍ରାକ କୋର୍ଟରେ ଶୁଣାଣି କରାଯାଉ ବୋଲି ଦାବି କରିଛି ବିଜେଡି । ରାଜ୍ୟରେ ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ, ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିଯିବା ସହିତ ମହିଳା ସୁରକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ପରିସ୍ଥିତିରେ ସୁଧାର ଆସିବା ପରିବର୍ତ୍ତେ ଦିନକୁ ଦିନ ଅଧିକ ବିଗୁଡୁଛି ବୋଲି ବିଜେଡି କହିଛି ।
ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ପିଏସି ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ପୂର୍ବତନ ମହିଳା କମିସନର ମିନତୀ ବେହେରା, ଜ୍ୟୋତ୍ସ୍ନାମୟୀ ପରିଡା ଓ ରୀତାଞ୍ଜଳି ପ୍ରଧାନ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ମହିଳା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।
ଟୁକୁନି ସାହୁ କହିଥିଲେ,"କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକର ଏକ ଘରୋଇ ବିଦ୍ୟାଳୟରେ ଗୋଟିଏ ସପ୍ତମ ଶ୍ରେଣୀର ଛାତ୍ରୀକୁ ପାଞ୍ଚ ଜଣ ଶିକ୍ଷକଙ୍କ ଦ୍ୱାରା ଗଣଦୁଷ୍କର୍ମ ଘଟଣା ଲୋକଲୋଚନକୁ ଆସିଛି, ଯାହା ପ୍ରତ୍ୟେକ ରାଜ୍ୟବାସୀଙ୍କୁ ମନକୁ ଗଭୀର ଆଘାତ ଦେଇଛି । ଦୁଃଖ ଓ ପରିତାପର ବିଷୟ,ବିଜେପି ରାଜ୍ୟରେ କ୍ଷମତାସୀନ ହେବା ପରଠାରୁ ବିଦ୍ୟାଳୟ ଏପରିକି ସରକାରୀ ଆବାସିକ ହଷ୍ଟେଲ ଗୁଡିକରେ ରହୁଥିବା ନାବାଳିକା ଛାତ୍ରୀମାନେ ଦୁଷ୍କର୍ମ,ନିର୍ଯ୍ୟାତନା ଓ ଗର୍ଭବତୀ ହେଉଥିବା ଖବର ଗଣମାଧ୍ୟମରେ ଶିରୋନାମା ପାଲଟୁଛି । ବିରୋଧୀ ଦଳ ବିଶେଷକରି ବିଜୁ ଜନତା ଦଳ ତରଫରୁ ମହିଳା ମାନଙ୍କୁ ଉପଯୁକ୍ତ ସୁରକ୍ଷା ପ୍ରଦାନ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିଦ୍ରାଭଙ୍ଗ ହେଉନାହିଁ, ସରକାର ମିଛ ସଫଳତା ବଖାଣି ନିଜ ପ୍ରଚାରରେ ବ୍ୟସ୍ତ ଅଛନ୍ତି।ସରକାରଙ୍କ ଉଦାସୀନତା କାରଣରୁ ମହିଳା ନିର୍ଯ୍ୟାତନା ଥମିବାର ନାଁ ନେଉନାହିଁ ।"
କଣ ଥିଲା ଅଭିଯୋଗ ଓ କେବେ ହୋଇଥିଲା ଏତଲା-
ରାଜକନିକା ଥାନା ଓଳାଭରରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ତିନିଜଣ ଶିକ୍ଷକ, ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ପିଅନ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜନୈକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ବେଳେ ସେହି ବିଦ୍ୟାଳୟରେ କାର୍ଯ୍ୟରତା ଜଣେ ଶିକ୍ଷୟତ୍ରୀ ଗଣ ଦୁଷ୍କର୍ମକାରୀଙ୍କୁ ଏଭଳି ଘୃଣ୍ୟ କାର୍ଯ୍ୟରେ ସହାୟତା କରୁଥିବା ନେଇ ଫେବୃଆରୀ ୧୭ ତାରିଖ ଦିନ ୧୦୯୮ ଚାଇଲଡ଼ ପ୍ରୋଟେକ୍ସନ ହେଲ୍ପଲାଇନ ନମ୍ବରରେ ପିଡିତାଙ୍କ ବାପା କଲ କରିଥିଲେ । ହେଲ୍ପଲାଇନ ପକ୍ଷରୁ ପିଡିତାଙ୍କ ବାପାଙ୍କୁ କଲବ୍ୟାକ କରାଯାଇ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଏସମ୍ପର୍କରେ ଏକ ଲିଖିତ ଅଭିଯୋଗ WhatsApp ମାଧ୍ୟମରେ କରିବା ପାଇଁ କୁହା ଯାଇଥିଲା । ପିଡିତାଙ୍କ ବାପା ଲିଖିତ ଅଭିଯୋଗ କରିବା ପରେ ୧୮ ତାରିଖ ଦିନ ଜିଲ୍ଲା ଶିଶୁ ସୁରକ୍ଷା ଟିମ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷାଙ୍କ ନେତୃତ୍ୱରେ ଚାରିଜଣିଆ ତଦନ୍ତକାରୀ ଦଳ ପିଡିତାଙ୍କ ଘର ଓ ପାଠ ପଢ଼ୁଥିବା ଘରୋଇ ବିଦ୍ୟାଳୟରେ ତଦନ୍ତ କରିଥିଲେ।ତେବେ ୨୦ ତାରିଖ ରାତିରେ ବିଭାଗ ପକ୍ଷରୁ ରାଜକନିକା ପୋଲିସକୁ ଏନେଇ ସୂଚନା ଦିଆଯିବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା ।
ଇଟିଭି ଭାରତ, କେନ୍ଦ୍ରାପଡା

