ଯୁବକଙ୍କୁ ହତ୍ୟା କରି ଘର ଆଗରେ ଟାଙ୍ଗି ଦେଲେ ଅଭିଯୁକ୍ତ !
ମାର୍ଶାଘାଇ ଥାନା ଅନ୍ତର୍ଗତ ହଳଦିଆ ଗାଁରେ ନିଜ ଘର ସମ୍ମୁଖରେ ଥିବା ଏକ ଖୁଣ୍ଟରେ ହାତଗୋଡ ବନ୍ଧା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ମିଳିଛି । ରିପୋର୍ଟ- ରାଧାକାନ୍ତ ମହାନ୍ତି

Published : August 30, 2026 at 3:00 PM IST
କେନ୍ଦ୍ରାପଡ଼ା: ଯୁବକଙ୍କୁ ହତ୍ୟା କରି ଘର ଆଗରେ ଟାଙ୍ଗି ଦେଲେ ଅଭିଯୁକ୍ତ ! କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ଗ୍ରାମ ପଞ୍ଚାୟତର ହଳଦିଆ ଗାଁରେ ଏପରି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି । ଗତକାଲି (ଶନିବାର) ନିଜ ଘର ସମ୍ମୁଖରେ ଥିବା ଏକ ଖୁଣ୍ଟରେ ହାତଗୋଡ ବନ୍ଧା ଅବସ୍ଥାରେ ଚନ୍ଦନ ଦାସ ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଗାଁ ଲୋକେ ସନ୍ଦେହ କରୁଥିବା ବେଳେ ଘଟଣା ସ୍ଥଳରେ ମାର୍ଶାଘାଇ ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଗତକାଲି (ଶନିବାର) ସକାଳୁ ଘର ସମ୍ମୁଖରେ ଥିବା ଏକ ଖୁଣ୍ଟରେ ହାତଗୋଡ ବନ୍ଧା ଅବସ୍ଥାରେ ଚନ୍ଦନଙ୍କ (ହାପି) ମୃତଦେହ ଉଦ୍ଧାର ହୋଇଥିଲା । ଦେଖିଲେ ଲାଗୁଛି ଯେମିତି ତାଙ୍କୁ କେହି ଅତି ନୃଶଂସ ଭାବେ ହତ୍ୟା କରି ଏଠାରେ ବାନ୍ଧି ଦେଇଛି । ଖବର ପାଇ ମାର୍ଶାଘାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ପ୍ରାଥମିକ ଅନୁମାନ କରାଯାଉଛି । କେନ୍ଦ୍ରାପଡାର ସାଇଣ୍ଟିଫିକ ଟିମ୍ ଏବଂ ଡଗ୍ ସ୍କ୍ୱାର୍ଡକୁ ତଦନ୍ତ କରିଛି । ଘଟଣା ସ୍ଥଳରୁ ନମୁନା ସଂଗ୍ରହ କରାଯାଇଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।
ମୃତକଙ୍କ ଖୁଡି ସବିତା ଦାସ କହିଛନ୍ତି,"ମୁଁ ସକାଳୁ ଖବର ପାଇଲି ଯେ, ହାପିକୁ ହତ୍ୟା କରି ଘର ସାମ୍ନାରେ ଟାଙ୍ଗି ଦେଇଛନ୍ତି ବୋଲି । ସେ ପ୍ରାୟ ସମୟ ଘରେ ରୁହେ, କେତେବେଳେ କେମିତି ବୁଲାବୁଲି କରିବା ପାଇଁ କେଉଁ ଆଡ଼େ ଯାଏ । ଯଦି ସେ କୋଉଁଠି ସାଙ୍ଗସାଥୀମାନଙ୍କ ସହ ଗଣ୍ଡଗୋଳ କରିଥିବା ମୁଁ କହିପାରିବିନି । ସେ କୌଣସି ଚାକିରି କରିନାହିଁ ବେକାର ହୋଇ ବୁଲୁଥିିଲା । ଏବେ ଆମ ନ୍ୟାୟ ଦରକାର । "
ମାର୍ଶାଘାଇ ଆଇଆଇସି ତପନ ନାୟକ କହିଛନ୍ତି,"ଗତକାଲି ସକାଳୁ ହାପି ନାମକ ଜଣେ ଯୁବକଙ୍କୁ କେହି ହତ୍ୟା କରି ଘର ସମ୍ମୁଖରେ ରଶିରେ ବାନ୍ଧି ଦେଇ ଯାଇଥିବା ଖବର ଆସିଥିଲା ।ଏହାପରେ ଆମେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳକୁ ଯାଇଥିଲୁ । ପ୍ରାଥମିକ ପର୍ଯ୍ୟାୟରେ ଏହା ହତ୍ୟା କି ଆତ୍ମହତ୍ୟା ସେନେଇ ତଦନ୍ତ ଚାଲିଛି ଓ ଅଧିକ ସହଯୋଗ ପାଇଁ ଆମେ ସାଇଣ୍ଟିଫିକ ଟିମର ସହଯୋଗ ନେଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛୁ । ଖୁବଶୀଘ୍ର ଘଟଣାର ସତ୍ୟତା ପଦାକୁ ଆସିବ ।"
ତେବେ କିଏ ଏବଂ କାହିଁକି ଚନ୍ଦନଙ୍କୁ ଏଭଳି ନୃଶଂସ ଭାବେ ହତ୍ୟା କଲା ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପୂର୍ବ ଶତ୍ରୁତା ନା ଅନ୍ୟ କୌଣସି କାରଣ ଏହି ହତ୍ୟା ପଛରେ ରହିଛି, ତାର ଖୋଳତାଡ କରୁଛି ପୋଲିସ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଆଇଆଇସି କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ...ନେପାଳ ବନ୍ୟାରେ ବରଗଡ଼ର ଗୋଟିଏ ପରିବାରର ୩ ଜଣ ନିଖୋଜ ଏହା ମଧ୍ୟ ପଢନ୍ତୁ... କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ଜେଲ୍ ଗଲେ ମାର୍ଶାଘାଇ ସରପଞ୍ଚ |
ଇଟିଭି ଭାରତ,କେନ୍ଦ୍ରାପଡ଼ା

