ମେସିନ୍ ନୁହେଁ ଡିମାଣ୍ଡରେ ଗୋପୀନାଥଙ୍କ ହାତ ତିଆରି 100 ପ୍ରକାର ମାଛଧରା ଜାଲ, 5 ଜିଲ୍ଲାର ମତ୍ସ୍ୟଜୀବୀଙ୍କ ଭରସା
ଗୋପୀନାଥ କୁହନ୍ତି, ମୋ ଜାଲ ଭଲକି ଖୋଲିଥାଏ । ମେସିନ ଜାଲ ଖୋଲେ ନାହିଁ । ଭଉଁରୀ ଜାଲର ରହିଛି ଅଧିକ ଚାହିଦା । ଦାମ 2 ହଜାରରୁ ଆରମ୍ଭ...


Published : January 10, 2026 at 11:47 PM IST
କେନ୍ଦ୍ରାପଡା: ଘର ଆଗରେ ଓହଳିଛି ବିଭିନ୍ନ ରଙ୍ଗ ବେରଙ୍ଗର ମାଛଧରା ଜାଲ । ଏପଟେ ଗ୍ରାହକଙ୍କ ଅର୍ଡର ଅନୁସାରେ ଚାଲିଛି ଜାଲ ବୁଣା । ଏ ଜାଲ ବୁଣା, ଆଜିକାଲିର ନୁହେଁ, 50 ବର୍ଷର ସଂଘର୍ଷମୟ ପରିଶ୍ରମର ଯାତ୍ରା । କାନ୍ଧରେ ବୋହୁଛନ୍ତି ଭରସା ଏବଂ ବିଶ୍ୱାସ । ମେସିନ୍ ଯୁଗରେ ହାତ ତିଆରି ଜିନିଷରେ ବାନ୍ଧି ରଖିଛନ୍ତି ଗ୍ରାହକ । ଗୋଟିଏ କି ଦୁଇଟି ଛୋଟ ମୋଟ ଗାଁ ନୁହେଁ, 5ଟି ଜିଲ୍ଲାର ମତ୍ସ୍ୟଜୀବୀଙ୍କ ପ୍ରଥମ ପସନ୍ଦର ବୁଣାକାର । ତାଙ୍କ ହାତ ବୁଣା ଜାଲର ଚାହିଦା ମଧ୍ୟ ଢେର ଅଧିକ । ଗୋଟିଏ କି ଦୁଇ ପ୍ରକାର ନୁହେଁ, 100 ପ୍ରକାର ହାତ ତିଆରି ମାଛ ଧରା ଜାଲ ବୁଣୁଛନ୍ତି କେନ୍ଦ୍ରାପଡାର ଗୋପିନାଥ ଦାସ । ବର୍ତ୍ତମାନ ସମୟରେ ଜାଲ ବୁଣିବା ଆପାତତଃ ଲୋକମାନେ ବନ୍ଦ କରିଦେଇଥିବା ବେଳେ ଏହି ଜାଲ ବୁଣି କେବଳ ପରିବାର ଚଳାଇବା ନୁହେଁ ତିନିଝିଅଙ୍କ ବିବାହ କରାଇଛନ୍ତି । 5 ଦଶନ୍ଧି ଧରି ଜାଲ ବୁଣିବା କାମରେ ନିୟୋଜିତ ଗୋପିନାଥ, ପତ୍ନୀ ଓ ଦୁଇପୁଅଙ୍କୁ ଏହି କାମରେ ଧୁରିଣ କରିଛନ୍ତି ।
କିଏ ଏହି ବ୍ୟକ୍ତି ଏବଂ କେବେଠାରୁ ଆରମ୍ଭ କରିଛନ୍ତି ଜାଲ ବୁଣା କାର୍ଯ୍ୟ-
ମତ୍ସ୍ୟଜୀବୀଙ୍କ ଠାରୁ ଆରମ୍ଭ କରି ଘରୋଇ ଲୋକ, ସମସ୍ତଙ୍କର ଆଦର ଗୋପ ଭାଇଙ୍କର ଜାଲ । ନାଁ ଗୋପୀନାଥ ଦାସ ବୟସ ୬୩, ଏ ବୟସରେ ମଧ୍ୟ ହାତକୁ ତର ନଦେଇ ବୁଣି ଚାଲିଛନ୍ତି ଜାଲ । କେନ୍ଦ୍ରାପଡା ବ୍ଲକ କପାଳେଶ୍ୱର ପଞ୍ଚାୟତର ଗରୁଆଳ ଗାଁର ଏକ ସରକାରୀ ଜାଗାରେ ପାଉତି କାଟି ଦୀର୍ଘ ବର୍ଷ ଧରି ରହି ଆସୁଛନ୍ତି ଗୋପୀନାଥ ଓ ତାଙ୍କ ପରିବାର । ପରିବାର କହିଲେ ପତ୍ନୀ, ଦୁଇପୁଅ ଓ ବିବାହିତ ତିନିଝିଅ । ଗୋପୀନାଥଙ୍କୁ ଯେତେବେଳେ ୧୨ ବର୍ଷ ସେତେବେଳ ଠାରୁ ସେ ଜାଲ ବୁଣିବା କାର୍ଯ୍ୟ ଆରମ୍ଭ କରିଛନ୍ତି ।
ଜାଲ ବୁଣିବା ଓ କ୍ରେତାଙ୍କ ସମ୍ପର୍କରେ କଣ କୁହନ୍ତି ଗୋପୀନାଥ-
ବିଲୁପ୍ତ ପ୍ରାୟ ହାତ ତିଆରି ଜାଲ ଏବେ କ୍ଵଚିତ ଦେଖାଯାଉଥିବା ବେଳେ ବାର୍ଷିକ ୧୦୦ରୁ ଅଧିକ ଜାଲ ତିଆରି କରି ବେଶ ଦୁଇ ପଇସା ପାଉଥିବା ଗୋପୀନାଥ କୁହନ୍ତି, "ଜାଲ ବୁଣିବା ଆଉ ମାଛ ଧରିବା ମୋର ମୁଖ୍ୟ କାମ । ବର୍ଷରେ ଦୁଇମାସ ଜାଲ ବୁଣିବା ଓ ଧନକଟା ଦୁଇମାସ ବୁଣିବା କାମ ବନ୍ଦ ରହିଥାଏ । ଜାଲ ଆଉ ମାଛ ମୋର ମୁଖ୍ୟ ରୋଜଗାରର ମାଧ୍ୟମ । ନଈରେ ଜାଲ ଟାଣିବା, ଭସାଇବା, ପୋଖରୀରେ ପକାଇବା ଇତ୍ୟାଦି ଯାହାର ଯେଉଁ ପ୍ରକାର ଜାଲ ଦରକାର ସେମାନଙ୍କ ଡିମାଣ୍ଡ ଅନୁଯାୟୀ ମୁଁ ଜାଲ ତିଆରି କରିଥାଏ ।
ଯେଉଁ ଜାଲ ଦରକାର ଏପରିକି ପିଲାମାନେ ବଲ ଖେଳିବାରେ ଯେଉଁ ଜାଲ ଦରକାର କରନ୍ତି ତାହା ମୁଁ ତିଆରି କରିଥାଏ । ମୁଁ ୧୪ ହାତର ଜାଲ ନିଜେ ପକାଇଥାଏ । ଏଥିସହ ସବୁଠୁ ଛୋଟ ୬ହାତର ଜାଲ ଠାରୁ ଲୋକଙ୍କ ଦାବି ମୁତାବକ ଜାଲ ବୁଣି ଦେଇଥାଏ । ନାଇଲନ, ପ୍ଲାଷ୍ଟିକ, ଲୁହା ଗୋଡି, ଶୀଶା ଗୋଡି ବିଭିନ୍ନ ପ୍ରକାର ଜାଲ ମୁଁ ତିଆରି କରିଥାଏ । ଜାଲ ତିଆରି ପାଇଁ ଆବଶ୍ୟକୀୟ ସାମଗ୍ରୀ ମୁଁ କଟକରୁ ଆଣିଥାଏ । ଗୋଟିଏ ଦଶ ହାତର ଜାଲ ବୁଣିବାକୁ ମୋତେ ଦୁଇଦିନ ସମୟ ଲାଗିଥାଏ।
ଆମ ଘରେ ମୁଁ, ମୋ ସ୍ତ୍ରୀ, ଦୁଇପୁଅ ଏହି ଜାଲ ବୁଣିବା କାମରେ ନିୟୋଜିତ ଅଛୁ । ଜାଲ ଓ ଏହାର ଗୋଡିକୁ ନେଇ ଜାଲର ଦାମ ରହିଛି।ମୋର ଏହି ଜାଲ ନେବାକୁ ପୁରୀ, ନିମାପଡା, କଟକ, ବିରିବାଟି, ସାଲେପୁର, ଚାନ୍ଦୋଳ, ବାଲିଆ, ଇନ୍ଦୁପୁର, କଣ୍ଟାବଣ, ପଟ୍ଟାମୁଣ୍ଡାଇ, ଆଳି, କନିକା, ରାଜନଗର, ଜଗତସିଂହପୁର ଇତ୍ୟାଦି ସ୍ଥାନରୁ ଲୋକମାନେ ଆସି ମୋର ଏହି ହାତ ତିଆରି ଜାଲ କିଣିଥାନ୍ତି ।
ମୁଁ ୧୨ ବର୍ଷ ବୟସରୁ ଜାଲ ବୁଣିବା ଆରମ୍ଭ କରିଛି,ଗୋଟିଏ ଜାଲ ୨ ହଜାର ଟଙ୍କାରେ ବିକ୍ରି କରୁଥିବା ବେଳେ ମୁଁ ମୋ ମଜୁରୀ ସହ ସର୍ବନିମ୍ନ ୮୦୦ଟଙ୍କା ପାଇଥାଏ । ମେସିନ ଜାଲ ଯାହାକି କଲିକତା ବଙ୍ଗାଳୀ ଲୋକ ଆଣି ବିକିଥାନ୍ତି ତାହା ସାତହାତ ଲମ୍ବା ଯାହାକୁ ଫୋପାଡିଲେ ଅଧା ଖୋଲେ ଓ ଅଧା ଖୋଲେନାହିଁ । ଆମେ ଯେଉଁ ଜାଲ ବୁଣୁଛୁ ତାକୁ ଆମେ ମାପଚୁପ କରି ତିଆରି କରୁଥିବାରୁ ତାହା ଚୂଳ ପର୍ଯ୍ୟନ୍ତ ଖୋଲିଥାଏ । ଲୋକମାନେ ମୋ ଠାରୁ ଜାଲ କିଣିବାକୁ ବେଶ ଆଗ୍ରହୀ ।
ମୁଁ ଜାଲ ତିଆରି କରିସାରିବା ପରେ ଅନ୍ୟ ଲୋକମାନେ ଅଧିକ ପଇସା ଦେଇ କିଣିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିଥାନ୍ତି । ମୁଁ ତିଆରି କରୁଥିବା ଜାଲର ସର୍ବନିମ୍ନ ମୂଲ୍ୟ ୨ ହଜାର ଟଙ୍କାରୁ ଆରମ୍ଭ ହୋଇ ୩୨୦୦, ୩୫୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ରହିଥାଏ । ମୁଁ ନଈ ଓ ପୋଖରୀରେ ପଡୁଥିବା ଯିଏ ଯେଉଁ ପ୍ରକାରର ଜାଲ ଚାହିଁଲା ସେପ୍ରକାର ଜାଲ ତିଆରି କରିଥାଏ । ମୁଁ ତିଆରି କରୁଥିବା ଭଉଁରୀ ଜାଲର ବେଶୀ ଡିମାଣ୍ଡ ରହିଛି । ଜାଲ ଭିତରେ ବିଭିନ୍ନ ପ୍ରକାର ନାଁ ମଧ୍ୟ ରହିଛି ଯେମିତିକି ଏକ ଅନ୍ଦୀ, ଦେଢ଼ ଅନ୍ଦୀ, ଚାରି ଅନ୍ଦୀ,ସେହିପରି ସୁତାରେ ଜିରୋ, ହାଫ ଜିରୋ ଭଳି ଜାଲ ।"
ସବୁ କାମ କଷ୍ଟ ହେଲେ ଏହି ଜାଲ ବୁଣି ମୋ ତିନିଝିଅଙ୍କୁ ବାହା କରାଇଛି-
ଜାଲ ତିଆରି କରି ଗୋଟିଏ ପରିବାରକୁ ଚଳାଇବା ଅସମ୍ଭବ ହୋଇପାରେ । ବର୍ତ୍ତମାନ ମେସିନ ତିଆରି ଜାଲ ବଜାରରେ କମ ମୂଲ୍ୟରେ ମିଳୁଥିବା ବେଳେ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଏହି ଜାଲ ତିଆରି କାମରେ ନିଜେ ନିୟୋଜିତ ହୋଇ, ସ୍ତ୍ରୀଙ୍କୁ ଶିଖାଇ ପିଲାମାନଙ୍କୁ ବଡ଼ କରିବା ଏକ କଷ୍ଟକର ବ୍ୟାପାର ନିଶ୍ଚେ । ତେବେ ତିନୋଟି ଝିଅଙ୍କୁ ବିବାହ ଦେଇ ଏହି ଜାଲ ବ୍ୟବସାୟ କରୁଥିବା ଗୋପୀନାଥଙ୍କ ସହଯୋଗୀ ତଥା ପତ୍ନୀ ପୁଷ୍ପା ଦାସ କୁହନ୍ତି, "ଆମେ ଜାଲ କାମ କରିବା ସହ ଭାଗ ଚାଷ କରିଥାଉ ଓ ସେ (ଗୋପୀନାଥ) ନଇରୁ ମାଛ ମଧ୍ୟ ଧରିଥାନ୍ତି । ମୁଁ ବାହା ହୋଇ ଆସିବା ପରେ ସେ ମୋତେ ଜାଲ ବୁଣିବା ଶିଖାଇଦେଲେ, ମୁଁ ଆଗରୁ ଶିଖିନଥିଲି । ବର୍ତ୍ତମାନ ଆମେ ଫୋପଡା ଜାଲ ଓ ଭସାଣି ଜାଲ ତିଆରି କରୁଛୁ। ଆମେ ଏକ ଅନ୍ଦୀ,ଦୁଇ ଅନ୍ଦୀ,ଚାରି ଅନ୍ଦୀ ଓ ଚୁନା ମାରି ଭଳି ଜାଲ ବୁଣିଥାଉ । ମେସିନ ଜାଲ ଅପେକ୍ଷା ଆମ ଜାଲର ଟିକେ ଘେର ଭଲ ହେଉଥିବାରୁ ଲୋକମାନେ ଆଗ୍ରହ କରି ଆମ ଜାଲ କିଣିଥାନ୍ତି ।"
ଗୋପୀନାଥଙ୍କ ଜାଲର ଚାହିଦା ସମ୍ପର୍କରେ କଣ କୁହନ୍ତି ଗ୍ରାମବାସୀ-
କେନ୍ଦ୍ରାପଡା ସହ ଆଖପାଖ ଚାରୋଟି ଜିଲ୍ଲାର ମତ୍ସ୍ୟଜୀବୀ ମାନେ ଗୋପୀନାଥଙ୍କ ହାତ ତିଆରି ଜାଲ କିଣୁଥିବା ବେଳେ ଏନେଇ ପ୍ରତିକ୍ରିୟା ରଖି ଗରୁଆଳ ଗାଁର ବରିଷ୍ଠ ବ୍ୟକ୍ତି ଶ୍ରୀଧର ସ୍ୱାଇଁ କୁହନ୍ତି, "ଗୋପୀନାଥ ଓ ତାଙ୍କ ପରିବାର ଲୋକ ତିଆରି କରୁଥିବା ହାତ ତିଆରି ଜାଲର ବେଶୀ ଚାହିଦା ରହିଛି । ମେସିନ ଜାଲର ଗଣ୍ଠି ଖୋଲି ଯାଇପାରେ ହେଲେ ଗୋପୀନାଥଙ୍କ ହାତ ବୁଣା ଜାଲର ଗଣ୍ଠି କେବେ ଖୋଲେନାହିଁ । ଲୋକେ ଏଠାକୁ ଆସି ଅର୍ଡର ଦେଇ ଜାଲ ନେଇଥାନ୍ତି । ବର୍ଷାଦିନ ଆରମ୍ଭରେ ଗୋପୀନାଥଙ୍କ ଜାଲ ବେଶ ଭଲ ବିକ୍ରି ହୋଇଥାଏ ।"
ଇଟିଭି ଭାରତ, କେନ୍ଦ୍ରାପଡା

