ଗାଁ ପାଇଁ ଗର୍ବ ଆଣିଲେ କବିତା; ଆର୍ଥିକ ସଂଘର୍ଷ ଭିତରେ ନିଟ୍ ପାଇଲେ ବିଷମକଟକର ପ୍ରଥମ ଆଦିବାସୀ ଝିଅ
କବିତାଙ୍କ ଏପରି କଠିନ ସମୟରେ ଦେବଦୂତ ପରି ସହାୟତାର ହାତ ବଢାଇଛି ବିଶ୍ୱଭୂଷଣ ଚାରିଟେଵୁଲ ଟ୍ରଷ୍ଟ, ତାଙ୍କ ପାଠପଢ଼ାର ସବୁଖର୍ଚ୍ଚ ବହନ କରିବ ବୋଲି କହିଛନ୍ତି ଟ୍ରଷ୍ଟ ଅଧ୍ୟକ୍ଷ । ରିପୋର୍ଟ-ରଞ୍ଜନ କୁମାର ରଥ

Published : August 26, 2026 at 8:14 PM IST
ରାୟଗଡ଼ା: ଦୃଢ଼ ଇଚ୍ଛାଶକ୍ତି, ଅକ୍ଳାନ୍ତ ପରିଶ୍ରମ ଓ ଡାକ୍ତର ହେବାର ଅଦମ୍ୟ ସ୍ୱପ୍ନକୁ ସାକାର କରିବା ଦିଗରେ ଆଉ ଏକ ପାଦ ଆଗକୁ ବଢ଼ାଇଛନ୍ତି ରାୟଗଡ଼ା ଜିଲ୍ଲା ବିଷମକଟକ ନିର୍ବାଚନମଣ୍ଡଳୀର ସାହାଡ଼ା ଗ୍ରାମର କବିତା ହିକକା। ଅଞ୍ଚଳର ପ୍ରଥମ ଆଦିବାସୀ ଝିଅ ଭାବେ ନିଟ୍ ପରୀକ୍ଷାରେ ସଫଳତା ହାସଲ କରି କବିତା ନିଜ ପରିବାର ସହ ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ହେଲେ ଏହି ସଫଳତା ପରେ ଏବେ ତାଙ୍କ ଆଗରେ ବାଧକ ସାଜି ଠିଆ ହୋଇଛି ଅର୍ଥାଭାବ। ଡାକ୍ତରୀ ପାଠପଢ଼ାର ଖର୍ଚ୍ଚ ଯୋଗାଇବା ତାଙ୍କ ପରିବାର ପାଇଁ କଷ୍ଟକର ହୋଇ ପଡ଼ିଥିବାରୁ, ସ୍ୱପ୍ନ ପୂରଣ ନେଇ ଚିନ୍ତା ବଢ଼ିଛି।
ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ସାହାଡ଼ା ଗ୍ରାମର ଲବ ହିକକା ଓ କମଳା ହିକକାଙ୍କ ଏକମାତ୍ର ଝିଅ କବିତା। ଗାଁର ବିଦ୍ୟାଳୟରୁ ତାଙ୍କ ଶିକ୍ଷାଜୀବନ ଆରମ୍ଭ ହୋଇଥିଲା। ସୀମିତ ସୁବିଧା ଓ ଆର୍ଥିକ ସମସ୍ୟା ସତ୍ତ୍ୱେ ପାଠପଢ଼ା ପ୍ରତି ତାଙ୍କ ଆଗ୍ରହ କେବେ କମିନଥିଲା। ନିଜ ମେଧା ଓ ପରିଶ୍ରମ ବଳରେ ସେ ଭାଲେରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ଦଶମ ଶ୍ରେଣୀରେ ୯୦ ପ୍ରତିଶତ ନମ୍ବର ହାସଲ କରିଥିଲେ। ଏହାପରେ ଉଚ୍ଚଶିକ୍ଷା ପାଇଁ ସେ ଭୁବନେଶ୍ୱରର ଆଇକନିକ୍ ଆଦର୍ଶ ବିଦ୍ୟାଳୟ ପାଇଁ ମନୋନୀତ ହୋଇଥିଲେ।
ପିଲାଦିନରୁ ହିଁ କବିତାଙ୍କ ଲକ୍ଷ୍ୟ ଥିଲା ଡାକ୍ତର ହେବା। ଏହି ଲକ୍ଷ୍ୟ ତାଙ୍କୁ ନିଟ୍ ପ୍ରସ୍ତୁତି ସମୟରେ ନିରନ୍ତର ପ୍ରେରଣା ଦେଇଥିଲା। ପ୍ରଥମ ଦୁଇଟି ପ୍ରୟାସରେ ସଫଳତା ନ ମିଳିଲେ ମଧ୍ୟ ସେ ହାର ମାନି ନଥିଲେ। ତୃତୀୟ ପ୍ରୟାସରେ ନିଟ୍ରେ ସଫଳତା ହାସଲ କରି ନିଜ ସ୍ୱପ୍ନକୁ ନୂଆ ଦିଗ ଦେଇଛନ୍ତି।

କବିତା ଓଡ଼ିଶା ରାଜ୍ୟ ରାଙ୍କ୍ ୪୧୭୮ ଏବଂ ଏସ୍ଟି ବର୍ଗରେ ୧୩୭ ରାଙ୍କ୍ ହାସଲ କରିଛନ୍ତି। ଏହି ସଫଳତା ଆଧାରରେ ସେ କୋରାପୁଟ ମେଡିକାଲ କଲେଜରେ ଡାକ୍ତରୀ ପାଠପଢ଼ିବା ପାଇଁ ମନୋନୀତ ହୋଇଛନ୍ତି। ଏହା ତାଙ୍କ ପରିବାର ପାଇଁ ଖୁସିର ମୁହୂର୍ତ୍ତ ହୋଇଥିଲେ ମଧ୍ୟ ଆଗକୁ ଥିବା ଶିକ୍ଷା ଖର୍ଚ୍ଚ ପରିବାରକୁ ଚିନ୍ତାରେ ପକାଇଛି।
କବିତାଙ୍କ କହିବା ଅନୁଯାୟୀ, “ଏହି ସଫଳତା ପଛରେ ବାପା-ମା’ଙ୍କ ସମର୍ଥନ, ଗୁରୁଜୀମାନଙ୍କ ପ୍ରେରଣା ଓ ନିଜର ଅକ୍ଳାନ୍ତ ପରିଶ୍ରମ ରହିଛି। ମୋର ଡାକ୍ତର ହେବାର ସ୍ୱପ୍ନ ରହିଛି। ଆଗକୁ ଭଲ ଭାବରେ ପାଠପଢ଼ି ଡାକ୍ତର ହୋଇ ନିଜ ଅଞ୍ଚଳର ଲୋକଙ୍କ ସେବା କରିବାକୁ ଚାହେଁ। ମୋର ସଫଳତା ଦେଖି ଅଞ୍ଚଳର ଅନ୍ୟ ଆଦିବାସୀ ଛାତ୍ରୀମାନେ ମଧ୍ୟ ନିଟ୍ ଭଳି ପ୍ରତିଯୋଗିତାମୂଳକ ପରୀକ୍ଷା ଦେବାକୁ ଆଗେଇ ଆସନ୍ତୁ,” ବୋଲି କହିଛନ୍ତି କବିତା।

କୁହାଯାଏ, ଲକ୍ଷ୍ୟ ମହାନ ଥିଲେ ଭଗବାନ ଆଶୀର୍ବାଦ ଝରିପଡେ । ଆଉ ସେହି ଆଶୀର୍ବାଦ ଲକ୍ଷ୍ୟପଥରେ ପହଞ୍ଚିବାର ରାସ୍ତା ଖୋଲି ଦିଏ । ଏଇ ମେଧାବୀ ଛାତ୍ରୀଙ୍କ ନିଷ୍ଠା ଆଉ ପରିଶ୍ରମ ଦେଖି ଭଗବାନ ଯେମିତି ଆଶୀର୍ବାଦ ଅଜାଡି ଦେଇଛନ୍ତି । ନିଟରେ ସିନା କୃତକାର୍ଯ୍ୟ ହୋଇଗଲେ । ହେଲେ ଅର୍ଥାଭାବ ଯୋଗୁ କେମିତି ମେଡିକାଲ ପଢିବେ ସେ ନେଇ ଚିନ୍ତାରେ ଥିଲେ । କବିତାଙ୍କ ଏପରି କଠିନ ସମୟରେ ଦେବଦୂତ ପରି ସହାୟତାର ହାତ ବଢାଇଛି ଭୁବନେଶ୍ୱରର ବିଶ୍ୱ ଭୂଷଣ ଚାରିଟେଵୁଲ ଟ୍ରଷ୍ଟ ।

କବିତାଙ୍କର ଦୃଢ ଇଛା ଶକ୍ତି ବିଷୟରେ ଜାଣିଲା ପରେ ଟ୍ରଷ୍ଟର ଅଧ୍ୟକ୍ଷ ଅନିଲ ମହାଳିକ ତାଙ୍କର ସମସ୍ତ ଶିକ୍ଷା ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି । ସେ କହିଛନ୍ତି, "ଏହି ସଫଳତା କେବଳ ଜଣେ ଛାତ୍ରୀଙ୍କ ବ୍ୟକ୍ତିଗତ ସଫଳତା ନୁହେଁ । ଏହା ଆଦିବାସୀ ଅଞ୍ଚଳର ଛାତ୍ରୀମାନଙ୍କ ପାଇଁ ଏକ ପ୍ରେରଣା । ସୁଯୋଗ ଓ ସହଯୋଗ ମିଳିଲେ ଦୁର୍ଗମ ଅଞ୍ଚଳର ପିଲାମାନେ ମଧ୍ୟ ବଡ଼ ସ୍ୱପ୍ନ ଦେଖି ତାହାକୁ ସାକାର କରିପାରନ୍ତି, କବିତାଙ୍କ କାହାଣୀ ଏହାର ଏକ ଉଦାହରଣ। ଆମ ଟ୍ରଷ୍ଟ ତାଙ୍କର ପାଠପଢ଼ାର ସମସ୍ତ ଖର୍ଚ୍ଚ ବହନ କରିବ" ବୋଲି କହିଛନ୍ତି ଟ୍ରଷ୍ଟର ଅଧ୍ୟକ୍ଷ ।
ଇଟିଭି ଭାରତ, ରାୟଗଡା
ଏହା ମଧ୍ୟ ପଢନ୍ତୁ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ଚମ୍ପା ରାସପେଦା, ଡାକ୍ତର ହେବେ ଆଦିମ ଜନଜାତି ଦିଦାୟୀ ସଂପ୍ରଦାୟର ପ୍ରଥମ ଝିଅ

