ଅସ୍ବାସ୍ଥ୍ୟକର ଖାଦ୍ୟ ଉପରେ ପ୍ରଶାସନ ସଜାଗ: ବ୍ରାଣ୍ଡେଡ୍ ଫାଷ୍ଟଫୁଡ୍ ଆଉଟଲେଟ୍ ଉପରେ ବି ଚଢ଼ାଉ
ଅର୍ଡର କରୁଥିଲେ ସାବଧାନ । ଅସ୍ୱାସ୍ଥ୍ୟକର ପରିବେଶରେ Expire ଖାଦ୍ୟ ଦେଉଥିବା ଅଭିଯୋଗ । ତାରିଖ ବଦଳା ଯାଉଥିବା ସ୍ୱାସ୍ଥ୍ୟ ବିଭାଗର ସୂଚନା । ରିପୋର୍ଟ- ନାରାୟଣ ସାହୁ

Published : August 28, 2026 at 10:36 PM IST
FOOD SAFETY OFFICER RAID IN KATAK, କଟକ: ବ୍ରାଣ୍ଡେଡ୍ ଫାଷ୍ଟଫୁଡ୍ ଆଉଟଲେଟ୍ ରୁ ବି ଖାଦ୍ୟ ଅର୍ଡର କରୁଥିଲେ ହୋଇ ଯାଆନ୍ତୁ ସାବଧାନ ! ଆଉ ଯଦି ନନ୍ ଭେଜ୍ ଖାଇବା ଅର୍ଡର କରୁଛନ୍ତି, ତେଵେ ଆହୁରି ସାବଧାନ ହୋଇଯାଆନ୍ତୁ । ଭଲ ଖାଦ୍ୟ ବଦଳରେ 6 ମାସ ତଳର ଖାଦ୍ୟ ପ୍ରସ୍ତୁତ କରି ଆପଣଙ୍କୁ ଦେଉଛନ୍ତି, ନାମୀଦାମୀ ଫାଷ୍ଟଫୁଡ୍ ଆଉଟଲେଟ୍ । ଏକଥା ଆମେ କହୁ ନାହୁଁ ବରଂ କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ ଚଢ଼ାଉ ବେଳେ ଏହି ଦୃଶ୍ୟ ସ୍ପଷ୍ଟ ନଜରକୁ ଆସିଛି । ସ୍ୱାସ୍ଥ୍ୟ ବିଭାଗ ଏହାର ନମୁନା ସଂଗ୍ରହ କରି ଲ୍ୟାବ୍ କୁ ପଠାଇଛି । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଟି ହେଲଥ ଅଫିସର କହିଛନ୍ତି ।
ସ୍ୱାସ୍ଥ୍ୟ ବିଭାଗର ଟିମ ଆଜି ଅଚାନକ ଏକ ବ୍ରାଣ୍ଡେଡ୍ ଫାଷ୍ଟଫୁଡ୍ ଆଉଟଲେଟ୍ ଉପରେ ଚଢ଼ାଉ କରିଥିଲା । ଆଉ ଚଢ଼ାଉ ବେଳେ ଯାହା ଦେଖିଲା ତାହା କେହି ବିଶ୍ୱାସ ବି କରି ପାରିବେନି । ସିଟି ହେଲଥ ଅଫିସର ନୃପେନ୍ଦ୍ର କୁମାର ଶତପଥୀଙ୍କ ସୂଚନା ଅନୁଯାୟୀ, ଏହି ଚଢ଼ାଉ କରିବା ସମୟରେ ପ୍ରସ୍ତୁତ ହୋଇଥିବା ସ୍ଥାନ ସମ୍ପୂର୍ଣ୍ଣ ଅସ୍ୱାସ୍ଥ୍ୟକର ରହିଥିଲା । ଅତି ଦୁର୍ଗନ୍ଧମୟ ପରିବେଶ ସହିତ ଉକ୍ତ ସ୍ଥାନ ପୂରା ଅପରିଷ୍କାର ରହିଥିଲା । ସେହିପରି ନନ୍ ଭେଜ୍ ଆଇଟମ ଚିକେନ 6 ମାସ ତଳର ଥିଲା । ତାହାର Expire ତାରିଖ ଯାହା ଥିଲା ତାକୁ କଲମରେ ମାନ୍ୟୁପୁଲେଟ୍ ଅର୍ଥାତ୍ ଟ୍ୟାମ୍ପରିଂ କରାଯାଇଛି । ଯାହାକୁ ନେଇ ଦାୟିତ୍ୱରେ ଥିବା କର୍ମଚାରୀ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ । ଚିକେନକୁ ପ୍ୟାକେଟରୁ କାଢ଼ିବା ପରେ ତାହାକୁ ବାହାରେ ଯେତିକି ସମୟ ରଖିବା କଥା ତାହା ଠାରୁ ଅଧିକ ସମୟ ରଖା ଯାଇଥିଲା । କୌଣସି କର୍ମଚାରୀ ସନ୍ତୋଷ ଜନକ ଉତ୍ତର ରଖି ପାରି ନଥିଲେ । ତେଣୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।

ସେହିପରି ଖାଦ୍ୟ ନିରାପତ୍ତା ଅଧିକାରିଣୀ ରଶ୍ମିତା ବେହେରା କହିଛନ୍ତି, ଚିକେନର ସାମ୍ପୁଲକୁ ରଖା ଯାଇଛି । ତାହାର ମାନ ଯାଞ୍ଚ କରିବାକୁ ଲ୍ୟାବ କୁ ପଠାଯାଇଛି । ରିପୋର୍ଟ ଆସିବା ପରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ଲାଇସେନ୍ସ ବାତିଲ କରାଯିବ ।
ଆଜି ଥିଲା ପବିତ୍ର ରକ୍ଷାବନ୍ଧନ । ଭାଇ ହାତରେ ଭଉଣୀ ରାଖୀ ବାନ୍ଧିବା ପରେ ଅନେକ ଭାଇ ଭଉଣୀ ଉକ୍ତ ଷ୍ଟୋରକୁ ଯାଇଥିଲେ । ମାତ୍ର ଏହାର ସୁଯୋଗ ନେଇ ଅତି ନିମ୍ନ ମାନର ଖାଦ୍ୟ ସେମାନଙ୍କୁ ଦିଆ ଯାଉଥିଲା । ଏହାକୁ ସ୍ୱାସ୍ଥ୍ୟ ବିଭାଗ ଅତି ଗୁରୁତ୍ୱର ସହ ନେଇଛି । ତେଵେ ଏନେଇ ସମ୍ପୃକ୍ତ ଫାଷ୍ଟଫୁଡ୍ ଆଉଟଲେଟ୍ ର କୌଣସି କର୍ମଚାରୀ ପ୍ରତିକ୍ରିୟା ଦେଇ ନାହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ- ଅପମିଶ୍ରଣ ପନିର୍ ଉପରେ ପ୍ରଶାସନର ଧରପଗଡ଼: ନିଆଳୀରେ ଅଧିକାରୀଙ୍କ ରେଡ୍, ନମୁନା ସଂଗ୍ରହ
ଏହା ମଧ୍ୟ ପଢ଼ନ୍ତୁ- ବାଲେଶ୍ବରର ବିଭିନ୍ନ ଦୋକାନ ଓ ହୋଟେଲ ଉପରେ ଚଢ଼ାଉ: ନିମ୍ନମାନର ଖାଦ୍ୟ ଯୋଗୁଁ ଫାଇନ୍ ଆଦାୟ
ଇଟିଭି ଭାରତ, କଟକ

