କନ୍ଧମାଳ ପୋଲିସକୁ ବଡ ସଫଳତା, ଧରାପଡିଲା ଧଳା ଜହର କାରବାରର କିଙ୍ଗପିନ୍
ଜବତ ବିପୁଳ ପରିମାଣର ନିଶାଦ୍ରବ୍ୟର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା । ରିପୋର୍ଟ ବାଳକୃଷ୍ଣ ଚର୍ଚ୍ଚି


Published : June 17, 2026 at 1:04 PM IST
|Updated : June 17, 2026 at 2:52 PM IST
ଫୁଲବାଣୀ: ଜିଲ୍ଲାରେ ବଢ଼ି ଚାଲିଥିବା ନିଶା କାରବାରକୁ ନେଇ କନ୍ଧମାଳ ପୋଲିସ ବଡ଼ ଧରଣର ଚଢ଼ାଉ କରି ଏକ ସକ୍ରିୟ ଡ୍ରଗ୍ସ ସିଣ୍ଡିକେଟ୍ର ପର୍ଦ୍ଦାଫାଶ କରିଛି। ଏହି ଅଭିଯାନରେ ଡ୍ରଗ୍ସ ନେଟୱର୍କର କିଙ୍ଗପିନ୍ ସିବରପିତ ପଟ୍ଟନାୟକଙ୍କ ସମେତ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ମାନଙ୍କ ନିକଟରୁ ୭.୭୫ ଗ୍ରାମର ବ୍ରାଉନ ସୁଗାର, ୨୨ କେଜି ଗଞ୍ଜେଇ, ଦୁଇଟି ମୋଟର ସାଇକେଲ ଏବଂ ସାତଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଜବତ ନିଶାଦ୍ରବ୍ୟର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।
ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ
ଗିରଫ ୧୧ ଜଣଙ୍କ ମଧ୍ୟରୁ ୭ ଜଣ ଫୁଲବାଣୀ ସହରର ବାସିନ୍ଦା ହୋଇଥିବା ବେଳେ ଅନ୍ୟମାନେ ଗୋଚ୍ଛାପଡ଼ା ଓ ଟିକାବାଲି ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଡ୍ରଗ୍ସ ନେଟୱର୍କର ଲିଙ୍କ୍ କନ୍ଧମାଳ ବାହାରେ ନୟାଗଡ଼ ଓ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିବା ସନ୍ଦେହ କରାଯାଉଛି। ଏହାକୁ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଥିବା ବେଳେ ଅନ୍ୟ ସଂପୃକ୍ତ ବ୍ୟକ୍ତିଙ୍କୁ ଖୋଜାଖୋଜି ଜାରି ରହିଛି।
ଫୁଲବାଣୀ ଟାଉନ ଥାନା ଅଞ୍ଚଳରେ ସନ୍ଦେହଜନକ ଗତିବିଧି ଉପରେ ନଜର ରଖି ପୋଲିସ ଏହି ଚଢ଼ାଉ କରିଥିଲା। ପ୍ରଥମେ ୧୦ ଜଣ ସନ୍ଦିଗ୍ଧଙ୍କୁ ଧରି ପଚରାଉଚରା କରାଯାଇଥିଲା। ପରେ ସେମାନଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ଏହି ନେଟୱର୍କର ମୁଖ୍ୟ ଚାଲାଣକାରୀ ତଥା କିଙ୍ଗପିନ୍କୁ ଗିରଫ କରାଯାଇଥିଲା। ତଦନ୍ତ ସମୟରେ ଡ୍ରଗ୍ସ କାରବାରର ଅନେକ ଗୁପ୍ତ ତଥ୍ୟ ପୋଲିସ ଜାଣିବାକୁ ପାଇଛି ।
ଏହି ଡ୍ରଗ୍ସ କାରବାରରେ ଜଣେ ନିଲମ୍ବିତ ପୋଲିସ କନେଷ୍ଟବଳଙ୍କ ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସିଛି। ଏହା ଜିଲ୍ଲାରେ ନିଶା କାରବାର କେତେ ଗଭୀର ଭାବେ ଚେର ମେଲାଇଛି ତାହାକୁ ସ୍ପଷ୍ଟ କରୁଛି। ଗିରଫ ଅଭିଯୁକ୍ତମାନେ ବ୍ରାଉନ ସୁଗାରର କ୍ରୟ, ବିକ୍ରୟ, ଚାଲାଣ ଓ ସେବନ କାର୍ଯ୍ୟରେ ସକ୍ରିୟ ଭାବେ ଜଡିତ ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।
ଏସପିଙ୍କ ନେତୃତ୍ବରେ ଏକାଧିକ ଟିମ
କନ୍ଧମାଳ ଏସପିଙ୍କ ନେତୃତ୍ୱରେ ଧଳା ଜହର ବିରୋଧରେ ସ୍ୱତନ୍ତ୍ର ଅଭିଯାନ ଚଳାଇବା ପାଇଁ ଏକାଧିକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ଗୁଡ଼ିକ ଦୀର୍ଘଦିନ ଧରି ଗୁଇନ୍ଦା ସୂଚନା ସଂଗ୍ରହ କରି ନେଟୱର୍କର ଗତିବିଧି ଉପରେ ନଜର ରଖିଥିଲେ। ଫଳରେ ଏକ ବଡ଼ ଡ୍ରଗ୍ସ ଚକ୍ରକୁ ଧରିବାରେ ପୋଲିସ ସଫଳ ହୋଇଛି। ପୋଲିସ କହିଛି ଯେ ଜିଲ୍ଲାକୁ ନିଶାମୁକ୍ତ କରିବା ପାଇଁ ଆଗାମୀ ଦିନରେ ଏଭଳି ଅଭିଯାନ ଆହୁରି ଜୋରଦାର କରାଯିବ।
ଫୁଲବାଣୀ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ରାମେନ୍ଦ୍ର ପ୍ରସାଦ ଏହି ସମସ୍ତ ସୂଚନା ଦେଇ କହିଛନ୍ତି ଯେ ‘‘ଡ୍ରଗ୍ସ କାରବାରୀଙ୍କ ବିରୋଧରେ ଆଗାମୀ ଦିନରେ ଆହୁରି କଠୋର ପଦକ୍ଷେପ ନିଆଯିବ। ଟାଉନ ଥାନାରେ ମାମଲା ରୁଜୁ ହେବା ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜିଲ୍ଲାରେ ନିଶା କାରବାରକୁ ମୂଳୋତ୍ପାଟନ କରିବା ପାଇଁ ପୋଲିସର ଏହି ଅଭିଯାନ ଆଗାମୀ ଦିନରେ ଆହୁରି ତୀବ୍ର ହେବ’’ ।
ଏହା ମଧ୍ୟ ପଢନ୍ତୁ ଧନୁପାଲି ପୋଲିସ ଦ୍ୱାରା ବ୍ରାଉନ ସୁଗାର କାରବାରରେ ଜଣେ ଗିରଫ, 61 ଗ୍ରାମ ବ୍ରାଉନ ସୁଗାର ଜବତ
ଏହା ମଧ୍ୟ ପଢନ୍ତୁ ନିଶା କବଳରେ କେନ୍ଦ୍ରାପଡ଼ାର ଭବିଷ୍ୟତ, କଡ଼ା ଆଇନ ପ୍ରଣୟନ ପାଇଁ ସରକାରଙ୍କୁ ଅନୁରୋଧ
ଇଟିଭି ଭାରତ, କନ୍ଧମାଳ

