ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର ଭାଗବତ, କଳାହାଣ୍ଡିରୁ ପୁଳା ପୁଳା ସମ୍ପତ୍ତି ଠାବ
ଭିଜିଲାନ୍ସ ଜାଲରେ ଭଟାଙ୍ଗପଦର ଫରେଷ୍ଟର ଭାଗବତ ଭୂଷଣ ବେହେରା । କୋଟିଏରୁ ଊର୍ଦ୍ଧ୍ଵ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ । ଚାଲିଛି ଅଧିକ ପଚରାଉଚରା

Published : February 20, 2026 at 7:27 PM IST
Odisha Vigilance Raid ଭୁବନେଶ୍ବର/ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଭଟାଙ୍ଗପଦର ଫରେଷ୍ଟର ଭାଗବତ ଭୂଷଣ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଆଜି (ଶୁକ୍ରବାର) ଭାଗବତଙ୍କ ଭଟାଙ୍ଗପଦର ସ୍ଥିତ ଅଫିସ ଚାମ୍ବର ସମେତ କଳାହାଣ୍ଡି ଜିଲ୍ଲାର ୩ଟି ସ୍ଥାନରେ ଚଢାଉ କରିଛି । ଏହି ଯାଞ୍ଚରେ ୪ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର, ୪ ଜଣ ଏଏସଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଯାଞ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ଏହି ଚଢ଼ାଉ କରିଛି ।
1 multi storeyed bldg(5300 Sqft), 9 plots, Gold approx 210 gms, 1 four wheeler, 2 Kubota harvester machines (benami), 4 Tractors (benami) & 1 Bolero (benami),etc unearthed so far during house search of sri Bhagat Bhusan Behera, Forester, Bhatangpadar forest section, Kalahandi.
— Odisha Vigilance (@OdishaVigilance) February 20, 2026
ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭାଗବତଙ୍କ ଭବାନୀପାଟଣାରେ ଏକ ୩ ମହଲା କୋଠା ଠାବ ହୋଇଛି । ଏହା ୨୦୨୨-୨୪ରେ ୧.୩୬ କୋଟି ଟଙ୍କାର ନିର୍ମାଣ ହୋଇଥିଲା । ସେହିପରି ୨ଟି ହାର୍ଭେଷ୍ଟର ମେସିନ, ଗୋଟିଏ ଟିପର, ୪ଟି ଟ୍ରାକ୍ଟର ଓ ଗୋଟିଏ ବୋଲେରୋ ଠାବ ହୋଇଛି । ଏସବୁ ବେନାମୀ ବୋଲି ଭିଜିଲାନ୍ସ ସନ୍ଦେହ କରୁଛି ।

ସେହିପରି ଭବାନୀପାଟଣା ଟାଉନ ଆଖପାଖରେ ଭାଗବତଙ୍କ ୯ଟି ବହୁମୂଲ୍ୟ ପ୍ଲଟ ମଧ୍ୟ ଠାବ ହୋଇଛି । ଭାଗବତଙ୍କ ବ୍ୟାଙ୍କ, ପୋଷ୍ଟଲ ଓ ଜୀବନବୀମାରେ ୩୦ ଲକ୍ଷ ୬୪ ହଜାର ୭୯୧ ଟଙ୍କା ରଖିଥିବା ଜାଣିବାକୁ ପାଇଛି ଭିଜିଲାନ୍ସ । ତାଙ୍କ ଘରୁ ୨୩୦ ଗ୍ରାମ ସୁନା ଅଳଙ୍କାର, ୨୫୦ ଗ୍ରାମ ରୁପା ଅଳଙ୍କାର ଠାବ ହୋଇଛି । ସେହିପରି ୧୨ ଲକ୍ଷ ମୂଲ୍ୟର ଚାରିଚକିଆ ଯାନ ଓ ଗୋଟିଏ ଦୁଇ ଚକିଆ ଯାନ ଏବଂ ୧୧.୧୫ ଲକ୍ଷ ଟଙ୍କାର ଘରୋଇ ସାମଗ୍ରୀ ମଧ୍ୟ ଠାବ କରାଯାଇଛି । ଭିଜିଲାନ୍ସ ଭାଗବତଙ୍କୁ ଅଧିକ ପଚରାଉଚରା ଚଳାଇଛି । ତାଙ୍କ ପାଖରୁ ଆହୁରି ଅଧିକ ସମ୍ପତ୍ତି ମିଳିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ସରକାରୀ କର୍ମଚାରୀଙ୍କ ଦରମା ହେରଫେର, ବନ୍ଧା ହେଲେ କିରାଣୀ ସୁବ୍ରତ |
୩୦୦୦ ଟଙ୍କାରୁ ଚାକିରି ଆରମ୍ଭ, କଳାହାଣ୍ଡି ଜିଲ୍ଲାରେ ୨୫ବର୍ଷ:

ଭିଜିଲାନ୍ସ ସୂଚନା ଅନୁଯାୟୀ, ଭାଗବତ ଫରେଷ୍ଟ ଗାର୍ଡ ଭାବେ ୨୦୦୦ ମସିହା ଅଗଷ୍ଟ ୨୦ରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ । କଳାହାଣ୍ଡି (ଉତ୍ତର) ଡିଏଫଓଙ୍କ ଅଫିସରେ ମାସିକ ୩୦୦୦ ହଜାର ଟଙ୍କାରେ ସେ ଚାକିରି ଆରମ୍ଭ କରିଥିଲେ । ଏହାପରେ ସେ କେସିଙ୍ଗା, ଭବାନୀପାଟଣା, ଏମ ରାମପୁର ଆଦି ଫରେଷ୍ଟ ରେଞ୍ଜରେ କାମ କରିଥିଲେ । ୨୦୨୪ ମାର୍ଚ୍ଚ ୫ରେ ଭାଗବତ ଫରେଷ୍ଟର ଭାବେ ପଦନ୍ନୋତି ପାଇଥିଲେ । ସେ କଳାହାଣ୍ଡି ଜିଲ୍ଲାରେ ୨୫ ବର୍ଷ ଧରି ରହିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି ଓ ଭୁବନେଶ୍ବର

