ଜ୍ୟୋତିର୍ମୟୀଙ୍କ ମ୍ୟୁଜିକ୍ ଥେରାପି, କଷ୍ଟରୁ ଲାଘବ ପାଉଛନ୍ତି କ୍ୟାନସର ରୋଗୀ
କ୍ୟାନ୍ସର ପୀଡ଼ିତ ରୋଗୀଙ୍କୁ ମ୍ୟୁଜିକ୍ ଥେରାପି ଦେଇ ତାଙ୍କ କଷ୍ଟ ଲାଘବ କରିବାରେ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ସାଜୁଛନ୍ତି ଏକ ମାଧ୍ୟମ । ଏବେ ଇଣ୍ଡିଆନ ଆଇଡ଼ଲରେ ଶୀର୍ଷ ୧୬ତମ ସ୍ଥାନରେ ରହିଛନ୍ତି ।

Published : October 27, 2025 at 8:59 PM IST
ସ୍ପେଶାଲ ଷ୍ଟୋରୀ: ବିକାଶ କୁମାର ଦାସ
Cancer Patient Music Therapy ଭୁବନେଶ୍ବର: ସଙ୍ଗୀତ ଜୀବନରେ ପ୍ରାଣ ଭରିଦିଏ । ଅନେକ ସମୟରେ ଗୀତ ଜୀବନର ବଡ଼ ବୋଝକୁ କମ୍ କରିବାରେ ସାହାଯ୍ୟ କରିଥାଏ । ସେହି ସଙ୍ଗୀତକୁ ମାଧ୍ୟମ କରି କ୍ୟାନସର ରୋଗୀଙ୍କର ସେବା କରିବାକୁ ଜୀବନର ବ୍ରତ ଭାବେ ବାଛି ନେଇଛନ୍ତି 24 ବର୍ଷୀୟା କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ । ଏପରି ନିଆରା କାର୍ଯ୍ୟ ସହିତ ନିଜକୁ ଯୋଡ଼ି ଦେଇଛନ୍ତି କଣ୍ଠଶିଳ୍ପୀ । କ୍ୟାନ୍ସର ପୀଡ଼ିତ ରୋଗୀଙ୍କୁ ମ୍ୟୁଜିକ୍ ଥେରାପି ଦେଇ ତାଙ୍କର ଅନେକ କଷ୍ଟ ଲାଘବ କରିବାରେ ସାଜୁଛନ୍ତି ଏକ ମାଧ୍ୟମ । ସଙ୍ଗୀତ ମାଧ୍ୟମରେ ଚିକିତ୍ସା କରି ରୋଗୀଙ୍କ ଆଶୀର୍ବାଦ ଗ୍ରହଣ ପାଇବା ତାଙ୍କ ଜୀବନର ଏକ ବଡ଼ ଉପଲବ୍ଧି ବୋଲି ବର୍ଣ୍ଣନା କରିଛନ୍ତି । ଇଟିଭି ଭାରତର ସ୍ବତନ୍ତ୍ର ଉପସ୍ଥାପନାରେ ଜାଣନ୍ତୁ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକଙ୍କ ବିଷୟରେ...
ଜ୍ୟୋତିର୍ମୟୀଙ୍କ ମ୍ୟୁଜିକ ଥେରାପି ଯାତ୍ରା:
ଜ୍ୟୋତିର୍ମୟୀ ନାୟକ ୨୦୨୩ ମସିହାରେ ମ୍ୟୁଜିକ ଥେରାପି ଶିଖିବା ଆରମ୍ଭ କରିଥିଲେ । ଚେନ୍ନାଇ ସ୍କୁଲ ଅଫ ମ୍ୟୁଜିକ ଥେରାପିରୁ ସେ ଏହି ଶିକ୍ଷା ଗ୍ରହଣ କରିଛନ୍ତି । ସେ ସବୁବେଳେ ଲୋକଙ୍କ ସେବା କରିବାକୁ ଚାହାଁନ୍ତି । ଏହି ଥେରାପି ଶିକ୍ଷା ସମାପ୍ତ କରିବା ପରେ ସେ କ୍ୟାନ୍ସର ରୋଗୀଙ୍କୁ ମ୍ୟୁଜିକ ଥେରାପି ଦେବା ଆରମ୍ଭ କରିଥିଲେ । କ୍ୟାନ୍ସର ରୋଗୀଙ୍କୁ ସଙ୍ଗୀତ ଥେରାପି ଦେବା ପରେ ଯେଉଁ ଆଶୀର୍ବାଦ ମିଳେ, ତାହା ବହୁତ ଆନନ୍ଦ ଦେଇଥାଏ । ସଙ୍ଗୀତ ଥେରାପି ମାଧ୍ୟମରେ ରୋଗୀଙ୍କ ମୁହଁରେ ହସ ଓ ଖୁସି ଦେଖିଲେ, ଅନେକ ଦୁଃଖ କଷ୍ଟ ଭୁଲି ଯାଇଥାଏ ବୋଲି କୁହନ୍ତି ଜ୍ୟୋତିର୍ମୟୀ ନାୟକ ।

ଜ୍ୟୋତିର୍ମୟୀ ନାୟକ କହିଛନ୍ତି,"ବିଶେଷ କରି ମ୍ୟୁଜିକ ଥେରାପି ମୁଁ କ୍ୟାନ୍ସର ରୋଗୀଙ୍କୁ ଦେଇଥାଏ । ମୁଁ ୨ ବର୍ଷ ପୂର୍ବରୁ ମ୍ୟୁଜିକ ଥେରାପି ବିଷୟରେ ଶିଖିବା ଆରମ୍ଭ କରିଥିଲି । କ୍ୟାନ୍ସର ରୋଗୀଙ୍କୁ ନିକଟକୁ ଯାଇ ସଙ୍ଗୀତ ମାଧ୍ୟମରେ ରୋଗୀଙ୍କୁ ଥେରାପି ଦେଇଥାଏ । ଯାହା ସେମାନଙ୍କ ମାନସିକ ଓ ଶାରୀରିକ ସ୍ତରରେ ସକରାତ୍ମକ ପ୍ରଭାବ ପକାଇଥାଏ । ସଙ୍ଗୀତ ମାଧ୍ୟମରେ ମଧ୍ୟ ଜଣଙ୍କ ମନକୁ ଖୁସିବାରେ ଭରପୂର ଆନନ୍ଦ ମିଳିଥାଏ । ଏହି ଥେରାପି ରୋଗୀଙ୍କ ମଧ୍ୟରେ ଅନେକ ସାହାସ ସୃଷ୍ଟି କରିଥାଏ । ଯାହା ଫଳରେ ସେମାନେ ମାନସିକ ସ୍ତରରେ ଶାନ୍ତି ପାଇଥାନ୍ତି ।"

ଜୀବନର ଲକ୍ଷ୍ଯ:
ଓଡ଼ିଶାରେ ବହୁତ ସିନେମାରେ ପ୍ଲେ ବ୍ୟାକ ସିଙ୍ଗର ଭାବେ ଗୀତ ଗାଇଛନ୍ତି ଜ୍ୟୋତିର୍ମୟୀ ନାୟକ । ତାଙ୍କର 'ଚାରିଧାମ ଭିତରୁ ଗୋଟିଏ ଧାମ', 'ପାଗଳ ଭଅଁର', 'ଆମ ଗାଁ ଝିଅ ଖାଣ୍ଟି ଗୁଆ ଘିଅ' ଭଳି ସଙ୍ଗୀତ ଗାଇ ଦର୍ଶକଙ୍କୁ ନିଜ ଯାଦୁଗରୀ କଣ୍ଠରେ ବାନ୍ଧି ରଖିଛନ୍ତି । ଜ୍ୟୋତିର୍ମୟୀ ନାୟକଙ୍କର ବଲିଉଡରେ ଓ ରିୟାଲିଟି ଶୋ ମାଧ୍ୟମରେ ଲୋକଙ୍କୁ ନିଜର ପ୍ରତିଭା ଦେଖାଇବାର ଇଚ୍ଛା ରହିଥିଲା । ଯାହା ପୂରଣ ହେଉଛି ବୋଲି ସେ ଖୁବ ଖୁସି ଅନୁଭବ କରୁଥିବା କହିଛନ୍ତି । ଏହା ସହିତ ସଙ୍ଗୀତ ଥେରାପି ମାଧ୍ୟମରେ ଲୋକଙ୍କ ସେବା କରିବାର ଲକ୍ଷ୍ୟ ରଖିଛନ୍ତି ଏହି କଣ୍ଠଶିଳ୍ପୀ ।

ମନକୁ ବହୁତ ସାହସ ମିଳେ:
ଜଣେ କ୍ୟାନ୍ସର ରୋଗୀ ନିଜ ନାମକୁ ଗୋପନ ରଖି କହିଛନ୍ତି, "ମ୍ୟୁଜିକ ଥେରାପି ବହୁତ ଭଲ ଲାଗିଥାଏ । ନିଜ ପରିବାର ଭଳି ଥେରାପି ଦେଇଥାନ୍ତି ଜ୍ୟୋତିର୍ମୟୀ ନାୟକ । ସେ ସୁନ୍ଦର ସୁନ୍ଦର ଗୀତ ସାଙ୍ଗକୁ ମନରେ ପରିବର୍ତ୍ତନ ଆସିବା ଭଳି ଗୀତ ଶୁଣାଇଥାନ୍ତି । ସଙ୍ଗୀତ ଥେରାପି ନେବା ପରେ ମନକୁ ବହୁତ ସାହସ ମିଳିଥାଏ ।"
ମ୍ୟୁଜିକ୍ ଥେରାପି ମାନସିକ ସ୍ତରରେ ପକାଏ ସକରାତ୍ମକ ପ୍ରଭାବ:
ସଙ୍ଗୀତ କେବଳ ମନୋରଞ୍ଜନର ଏକ ମାଧ୍ୟମ ନୁହେଁ । ସଙ୍ଗୀତର ବହୁତ ଗଭୀର ସାମାଜିକ ପ୍ରଭାବ ମଧ୍ୟ ରହିଛି । ଲୋକଙ୍କୁ ଏକତ୍ର ଯୋଡିବା ପାଇଁ ଏହା ଉତ୍କୃଷ୍ଟ ମାଧ୍ୟମ ସାଜେ । ଏପରିକି ଜଣେ ବ୍ୟକ୍ତିର ମନ ଏବଂ ମସ୍ତିଷ୍କକୁ ଶାନ୍ତ କରିବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସଙ୍ଗୀତ ଶୁଣିବା ପରେ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ । ତେଣୁ ସଙ୍ଗୀତକୁ ଥେରାପି ବା ଚିକିତ୍ସା ଭାବରେ ବ୍ୟବହାର କରାଯାଏ । ଚାପ କମାଇବା ବ୍ୟତୀତ, ଏହା ଡିପ୍ରେସନରୁ ମୁକ୍ତି ଦେବାରେ ମଧ୍ୟ ସାହାଯ୍ୟ କରିଥାଏ ।
ଜାତୀୟସ୍ତରରେ ଓଡ଼ିଶା ପାଇଁ ପ୍ରତିନିଧିତ୍ବ:
କଣ୍ଠଶିଳ୍ପୀ କହିଛନ୍ତି,"ଓଡ଼ିଆ ଝିଅମାନେ ବହୁତ କମ୍ ସଂଖ୍ୟାରେ ଜାତୀୟ ସଙ୍ଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି । ଏହାକୁ ବଦଳାଇବାକୁ ହେବ । ଓଡ଼ିଆଙ୍କର ବହୁତ ଭଲପାଇବା ମୁଁ ପାଇଛି । ଓଡ଼ିଆ ମାଟିର ଲୋକମାନେ ମୋତେ ଆଶୀର୍ବାଦ କରନ୍ତୁ । ଏହା ଫଳରେ ମୁଁ ଯେପରି ଭାବରେ ଆଗକୁ ବଢ଼ିପାରିବି । ଓଡ଼ିଶାର ଗର୍ବ ଓ ନାମ ରଖିବି ।"
ଜ୍ୟୋତିର୍ମୟୀ ନାୟକଙ୍କ ବିଷୟରେ:
ଜ୍ୟୋତିର୍ମୟୀ ନାୟକ (୨୪) ହେଉଛନ୍ତି ଜଣେ ଓଡ଼ିଆ କଣ୍ଠଶିଳ୍ପୀ । ଓଡ଼ିଆ ଦର୍ଶକଙ୍କୁ ବହୁ ଭଜନ ସହିତ ଆଧୁନିକ ସଙ୍ଗୀତ ଗାଇ ଭରପୁର ଭାବରେ ଦର୍ଶକଙ୍କ ମନ କିଣିଛନ୍ତି । ଜ୍ୟୋତିର୍ମୟୀ ଭୁବନେଶ୍ୱରର ପଳାଶୁଣୀ ଅଞ୍ଚଳରେ ସପରିବାରଙ୍କ ସହିତ ରୁହନ୍ତି । ବାପା ଚକ୍ରଧର ନାୟକ ଓ ମା ଗୌରୀ ନାୟକଙ୍କ ଝିଅ ଜ୍ୟୋତିର୍ମୟୀ । ଓଡ଼ିଆରେ ଅନେକ ସିନେମାରେ ଓ ଭଜନ ସଙ୍ଗୀତ ଗାଇ ସାରିଛନ୍ତି । ଏହା ସହିତ ଦର୍ଶକମାନେ ତାଙ୍କ ସଙ୍ଗୀତକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି ।

ପିଲାବେଳୁ ସଙ୍ଗୀତ ପ୍ରତି ରୁଚି:
ପିଲାବେଳୁ ହିଁ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲେ ଜ୍ୟୋତିର୍ମୟୀ ନାୟକ । ପରିବାର ଲୋକେ ତାଙ୍କ ଆଗ୍ରହ ଦେଖି ଚତୁର୍ଥ ଶ୍ରେଣୀରୁ ସଙ୍ଗୀତ ଶିକ୍ଷା ଦେଇଥିଲେ । ସେହିଦିନରୁ ଆରମ୍ଭ ହୋଇଥିଲା ଜ୍ୟୋତିର୍ମୟୀ ନାୟକଙ୍କ ସଙ୍ଗୀତ ଯାତ୍ରା । ବିଶେଷ କରି ସେ ହିନ୍ଦୁସ୍ତାନ କ୍ଲାସିକାଲ, ଲାଇଟ ମ୍ୟୁଜିକ୍ ଭଳି ସଙ୍ଗୀତ ଶିକ୍ଷା କରିଛନ୍ତି । ସେ ସପ୍ତମ ଓ ଦଶମ ଶ୍ରେଣୀରେ ପଢିବା ବେଳେ ଜାତୀୟ ସଙ୍ଗୀତ ପ୍ରତିଯୋଗିତା (Indian Idol)ରେ ଭାଗ ନେବା ପାଇଁ ଦୁଇ ଥର ଚେଷ୍ଟା କରିଥିଲେ । ହେଲେ ବର୍ତ୍ତମାନ ସେ ଜାତୀୟ ସଙ୍ଗୀତ ପ୍ରତିଯୋଗିତାରେ ଟପ୍ ୧୬ ସ୍ଥାନରେ ପହଞ୍ଚିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଗୁରୁ ସୁରେନ୍ଦ୍ରଙ୍କ ନିଆରା ମ୍ୟୁଜିକ ସ୍କୁଲ, 1 ଟଙ୍କାରେ ଶିଖାଉଛନ୍ତି ଶାସ୍ତ୍ରୀୟ ଓ ଲୋକ ସଙ୍ଗୀତ ରାଜ୍ୟର ପ୍ରଥମ ମହିଳା ମ୍ୟୁଜିକ୍ ବ୍ୟାଣ୍ଡ ରିଦମ୍ ପ୍ରିନସେସ, ବାଦ୍ୟଯନ୍ତ୍ରରେ ମଞ୍ଚ ଦୁଲୁକାଇଲେ 5 ବାଳିକା |

ସାହାସ ଦିଏ ପରିବାର:
ଆଜି ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ସେ ସବୁର ଶ୍ରେୟ ଜ୍ୟୋତିର୍ମୟୀ ନାୟକ, ନିଜ ପରିବାର, ଗୁରୁ ଓ ସାଙ୍ଗସାଥୀଙ୍କୁ ଦେଇଛନ୍ତି । ତାଙ୍କ ଆଶୀର୍ବାଦରେ ଆଜି ଏହି ସଫଳତା ହାସଲ କରିପାରିଛନ୍ତି । ଏହା ସହିତ ଜଗତର ନାଥ ଜଗନ୍ନାଥଙ୍କ ଆଶୀର୍ବାଦରେ ସେ ଆଗୁକୁ ବଢିଛନ୍ତି ଏବଂ ଆହୁରି ଅନେକ ସଫଳତା ପାଇବା ଦିଗରେ ଆଗେଇ ଚାଲିଛନ୍ତି ବୋଲି କଣ୍ଠଶିଳ୍ପୀ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର

