ETV Bharat / state

ଝାରସୁଗୁଡାରେ କାଶ୍ମୀର ମୋଗ୍ରା କେଶର, ଘର ଭିତରେ ଚାଷ କରିଛନ୍ତି ସୁଜାତା ଅଗ୍ରୱାଲ

ଝାରସୁଗୁଡାର ମଙ୍ଗଳବଜାରରେ ରହୁଥିବା ସୁଜାତା ଅଗ୍ରୱାଲ ନିଜ ଘରେ 100 ବର୍ଗଫୁଟର ଏକ ଛୋଟିଆ ରୁମ୍‌ରେ ମୋଗ୍ରା କେଶର ଚାଷ କରିଛନ୍ତି । 2025 ଅକ୍ଟୋବରରେ 750 ଗ୍ରାମ କେଶର ଅମଳ ହୋଇଛି ।

Jharsuguda woman Sujata Agrawal grows Kashmiri saffron at home
ଝାରସୁଗୁଡାର ମଙ୍ଗଳବଜାରରେ ରହୁଥିବା ସୁଜାତା ଅଗ୍ରୱାଲ ନିଜ ଘରେ 100 ବର୍ଗଫୁଟର ଏକ ଛୋଟିଆ ରୁମ୍‌ରେ ମୋଗ୍ରା କେଶର ଚାଷ କରିଛନ୍ତି (Etv Bharat)
author img

By ETV Bharat Odisha Team

Published : January 2, 2026 at 6:49 PM IST

4 Min Read
Choose ETV Bharat

ସ୍ପେଶାଲ ରିପୋର୍ଟ: ଗୁରୁଚରଣ ବାଗ୍‌

ଝାରସୁଗୁଡା: କେଶର... ଯାହାକୁ ମାର୍କେଟରେ ଦେଖିଲେ ପ୍ରଥମେ ପକେଟରେ ହାତ ମାରିବାକୁ ପଡେ, କାହିଁକିନା ଏହାର ଦାମ୍‌ ଢେର ଅଧିକା । କାଶ୍ମୀରର ଥଣ୍ଡା ଜଳ ବାୟୁରେ ଏହି ଚାଷ ହେଉଥିବା ବେଳେ ଓଡ଼ିଶା ପରି ଏକ ପରିବେଶ ଅନୁପଯୋଗୀ ଜଳବାୟୁରେ କେଶର ଉତ୍ପାଦନ ଯେମତି ଏକ ସ୍ବପ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଝାରସୁଗୁଡାରେ କାଶ୍ମୀର ମୋଗ୍ରା କେଶର ଚାଷ ହୋଇଛି । ଏହି ଅସମ୍ଭବକୁ ସମ୍ଭବ କରିପାରିଛନ୍ତି ସୁଜାତା ଅଗ୍ରୱାଲ । ନିଜ ଘରର ଏକ କୋଠରୀକୁ କାଶ୍ମୀରରେ ପରିଣତ କରି କେଶର ଚାଷରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି ।

ଝାରସୁଗୁଡାରେ କାଶ୍ମୀର ମୋଗ୍ରା କେଶର ଚାଷ, ଲକ୍ଷ ଲକ୍ଷ ରୋଜଗାର କରୁଛନ୍ତି ସୁଜାତା ଅଗ୍ରୱାଲ (ETV BHARAT ODISHA)

ଝାରସୁଗୁଡାରେ କାଶ୍ମୀର ମୋଗ୍ରା କେଶର ଚାଷ:

କୁହାଯାଏ ଇଚ୍ଛାଶକ୍ତି ଥିଲେ ସୁଯୋଗ ଆପେ ଆପେ ଆସେ, ସେମିତି କିଛି ଘଟିଥିଲା ଝାରସୁଗୁଡା ମଙ୍ଗଳବଜାରରେ ରହୁଥିବା ସୁଜାତା ଅଗ୍ରୱାଲଙ୍କ କ୍ଷେତ୍ରରେ । ସେ କେବେ କାଶ୍ମୀର ଯାଇନାହାନ୍ତି କିନ୍ତୁ ସେଠାରେ ଶୂନ ଡିଗ୍ରୀ ତାପମାତ୍ରରେ ଚାଷ ହେଉଥିବା କେଶରକୁ ନିଜ ଚାଷ କରି ଅମଳ କରୁଛନ୍ତି । ସୁଜାତା ମଙ୍ଗଳବଜାରରରେ ନିଜ ଘରେ 100 ବର୍ଗଫୁଟର ଏକ ଛୋଟିଆ କୋଠରୀରେ ଏୟାର କଣ୍ଡିସନର ଲଗାଇ କେଶର ଚାଷ ଆରମ୍ଭ କରିଥିଲେ । ଘର ଭିତରେ କିଛି ଭାଡି କରି ଶୂନ ଡିଗ୍ରୀ ତାପମାତ୍ରାରେ ପ୍ଲାଷ୍ଟିକ ଡବାରେ କେଶର ମଞ୍ଜି ଲଗାଇ ଚାଷ କରିଛନ୍ତି । ସେଥିରୁ ନୀଳ ରଙ୍ଗର ଫୁଲ ଫୁଟିଛି । ଫୁଲ ଭିତରେ ଲାଲ ରଙ୍ଗର ତିନୋଟି ଅଂଶ ହେଉଛି କେଶର l

କେମିତି ସୁଜାତାଙ୍କ ମନକୁ ଆସିଲା କେଶର ଚାଷ ?

SAFFRON FARMING IN JHARSUGUDA
ଝାରସୁଗୁଡାରେ କାଶ୍ମୀର ମୋଗ୍ରା କେଶର ଚାଷ (ETV BHARAT ODISHA)

ସୁଜାତା ଅଗ୍ରୱାଲ କହିଛନ୍ତି, " ମୋ ହାତରେ କେଶର ଥିଲା, ସକାଳୁ ସକାଳୁ ଠାକୁରଙ୍କୁ ପୂଜା କରିବା ସମୟରେ ତିଲକ ଲଗାଉଥିଲି । ସେହି ସମୟରେ ମୋ ମନକୁ ଆସିଲା କେଶର କେମିତି ହୁଏ ? ସେତେବେଳେ ମୋତେ କିଛିବି ଜଣାନଥିଲା, କେବଳ ଜଣାଥିଲା ଏହା ବହୁତ ଦାମୀ, କାଶ୍ମୀରରୁ ଆସେ । ସମସ୍ତଙ୍କୁ କେଶର ଚାଷ ବିଷରେ ପଚାରିଲି, ସମସ୍ତେ କହିଲେ ଏହା ଶୂନ ଡିଗ୍ରୀରୁ କମ୍‌ ତାପମାତ୍ରାରେ ହୁଏ, ଏଠାରେ ସମ୍ଭବ ନୁହେଁ । କିନ୍ତୁ ଯେହେତୁ ମୋର ଇଚ୍ଛା ଶକ୍ତି ଥିଲା, ରିସର୍ଚ୍ଚ କଲି । "

2023ରେ ଆରମ୍ଭ କରିଥିଲେ କେଶର ଚାଷ:

SAFFRON FARMING AT HOME
ଘର ଭିତରେ କେଶ ଚାଷ (ETV BHARAT ODISHA)

କୋଭିଡ ସମୟରୁ ସୁଜାତା ହାଇଡ୍ରୋଫୋନିକ ଏବଂ ମାଇକ୍ରୋ ଗ୍ରେନ ଚାଷ ଆରମ୍ଭ କରିଥିଲେ l ନୂଆ କିଛି ଚାଷ କରିବାର ଉଦ୍ଦେଶ୍ୟ ରଖି ଇଣ୍ଟରନେଟ ମାଧ୍ୟ୍ୟମରେ କେଶର ଚାଷ ବିଷୟରେ ଜାଣିବାକୁ ପାଇଲେ l ଦେଶରେ ଏହାର ଉତ୍ପାଦନ ଠାରୁ ଚାହିଦା ଢେର ଅଧିକ ଥିବା ଜାଣିପାରି କେଶର ଚାଷ କରିବାକୁ ଚିନ୍ତା କଲେ l ସ୍ୱାମୀ ଏବଂ ଦୁଇ ଝିଅଙ୍କ ସହଯୋଗରେ 2022 ମସିହାରେ ସମସ୍ତ ପ୍ରସ୍ତୁତି କରିଥିଲେ l କେଶର ବିହନ, ଉପଯୁକ୍ତ ମାଟିର ବ୍ୟବସ୍ଥା, ତାପମାତ୍ରା ନିୟନ୍ତ୍ରଣ, ଥାକ, କେଶର ଚାଷ ପାଇଁ ଉପଯୁକ୍ତ ପାତ୍ର ଆଦି ବ୍ୟବସ୍ଥା କରିଥିଲେ l ଆଦି ଭିତ୍ତିଭୂମି ପାଇଁ 8-9 ଲକ୍ଷ ଟଙ୍କା ବିନିଯୋଗ କରିଥଲେ ସୁଜାତା l

ଚାଷ ପାଇଁ ଆବଶ୍ୟକ ଟ୍ରେନିଂ ନେବା ପରେ ଆବଶ୍ୟକ ମୋଗ୍ରା କେଶରର ବିହନ କାଶ୍ମୀରରୁ ମଗାଇବା ସହ ସ୍ୱତନ୍ତ୍ର ମାଟି ପ୍ରସ୍ତୁତି କରିଥିଲେ l ନିଜର ଏକ ଘରକୁ ଆବଦ୍ଧ କରି ଏୟାର କଣ୍ଡିସନ ଲଗାଇ ତାପମାତ୍ରାକୁ ନିୟନ୍ତ୍ରଣ କରିବା ସହ ଥାକର ବ୍ୟବସ୍ଥା କରି ଏଥିରେ କାଠ ଏବଂ ପ୍ଲାଷ୍ଟିକ ପାତ୍ରରେ 2023 ଜୁଲାଇ ମାସରେ ପ୍ରଥମ କରି ଆରମ୍ଭ କରିଥିଲେ କେଶର ଚାଷ l

Jharsuguda woman Sujata Agrawal grows Kashmiri saffron at home
ଘର ଭିତରେ କେଶ ଚାଷ (ETV BHARAT ODISHA)


4 ମାସ ପରେ ଆକ୍ଟୋବର ମାସରେ ଏହା ଅମଳକ୍ଷମ ହୋଇଥିଲା । ଏହାପରେ ମାତ୍ର 1 ଲକ୍ଷ ଟଙ୍କା ବିନିଯୋଗ କରି 2024 ଜାନୁଆରୀ ଫେବୃଆରୀରେ ପୁଣି ଥରେ କେଶର ଅମଳ କରିଥିଲେ l କେଶର, ଷ୍ଟିମେନ୍ସ ଏବଂ କେଶର ଫୁଲର ପାଖୁଡା ବିକ୍ରି କରି ମୂଳ ଫେରି ପାଇବା ସହ 25 ପ୍ରତିଶତ ଲାଭ ପାଇ ସାରିଛନ୍ତି ସୁଜାତା l

ସୁଜାତା ଅଗ୍ରୱାଲ କହିଛନ୍ତି, " କାଶ୍ମୀର କେବେ ଯାଇନାହିଁ କି , କେଶରର ମଞ୍ଜି ମଧ୍ୟ ଦେଖିନିଥିଲି । ପରେ ମଞ୍ଜି କିଣି ଅନ୍ଧାରରେ ତିର ଚଲାଇବା ପରିକା କେଶର ଚାଷ ଆରମ୍ଭ କଲି । ଯେତବେଳେ ପ୍ରଥମ ଫୁଲ ଫୁଟିଲା ମୋତେ ଲାଗିଲା ମୁଁ କେଶର ଚାଷ କରିବାରେ ସଫଳ ହୋଇଛି । 5 ପ୍ରକାର ମାଟିରେ ଏହି ଚାଷ କରୁଛି । ବର୍ଷକୁ 2 ଥର ଉତ୍ପାଦନ କରିବାକୁ ଚେଷ୍ଟା କରିଥିଲି । ଅକ୍ଟୋବର ନଭେମ୍ବରରେ ଅମଳ କରିଥିଲି, ଆଉ ଥରେ ଜାନୁଆରୀ-ଫେବୃଆରୀରେ କରିଥିଲି । "

କେଶର ଚାଷ କରି ଲକ୍ଷପତି ସୁଜାତା:

Jharsuguda woman Sujata Agrawal grows Kashmiri saffron at home
ଝାରସୁଗୁଡାରେ କାଶ୍ମୀର ମୋଗ୍ରା କେଶର ଚାଷ କରୁଛନ୍ତି ସୁଜାତା ଅଗ୍ରୱାଲ (ETV BHARAT ODISHA)

ପରେ 2025 ଜୁଲାଇରେ କେଶର ମଞ୍ଜି, ବିଦ୍ୟୁତ ଖର୍ଚ୍ଚ, ଶ୍ରମିକ ଖର୍ଚ୍ଚ ଆଦିକୁ ମିଶାଇ 1 ଲକ୍ଷ ଟଙ୍କା ବିନିଯୋଗ କରି କେଶର ଚାଷ କରିଥିଲେ । 2025 ଅକ୍ଟୋବର ମାସରେ ଏଥିରୁ 750 ଗ୍ରାମ କେଶର ଅମଳ ହୋଇଛି । ଯାହାର ବଜାର ମୂଲ୍ୟ ପ୍ରାୟ 7 ଲକ୍ଷ 50 ହଜାର ଟଙ୍କା ବୋଲି ସୁଜାତା କହିଛନ୍ତି l ଆଗାମୀ 2026 ରେ ବର୍ଷକ 3 ଥର କେଶର ଚାଷ କରି ଦୁଇ କିଲୋଗ୍ରାମ କେଶର ଅମଳ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଯାହାର ବଜାର ମୂଲ୍ୟ 20 ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କହିଛନ୍ତି ସୁଜାତା l

ବିଦେଶରେ ରହିଛନ୍ତି ସୁଜାତାଙ୍କ ଗ୍ରାହକ:

KASHMIRI MOGRA SAFFRON IN ODISHA
ଝାରସୁଗୁଡାରେ କାଶ୍ମୀର ମୋଗ୍ରା କେଶର ଚାଷ (ETV BHARAT ODISHA)

କେଶର ଏକ ଲାଭ ଦାୟକ ଚାଷ l ଥରେ ଟଙ୍କା ବିନିଯୋଗ କଲା ପରେ ଆଉ ଅଧିକ ବିନିଯୋଗ କରିବାକୁ ପଡେ ନାହିଁ l ମୋଗ୍ରା କେଶର ଚାଷ କରି ଏବେ ଉଭୟ ଅଫ ଲାଇନ ଏବଂ ଅନଲାଇନରେ ସୁଜାତା କେଶରକୁ ବିକ୍ରି କରୁଛନ୍ତି l କେବଳ କେଶର ନୁହେଁ କେଶର ଷ୍ଟିମେନ୍ସ, କେଶର ପେଟାଲ୍ସକୁ ଆୟରୁବେଦିକ କମ୍ପାନୀ, ଟାଇ ଏଣ୍ଡ ଡ଼ାଇ କମ୍ପାନୀ ଏବଂ ବ୍ୟୁଟି ପ୍ରଡକ୍ଟ ତିଆରି କରୁଥିବା କମ୍ପାନୀକୁ ବିକ୍ରି କରୁଛନ୍ତି l ସୋସିଆଲ ମିଡ଼ିଆ ସାହାଯ୍ୟରେ ସୁଜାତା ନିଜ ବ୍ୟବସାୟକୁ ବ୍ୟାପକ କରିଛନ୍ତି l ନିଜ କମ୍ପାନୀର ନାମ ବ୍ଲୁମ ଇନ ହାଇଡ୍ରା ରଖିଛନ୍ତି । ସୋସିଆଲ ମିଡ଼ିଆ ଦ୍ୱାରା ୟୁକେ, ଲଣ୍ଡନ, ଦୁବାଇ ପରି ଦେଶରୁ ନିଜ ସହ ଗ୍ରାହକ ଯୋଡିଛନ୍ତି l ଦେଶର ବିଭିନ୍ନ ରାଜ୍ୟରୁ ମଧ୍ୟ ତାଙ୍କୁ କେଶରର ଅର୍ଡର ମିଳୁଥିବା ସେ ପ୍ରକାଶ କରିଛନ୍ତି l କେଶର ବିଷୟରେ ଯେଉଁ ମାନେ ଜାଣିଛନ୍ତି ସେମାନେ ନିଜେ ଯୋଗାଯୋଗ କରି କେଶର ନେବେ କାରଣ ଭାରତରେ କେଶର ଚାହିଦା ତୁଳନାରେ ଉତ୍ପାଦନ ବହୁତ କମ ହେଉଥିବା ସୁଜାତା କହିଛନ୍ତି l

ସୁଜାତା କେଶର ଚାଷ କରି ଅନ୍ୟ ମାନଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି । ତାଙ୍କ ପାଖରେ ଜଣେ ମହିଳା ଓ ଜଣେ ଯୁବତୀ ଏବଂ 2 ଜଣ ପୁରୁଷ ଚାଷ କାର୍ଯ୍ୟରେ ସହଯୋଗ କରୁଛନ୍ତି । ସୁଜାତାଙ୍କୁ ଚାଷ କାର୍ଯ୍ୟରେ ସହଯୋଗ କରୁଥିବା ତାରା ନାୟକ କହିଛନ୍ତି, "ଭାଉଜଙ୍କ ସହ ମିଶିକି କାମ କରୁଛି । ସେ ଯାହା ବି କହୁଛନ୍ତି କରିବାକୁ କରୁଛି । ଏଠାରେ କାମ କରିବା ପରେ ପରିବାରର ଆର୍ଥିକ ସ୍ଥିତିରେ ଉନ୍ନତି ଆସିଛି । ଗଛରେ ଫଲ ଆସିବା ପରେ ସେଥିରୁ କେଶର ବାହାର କରିଥାଏ । "


ସୁଜାତା ଦୃଢ଼ ଇଚ୍ଛା ଶକ୍ତି ଓ ପରିଶ୍ରମ ବଳରେ ଝାରସୁଗୁଡା ପରି ଗରମ ସ୍ଥାନରେ କେବେଳ କାଶ୍ମୀର ମୋଗ୍ରା କେଶର ଚାଷ କରିବାରେ କେବଳ ସଫଳ ହୋଇଛନ୍ତି ତା ନୁହଁ ବରଂ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ଦାଦନରୁ ରବର ଚାଷୀ: 40 ଗାଁର 400 ହେକ୍ଟରରେ ଚାଷ, ସ୍ବାବଲମ୍ବୀ ହୋଇଛନ୍ତି ମହିଳା

ବାଲେଶ୍ୱର ମାଟିରେ ଔଷଧୀୟ ଗଛ 'ନୋନି' ଚାଷ; ଜୁସ ପିଇଲେ ମିଳେ ଅନେକ ରୋଗରୁ ମୁକ୍ତି ! ଫଳ କିଣିବ ଲଣ୍ଡନର କମ୍ପାନୀ

ଇଟିଭି ଭାରତ, ଝାରସୁଗୁଡା