ଆସନ୍ତା ୧୫ରେ ଯାତ୍ରୀ ସୁବିଧା ଦିବସ-୨୦୨୬ ପାଳିବ ଝାରସୁଗୁଡା ଓ ଭୁବନେଶ୍ବର ବିମାନ ବନ୍ଦର
ଯାତ୍ରୀଙ୍କ ସୁବିଧା, ଆରାମଦାୟକ ଯାତ୍ରା ଅନୁଭୂତି ଏବଂ କାର୍ଯ୍ୟକ୍ଷମ ସେବା ପ୍ରଦାନ ଲକ୍ଷ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବେ ବିମାନବନ୍ଦର । ରିପୋର୍ଟ ଗୁରୁଚରଣ ବାଘ, ବିକାଶ ଦାସ


Published : June 14, 2026 at 2:02 PM IST
|Updated : June 14, 2026 at 3:07 PM IST
ଝାରସୁଗୁଡା/ଭୁବନେଶ୍ୱର: ଆସନ୍ତା ଜୁନ 15ରେ ‘ଯାତ୍ରୀ ସୁବିଧା ଦିବସ’ ପାଳନ କରିବାକୁ ଯାଉଛି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର। ରଜ ମହୋତ୍ସବ ସହ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧାର ବ୍ୟବସ୍ଥା କରାଯିବ । ଖୁବଶୀଘ୍ର ତୃତୀୟ ଟର୍ମିନାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ଓଡ଼ିଶାର ବିମାନ ଚଳାଚଳ କ୍ଷେତ୍ରରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଏକ ନୂଆ ଅଧ୍ୟାୟ ଲେଖୁଛି । ଏବର୍ଷ ଯାତ୍ରୀ ସୁବିଧା ଦିବସ ଅବସରରେ ବିମାନ ବନ୍ଦରରେ ରଜ ପର୍ବର ସାଂସ୍କୃତିକ ଝଲକ ଦେଖିବାକୁ ମିଳିବ। ଏହା ସହ ଯାତ୍ରୀଙ୍କ ଅନୁଭୂତିକୁ ଅଧିକ ସୁବିଧାଜନକ ଏବଂ ସ୍ମରଣୀୟ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି।
ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି ଯେ,‘‘ପ୍ରାୟ ୧ ହଜାର କୋଟି ଟଙ୍କା ବ୍ୟୟରେ ତୃତୀୟ ଟର୍ମିନାଲ ନିର୍ମାଣ ହେବ। ଏହି ନୂଆ ଟର୍ମିନାଲରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସ୍ପଷ୍ଟ ଛାପ ଦେଖିବାକୁ ମିଳିବ। ଏହା କେବଳ ଏକ ଯାତ୍ରୀ ଟର୍ମିନାଲ ନୁହେଁ, ବରଂ ଓଡ଼ିଶାର ପରିଚୟକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ଏକ ପ୍ରୟାସ ହେବ । ୨୦୧୪-୧୫ରେ ମାତ୍ର ୮ଟି ଅଞ୍ଚଳକୁ ବିମାନ ସେବା ଜାରି ରହିଥିବା ବେଳେ ବର୍ତ୍ତମାନ ଭୁବନେଶ୍ଵର ବିମାନ ବନ୍ଦରରୁ ଦେଶର କୋଣ ଅନୁକୋଣକୁ ପାଖାପାଖି ୩୦ଟି ସ୍ଥାନକୁ ବିମାନ ସେବା ପହଞ୍ଚିପାରିଛି । ଏହା ସହ ଉଡାଣ ସ୍କିମ ଜରିଆରେ ଓଡିଶାର ଉପାନ୍ତ ଅଞ୍ଚଳକୁ ବିମାନ ସେବା ପହଞ୍ଚିଛି । ଯେପରିକି ଉତ୍ତକେଲା , ଜୟପୁର, ଝାରସୁଗୁଡ଼ା ଭଳି ସ୍ଥାନକୁ ବିମାନ ସେବା ଆରମ୍ଭ ହୋଇଛି । ୨୦୧୪-୧୫ରେ ମାତ୍ର ୧୦ ହଜାରରୁ ଯାତ୍ରୀ ଯାତ୍ରା କରୁଥିବା ବେଳେ ଏବେ ଏହା ୧.୪ ଲକ୍ଷରେ ପହଞ୍ଚିଛି । ଯାତ୍ରୀଙ୍କ ଯାତାୟତ ବଢିଥିବା ବେଳେ ଏବେ ଘଣ୍ଟାରେ ୨୫ ବିମାନ ଉଡ଼ାଣ କରୁଛି ।’’

ଭୁବନେଶ୍ୱର ବିମାନ ବନ୍ଦରରେ କ୍ୟାଟ୍-୨ ସେବା
ଆଗକୁ ଭୁବନେଶ୍ୱର ବିମାନ ବନ୍ଦରରେ କ୍ୟାଟ୍-୨ ସେବା ଆରମ୍ଭ ହେବ । ଏହା ଦ୍ଵାରା କୁହୁଡି ସମୟରେ ବିମାନ ଓହ୍ଲାଇ ପାରିବ । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର, ଓଡ଼ିଶାକୁ ସେବା ଯୋଗାଇ ଦେଉଥିବା ପ୍ରାଥମିକ ବିମାନବନ୍ଦର ଏବଂ ପୂର୍ବ ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ବିମାନ ଚଳାଚଳ କେନ୍ଦ୍ର ଭାବରେ କାର୍ଯ୍ୟ କରେ। ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଏହି ବିମାନବନ୍ଦର ଆଞ୍ଚଳିକ ସଂଯୋଗୀକରଣ ବୃଦ୍ଧି, ପର୍ଯ୍ୟଟନକୁ ପ୍ରୋତ୍ସାହନ ଏବଂ ଏହି ଅଞ୍ଚଳରେ ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।
ଗତ ୧୨ ବର୍ଷ ମଧ୍ୟରେ ବିମାନବନ୍ଦରର ପରିବର୍ତ୍ତନ
ଗତ ବାର ବର୍ଷ ମଧ୍ୟରେ, ଭାରତୀୟ ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ସହିତ ସମନ୍ୱୟ ରକ୍ଷା କରି ବିମାନବନ୍ଦର ଭିତ୍ତିଭୂମି ବିକାଶ, ଯାତ୍ରୀ ସୁବିଧା, କାର୍ଯ୍ୟକ୍ଷମ ଦକ୍ଷତା ଏବଂ ଆଧୁନିକୀକରଣ ପଦକ୍ଷେପରେ ଯଥେଷ୍ଟ ଅଗ୍ରଗତି ହାସଲ କରିଛି । ଗତ 12 ବର୍ଷ ମଧ୍ୟରେ, ଭୁବନେଶ୍ୱର ବିମାନବନ୍ଦରରେ ବିମାନ ଚଳାଚଳ, ଯାତ୍ରୀ ପରିବହନ ଏବଂ ସଂଯୋଗୀକରଣ କ୍ଷେତ୍ରରେ ବହୁତ ବୃଦ୍ଧି ଘଟିଛି । ୨୦୧୪-୧୫ ବର୍ଷରେ ମୋଟ ବିମାନ ଚଳାଚଳ ସଂଖ୍ୟା ପ୍ରାୟ ୧୦,୭୬୫ ଥିଲା, ଯାହା ୨୦୨୫-୨୬ ବର୍ଷରେ ବହୁଗୁଣ ବୃଦ୍ଧି ପାଇ ୩୮,୪୧୬ ହୋଇଛି । ସେହିପରି, ୨୦୧୪-୧୫ ବର୍ଷରେ ପ୍ରାୟ ୧.୪ ନିୟୁତ ଯାତ୍ରୀଙ୍କ ତୁଳନାରେ ୨୦୨୫-୨୬ ବର୍ଷରେ ପ୍ରାୟ ୫.୧ ନିୟୁତ ଯାତ୍ରୀଙ୍କ ପରିବହନ ହୋଇଛି । ସଂଯୋଗୀକରଣ ମଧ୍ୟ ୨୦୧୪-୧୫ ବର୍ଷରେ ୮ ଟି ସ୍ଥାନରୁ ବୃଦ୍ଧି ପାଇ ୨୦୨୫-୨୬ ବର୍ଷରେ ୩୦ ଟି ସ୍ଥାନକୁ ବୃଦ୍ଧି ପାଇଛି । ବିମାନ ଏବଂ ଯାତ୍ରୀ ପରିବହନରେ ଏହି ଉଲ୍ଲେଖନୀୟ ଅଭିବୃଦ୍ଧିକୁ ପୂରଣ କରିବା ପାଇଁ, ବିମାନବନ୍ଦର ବ୍ୟାପକ ଭିତ୍ତିଭୂମି ବିକାଶ, ଯାତ୍ରୀ ସୁବିଧା ପଦକ୍ଷେପ, କାର୍ଯ୍ୟକ୍ଷମ ଉନ୍ନତି ଏବଂ ଆଧୁନିକୀକରଣ ପଦକ୍ଷେପ ଗ୍ରହଣ କରିଛି ।
ପ୍ରମୁଖ ଭିତ୍ତିଭୂମି ବିକାଶ
ଗତ 12 ବର୍ଷ ମଧ୍ୟରେ ସୁରକ୍ଷା, କ୍ଷମତା ଏବଂ କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ଅନେକ ଭିତ୍ତିଭୂମି ଉନ୍ନତିକରଣ କରାଯାଇଛି । ଏଥିରେ ରନୱେ ପୁନଃ-କାରପେଟିଂ, CAT-II ଉପକରଣ ଲ୍ୟାଣ୍ଡିଂ ସିଷ୍ଟମ (ILS) ସ୍ଥାପନ, ସର୍ବଶେଷ ଯୋଗାଯୋଗ, ନାଭିଗେସନ୍ ଏବଂ ନିରୀକ୍ଷଣ (CNS) ସୁବିଧା ସହିତ ସଜ୍ଜିତ ଏକ ନୂତନ ATC ଟାୱାର-କମ-ଟେକ୍ନିକାଲ୍ ବ୍ଲକ୍ ନିର୍ମାଣ, ସ୍ୱଦେଶୀ BEL ATC ଅଟୋମେସନ୍ ସିଷ୍ଟମର କାର୍ଯ୍ୟାନ୍ୱୟନ, ଏକ ସମାନ୍ତରାଳ ଟ୍ୟାକ୍ସି ଟ୍ରାକ୍ (PTT) ଏବଂ ରାପିଡ୍ ଏକଜିଟ୍ ଟ୍ୟାକ୍ସିୱେ (RET) ନିର୍ମାଣ, ଆପ୍ରନ୍ କ୍ଷେତ୍ରର ସମ୍ପ୍ରସାରଣ, ଯାତ୍ରୀ ବୋର୍ଡିଂ ବ୍ରିଜ୍ ସୁବିଧା ବ୍ୟବହାର କରି ସମନ୍ୱିତ କାର୍ଯ୍ୟ ପାଇଁ ଟର୍ମିନାଲ-1 ଏବଂ ଟର୍ମିନାଲ-2 ମଧ୍ୟରେ ଏକ ଲିଙ୍କ୍ ବିଲ୍ଡିଂ ନିର୍ମାଣ, ଟର୍ମିନାଲ-1 ର ପୁନଃବିନ୍ୟାସ ଏବଂ ଏକ ହ୍ୟାଙ୍ଗର ନିର୍ମାଣ ଅନ୍ତର୍ଭୁକ୍ତ ।
ପର୍ଯ୍ୟଟନ, ସଂସ୍କୃତି ଏବଂ ଐତିହ୍ୟ ପ୍ରୋତ୍ସାହନ
ଏହି ବିମାନବନ୍ଦର ପରିଦର୍ଶକଙ୍କ ପାଇଁ ସୁଗମତାକୁ ଉନ୍ନତ କରି ଓଡ଼ିଶାର ସମୃଦ୍ଧ ପର୍ଯ୍ୟଟନ ଏବଂ ସାଂସ୍କୃତିକ ଐତିହ୍ୟର ପ୍ରଚାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଉତ୍ତମ ସଂଯୋଗୀକରଣ ପୁରୀ, ଲିଙ୍ଗରାଜ ମନ୍ଦିର, କୋଣାର୍କ, ଧଉଳି, ଚିଲିକା ଏବଂ ଓଡ଼ିଶାର ଅନ୍ୟାନ୍ୟ ପ୍ରମୁଖ ଆକର୍ଷଣୀୟ ସ୍ଥାନଗୁଡ଼ିକୁ ପର୍ଯ୍ୟଟକଙ୍କ ଯାତାୟାତକୁ ସହଜ କରିଛି ।
କାର୍ଗୋ ଏବଂ ଲଜିଷ୍ଟିକ୍ସ ବିକାଶ
ବର୍ତ୍ତମାନ ବିମାନବନ୍ଦର ପ୍ରାୟ ୧୧,୧୬୭ ମେଟ୍ରିକ ଟନ୍ ପଣ୍ୟ ପରିବହନ କରୁଛି । ଯାହା ୨୦୧୭ରେ ପଣ୍ୟ ପରିଚାଳନା ଆରମ୍ଭ ହେବା ପର ଠାରୁ ବହୁଗୁଣ ବୃଦ୍ଧିକୁ ପ୍ରତିନିଧିତ୍ୱ କରୁଛି । ଏହା ସ୍ଥାନୀୟ ଚାଷୀ, ମତ୍ସ୍ୟଜୀବୀ ଏବଂ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ସେମାନଙ୍କ ଉତ୍ପାଦ ପାଇଁ ଘରୋଇ ଏବଂ ଆନ୍ତର୍ଜାତୀୟ ବଜାରରେ ପହଞ୍ଚିବାରେ ସାହାଯ୍ୟ କରିଛି ।
ଝାରସୁଗୁଡା ବିମାନ ବନ୍ଦରରେ ଯାତ୍ରୀ ସୁବିଧା ଦିବସ
ସେହିପରି ଯାତ୍ରୀ ସୁବିଧା ଦିବସ-୨୦୨୬ ଅବସରରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ (VSS) ବିମାନବନ୍ଦର ଆସନ୍ତା ୧୫ ଜୁନରେ “ଯାତ୍ରୀ ସୁବିଧା ଦିବସ” ପାଳନ କରିବ। ସକାଳ ୧୦ଟା ୩୦ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାର ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ । ଏହି ଅବସରରେ ବିମାନବନ୍ଦର ପକ୍ଷରୁ ଯାତ୍ରୀମାନଙ୍କ ସୁବିଧା, ଆରାମଦାୟକ ଯାତ୍ରା ଅନୁଭୂତି ଏବଂ କାର୍ଯ୍ୟକ୍ଷମ ସେବା ପ୍ରଦାନ ଲକ୍ଷ୍ୟରେ ବିଭିନ୍ନ ନୂତନ ପଦକ୍ଷେପ ଓ ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ।
ଯାତ୍ରୀମାନଙ୍କ ପାଇଁ ବିମାନବନ୍ଦରରେ ମାଗଣା ୱାଇ-ଫାଇ ସେବା, ‘ଅବସର’ (AVSAR) ସୁବିଧା, ଖାଦ୍ୟ ଓ ପାନୀୟ (F&B) କାଉଣ୍ଟର, ଶିଶୁମାନଙ୍କ ପାଇଁ କିଡ୍ସ ଜୋନ୍, ମୋବାଇଲ ଓ ଲ୍ୟାପଟପ୍ ଚାର୍ଜିଂ ଷ୍ଟେସନ୍, ଉନ୍ନତ ପ୍ୟାସେଞ୍ଜର ପ୍ରୋସେସିଂ ସିଷ୍ଟମ୍ (PPS), ଇଲେକ୍ଟ୍ରିକ୍ ଭେହିକଲ୍ (EV) ଚାର୍ଜିଂ ଷ୍ଟେସନ୍ ଏବଂ ଉନ୍ନତ ଯାନବାହନ ଚଳାଚଳ ବ୍ୟବସ୍ଥା ଭଳି ଯାତ୍ରୀ-ବନ୍ଧବ ସୁବିଧା ଉପଲବ୍ଧ କରାଯାଇଛି। ଏହାସହ ଯାତ୍ରୀମାନଙ୍କ ଯାତାୟାତ ସୁବିଧା ପାଇଁ ପ୍ରି-ପେଡ୍ ଟ୍ୟାକ୍ସି ସେବା ଏବଂ ସହର ବସ୍ ସେବା ମଧ୍ୟ ବ୍ୟବସ୍ଥା କରାଯାଇଛି। ସବୁଜ ଶକ୍ତିକୁ ପ୍ରୋତ୍ସାହନ ଦେବା ଏବଂ ସ୍ଥାୟୀ ବିକାଶକୁ ଆଗେଇ ନେବା ଲକ୍ଷ୍ୟରେ ସୋଲାର ପ୍ୟାନେଲ୍ ସହିତ ଛାୟାଯୁକ୍ତ ପାର୍କିଂ ବ୍ୟବସ୍ଥା ସ୍ଥାପନ ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି। ବିମାନ ଯାତ୍ରୀମାନଙ୍କ ମଧ୍ୟରେ ପାଠପଢ଼ା ଅଭ୍ୟାସକୁ ପ୍ରୋତ୍ସାହନ ଦେବା ପାଇଁ ‘ଫ୍ଲାଇବ୍ରେରୀ’ (Flybrary) ସୁବିଧା ମଧ୍ୟ ଉପଲବ୍ଧ ରହିଛି। ସେହିପରି ସ୍ୱଚ୍ଛ, ସୁନ୍ଦର ଏବଂ ଆନନ୍ଦଦାୟକ ପରିବେଶ ସହ ଉନ୍ନତ ଯାତ୍ରା ଅନୁଭୂତି ପ୍ରଦାନ କରିବା ପ୍ରତି ବିମାନବନ୍ଦର କର୍ତ୍ତୃପକ୍ଷ ସଦା ପ୍ରତିବଦ୍ଧ ରହିଛନ୍ତି।
ବିମାନ ବନ୍ଦର ନିର୍ଦ୍ଦେଶକ ଉପେନ୍ଦ୍ରନାଥ ଧୁଣ୍ଡିଆ କହିଛନ୍ତି ‘‘ଯାତ୍ରୀ ସୁବିଧା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯାତ୍ରୀ ଓ ଅନ୍ୟ ହିତାଧିକାରୀଙ୍କ ସହ ସୁଦୃଢ଼ ସମ୍ପର୍କ ସ୍ଥାପନ । ସେମାନଙ୍କ ଯାତ୍ରା ଅନୁଭୂତି ବିଷୟରେ ଜାଣିବା ଏବଂ ସେବାର ଆହୁରି ଉନ୍ନତି ପାଇଁ ମତାମତ ସଂଗ୍ରହ କରିବା ଏହାର ଲକ୍ଷ୍ୟ । ଏହି ଅବସରରେ ବିମାନବନ୍ଦର ଅଧିକାରୀମାନେ ଯାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିବେ । ନୂତନ ସୁବିଧା ଓ ଚାଲୁଥିବା ବିକାଶମୂଳକ ପ୍ରକଳ୍ପ ସମ୍ପର୍କରେ ସଚେତନତା ସୃଷ୍ଟି କରିବେ ଏବଂ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ, ନିର୍ବିଘ୍ନ ଓ ଆରାମଦାୟକ ଯାତ୍ରା ଅନୁଭୂତି ପ୍ରଦାନ କରିବାର ନିଜ ପ୍ରତିବଦ୍ଧତାକୁ ପୁନର୍ବ୍ୟକ୍ତ କରିବେ’’।
ଏହା ମଧ୍ୟ ପଢନ୍ତୁ ଭୁବନେଶ୍ବର ବିମାନବନ୍ଦରରେ 'ଇବୋଲା' ସତର୍କତା , ବିଦେଶ ଫେରନ୍ତାଙ୍କ ଉପରେ ନଜର, ଯାଞ୍ଚ ହେବ ୨୧ ଦିନର ଟ୍ରାଭେଲ୍ ହିଷ୍ଟ୍ରି
ଏହା ମଧ୍ୟ ପଢନ୍ତୁ ଭୁବନେଶ୍ୱର ବିମାନବନ୍ଦର ପାଇଁ ଇନ୍ଧନ ସଙ୍କଟ ନାହିଁ, ବିବ୍ରତ ନ ହେବାକୁ କହିଲେ ଏୟାରପୋର୍ଟ ନିର୍ଦ୍ଦେଶକ
ଇଟିଭି ଭାରତ, ଝାରସୁଗୁଡା/ ଭୁବନେଶ୍ବର

