ETV Bharat / state

ଗୃହଯୁଦ୍ଧ ଭିତରୁ ମୁକୁଳିଲେ ଓଡିଆ ପୁଅ; ସୁଦାନରୁ ଫେରିଲେ ଆଦର୍ଶ, କେନ୍ଦ୍ରକୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ସୁଦାନରୁ ସୁରକ୍ଷିତ ଭାବେ ସ୍ବଦେଶ ଫେରିଲେ ଜଗତସିଂହପୁରର ନିଖୋଜ ଓଡ଼ିଆ ଯୁବକ ଆଦର୍ଶ ବେହେରା । ଭୁବନେଶ୍ୱର ଏୟାରପୋର୍ଟରେ ପରିବାର ଦେଖି ହେଲେ ଭାବବିହ୍ୱଳ ।

Adarsh Behera at Bhubaneswar airport
ଭୁବନେଶ୍ୱରରେ ପହଞ୍ଚିଲେ ଆଦର୍ଶ ବେହେରା (ETV Bharat Odisha)
author img

By ETV Bharat Odisha Team

Published : December 17, 2025 at 4:23 PM IST

|

Updated : December 17, 2025 at 5:12 PM IST

4 Min Read
Choose ETV Bharat

ଭୁବନେଶ୍ବର: ଗୃହଯୁଦ୍ଧରେ ଜୁଝୁଥିବା ସୁଦାନରୁ ଫେରିଲେ ଓଡିଆ ପୁଅ । ଭୁବନେଶ୍ବରରେ ପହଞ୍ଚିଲେ ଆଦର୍ଶ ବେହେରା । ଦୀର୍ଘ 40 ଦିନର ପଣବନ୍ଦୀରୁ ମୁକୁଳି ଓଡିଶାରେ ମାଟିରେ ପହଞ୍ଚିଛନ୍ତି ଜଗତସିଂହପୁରର ଅପହୃତ ଓଡ଼ିଆ ଯୁବକ ଆଦର୍ଶ ବେହେରା । ମୃତ୍ୟୁର ଛାୟାରେ କଟିଥିଲା ପ୍ରତିଟି ମୁହୂର୍ତ । ଆତଙ୍କ, ଅନିଶ୍ଚିତତା ଓ ଭୟ ମଧ୍ୟରେ 40ରୁ ଅଧିକ ଦିନ କାଟିଲା ପରେ ଆଜି (ବୁଧବାର) ସକାଳୁ ସୁଦାନରେ ଆତଙ୍କୀଙ୍କ ଦ୍ୱାରା ଅପହୃତ ଆଦର୍ଶ ବେହେରା ଓଡ଼ିଶାରେ ପହଂଚିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପରିବାର ଲୋକଙ୍କ ସହ ଦେଖା ହେଲା ପରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା ।

ତେବେ ଓଡିଶା ଫେରିଆସିଥିବା ଆଦର୍ଶ ଓଡିଶା ମାଟି ଛୁଉଁ ଛୁଉଁ ଅକଥନୀୟ ଅତ୍ୟାଚାର କାହାଣୀ ବଖାଣିଥିଲେ । ଏପଟେ ଆଦର୍ଶ ଓଡିଶା ଫେରିବା ପରେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସୁଦାନରୁ ଫେରିଲେ ଆଦର୍ଶ ବେହେରା (ETV Bharat Odisha)

ଗତ ଅକ୍ଟୋବର ମାସ 27 ତାରିଖରୁ ଆଫ୍ରିକୀୟ ଦେଶ ସୁଦାନରେ ନିଖୋଜ ଥିବା ଜଗତସିଂହପୁର ଜିଲ୍ଲାର ଓଡ଼ିଆ ଯୁବକ ଆଦର୍ଶ କୁମାର ବେହେରା ସୁରକ୍ଷିତ ଭାବେ ସ୍ବଦେଶ ଫେରିଛନ୍ତି । କେନ୍ଦ୍ର ସରକାରଙ୍କ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ଆଦର୍ଶ ସୁଦାନର ଉତ୍ତର ଡରଫର୍ ରାଜ୍ୟର ଏଲ୍‌ ଫାସର୍ ସହରରେ (El Fasher City, North Darfur State) ନିଖୋଜ ଥିଲେ । ଭାରତ ସରକାରଙ୍କ ସହଯୋଗରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ସ୍ବଦେଶ ଫେରାଇ ଅଣାଯାଇଛି ।


ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ, "ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସମସ୍ତେ ଯିଏ ମୋତେ ସୁରକ୍ଷିତ ଭାରତ ଫେରିବାରେ ସାହାଯ୍ୟ କରିଛନ୍ତି ତାଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି । ମୁଁ କେବେ ସୁରକ୍ଷିତ ଘରକୁ ଫେରିବି ବୋଲି ଭାବି ନଥିଲି," ବୋଲି କୋହ ଭରା କଣ୍ଠରେ କହିଛନ୍ତି ଆଦର୍ଶ ।

ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କୋଟକଣା ଗ୍ରାମର ବାସିନ୍ଦା ଆଦର୍ଶ କୁମାର ବେହେରା ୨୦୨୨ ମସିହାରୁ ସୁଦାନରେ ଏକ ପ୍ଲାଷ୍ଟିକ ଫ୍ୟାକ୍ଟିରେ କାର୍ଯ୍ୟରତ ଥିଲେ । ସେ ସୁଦାନ ଯିବାର ବର୍ଷେ ପରେ ସେଠାରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା ଏବଂ ପରିସ୍ଥିତି ବିଗିଡ଼ିବାକୁ ଲାଗିଲା । ଅନେକ ଚେଷ୍ଟା କରି ମଧ୍ୟ ସେ ଭାରତକୁ ଫେରି ପରି ନଥିଲେ ଏବଂ ପରିସ୍ଥିତି ସୁଧୁରିବାକୁ ଅପେକ୍ଷା କରି ରହିଥିଲେ ।


ଗତ ଅକ୍ଟୋବର ମାସରେ ତାଙ୍କ ପରିବାର ଲୋକଙ୍କୁ ସେ ନିଖୋଜ ଥିବା ସୂଚନା ମିଳିଥିଲା, ଯାହା ପରେ ସେମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମ୍ପର୍କ କରିଥିଲେ ଏବଂ ସମସ୍ତଙ୍କର ସଂଯୁକ୍ତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

Adarsh Behera at Bhubaneswar airport
ଭୁବନେଶ୍ୱରରେ ପହଞ୍ଚିଲେ ଆଦର୍ଶ ବେହେରା (ETV Bharat Odisha)

ଅପହରଣ ସମୟର ନିର୍ଯ୍ୟାତନା କଥା ବଖାଣି ଆଦର୍ଶ କହିଛନ୍ତି, "ଦିନେ El Fasher ସହର ରୁ Rapid Support Forces (RSF ) ର ଆତଙ୍କୀମାନେ ମୋତେ ସୁଦାନ ସେନାର ସୈନ୍ୟ ଭାବି ବନ୍ଦୀ କରି ନେଇଥିଲେ । ପ୍ରଥମେ ଖୁବ ମାରପିଟ ମଧ୍ୟ କରିଥିଲେ । ତିନି ଦିନ ଜଙ୍ଗଲରେ ରଖିଲା ପରେ ମୋତେ ଗୋଟେ ଜିଲାରେ ରଖିଥିଲେ । ଖାଇବାକୁ କି ପିଇବାକୁ ଦେଉନଥିଲେ । ଦିନକୁ ଗୋଟେ ବିସ୍କୁଟ ନହେଲେ ପାଉଁରୁଟି ଦେଉଥିଲେ ଖାଇବାକୁ । ସେହି ରୁମରେ ଫ୍ୟାନ, ଲାଇଟ କିମ୍ବା ବାଥରୁମ ନଥିଲା । ଘର କଥା ବହୁତ ମାନେ ପଡୁଥିଲା ।" ଆଦର୍ଶ ଆହୁରି କୁହନ୍ତି, ସେହି ଆତଙ୍କୀ ମାନଙ୍କ ମଧ୍ୟରୁ କେହି ଜଣେ ଭଲ ଥିଲେ ଯିଏ ତାଙ୍କ ମୋବାଇଲରୁ ଘରକୁ ମେସେଜ କରିବାକୁ ସାହାଯ୍ୟ କରିଥିଲେ ।


ଆଦର୍ଶଙ୍କ ସୁରକ୍ଷିତ ଫେରିବାର ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ସନ୍ତୋଷ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଇଛନ୍ତି । ଉଲ୍ଲେଖନୀୟ ଯେ, ଆଦର୍ଶ ନିଖୋଜ ଥିବା ଖବର ପାଇବା ସହ ମୁଖ୍ୟମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ କରିଥିଲେ ଏବଂ ତାଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ପତ୍ର ଲେଖି ତାଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ ।

ଏହା ସହିତ, ନୂଆଦିଲ୍ଲୀରେ ଅବସ୍ଥିତ ଓଡ଼ିଶା ରାଜ୍ୟର ଆବାସିକ କମିଶନର ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ପତ୍ର ଲେଖି ସୁଦାନରେ ଅବସ୍ଥିତ ଭାରତୀୟ ଦୂତାବାସ ସହ ନିରନ୍ତର ଯୋଗାଯୋଗରେ ରହି ଆଦର୍ଶଙ୍କ ଖୋଜଖବର ନେବା ଏବଂ ତାଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ଫେରାଇ ଆଣିବା ପାଇଁ ଅନୁରୋଧ କରିଥିଲେ।

ଆଦର୍ଶ ଜନ୍ମମାଟିକୁ ଫେରିଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଟ୍ବିଟ୍ କରି ଲେଖିଛନ୍ତି, "ସୁଦାନରେ ନିଖୋଜ ଥିବା ଜଗତସିଂହପୁର ଜିଲ୍ଲାର ଓଡ଼ିଆ ଯୁବକ ଆଦର୍ଶ କୁମାର ବେହେରା ସୁରକ୍ଷିତ ଭାବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ଅତ୍ୟନ୍ତ ଆନନ୍ଦର ବିଷୟ। ଆଦର୍ଶଙ୍କ ନିଖୋଜ ସମ୍ପର୍କରେ ସୂଚନା ପାଇବା ମାତ୍ରେ ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିଥିଲେ। ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହ ଆମେ ନିରନ୍ତର ସମନ୍ୱୟ ରକ୍ଷା କରିଥିଲୁ। ​ଭାରତ ସରକାରଙ୍କ ତ୍ୱରିତ ପଦକ୍ଷେପ ଏବଂ ଆନ୍ତର୍ଜାତିକ ମଧ୍ୟସ୍ଥିଙ୍କ ସହଯୋଗରେ ଆଜି ଆଦର୍ଶ ନିଜ ପରିବାର ପାଖକୁ ଫେରିଛନ୍ତି। ଏହି ସଫଳ ମିଶନ ପାଇଁ ମୁଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏବଂ ସୁଦାନସ୍ଥିତ ଭାରତୀୟ ଦୂତାବାସକୁ ଧନ୍ୟବାଦ ଜଣାଉଛି। ​ରାଜ୍ୟ ବାହାରେ ବା ବିଦେଶରେ ଥିବା ପ୍ରତ୍ୟେକ ଓଡ଼ିଆଙ୍କ ସୁରକ୍ଷା ଓ କଲ୍ୟାଣ ଆମ ସରକାରଙ୍କ ପ୍ରାଥମିକତା। ବିପତ୍ତି ସମୟରେ ଆମେ ସଦାସର୍ବଦା ଆପଣଙ୍କ ସାଥିରେ ରହିଛୁ।"

ମୁଖ୍ୟମନ୍ତ୍ରୀ ପୁଣି ଏକ ଭିଡିଓ ବାର୍ତ୍ତା ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, "ପ୍ରତ୍ୟେକ ଓଡ଼ିଆଙ୍କ ସୁରକ୍ଷା ଓ କଲ୍ୟାଣ ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ସୁଦାନରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ଜଗତସିଂହପୁରର ଜିଲ୍ଲାର ଓଡ଼ିଆ ଯୁବକ ଆଦର୍ଶ କୁମାର ବେହେରା ନିଜ ଜନ୍ମମାଟିକୁ ଫେରିଛନ୍ତି । ବିଦେଶ ମାଟିରେ ବିପଦ ସମୟରେ ଧୈର୍ଯ୍ୟର ସହ ପରିସ୍ଥିତିର ସାମ୍ନା କରିଥିବା ଆଦର୍ଶଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଦର୍ଶ ନିଜ ପରିବାର ସହ ମିଳିତ ହେବା ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ। ଆଦର୍ଶ ନିଜ ପରିବାର ପାଖକୁ ଫେରିବା ପରେ ନିଜର ଖୁସି ବ୍ୟକ୍ତ କରିଛନ୍ତି।"


ଆଦର୍ଶଙ୍କ ବାପା କ୍ଷେତ୍ରବାସୀ ବେହେରା କୁହନ୍ତି, "ପୁଅଙ୍କୁ ସୁରକ୍ଷିତ ପାଇ ଆମେ ଆଜି ବହୁତ ଖୁସି । ଏହି ଦେଢ଼ମାସ ଆମେ ଖାଇବା ପିଇବା ଛାଡି ଦେଇଥିଲୁ । ପୁଅକୁ ଝୁରି ଝୁରି ତା ମା ଦେହ ଖରାପ ହେଇଯାଇଥିଲା । ଆମେ ସରକାରଙ୍କ ପାଖରେ ଚିରଋଣି ।"

ଆଦର୍ଶ ଘର ର ବଡ ପୁଅ ହୋଇଥିବା ବେଳେ ତାଙ୍କର ଜଣେ ସାନ ଭାଇ ଓ ଭଉଣୀ ଅଛନ୍ତି । ଆଦର୍ଶ ଙ୍କର ସ୍ତ୍ରୀ ସସ୍ମିତା ବେହେରା ଓ ଦୁଇ ପୁଅ ମଧ୍ୟ ତାଙ୍କୁ ଘରକୁ ନେବା ପାଇଁ ବିମାନ ବନ୍ଦରକୁ ଆସିଥିଲେ ।

"ଏକ ଖରାପ ସ୍ବପ୍ନ ଭଳି ସବୁ ଲାଗୁଛି । ଭଗବାଙ୍କର କୃପାରୁ ସେ ଆଜି ଆମ ଗହଣରେ ସୁରକ୍ଷିତ ପହଂଚିଛନ୍ତି । ସେ ଯେବେ 2022 ରେ ସୁଦାନ ଯିବା ସମୟରେ ମୋର ବଡ ପୁଅକୁ ପାଞ୍ଚ ବର୍ଷ ଏବଂ ସାନ ପୁଅକୁ ୧୨ ଦିନ ହେଇଥିଲା । ବାପାଙ୍କୁ ପାଖରେ ପାଇ ଛୁଆମାନେ ମଧ୍ୟ ଖୁବ ଖୁସି ।" କହିଛନ୍ତି ଆଦର୍ଶଙ୍କ ପତ୍ନୀ ସସ୍ମିତା ବେହେରା ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : December 17, 2025 at 5:12 PM IST