ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସଙ୍କଟ: ଦୋହାରେ ଫସିଛନ୍ତି ଓଡ଼ିଆ ପୁଅ, ଫେରାଇ ଆଣିବାକୁ ଅପିଲ୍
କଟକର 33 ବର୍ଷୀୟ ପ୍ରତୀକ ଦେବ ଦାସ ରୋମାନିଆ ଯାଉଥିବା ବେଳେ ଦୋହାରେ ଫସି ରହିଛନ୍ତି । ତାଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ପରିବାରଲୋକେ ନିବେଦନ କରିଛନ୍ତି ।

Published : March 2, 2026 at 1:53 PM IST
ରିପୋର୍ଟ: ନାରାୟଣ ସାହୁ
Odisha Youth stranded In Doha କଟକ: ଇସ୍ରାଏଲ-ଇରାନ ଘମାଘୋଟ ଯୁଦ୍ଧରେ ଫସିଛନ୍ତି ଓଡ଼ିଆ ପୁଅ । କଟକର ପ୍ରତୀକ ଦେବ ଦାସ ଦୋହାରେ ଫସି ରହିଛନ୍ତି । ଅଫିସ କାମରେ ରୋମାନିଆ ଗସ୍ତ କରିଥିଲେ । ହେଲେ ଯୁଦ୍ଧ କାରଣରୁ ସେ ଫେରି ପାରିନାହାନ୍ତି । ଦୋହାରେ ଫସି ରହିଛନ୍ତି । ସୁରକ୍ଷିତ ଫେରାଇ ଆଣିବାକୁ ପରିବାର ଲୋକେ ନିବେଦନ କରିଛନ୍ତି ।
ଦୋହାରେ ଫସିଲେ ଓଡ଼ିଆ ପୁଅ:
କଟକ ତିନିକୋଣିଆ ବଗିଚାର 33 ବର୍ଷୀୟ ପ୍ରତୀକ ଦାସ ବେଙ୍ଗାଲୁରୁର ଏକ ଆଇଟି କମ୍ପାନୀରେ ଚାକିରି କରନ୍ତି । ଅଫିସ କାମରେ ଗତ ଫେବୃଆରୀ 28 ରାତି 3ଟା ବେଳେ ବିମାନରେ ବେଙ୍ଗାଲୁରୁରୁ ରୋମାନିଆ ଅଭିମୁଖେ ଉଡାଣ ଭରିଥିଲେ । ତିନି ଘଣ୍ଟାର ଯାତ୍ରା ପରେ ବିମାନଟି ଦୋହାରେ ଅବତରଣ ଥିଲା । ଏହା ପରେ ବିମାନଟି ଦୋହାରୁ ରୋମାନିଆ ଅଭିମୁଖେ ଉଡାଣ ଆରମ୍ଭ କରିଥିଲା । ତେବେ ଘନ ଘନ ମିସାଇଲ ଆକ୍ରମଣ ହେବା ପରେ ବିମାନଟି 2 ଘଣ୍ଟା ଯାତ୍ରା ପରେ ଦୋହାକୁ ଫେରି ଆସିଥିଲା । ପାଇଲଟ ପୁରା ସୁରକ୍ଷିତ ଭାବରେ ବିମାନଟିକୁ ଦୋହାରେ ଜରୁରୀ ଅବତରଣ କରିଥିଲେ । ବିମାନଟିରେ ପ୍ରାୟ 300ରୁ ଅଧିକ ଯାତ୍ରୀ ଥିଲେ । କତାର ଏୟାର ଲାଏନ୍ସ ବିମାନଟି ଜରୁରୀ ଅବତରଣ ପରେ ଯାତ୍ରୀ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ।

ହୋଟେଲରେ ଅଛନ୍ତି ପ୍ରତୀକ:
ସେଠାରେ ପରିସ୍ଥିତି ଦେଖି ଯାତ୍ରୀ ମାନଙ୍କୁ ଏକ ହୋଟେଲରେ ରଖାଯାଇଛି । ଯୁଦ୍ଧ କାରଣରୁ 2 ଦିନ ହେବ ଫ୍ଲାଇଟ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଯାହାକୁ ନେଇ ଯାତ୍ରୀ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଘନ ଘନ ମିଶାଇଲ ମାଡ଼ ହେଉଥିବାରୁ ହୋଟେଲ ଭିତରେ ଫସି ରହିଛନ୍ତି ଯାତ୍ରୀ । ତେଵେ ସ୍ୱତନ୍ତ୍ର ଫ୍ଲାଇଟ କରି ସେମାନଙ୍କୁ ଭାରତକୁ ଫେରାଇ ଆଣିବାକୁ ଦାବି କରିଛନ୍ତି ଫସି ରହିଥିବା ଓଡ଼ିଆ ଯୁବକଙ୍କ ପରିବାର ଲୋକ ।
ପୁଅକୁ ଫେରାଇ ଆଣିବାକୁ ପରିବାରର ଅପିଲ୍:
ପ୍ରତୀକଙ୍କ ପରିବାର ତାଙ୍କୁ ଫେରାଇ ଆଣିବାକୁ ଭାରତୀୟ ଦୂତବାସକୁ ଅପିଲ୍ କରିଛନ୍ତି । ପ୍ରତୀକଙ୍କ ବାପା ଦେବ କୁମାର ଦାସ କହିଛନ୍ତି, ‘ପୁଅ ବେଙ୍ଗାଲୁରୁରେ ରହି କାମ କରେ । ଅଫିସ୍ କାମରେ ରୋମାନିଆ ଯାଉଥିଲା । ହେଲେ ଯୁଦ୍ଧ କାରଣରୁ ସେ ଦୋହାରେ ଫସି ରହିଛି । ପ୍ରଥମେ ପ୍ରତୀକ ଆମକୁ ଫୋନରେ କହିଥିଲେ ବିମାନଟି ରୋମାନିଆ ଅଭିମୁଖେ ଉଡାଣ ଯାଉଥିବା ବେଳେ ଜରୁରୀକାଳୀନ ପରିସ୍ଥିତି ପାଇଁ ଦୋହାକୁ ଫେରି ଆସିଛି । ସେମାନେ ଏକ ହୋଟେଲରେ ରହିଛନ୍ତି । ଆମେ ଚିନ୍ତାରେ ଅଛୁ ।’
ପୁଅକୁ ସୁରକ୍ଷିତ ଫେରାଇ ଆଣ:
ସେହିପରି ପ୍ରତୀକଙ୍କ ମା’ ମଧୁଲିତା ଦାସ କହିଛନ୍ତି, ‘ପୁଅକୁ ନେଇ ବହୁତ ଚିନ୍ତିତ ଅଛୁ । ଯୁଦ୍ଧ କାରଣରୁ ପୁଅ ସେଠାରେ ଫସି ରହିଛି । ଦୋହା ତା ପାଇଁ ନୂଆ ଜାଗା । ବିମାନ କର୍ତ୍ତୃପକ୍ଷ ସେମାନଙ୍କ ଯତ୍ନ ନେଉଛନ୍ତି । ସେ କିପରି ସୁରକ୍ଷିତ ଫେରିବ ତାହା ଚିନ୍ତାର ବିଷୟ । ଭାରତୀୟ ଦୂତବାସକୁ ଅନୁରୋଧ କରଛୁ ପୁଅକୁ ସୁରକ୍ଷିତ ଫେରାଇ ଆଣନ୍ତୁ ।’

ଦୋହାରେ ଫସି ରହିଥିବା ଯୁବକ ଜଣକ ହେଉଛନ୍ତି କଟକ ତିନିକୋଣିଆ ବଗିଚାର ବାସିନ୍ଦା ପ୍ରତୀକ ଦେବ ଦାସ । ସେ ବେଙ୍ଗାଲୁରୁର ଏକ ଆଇଟି କମ୍ପାନୀରେ କାର୍ଯ୍ୟ କରନ୍ତି । ପ୍ରାୟ 4 ବର୍ଷ ହେବ ସେ ବେଙ୍ଗାଲୁରୁର ଏହି କମ୍ପାନୀରେ କାମ କରୁଛନ୍ତି । ପ୍ରତୀକଙ୍କ ପରିବାରରେ ବାପା ମା’ ଓ ଜଣେ ସାନ ଭାଇ ଅଛନ୍ତି ।
ଇଟିଭି ଭାରତ, କଟକ

