ଗଜପତିଙ୍କ ଅନୁରୋଧକୁ ଇସ୍କନର ବେଖାତିର: ଅଦିନିଆ ରଥଯାତ୍ରା ବନ୍ଦ କରିବା ନେଇ ଚିଠିକୁ ପ୍ରତ୍ୟାଖ୍ୟାନ
ଅଦିନିଆ ରଥଯାତ୍ରା ଆୟୋଜନ ବନ୍ଦ କରିବାକୁ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଇସ୍କନ୍ କୁ ଲେଖିଥିବା ଚିଠିକୁ ପ୍ରତ୍ୟାଖ୍ୟାନ କଲା ଇସ୍କନ୍ । ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର

Published : July 9, 2026 at 5:41 PM IST
|Updated : July 9, 2026 at 5:50 PM IST
ISKCON RATH YATRA ISSUE, ପୁରୀ: ଗଜପତି ମହାରାଜାଙ୍କ ଅନୁରୋଧକୁ ଇସ୍କନ୍ ର ବେଖାତିର । ଇସ୍କନ୍ କୁ ଭାରତରେ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା କରିବାକୁ ଶ୍ରୀମନ୍ଦିର ସେବାୟତ ଓ ଜଗନ୍ନାଥପ୍ରେମୀଙ୍କ ଦାବି । ଅଦିନିଆ ରଥଯାତ୍ରା ଆୟୋଜନ ବନ୍ଦ କରିବାକୁ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଇସ୍କନ୍ କୁ ଲେଖିଥିବା ଚିଠିକୁ ପ୍ରତ୍ୟାଖ୍ୟାନ କଲା ଇସ୍କନ୍ । ଯାହାକୁ ନେଇ ଶ୍ରୀମନ୍ଦିର ସେବାୟତ ଏବଂ ଜଗନ୍ନାଥପ୍ରେମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଇସ୍କନ୍ ଅଦିନିଆ ରଥଯାତ୍ରା ବନ୍ଦ ନକଲେ ଇସ୍କନ୍ କୁ ସମ୍ପୂର୍ଣ୍ଣ ଭାରତରେ ନିଷିଦ୍ଧ ଘୋଷଣା କରିବାକୁ ଶ୍ରୀମନ୍ଦିର ସେବାୟତ ଓ ଜଗନ୍ନାଥପ୍ରେମୀ ଦାବି କରିଛନ୍ତି । ଅଦିନିଆ ରଥଯାତ୍ରା ଆୟୋଜନ ବନ୍ଦ କରିବା ପାଇଁ ଗତ ଜୁଲାଇ ୪ ତାରିଖରେ ଇସ୍କନ୍ ର ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମବଙ୍ଗର ମାୟାପୁରୀକୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଚିଠି ଲେଖିଥିଲେ ।
ସେହିପରି ବିଦେଶରେ ଇସ୍କନ୍ ଆୟୋଜନ କରୁଥିବା ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ମଧ୍ୟ ଚିଠି ଲେଖିଥିଲେ ଗଜପତି । ତେବେ ଗତ ୪ ତାରିଖ ଚିଠିର ଉତ୍ତର ଦେଇ ଇସ୍କନ ଗଜପତି ମହାରାଜାଙ୍କୁ ଇ-ମେଲ୍ ଯୋଗେ ସୂଚନା ଦେଇ କହିଛି ଯେ, ଆମେ ସମ୍ମାନର ସହିତ ପୂର୍ବ ଆଲୋଚନାରୁ ଓହରୁଛୁ । ଇସ୍କନ୍ ର ଅଧ୍ୟକ୍ଷ ଶ୍ରୀ ମଧୂସେବିତ ଦାସ ଇ-ମେଲ୍ ରେ ଏହି ଉତ୍ତର ପଠାଇଛନ୍ତି । ତେବେ ଅଦିନିଆ ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ଇସ୍କନ୍ ର ଏଭଳି ଉତ୍ତରକୁ କଡ଼ା ବିରୋଧ କରିଛନ୍ତି ଜଗନ୍ନାଥ ପ୍ରେମୀ ଓ ସେବାୟତ ।
ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର କହିଛନ୍ତି, "ଅଦିନିଆ ରଥଯାତ୍ରା ବନ୍ଦ ନେଇ ଇସ୍କନକୁ ଗଜପତି ମହାରାଜା ଚିଠି ଲେଖି ଅନୁରୋଧ କରିଥିଲେ । ହେଲେ ଇସ୍କନ ଗଜପତି ମହାରାଜାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି । ଯାହାକି ଅତ୍ୟନ୍ତ ନିନ୍ଦନୀୟ । ମହାପ୍ରଭୁଙ୍କୁ ଅନୁସରଣ କରୁଥିବା ଇସ୍କନ ମହାପ୍ରଭୁଙ୍କ ପରମ୍ପରା ନ ମାନିବା ଦୁଃଖ ଦାୟକ । ଇସ୍କନକୁ ସାରା ଭାରତରେ ନିଷିଦ୍ଧ କରାଯାଉ । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଏହି ବିବାଦର ସମାଧାନ କରନ୍ତୁ ।"
ଦୀର୍ଘ ବର୍ଷ ହେବ ଇସ୍କନ୍ ପକ୍ଷରୁ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି । ମହାପ୍ରଭୁଙ୍କ ପ୍ରଚାର ପ୍ରସାର ନାମରେ ଇସ୍କନ୍ ଅ-ତିଥିରେ ରଥଯାତ୍ରା ଆୟୋଜନ କରିଆସୁଛି । ଅନେକ ସମୟରେ ରଥଯାତ୍ରାର ପରମ୍ପରାକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରି ଅତ୍ୟନ୍ତ ବିକୃତ ଭାବେ ମହାପ୍ରଭୁଙ୍କ ରଥଯାତ୍ରା ମଧ୍ୟ ଆୟୋଜନ କରିଆସୁଛି ଇସ୍କନ୍ । କେତେବେଳେ ମହାପ୍ରଭୁଙ୍କ ମୂର୍ତ୍ତିକୁ କାର୍ ରେ ରଖି ରଥଯାତ୍ରା ଆୟୋଜନ କରୁଛି ତ କେତେବେଳେ ଚପଲ ପିନ୍ଧି ଇସ୍କନ୍ ଭକ୍ତମାନେ ମହାପ୍ରଭୁଙ୍କ ରଥକୁ ଟାଣୁଛନ୍ତି । ଏଭଳି ପରମ୍ପରା ବିରୋଧୀ କାର୍ଯ୍ୟ ନକରିବାକୁ ଇସ୍କନ୍ କୁ ଦୀର୍ଘ ବର୍ଷ ହେବ ଶ୍ରୀମନ୍ଦିର ପ୍ରଶାସନ ଏବଂ ଗଜପତି ମହାରାଜା ଚିଠି ଲେଖି ବାରଣ କରିଆସୁଛନ୍ତି । ଏପରିକି ଇସ୍କନ୍ ସହିତ ଏନେଇ ଏକ ବୈଠକ ୨୦୨୫ ମସିହାରେ ଅନୁଷ୍ଠିତ ହୋଇଯାଇଛି । ହେଲେ ଇସ୍କନ୍ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନରୁ ଓହରୁ ନାହିଁ । ତେବେ ଇସ୍କନ୍ ର ଏଭଳି ମନମାନି ବିରୋଧରେ କେନ୍ଦ୍ର ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଥିବା କହିଛନ୍ତି, ଭକ୍ତ ଓ ସେବାୟତ ।
ଜଗନ୍ନାଥପ୍ରେମୀ ଜୟକୃଷ୍ଣ ବାରିକ କହିଛନ୍ତି, "ଇସ୍କନର ଅଦିନିଆ ରଥଯାତ୍ରା ଗ୍ରହଣଯୋଗ୍ୟ ନୁହେଁ । ଗଜପତି ମହାରାଜାଙ୍କ ଚିଠିକୁ ଇସ୍କନ ପ୍ରତ୍ୟାଖ୍ୟାନ କରିବା ଅତ୍ୟନ୍ତ ନିନ୍ଦନୀୟ । ଅଦିନିଆ ରଥଯାତ୍ରା ଆୟୋଜନ କରିବା ଜଗନ୍ନାଥ ସଂସ୍କୃତି ପରମ୍ପରାକୁ ଅପମାନ । ଏହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରୁଛି । ଅଦିନିଆ ରଥଯାତ୍ରା ଉପରେ ରୋକ୍ ଲଗାଯିବା ଦରକାର । ନ ହେଲେ ଇସ୍କନ ବିରୁଦ୍ଧରେ ଜଗନ୍ନାଥପ୍ରେମୀ ଆନ୍ଦୋଲନକୁ ଓହ୍ଲାଇବା ସହ ଇସ୍କନକୁ ଦୃଢ଼ ବିରୋଧ କରିବେ ।"
ମହାପ୍ରଭୁଙ୍କର ପ୍ରଚାର ପ୍ରସାର କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବକମାନେ ବିରୋଧ କରୁନାହାନ୍ତି । ହେଲେ ମହାପ୍ରଭୁଙ୍କ ପ୍ରଚାର ପ୍ରସାର ନାଁ କହି ମହାପ୍ରଭୁଙ୍କ ପରମ୍ପରାକୁ ବିକୃତ କରିବାକୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବରୁ ସ୍ପଷ୍ଟ କରିଦିଆଯାଇଛି । ଏବେ ଦେଖିବାର କଥା ଅମାନିଆ ଇସ୍କନ୍ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ କଣ କାର୍ଯ୍ୟାନୁଷ୍ଠାନ ନେଇପାରୁଛି ।
ଏହା ମଧ୍ୟ ପଢ଼ନ୍ତୁ- ISKCONର ଅଦିନିଆ ରଥଯାତ୍ରା ବନ୍ଦ ଦାବିରେ ପୁଣି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
ଏହା ମଧ୍ୟ ପଢ଼ନ୍ତୁ- ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ବନ୍ଦ ପାଇଁ ପୁଣି ଇସ୍କନକୁ ଚିଠି ଲେଖିଲେ ଗଜପତି ମହାରାଜା
ଏହା ମଧ୍ୟ ପଢ଼ନ୍ତୁ- ଅଦିନିଆ ରଥଯାତ୍ରା ଆୟୋଜନ ପ୍ରସଙ୍ଗ: ରୋକ୍ ଲଗାଇବାକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭେଟିବ ଶ୍ରୀମନ୍ଦିର ପରିଚାଳନା କମିଟି
ଇଟିଭି ଭାରତ, ପୁରୀ

