Bihar Election Results 2025

ETV Bharat / state

ପୁଣି ଇସ୍କନର ମନମାନି: ବିବାଦ ସତ୍ତ୍ୱେ ପାଳିଲା ଅଦିନିଆ ରଥଯାତ୍ରା, ସେବାୟତଙ୍କ କାର୍ଯ୍ୟାନୁଷ୍ଠାନ ଦାବି

ବାରମ୍ବାର ବିରୋଧ ପରେ ବି ସୁଧୁରୁନି ଇସ୍କନ । ଋଷିକେଷରେ ପାଳନ ହେଲା ଅଦିନିଆ ରଥଯାତ୍ରା । କଡା ବିରୋଧ ସହ କାର୍ଯ୍ୟାନୁଷ୍ଠାନ ଦାବି କଲେ ଭକ୍ତ ଓ ସେବାୟତ ।

ISCKON  conducting untimely Rath Yatra in Rishikesh
ISCKON conducting untimely Rath Yatra in Rishikesh (ETV Bharat)
author img

By ETV Bharat Odisha Team

Published : October 15, 2025 at 5:38 PM IST

|

Updated : October 15, 2025 at 8:10 PM IST

4 Min Read
Choose ETV Bharat

ପୁରୀ: ପୁଣି ଅଦିନିଆ ରଥଯାତ୍ରା । ବାଦ ବିବାଦକୁ ଅଣଦେଖା କରି ଉତ୍ତରାଖଣ୍ଡର ଋଷିକେଷରେ ଇସ୍କନ ଆୟୋଜନ କରିଛି ରଥଯାତ୍ରା । ଏକ ଚାରିଚକିଆ ଗାଡି ଉପରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପ୍ରତିମାକୁ ରଖାଯାଇ ରଥଯାତ୍ରା କରାଯାଉଥିବା ଦେଖିବାକୁ ମିଳିଛି । ଯାହାକୁ କଡା ବିରୋଧ କରିବା ସହ ଉଦବେଗ ପ୍ରକାଶ କରିଛନ୍ତି ଜଗନ୍ନାଥପ୍ରେମୀ । ଇସ୍କନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଭକ୍ତ ଓ ସେବାୟତ ।

ISCKON conducting untimely Rath Yatra in Rishikesh (ETV Bharat)

ଇସ୍କନର ଅଦିନିଆ ରଥଯାତ୍ରା-


ବାରମ୍ବାର ବାରଣ ସତ୍ତ୍ବେ ମାନୁନି ଇସ୍କନ । ଗତ ୭ ତାରିଖରେ ଋଷିକେଶରେ ଅଦିନିଆ ରଥଯାତ୍ରା ପାଳନ କରିଛି ଇସ୍କନ । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ବିବାଦ ଘନେଇଛି । ବିନା ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଳନକୁ ପୂର୍ବରୁ ମଧ୍ୟ ବିରୋଧ କରାଯାଉଥିବା ବେଳେ ଏହାକୁ ଅଣଦେଖା କରି ଇସ୍କନ ରଥଯାତ୍ରା ପାଳନ କରିବାକୁ ବିଭିନ୍ନ ମହଲରେ ଘୋର ବିରୋଧ କରାଯାଇଛି ।

ISCKON  conducting untimely Rath Yatra in Ukraine
ISCKON conducting untimely Rath Yatra in Ukraine (ETV Bharat)

ଇସ୍କନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି-

ଅଦିନିଆ ଶ୍ରୀମନ୍ଦିର ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଇସ୍କନ ବିରୋଧରେ ସରକାର କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଜଗନ୍ନାଥ ପ୍ରେମୀ । ଏକ ଚାରି ଚକିଆ ଯାନରେ ଯେଭଳି ମହାପ୍ରଭୁଙ୍କ ପ୍ରତିମା ରଖି ଇସ୍କନ ଅଦିନିଆ ରଥ ଯାତ୍ରା କରିଛି ତାହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ ବୋଲି ଶ୍ରୀମନ୍ଦିର ସେବାୟତ ଓ ଭକ୍ତ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଇସ୍କନକୁ କଡା ବିରୋଧ କରାଯିବ ବୋଲି ସେବାୟତ ଓ ଭକ୍ତ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଅଦିନିଆ ରଥଯାତ୍ରାକୁ ଭକ୍ତଙ୍କ ବିରୋଧ-

ଶ୍ରୀମନ୍ଦିରକୁ ଆସିଥିବା ଉତ୍ତର ପ୍ରଦେଶର ଜଣେ ଶ୍ରଦ୍ଧାଳୁ ଆନନ୍ଦ ଶୁକ୍ଳା କହିଛନ୍ତି, "ଅଦିନିଆ ରଥ ଯାତ୍ରା ଆୟୋଜନ ସମ୍ପୂର୍ଣ୍ଣ ଭୁଲ । ମହାପ୍ରଭୁଙ୍କ ପରମ୍ପରା ଓ ତିଥିକୁ ଆମକୁ ପାଳନ କରିବାକୁ ପଡ଼ିବ । ଅଦିନିଆ ରଥଯାତ୍ରା ଆୟୋଜନ ହେଲେ ଏକ ଭୁଲ ବାର୍ତ୍ତା ଯିବ । ମୁଁ ଏହାକୁ ଦୃଢ଼ ବିରୋଧ କରୁଛି । ସାରା ବିଶ୍ଵରେ ଗୋଟିଏ ସମୟରେ ବିଧି ଅନୁଯାୟୀ ରଥଯାତ୍ରା ଆୟୋଜନ ହେବା ଉଚିତ୍ । ତେବେ କେତେକ ସଂସ୍ଥା ଅଦିନିଆ ରଥଯାତ୍ରା କରି ଅର୍ଥ ରୋଜଗାର କରି ଏକ ବ୍ୟବସାୟ କରିଛନ୍ତି । ଆମ ସନାତନ ହିନ୍ଦୁ ଧର୍ମରେ ଯାହା ପରମ୍ପରା ଅଛି ତାହା ପାଳନ ହେବା ଉଚିତ୍ । ତେବେ ଇସ୍କନ ଯେଭଳି ଏହାକୁ ମାନୁନି ତାହାକୁ ଆମେ ବିରୋଧ କରିବୁ । ଅଦିନିଆ ରଥଯାତ୍ରା ଆୟୋଜନ ବିରୋଧରେ ସରକାର କଡା କାର୍ଯ୍ୟାନୁଷ୍ଠାନ ନେବା ଦରକାର ।"

ISCKON  conducting untimely Rath Yatra in Ukraine
ISCKON conducting untimely Rath Yatra in Ukraine (ETV Bharat)

ଅନୁଗୋଳରୁ ଆସିଥିବା ବ୍ରହ୍ମାନନ୍ଦ ଜେନା ନିଜ ପ୍ରତିକ୍ରିୟାରେ କହିଛନ୍ତି, "ଅଦିନିଆ ରଥଯାତ୍ରା ଆୟୋଜନ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ନୁହେଁ । ଏହା ଆମେ ଗ୍ରହଣ କରିପାରିବୁ ନାହିଁ । ଯିଏ ଏଭଳି ବେଆଇନ କାର୍ଯ୍ୟ କରୁଛି ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଏହା ଦ୍ଵାରା ଆମ ସଂସ୍କୃତି ନଷ୍ଟ ହେବ । ଜଗନ୍ନାଥ ସଂସ୍କୃତି ବିକୃତ ହେବ। ଏହାକୁ ସରକାର ଗୁରୁତ୍ଵର ସହ ନେଇ କଡା କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ । ମହାପ୍ରଭୁଙ୍କୁ ଭକ୍ତି ପୂଜା କରିବା ପାଇଁ ଆମେ କାହାକୁ ବିରୋଧ କରୁନୁ । ହେଲେ ଯିଏ ପରମ୍ପରା ଭଙ୍ଗ କରିବ ସେମାନଙ୍କୁ ଦୃଢ଼ ବିରୋଧ ହେବା ଦରକାର ।"

ବିଦେଶରେ ଅଦିନିଆ ରଥଯାତ୍ରା:

ଅନ୍ୟପଟେ ବିଦେଶରେ ପାଳନ ହେଲା ଅଦିନିଆ ରଥଯାତ୍ରା । ୟୁକ୍ରେନରେ ଅଦିନିଆ ରଥଯାତ୍ରା ପାଳନ କରିଛି ଇସ୍କନ୍ । ଗତ ୧୨ ତାରିଖରେ ୟୁକ୍ରେନ ରଥଯାତ୍ରା ପାଳନ ହୋଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଗତ ୭ ତାରିଖ ଦିନ ଋଷିକେଶରେ ମଧ୍ୟ ଅଦିନିଆ ରଥଯାତ୍ରା ପାଳନ କରିଥିଲା ଇସ୍କନ । ଗଜପତି ମହାରାଜାଙ୍କ ବିରୋଧ ସତ୍ତ୍ଵେ ଅଦିନିଆ ରଥଯାତ୍ରାରୁ ନିବୃତ ରହୁନି ଇସ୍କନ । ଉଭୟ ଭାରତ ଏବଂ ଭାରତ ବାହାରେ ଅଦିନିଆ ରଥଯାତ୍ରା ଇସ୍କନ ପକ୍ଷରୁ ଆୟୋଜନ ହେଉଥିବା ବେଳେ ଏହାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ତୁରନ୍ତ ରାଜ୍ୟ ସରକାର ଏନେଇ ପଦକ୍ଷେପ ନେବାକୁ ଜଗନ୍ନାଥ ପ୍ରେମୀ ଦାବି କରିଛନ୍ତି ।

ISCKON  conducting untimely Rath Yatra in Ukraine
ISCKON conducting untimely Rath Yatra in Ukraine (ETV Bharat)

ଅସନ୍ତୋଷ ବ୍ୟକ୍ତ କଲେ ସେବାୟତ-

ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ବିଧି ଅନୁଯାୟୀ ମହାପ୍ରଭୁଙ୍କ ରଥ ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ଅନୁଷ୍ଠିତ ହୋଇଥାଏ । ଏହି ଦିନ ଜଗନ୍ନାଥପ୍ରେମୀମାନେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳନ କରନ୍ତି । ଅଦିନିଆ ରଥଯାତ୍ରା ସମ୍ପୂର୍ଣ୍ଣ ପରମ୍ପରା ବିରୋଧୀ । ତେବେ ବାରମ୍ବାର ବାରଣ ସତ୍ତ୍ୱେ ଏହାକୁ ଇସ୍କନ ନ ମାନି ଅଦିନିଆ ରଥଯାତ୍ରା ଆୟୋଜନ କରିବା ଦୁଃଖର କଥା। ତେବେ ଅଦିନିଆ ରଥଯାତ୍ରା ଉପରେ ରୋକ ଲଗାଇବାକୁ ହେଲେ ସରକାର ଆଗକୁ ଆସିବା ଦରକାର । ଶ୍ରୀମନ୍ଦିର ପ୍ରଶାସନ ଚାହିଁଲେ କିଛି କରିପାରିବ ନାହିଁ । ଏନେଇ ଏକ କଡା ଆଇନ ହେବା ଦରକାର । ଯିଏ ମହାପ୍ରଭୁଙ୍କ ପରମ୍ପରା ଉଲ୍ଲଘଂନ କରିବ ସେମାନଙ୍କ ବିରୋଧରେ କଡା ଦଣ୍ଡ ବିଧାନ ରହିବା ଉଚିତ୍ ।"

ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, "ଅଦିନିଆ ରଥଯାତ୍ରା ପାଳନ ନ କରିବା ପାଇଁ ଇସ୍କନକୁ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଯଦି ସେ ଏହା ଉଲ୍ଲଘଂନ କରୁଛନ୍ତି ତାହା ଉଦବେଗର କଥା । ଏନେଇ ମୁଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅବଗତ କରାଇବି । ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ।

ISCKON  conducting untimely Rath Yatra in Ukraine
ISCKON conducting untimely Rath Yatra in Ukraine (ETV Bharat)

ଇସ୍କନ ଅଦିନିଆ ରଥ ଯାତ୍ରା ବନ୍ଦ କରିବା ପାଇଁ ଗଜପତି ମହାରାଜାଙ୍କ ଦ୍ଵାରା ଏକ ପ୍ରତିନିଧି ମଣ୍ଡଳୀ ଇସ୍କନ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ଆଲୋଚାନା କରିଥିଲେ। ତେବେ ଏହାକୁ ଇସ୍କନ ମାନୁନି । ଯାହାକୁ ନେଇ ଗଜପତି ମହାରାଜା କ୍ଷୁବ୍ଧ ମଧ୍ୟ ହୋଇଥିଲେ । ରାଜ୍ୟ ଓ କେନ୍ଦ୍ର ସରକାର ଇସ୍କନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠନ ନେବା ପାଇଁ ଅନୁରୋଧ କରିଥିଲେ । ଋଷିକେଶରେ ଅକ୍ଟୋବର ୭ ତାରିଖରେ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ପୁଣି ଅସନ୍ତୋଷ ସୃଷ୍ଟି ହୋଇଛି । ଇସ୍କନ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।


ଅନଲାଇନରେ ବେଆଇନ ଭାବେ ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ:
ଅନ୍ୟପଟେ ଶ୍ରୀମନ୍ଦିର ମହାପ୍ରସାଦକୁ ଅନଲାଇନରେ ବିକ୍ରି ନେଇ କଟକଣା ଥିବା ବେଳେ ଏହାକୁ କେତେକ ବ୍ୟକ୍ତି ମାନୁ ନାହାନ୍ତି । ଅର୍ଥ ଦେଲେ ଅନଲାଇନ ମାଧ୍ୟମରେ ଘରେ ମହାପ୍ରସାଦ ହୋମ ଡେଲିଭରି କରାଯିବ ବୋଲି ସୋସିଆଲ ମିଡ଼ିଆରେ ବିଜ୍ଞାପନ କରାଯାଉଛି । ଏକ ଖାଦ୍ୟ ଡେଲିଭରି ଆପ ଏଭଳି ବିଜ୍ଞାପନ ବାହାର କରିଥିବା ବେଳେ ଏହାକୁ ଶ୍ରୀମନ୍ଦିର ସେବାୟତ ବିରୋଧ କରିଛନ୍ତି । ମହାପ୍ରସାଦକୁ ଅନଲାଇନରେ ହୋମ ଡେଲିଭରି କଲେ ମହାପ୍ରସାଦର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବ ବୋଲି ସେବାୟତ ମତ ରଖିଛନ୍ତି । ଏଣୁ ଏହା ଗ୍ରହଣୀୟ ନୁହେଁ । ଏଭଳି ବେଆଇନ କାର୍ଯ୍ୟ କରୁଥିବା ସଂସ୍ଥା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ସେବାୟତ ମତ ରଖିଛନ୍ତି ।



ଏନେଇ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି, "ଅନଲାଇନରେ ମହାପ୍ରସାଦ ବିକ୍ରି ହେବା ଠିକ୍ ନୁହେଁ । ଅନଲାଇନରେ ଅନ୍ୟ ଖାଦ୍ୟ ପଦାର୍ଥ ଭଳି ମହାପ୍ରସାଦ ଦିଆଗଲେ ଏହା ମହାପ୍ରସାଦର ଗାରିମା କ୍ଷୁର୍ଣ୍ଣ କରିବ । ସେହିଭଳି ମହାପ୍ରସାଦ ନେବା ବେଳେ କେତେକ ନିୟମ ଥିବା ବେଳେ ଅନଲାଇନରେ ଏହା ପାଳନ ହୋଇ ପାରିବ ନାହିଁ । ଏକ ପବିତ୍ର ବାତାବରଣରେ ଏହାକୁ ନିଆଯାଇପାରିବ ନାହିଁ । ଏଣୁ ଅନଲାଇନରେ ମହାପ୍ରସାଦ ବିକ୍ରି ଯିଏ କରୁଛି ତାହା ବନ୍ଦ ହେବା ଦରକାର । କେତେକ ଲୋକ ଏହାର ଫାଇଦା ଉଠାଇ ବାହାରେ ରୋଷେଇ କରି ମହାପ୍ରସାଦ ନାମରେ ଲୋକଙ୍କୁ ଠକିବା ଆଶଙ୍କା ରହିଛି । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ଦରକାର ।"

ଏହାମଧ୍ୟ ପଢନ୍ତୁ...ଜଗନ୍ନାଥ ସଂସ୍କୃତିକୁ କୁଠାରଘାତ, ଇସ୍କନକୁ ଗଜପତି ମହାରାଜଙ୍କ ଚରମ ଚେତାବନୀ

ଏହାମଧ୍ୟ ପଢନ୍ତୁ.. ଇସ୍କନ ଗଡେଇଲା ଅଦିନିଆ ରଥ; ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ବିରୋଧ

ଏହାମଧ୍ୟ ପଢନ୍ତୁ... ଭୁବନେଶ୍ୱର ଇସ୍କନ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା, କାଳିଆ ପ୍ରେମରେ ବିଭୋର ଭକ୍ତ


ସେହିପରି ଅନଲାଇନରେ ମହାପ୍ରସାଦ ବିକ୍ରି ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, "ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନଲାଇନ ମହାପ୍ରସାଦ ବିକ୍ରି ନେଇ କୌଣସି ଅନୁମତି କାହାକୁ ଦିଆଯାଇନାହିଁ । ଏଭଳି ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ।"

ଇଟିଭି ଭାରତ, ପୁରୀ

Last Updated : October 15, 2025 at 8:10 PM IST