‘ପୁଞ୍ଜିନିବେଶ କ୍ଷେତ୍ରରେ ଅନ୍ୟତମ ଡେଷ୍ଟିନେସନ ଓଡ଼ିଶା, ୨୦୨୫-୨୬ରେ ଆସିଛି ୧୩.୧% ପ୍ରସ୍ତାବ’
ଚଳିତ ଆର୍ଥିକ ବର୍ଷରେ ଓଡିଶା, ନିବେଶଙ୍କ ପାଇଁ ଦ୍ଵିତୀୟ ଡେଷ୍ଟିନେସନ ହୋଇଛି । ଆର୍ଥିକ ବର୍ଷ ୨୦୨୫/୨୦୨୬ରେ ଦେଶକୁ ଆସିଥିବା ମୋଟ ପୁଞ୍ଜିନିବେଶ ପ୍ରସ୍ତାବ ମଧ୍ୟରୁ ୧୩.୧ ପ୍ରତିଶତ ପ୍ରସ୍ତାବ ଓଡ଼ିଶାକୁ ଆସିଛି ।

Published : January 4, 2026 at 2:01 PM IST
ଭୁବନେଶ୍ବର: ପୁଞ୍ଜିନିବେଶ କ୍ଷେତ୍ରରେ ଓଡିଶା ଦେଶର ଅନ୍ୟତମ ପ୍ରମୁଖ ଆକର୍ଷଣର ରାଜ୍ୟ ପାଲଟିଛି । ଆର୍ଥିକ ବର୍ଷ ୨୦୨୫/୨୦୨୬ ରେ ଦେଶକୁ ଆସିଥିବା ମୋଟ ପୁଞ୍ଜିନିବେଶ ପ୍ରସ୍ତାବ ମଧ୍ୟରୁ ୧୩.୧ ପ୍ରତିଶତ ପ୍ରସ୍ତାବ ଓଡ଼ିଶାକୁ ଆସିଛି । ଚଳିତ ଆର୍ଥିକ ବର୍ଷରେ ଓଡିଶା, ନିବେଶଙ୍କ ପାଇଁ ଦ୍ଵିତୀୟ ଡେଷ୍ଟିନେସନ ହୋଇଛି । ସୋସିଆଲ ମିଡିଆରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି । ଓଡ଼ିଶା ଦ୍ରୁତ ଗତିରେ ଭାରତର ଏକ ପ୍ରମୁଖ ନିବେଶର ଗନ୍ତବ୍ୟ ସ୍ଥଳ ଭାବେ ନିଜକୁ ପ୍ରତିଷ୍ଠା କରୁଛି । ସମ୍ପ୍ରତି ବର୍ଷଗୁଡ଼ିକରେ ରାଜ୍ୟରେ ବଢୁଥିବା ନିବେଶ ପ୍ରସ୍ତାବ ଏବଂ ନିବେଶକଙ୍କ ବଢ଼ୁଥିବା ବିଶ୍ୱାସ ଏହାର ଦୃଢ ପ୍ରମାଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଓଡ଼ିଶା ଦ୍ରୁତ ଗତିରେ ଭାରତର ଏକ ପ୍ରମୁଖ ନିବେଶର ଗନ୍ତବ୍ୟ ସ୍ଥଳ ଭାବେ ନିଜକୁ ପ୍ରତିଷ୍ଠା କରୁଛି । ସମ୍ପ୍ରତି ବର୍ଷ ଗୁଡ଼ିକରେ ରାଜ୍ୟରେ ବଢ଼ୁଥିବା ନିବେଶ ପ୍ରସ୍ତାବ ଏବଂ ନିବେଶକଙ୍କ ବଢ଼ୁଥିବା ବିଶ୍ୱାସ ଏହାର ଦୃଢ ପ୍ରମାଣ । ଆର୍ଥିକ ବର୍ଷ-୨୬ରେ ମୋଟ ପ୍ରସ୍ତାବିତ ନିବେଶର ୧୩.୧ ପ୍ରତିଶତ ଶେୟାର ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ଓଡ଼ିଶା । ଯାହା ରାଜ୍ୟର ନୀତିଗତ ସ୍ଥିରତା ଏବଂ ବିକାଶମୁଖୀ ଶାସନ ପ୍ରତି ନିବେଶକଙ୍କ ବର୍ଦ୍ଧିତ ବିଶ୍ୱାସକୁ ପ୍ରତିଫଳିତ କରୁଛି । ଏହି ନିବେଶ ଧାରା ଜାରି ରହିଲେ ଓଡ଼ିଶା ଶୀଘ୍ର ଭାରତର ଶୀର୍ଷ ନିବେଶ ଗନ୍ତବ୍ୟ ଭାବେ ସ୍ଥାନ ପାଇବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

'ଓଡ଼ିଶା ଭାରତର ଅର୍ଥନୈତିକ ବିକାଶର ମୁଖ୍ୟ କେନ୍ଦ୍ର'
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,"ରାଜ୍ୟର ନିବେଶକ ଅନୁକୂଳ ନୀତି, ମଜବୁତ ଇନଫ୍ରାଷ୍ଟ୍ରକ୍ଚର ଏବଂ ସୁଶାସନ ଯୋଗୁଁ ଓଡ଼ିଶା ଭାରତର ବୃଦ୍ଧିର ଇଞ୍ଜିନ ହେବାକୁ ଯାଉଛି । ଲୋକଙ୍କ ସରକାରର ବିଭିନ୍ନ ପଦକ୍ଷେପ ଯୋଗୁଁ ଓଡ଼ିଶା ପୂର୍ବତନ ଧାତବ ଉଦ୍ୟୋଗରୁ ବାହାରି ଏକ ବିବିଧତାଯୁକ୍ତ ଅର୍ଥନୀତି ଗଢ଼ି ତୋଳୁଛି । ରାଜ୍ୟର ଯୁବକମାନଙ୍କ ପାଇଁ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି ହେବାର ଆଶା ଜାଗ୍ରତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପୂର୍ବୋଦୟ ଦୃଷ୍ଟିକୋଣରେ ଓଡ଼ିଶା ଭାରତର ଅର୍ଥନୈତିକ ବିକାଶର ମୁଖ୍ୟ କେନ୍ଦ୍ର ହେବାକୁ ଯାଉଛି । ରାଜ୍ୟ ସରକାର IT, ଗ୍ରିନ ଏନର୍ଜି ଏବଂ ଡିଫେନ୍ସ ଭଳି ଉଦୀୟମାନ କ୍ଷେତ୍ରଗୁଡ଼ିକରେ ବିଶେଷ ନୀତି ପ୍ରଣୟନ କରି ନିବେଶକଙ୍କୁ ଆକର୍ଷଣ କରୁଛନ୍ତି ।"

ରୋଜଗାର ସୃଷ୍ଟିକାରୀ ଉଦ୍ୟୋଗ ଉପରେ ଫୋକସ୍:
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶାରେ ଶିଳ୍ପାୟନ ପ୍ରକ୍ରିୟାରେ ନୂଆ ଦିଗଦର୍ଶନ ମିଳିଛି । ଓଡିଶା ସରକାର ନିବେଶକଙ୍କ ପାଇଁ ଆକର୍ଷଣୀୟ ଶିଳ୍ପ ନୀତି ସହ ସମସ୍ତ ଆନୁଷଙ୍ଗିକ ସହଯୋଗ ମଧ୍ୟ ଯୋଗାଇ ଦେଉଛନ୍ତି । ବିଜେପି ସରକାର ଗଠନ ହେବା ପରଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଆଦି ସହରରେ ରୋଡ ଶୋ’ ସହ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ନିବେଶକଙ୍କ ସହ ୱାନ୍ ଟୁ ୱାନ ଆଲୋଚନା କରୁଛନ୍ତି । ରାଜ୍ୟ ସରକାର ଏବେ ବୃହତ ଇସ୍ପାତ ଶିଳ୍ପ ଅପେକ୍ଷା ଅଧିକ ରୋଜଗାର ସୃଷ୍ଟିକାରୀ ଏମଏସଏମଇ(MSME) ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ଵ ଦେଉଛନ୍ତି । ନିକଟରେ ରାଜ୍ୟରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ପାଇଁ ସୁଯୋଗ ସୃଷ୍ଟି କରିବାକୁ ଘୋଷଣା କରିଛନ୍ତି ମୋହନ ସରକାର ।
ଇଜ ଅଫ ଡୁଇଂ ବିଜନେସ୍:
ନୂଆ ଶିଳ୍ପ ନୀତି ସାଙ୍ଗକୁ ଫାର୍ମା ପଲିସି, ବୟନଶିଳ୍ପ ନୀତି, ସେମିକଣ୍ଡକ୍ଟର ନୀତି ପାଇଁ ବିଭିନ୍ନ କ୍ଷେତ୍ରରେ ନିବେଶ ସୁଯୋଗ ବୃଦ୍ଧି ପାଇଛି । ମୋଟ ଉପରେ କହିବାକୁ ଗଲେ ଶିଳ୍ପ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ମୂଳମନ୍ତ୍ର ହେଉଛି ଭରସା, ନିରନ୍ତର ପ୍ରୟାସ ଏବଂ ଦୀର୍ଘସ୍ଥାୟୀ ସହଭାଗିତା । ଇଜ ଅଫ ଡୁଇଂ ବିଜନେସ ଜରିଆରେ ରାଜ୍ୟରେ ନିବେଶ ପ୍ରକ୍ରିୟାକୁ ସହଜ କରାଯାଇଛି । ଆଗାମୀ ଦିନରେ ଶିଳ୍ପାୟନ ପାଇଁ ଓଡିଶା ରୋଡ ମ୍ୟାପରେ ଆଉ ଏକ ନୂଆ ମାଇଲ ଷ୍ଟୋନ ସ୍ଥାପନ ହେବାକୁ ଯାଉଛି । ଆସନ୍ତା ଜାନୁଆରୀ ୨୮ ଓ ୨୯ ତାରିଖରେ ରାଉରକେଲାରେ ଏଣ୍ଟରପ୍ରାଇଜ ଓଡିଶା ଆୟୋଜନ ହେବ । ସେହିପରି କଲିକତାରେ ମଧ୍ୟ ଏକ ଶିଳ୍ପ କନକ୍ଲେଭର ଆୟୋଜନ କରିବାକୁ ଯାଉଛନ୍ତି ଓଡିଶା ସରକାର ।


ଓଡିଶାରେ ବିଭିନ୍ନ ପ୍ରକଳ୍ପ ପାଇଁ ବଢୁଛି ନିବେଶ:
ଗତ ୧୮ ମାସରେ ୨.୧୦ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ହୋଇଛି । ଏହା ଦ୍ଵାରା ୧ ଲକ୍ଷ ୬୩ ହଜାର ୭୨୫ଟି ନିଯୁକ୍ତି ସୁନିଶ୍ଚିତ ହୋଇଛି । ଏହି ସମୟ ମଧ୍ୟରେ ଓଡ଼ିଶାରେ ଫାର୍ମା ଓ ଟେକ୍ସଟାଇଲ କନକ୍ଲେଭ ସହ ବିଭିନ୍ନ କ୍ଷେତ୍ରୀୟ ଶିଳ୍ପର ସମ୍ମିଳନୀ ଅନୁଷ୍ଠିତ ହୋଇଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ସେମିକନ କନକ୍ଲେଭରେ ଓଡ଼ିଶା ଦୁଇଟି ଚୁକ୍ତି କରିଥିଲା । ଗତବର୍ଷ ଜାନୁଆରୀରେ ଅନୁଷ୍ଠିତ 'ଉତ୍କର୍ଷ ଓଡ଼ିଶା - ମେକ୍ ଇନ୍ ଓଡ଼ିଶା କନକ୍ଲେଭ'ରେ ରାଜ୍ୟକୁ ୧୬.୭୩ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିଲା । ଯେଉଁଥିରେ ୧୨.୮୯ ଲକ୍ଷ କୋଟି ଟଙ୍କାର ୧୪୫ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି । ଗତ ଡିସେମ୍ବରରେ ହାଇଦ୍ରାବାଦରେ ଅନୁଷ୍ଠିତ ନିବେଶକ ସମ୍ମିଳନୀରେ ଓଡ଼ିଶାକୁ ୬୭,୦୦୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି । ଯାହା ୫୬,୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ । ଏହା ଛଡ଼ା ଫାର୍ମା ଏବଂ ମେଡିକାଲ ଡିଭାଇସ କ୍ଷେତ୍ରରେ ନୂଆ ନୀତି ଯୋଗୁଁ ୭,୦୪୩ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି ।

