ETV Bharat / state

Women's Day Special: ସଫଳ ସମ୍ବଲପୁରୀ ବୁଣାକାର ସୁଲୋଚନା, 30 ବର୍ଷର ଯାତ୍ରା, 1000 ମହିଳାଙ୍କୁ କରିଛନ୍ତି ସ୍ବାବଲମ୍ବୀ

1996 ମସିହାରୁ ସୁଲୋଚନାଙ୍କ ବୁଣାକାର ଜୀବନ ଆରମ୍ଭ ହୁଏ । ରାଜ୍ୟ ତଥା ରାଜ୍ୟ ବାହାରେ ମହିଳାଙ୍କୁ ଦେଉଛନ୍ତି ହସ୍ତତନ୍ତ ପ୍ରଶିକ୍ଷଣ । ପ୍ରଶଂସାରେ ପୋତିଥିଲେ ରାଜ୍ୟପାଳ ।

Weaver Sulochana Meher
ସଫଳ ସମ୍ବଲପୁରୀ ବୁଣାକାର ସୁଲୋଚନା ମେହେର (ETV Bharat Odisha)
author img

By ETV Bharat Odisha Team

Published : March 3, 2026 at 6:00 PM IST

6 Min Read
Choose ETV Bharat

ମହିଳା ଦିବସ ସ୍ପେଶାଲ ଷ୍ଟୋରୀ: ବାଦଶାହ ଜୁସ୍ମନ ରାଣା

Sulochana Sambalpuri Saree Weaver ସମ୍ବଲପୁର/ବରଗଡ଼: 2008 ମସିହା କଥା...ଭୁବନେଶ୍ବରରେ ରାଜ୍ୟପାଳଙ୍କୁ ସ୍ବାଗତ କାର୍ଯ୍ୟକ୍ରମକୁ ଯାଇଥାନ୍ତି ସୁଲୋଚନା ମେହେର । ତତ୍କାଳୀନ ଓଡ଼ିଶା ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ କାର୍ଯ୍ୟକ୍ରମକୁ ଆସୁଥିବା ବେଳେ ଅଟକି ଯାଇଥିଲେ । ସୁଲୋଚନାଙ୍କ ଶାଢୀ ଦେଖି ପ୍ରଶଂସା ନକରି ରହିପାରିନଥିଲେ । କହୁ କହୁ କହିଥିଲେ ‘ଆପଣଙ୍କ ଶାଢୀ ବହୁତ ସୁନ୍ଦର, କିଏ ତିଆରି କରିଛି ଏହାକୁ’...ଖୁସିରେ ଆତ୍ମହରା ହୋଇ ହସି ହସି କହିଥିଲେ ସାର୍‌ ଏଇ ଶାଢୀ ମୁଁ ତିଆରି କରିଛି । ରାଜ୍ୟପାଳ ଖୁସି ହୋଇ କହିଥିଲେ...ଏମିତି ଶାଢୀ ତିଆରି କାମ ଜାରି ରଖନ୍ତୁ । ନିଜେ ସମ୍ବଲପୁରୀ ଶାଢୀ ତିଆରି କରି ପିନ୍ଧୁଥିଲେ...ତାହାର ମହତ୍ତ୍ବ ସେହିଦିନ ବୁଝିଥିଲେ । ଆତ୍ମବିଶ୍ବାସକୁ ପ୍ରଶଂସାର ଶକ୍ତି ମିଳିଥିଲା । ନା କେବେ ଅଟକିଛନ୍ତି, ନା ପଛକୁ ଫେରିଛନ୍ତି । ମହିଳା ଦିବସ ସ୍ବତନ୍ତ୍ର ଉପସ୍ଥାପନାରେ ବରଗଡ ବରପାଲିର 50 ବର୍ଷୀୟା ସୁଲୋଚନା ମେହେରଙ୍କ ସମ୍ପର୍କରେ ଜାଣିବା ।

ସଫଳ ସମ୍ବଲପୁରୀ ବୁଣାକାର ସୁଲୋଚନା ମେହେର (ETV Bharat Odisha)

ବାପା ଚାହୁଁଥିଲେ ବୁଣାକାର ଘରେ ଝିଅ ବାହା ନହେଉ...

ସୁଲୋଚନା ମେହେର, ବୟସ 50 l 1997 ମସିହାରେ ବରଗଡ଼ ଜିଲ୍ଲାର ବରପାଲି ଗାଁର ଦିଲ୍ଲୀପ ମେହେରଙ୍କୁ ସେ ବିବାହ କରିଥିଲେ l ସୁଲୋଚନାଙ୍କ ବାପ ଘର ସୁବର୍ଣ୍ଣପୁର ଜିଲ୍ଲାର ବିନିକା ହୋଇଥିବା ବେଳେ ତାଙ୍କ ବାପା ମା’ ବୁଣାକାର ପରିବାରଙ୍କୁ ବାହା ଦେବାକୁ ଚାହୁଁ ନଥିଲେ l ବାପା ମା’ଙ୍କ ଧାରଣା ଥିଲା ଯେ ବୁଣାକାର କାମ ବହୁତ କଷ୍ଟ ସେଥିପାଇଁ ସୁଲୋଚନାଙ୍କୁ ସେମାନେ ଜଣେ ସିଲେଇ ମାଷ୍ଟର ଦିଲ୍ଲୀପଙ୍କୁ ବାହା ଦେଇଥିଲେ l

Sambalpur Woman weaver
ଡିଜାଇନର ସୁଲୋଚନା (ETV Bharat Odisha)

ଶଶୁର ଘରୁ ମିଳିଲା ପ୍ରେରଣା...ଅଟକି ନାହାନ୍ତି ସୁଲୋଚନା:

ତେବେ ଶାଶୁ ଘରକୁ ଆସି ନିଜ ଶାଶୁ ଶଶୁର, ଜା’ଙ୍କ ସମ୍ବଲପୁରୀ ବସ୍ତ୍ର ବୁଣାକୁ ଦେଖି ସେ ନିଜେ ଜଣେ ବୁଣାକାର ବା ଡିଜାଇନର ହେବାକୁ ନିଷ୍ପତ୍ତି ନେଇଥିଲେ । ନିଜର ଦୃଢ଼ ଇଚ୍ଛା ଶକ୍ତି ବଳରେ ନିଜକୁ ଜଣେ ସଫଳ ବୁଣାକାର ଭାବେ ପ୍ରତିଷ୍ଠିତ କରିବାରେ ସେ ସଫଳ ହୋଇଛନ୍ତି ।

କେଉଁଠି ବିକ୍ରି ହୁଏ ସୁଲୋଚନାଙ୍କ ହାତ ତିଆରି ଶାଢୀ ?

ସୁଲୋଚନାଙ୍କ ହାତ ତିଆରି ଶାଢ଼ୀ ସମ୍ବଲପୁର, ଭୁବନେଶ୍ୱର ଓ ଦିଲ୍ଲୀର ମାର୍କେଟରେ ବିକ୍ରି ହେଉଛି । ସମ୍ବଲପୁରର ଗୋଟିଏ ସମ୍ବଲପୁରୀ ସୋ’ ରୁମ, ଭୁବନେଶ୍ୱର ଓ ଦିଲ୍ଲୀର 2ଟି ଲେଖାଏଁ ସୋ’ ରୁମରେ ତାଙ୍କର ଶାଢ଼ୀ ବିକ୍ରି ହେଉଛି l ଏହାସହ ଅନଲାଇନରେ ମଧ୍ୟ ଶାଢୀ ବିକ୍ରି କରୁଛନ୍ତି । ଏହା ଦ୍ୱାରା ସେ ନିଜ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସହ ପୁଅ ଓ ଝିଅକୁ ଭଲ ଶିକ୍ଷା ପ୍ରଦାନ କରିଛନ୍ତି । ତାଙ୍କ ପୁଅ ଝିଅ ଭଲ ପଦବୀରେ ଚାକିରି ମଧ୍ୟ ପାଇଛନ୍ତି ।

Sambalpur Woman weaver
ସମ୍ବଲପୁରୀ ବୁଣାକାର ସୁଲୋଚନା (ETV Bharat Odisha)

ସ୍ବାମୀ ଥିଲେ ଟେଲର ମାଷ୍ଟର, ଏମିତି ମିଳିଥିଲା ପ୍ରେରଣା:

ସୁଲୋଚନା ଆଲୋଚନା କରିବା ସମୟରେ ସେ ଇଟିଭି ଭାରତକୁ କହିଛନ୍ତି, ‘ପ୍ରଥମେ ଯେତେବେଳେ ବାହାହୋଇ ଶଶୁର ଘରକୁ ଆସିଲି ସ୍ୱାମୀ ଦିଲ୍ଲୀପ ଟେଲର ମାଷ୍ଟର କାମ କରୁଥିଲେ, ତେବେ ସେଥିରୁ ଏତେଟା ଲାଭ ମିଳୁନଥିଲା l ସେଥିପାଇଁ ଶଶୁର ଘର ଲୋକେ ବୁଣାକାର କାମ ଶିଖିବାକୁ କହିଥିଲେ l ଏହା ପରେ ସମ୍ବଲପୁରୀ ହସ୍ତତନ୍ତର ବାନ୍ଧକଳା ଶିଖିଥିଲି l ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଉଥିବା "ଡିଜାଇନର ଟ୍ରେନିଂ" ଗ୍ରହଣ କରି ନିଜର ଇଚ୍ଛା ଶକ୍ତି ବଳରେ ଆଗକୁ ବଢିଥିଲେ ଆଉ ଆଜି ଏହି ସ୍ଥାନକୁ ପହଞ୍ଚି ପାରିଛି l’

Sambalpur Woman weaver
ସଫଳ ସମ୍ବଲପୁରୀ ବୁଣାକାର ତଥା ଡିଜାଇନର ସୁଲୋଚନା (ETV Bharat Odisha)

କେବେଠୁ ଆରମ୍ଭ ହୁଏ ବୁଣାକାର ଜୀବନ ?

1996 ମସିହାରେ 16 ଜଣ ବୁଣାକାର ମହିଳାଙ୍କୁ ନେଇ ମା’ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ବୁଣାକାର ଜୀବନ ଆରମ୍ଭ କରିଥିଲେ ସୁଲୋଚନା l ସେତେବେଳେ ସେ ନିଜ ଛୋଟ ଛୁଆକୁ ଧରି ବିଭିନ୍ନ ସ୍ଥାନକୁ ଯାଉଥିଲେ l ସେଠାରେ ବୁଣାକାର ଓ ସମ୍ବଲପୁରୀ ଡିଜାଇନ ନେଇ ସବୁ ଅଭିଜ୍ଞତା ହାସଲ କରିଥିଲେ । ସେହି ଅଭିଜ୍ଞତାକୁ ପାଥେୟ କରି ଅନ୍ୟ ମହିଳା ଓ ଯୁବତୀଙ୍କୁ ତାଲିମ ଦେଉଛନ୍ତି ।

Sambalpur Woman weaver
ମହିଳାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ସୁଲୋଚନା (ETV Bharat Odisha)

ଜଣେ ସଫଳ ବୁଣାକାର ଭାବେ ପରିଚୟ ପାଇଛନ୍ତି:

ସୁଲୋଚନା ହସ୍ତତନ୍ତ ବୁଣା କାମ ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି । ବର୍ତ୍ତମାନ ସୁଲୋଚନା ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସମ୍ବଲପୁରୀ ହସ୍ତତନ୍ତ ନେଇ ତାଲିମ ଦେଉଛନ୍ତି l ରାଜ୍ୟ ସରକାରଙ୍କ ହସ୍ତତନ୍ତ ବିଭାଗ ପକ୍ଷରୁ ତାଙ୍କୁ ବିଭିନ୍ନ ସ୍ଥାନକୁ ତାଲିମ ଦେବାକୁ ପଠାଯାଉଛି l ସେ ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ରାଜ୍ୟସ୍ତରୀୟ ପ୍ରକଳ୍ପ କମିଟି (State Level project committee )ର ଏକମାତ୍ର ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ।

Sambalpur Woman weaver
ଲଦାଖରେ ମହିଳାଙ୍କୁ ପ୍ରଶିକ୍ଷଣ ଦେଇଥିଲେ ସୁଲୋଚନା (ETV Bharat Odisha)

ଦୃଢ ଆତ୍ମବିଶ୍ବାସ ଦରକାର:

ସୁଲୋଚନା ଆହୁରି କୁହନ୍ତି, ‘ଜଣେ ସଫଳ ମହିଳା ବୁଣାକାର ହେବା ପାଇଁ ସର୍ବପ୍ରଥମେ ଦୃଢ଼ ଆତ୍ମ ବିଶ୍ୱାସ ଦରକାର l ମୁଖ୍ୟତଃ ସମାଜରେ ମହିଳା ମାନଙ୍କୁ ବୁଣାକାର କ୍ଷେତ୍ରରେ ଯେତେ ସଫଳ ହେଲେ ମଧ୍ୟ ଏତେଟା ସ୍ୱୀକୃତି ବା ପରିଚୟ ମିଳେନାହିଁ l ଏହାର କାରଣ ହେଉଛି ସାମାଜିକ ବ୍ୟବସ୍ଥା ଏକ ପ୍ରକାର ପ୍ରଥା l ଜଣେ ଜଣେ ମହିଳା ଦୃଢ଼ ଇଚ୍ଛାଶକ୍ତି ସହ ଆତ୍ମନିର୍ଭର ହେବାକୁ ଚାହିଁଲେ ସେ ଆଗକୁ ବଢ଼ି ପାରିବେ l’

ଶାଢୀକୁ ମିଳିଛି ପ୍ରଶଂସା:

ସୁଲୋଚନାଙ୍କ ଶାଢୀକୁ ମିଳିଛି ପ୍ରଶଂସା । ରାଜ୍ୟପାଳଙ୍କଠୁ ନେଇ ଅନେକ ପ୍ରଶାସନିକ ଅଧିକାରୀ ତାଙ୍କ ବାନ୍ଧ କାରିଗରୀକୁ ପ୍ରଶଂସା କରିବା ସହ ଆଗକୁ ବଢିବାକୁ ପରାମର୍ଶ ଦେଇଛନ୍ତି । 2008ରେ ଭୁବନେଶ୍ବର ଜୟଦେବ ଭବନରେ ଏକ ହ୍ୟାଣ୍ଡଲୁମ ୱାର୍କସପ୍‌ରେ ଯୋଗ ଦେବାକୁ ଯାଇଥିଲେ ସୁଲୋଚନା । ସେଠାରେ ତତ୍କାଳୀନ ରାଜ୍ୟପାଳ ତାଙ୍କ ଶାଢୀକୁ ପ୍ରଶଂସା କରିଥିଲେ । ଏହାପରେ ଅହମ୍ମଦାବାଦକୁ ଯାଇଥିବା ବେଳେ ସେଠାରେ ସୁଲୋଚନାଙ୍କ ‘ଧଡି ସପଟା’ ସମ୍ବଲପୁରୀ ଶାଢ଼ୀକୁ ଦେଖି ମହେଶ ଗୁଲାଟି ନାମକ ଜଣେ ଅଧିକାରୀ ଅନେକ ପ୍ରଶଂସା କରିଥିଲେ ।

Sambalpur Woman weaver
ବାନ୍ଧକଳାର ପ୍ରଶିକ୍ଷଣ ନେଉଛନ୍ତି ମହିଳା (ETV Bharat Odisha)

ଲୋପ ପାଇଥିବା ଶାଢୀକୁ ଦେଉଛନ୍ତି ନୂଆ ରୂପ:

ଉତ୍କଳ ଲକ୍ଷ୍ମୀ, ମଞ୍ଜୁଷା ଓ ସଚିପଟ ଶାଢୀ ଧୀରେ ଧୀରେ ଲୋପ ପାଇବାକୁ ବସିଥିଲା । ହେଲେ ଏହାକୁ ନୂଆ ରୂପ ଦେଇଛନ୍ତି ସୁଲୋଚନା । ଯାହା ଯୁବପିଢିଙ୍କୁ ବେଶ୍‌ ପସନ୍ଦ ଆସୁଥିବା କୁହନ୍ତି ସୁଲୋଚନା । ବର୍ତମାନ ଇତିହାସ ସମ୍ପର୍କିତ ବିଷୟ ବସ୍ତୁ ଅଥବା ପ୍ରକୃତି, ପଶୁ ପକ୍ଷୀ ଛବି ଥିବା ନୂତନ ଡିଜାଇନ କପଡାକୁ ମଧ୍ୟ ଯୁବପିଢି ଅଧିକ ପସନ୍ଦ କରୁଛନ୍ତି l ମୟୂର ଚନ୍ଦ୍ରିକା, ପୁଷ୍ପ ହାତୀ ଓ ଗଜ ଗାମିନୀ ଶାଢ଼ୀ ଏହାର ଉତ୍କୃଷ୍ଟ ଉଦାହରଣ ବୋଲି ସେ କୁହନ୍ତି ।

ବୁଣାକାରଙ୍କ ସମସ୍ୟାକୁ ନେଇ କଣ କୁହନ୍ତି ?

ତୃଣମୂଳ ସ୍ତରରେ କାମ କରୁଥିବା ବୁଣାକାରଙ୍କ ସମସ୍ୟା ନେଇ ସୁଲୋଚନା କୁହନ୍ତି, ‘ପୂର୍ବପେକ୍ଷା ବର୍ତ୍ତମାନ ବୁଣାକାରଙ୍କ କାମ ସହଜ ହୋଇଛି l ପୂର୍ବରୁ ବୁଣାକାର ମାନେ ସବୁ କାମ ନିଜ ହାତରେ କରି ଆସୁଥିଲେ, ତେବେ ବର୍ତମାନ ରାଜ୍ୟ ସରକାର ସବୁ ପ୍ରକାର ଯନ୍ତ୍ର ତଥା ଉପକରଣ ଯୋଗାଇବା ସହ ତାଲିମ ଦେବା ପରେ ବୁଣାକାରଙ୍କ ସମସ୍ୟାର ବହୁ ସମସ୍ୟା ର ସମାଧାନ ହୋଇଛି l କମ ସମୟରେ ଅଧିକ କାମ କରୁଛନ୍ତି 2 ଗୁଣ ଅଧିକ ଲାଭ ପାଉଛନ୍ତି ବୁଣାକାର l’

Sambalpur Woman weaver
ଲଦାଖରେ ମହିଳାଙ୍କୁ ପ୍ରଶିକ୍ଷଣ ଦେଇଥିଲେ ସୁଲୋଚନା (ETV Bharat Odisha)


କେଉଁ କେଉଁ ଅଞ୍ଚଳରେ ପ୍ରଶିକ୍ଷଣ ଦେଇଛନ୍ତି ସୁଲୋଚନା ?

ସୁଲୋଚନା ବରଗଡ଼ ଜିଲ୍ଲା ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ପକ୍ଷରୁ ବଙ୍ଗୋମୁଣ୍ଡା, ଗୁଡେସିରା, କୁମ୍ଭାରୀ,କାଇଁଶୀର, କରଡୋଳାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ତାଲିମ ଦେଇ ସାରିଛନ୍ତି l ଏହା ସହ ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥା ତରଫରୁ କୁସୁମପୁରୀ, ବାଗବାଡି,ଝୁଟୋପାଲି, ବରପାଲି ଓ ବନ୍ଦପାଲିରେ ମହିଳା ମାନଙ୍କୁ ତାଲିମ ଦେଇ ସାରିଛନ୍ତି l ଏହା ସହ ବିଜେପୁର ବ୍ଲକର 5ଟି ଗାଁର ମହିଳାଙ୍କୁ ସେ ତାଲିମ ଦେଇ ସାରିଛନ୍ତି l

ଲେହରେ 50 ମହିଳାଙ୍କୁ ଦେଇଥିଲେ ତାଲିମ:

ଅନ୍ୟପଟେ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ପକ୍ଷରୁ ସୁଲୋଚନା 2023 ମସିାରେ ଲେହ-ଲଦାଖ ଯାଇ ସେଠାରେ ସ୍ଥିତ ଆର୍ମି ସେଣ୍ଟରର 50 ଜଣ ମହିଳାଙ୍କୁ ବୁଣାକାର ତାଲିମ ଦେଇ ପ୍ରଶଂସିତ ହୋଇ ପାରିଛନ୍ତି l


ସୁଲୋଚନାଙ୍କୁ ମିଳିଛି ଜୀବନସାଥୀଙ୍କ ସାହାଯ୍ୟ:

ସୁଲୋଚନାଙ୍କ ଏହି କାମରେ ସ୍ୱାମୀ ଦିଲ୍ଲୀପ ମେହେରଙ୍କ ବହୁତ ଅବଦାନ ରହିଛି l ଦିଲ୍ଲୀପ କୁହନ୍ତି, ‘ବାନ୍ଧକଳା ବିଷୟରେ କିଛି ଜାଣିନଥିଲି, ସ୍ତ୍ରୀ ହିଁ ଶିଖାଇଥିଲେ l ସ୍ତ୍ରୀଙ୍କୁ ସବୁକାମରେ ସହଯୋଗ କରିଆସୁଛି । ପତ୍ନୀଙ୍କ ସଫଳତା ଦେଖି ବେଶ ଖୁସି ।’

1000 ମହିଳାଙ୍କୁ ସ୍ବାବଲମ୍ବୀ କରିଛନ୍ତି ସୁଲୋଚନା:

ଅନ୍ୟପଟେ ସ୍ଥାନୀୟ ଅଞ୍ଚଳର ବୁଣାକାର ପରିବାରର ଜଣେ ସଦସ୍ୟ ମହେନ୍ଦ୍ର କୁମାର ମେହେର କୁହନ୍ତି, ‘ସୁଲୋଚନା ଅତି ନିଖୁଣ ଭାବରେ କାମ କରନ୍ତି ଓ ଦାମିକା ଶାଢ଼ୀ ବୁଣିକି ପ୍ରସ୍ତୁତ କରନ୍ତି l ମୁଖ୍ୟତଃ ଯେଉଁ ମହିଳା ମାନେ ପାରମ୍ପରିକ କାମ କରି ଆସୁଥିଲେ ସେମାନଙ୍କୁ ସୁଲୋଚନା ବାନ୍ଧକଳାର ସବୁ କଠିନ କାମ ଶିଖେଇ ଛନ୍ତି ଯାହା ଫଳରେ ଆଜି ସେହି ମହିଳା ମାନେ ସକ୍ଷମ ହୋଇଛନ୍ତି l ଏହା ଦ୍ୱାରା ପାଖାପାଖି 1000 ମହିଳା ରୋଜଗାରକ୍ଷମ ହୋଇଛନ୍ତି l’

ମହିଳା ଦିବସକୁ ନେଇ ସୁଲୋଚନାଙ୍କ ବାର୍ତ୍ତା:

ତେବେ ମହିଳା ଦିବସ ଅବସରରେ ସୁଲୋଚନା ବାର୍ତ୍ତା ଦେଇ କୁହନ୍ତି ଯେ, ଏହି କାମ ବହୁତ ବଡ଼, ଛୋଟିଆ କାମ ନୁହେଁ l ଏହା ଯୋଗୁଁ ଆଜି ରାଜ୍ୟ ତଥା ଦେଶରେ ସୁନାମ ପାଇଛି l ତେଣୁ ମହିଳାଙ୍କୁ କହିବି ଯେ ଏହି ବାନ୍ଧ କାମ କରନ୍ତୁ ଓ ଦେଶ ବିଦେଶରେ ନାଁ କରନ୍ତୁ l’

ଏହା ମଧ୍ୟ ପଢନ୍ତୁ:

Women's Day Special: ନାରୀ ଶକ୍ତିର ଉଦାହରଣ ମୀରା କର, ସମାଜ ଗ୍ରହଣ କରୁ ନଥିଲା କାମରେ କରିକି ଦେଖାଇଥିଲେ

ଅଟକାଇ ପାରିନି ଅକ୍ଷମତା: ସିଲେଇ ତାଲିମ ଦେଇ 700 ମହିଳାଙ୍କୁ କରିଛନ୍ତି ସ୍ବାବଲମ୍ବୀ

ବାଉଁଶ କାରିଗରୀରେ ସମର୍ପିତ ସରୋଜିନୀ; ୧୫୦୦ଙ୍କୁ ଦେଇଛନ୍ତି ତାଲିମ, ୫୦ ମହିଳା ହୋଇଛନ୍ତି ସ୍ୱାବଲମ୍ବୀ

ଦିନେ ଥିଲେ ଦାଦନ ଶ୍ରମିକ, ଏବେ ସଫଳ ଉଦ୍ୟୋଗୀ; ବଲାଙ୍ଗୀର ଦୁଇ ସ୍ବୟଂସିଦ୍ଧା ରୀତାଞ୍ଜଳି ଓ ସନ୍ତୋଷିନୀ

କାଠ ଖେଳନାରୁ ଠାକୁର ମୂର୍ତ୍ତି ନିର୍ମାଣ, କାଠ କଳାରେ ମାହିର 'ମହିଳା ଶିଳ୍ପୀ ପ୍ରମିଳା ମହାରଣା'


ସୁଲୋଚନାଙ୍କୁ ସାହାଯ୍ୟ କରିଛି ପ୍ରଶାସନ:

ସୁଲୋଚନାଙ୍କ ଏହି କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁତ ସହଯୋଗ ପ୍ରଦାନ କରାଯାଇଛି l ରାଜ୍ୟ ତଥା ରାଜ୍ୟ ବାହାରକୁ ଟ୍ରେନିଂ ଦେବାକୁ ଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ସବୁ ଖର୍ଚ୍ଚ ବହନ କରି ଆସୁଛି l

ବରଗଡ଼ ଜିଲ୍ଲା ବରପାଲି ବ୍ଲକର ମିଶନ ଶକ୍ତିର ବ୍ଲକ ପ୍ରକଳ୍ପ ସଂଯୋଜକ ଆଲୋକ କୁମାର ବିଶ୍ୱାଳ କୁହନ୍ତି,ସୁଲୋଚନା 1996ରୁ ବୁଣା କାମ କରୁଥିଲେ l ତେବେ 2002 ମସିହାରୁ ଯେତେବେଳେ ମିଶନ ଶକ୍ତି ଆରମ୍ଭ ହେଲା ସେ ନିଜେ ବୁଣାକାର କାମ ସହ 1000 ମହିଳାଙ୍କୁ ବୟନ ଶିଳ୍ପ ବିଭାଗ ପକ୍ଷରୁ ହସ୍ତତନ୍ତ ବୁଣାକାର କାମ ଶିଖେଇଛନ୍ତି l ମୁଖ୍ୟତଃ ସେ ପ୍ରାକୃତିକ ରଙ୍ଗ କିପରି ପ୍ରସ୍ତୁତ କରାଯାଏ ସେନେଇ ବହୁ ମହିଳାଙ୍କୁ ତାଲିମ ଦେଇଛନ୍ତି l ସେ ଯେଉଁ ମାନଙ୍କୁ ତାଲିମ ଦେଇଛନ୍ତି ସେମାନେ ମଧ୍ୟ ଆଜି ପ୍ରତିଷ୍ଠିତ ହୋଇ ପାରିଛନ୍ତି l’

ମନରେ କିଛି କରି ଦେଖାଇବାର ଇଚ୍ଛାଶକ୍ତି ଥିଲେ ସବୁ କିଛି ସମ୍ଭବ ହୋଇପାରିବ । ଯାହାର ପ୍ରକୃଷ୍ଠ ଉଦାହରଣ ସୁଲୋଚନା ମେହେର । ସେ କେବଳ ଜଣେ ସଫଳ ବୁଣାକାର ନୁହନ୍ତି ଜଣେ ଭଲ ପ୍ରଶିକ୍ଷକ ଭାବେ ସୁନାମ ପାଇଛନ୍ତି । ଯେଉଁ କାମ ପାଇଁ ଦିନେ ତାଙ୍କ ବାପା ମା’ ବାହା ଦେବାକୁ ଚାହୁଁ ନଥିଲେ । ସେହି କାମକୁ ନିଷ୍ଠାର ସହ କରି ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସୁଲୋଚନା ।

ଇଟିଭି ଭାରତ, ସମ୍ବଲପୁର