ETV Bharat / state

ନଜର ଆଢୁଆଳରେ କି ଇନ୍ଦ୍ରାବତୀ ଜଳଭଣ୍ଡାର ? ହୋଇପାରିନି ଆଖି ଦୃଶିଆ ବିକାଶ ! ଉନ୍ନତିକରଣ ଦାବି

କଳାହାଣ୍ଡିରେ ଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର । ସରକାର ପର୍ଯ୍ୟଟନର ବିକାଶ ପାଇଁ 2 କୋଟି ମଞ୍ଜୁର କରିଛନ୍ତି । କାମ ହେଉନଥିବା ଲୋକଙ୍କ ଅଭିଯୋଗ ।

Indravati water reservoir kalahandi neglected citizens demand for Tourist attraction status
ସରକାରଙ୍କ ଚକ୍ଷୁ ଆଢୁଆଳରେ ଇନ୍ଦ୍ରାବତୀ ଜଳଭଣ୍ଡାର: ମୌଳିକ ଭିତ୍ତିଭୂମିର ଅଭାବ, ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି (ETV Bharat Odisha)
author img

By ETV Bharat Odisha Team

Published : February 27, 2026 at 3:15 PM IST

2 Min Read
Choose ETV Bharat

ରିପୋର୍ଟ: ଅଜିତ କୁମାର ସିଂ

ଭବାନୀପାଟଣା (କଳାହାଣ୍ଡି): ଓଡ଼ିଶାର ଏକ ଅନନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଜଳଭଣ୍ଡାର ହେଉଛି ଇନ୍ଦ୍ରାବତୀ ଜଳଭଣ୍ଡାର । ଏହାର ଚତୁପାର୍ଶ୍ବରେ ସବୁଜ ପାହାଡ଼ ଓ ବନାନୀ ପର୍ଯ୍ୟଟକଙ୍କୁ ନିଆରା ସ୍ବର୍ଗୀୟ ଅନୁଭୂତି ଦେଇଥାଏ । ହେଲେ ଏଠାରେ ଉନ୍ନୟନ ମୂଳକ କାର୍ଯ୍ୟର ଅଭାବ ଯୋଗୁଁ ଅବହେଳିତ ହୋଇପଡୁଛି ଏହି ସ୍ଥାନ । ପର୍ଯ୍ୟଟନ ପାଇଁ ଉପଯୁକ୍ତ ଭିତ୍ତିଭୂମିର ଅଭାବ ଯୋଗୁଁ ଏଠାରେ ସେତେ ପରିମାଣରେ ପର୍ଯ୍ୟଟନ ଶିଳ୍ପ ଆଗକୁ ବଢିପାରୁନାହିଁ । ସରକାରୀ ଅବହେଳା ଯୋଗୁଁ ଏଠାରେ ବହୁମୁଖୀ ପ୍ରକଳ୍ପ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ଅଭିଯୋଗ ହୁଏ ।

ସରକାରଙ୍କ ଦୃଷ୍ଟି ଆଢୁଆଳରେ ଇନ୍ଦ୍ରାବତୀ ଜଳଭଣ୍ଡାର: ମୌଳିକ ଭିତ୍ତିଭୂମିର ଅଭାବ, ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି (ETV Bharat Odisha)

ମୌଳିକ ଭିତ୍ତିଭୂମିର ଅଭାବ:

ପ୍ରାକୃତିକ ବଣ ଜଙ୍ଗଲ, ପାହାଡ଼ ଓ ଝରଣାରେ ପରିପୂର୍ଣ୍ଣ ଏହି ସ୍ଥାନ । ହେଲେ ପ୍ରୋତ୍ସାହନ ଅଭାବରୁ ପର୍ଯ୍ୟଟନ ଶିଳ୍ପ ପାଇଁ ଉପଯୁକ୍ତ ଭିତ୍ତିଭୂମି ବିକଶିତ ହୋଇପାରିନାହିଁ । ଏହି ସ୍ଥାନରେ ପହଞ୍ଚିବା ପାଇଁ ସୂଚନା ଫଳକ, ପର୍ଯ୍ୟଟକଙ୍କ ବସିବା ପାଇଁ ସ୍ଥାନ, ଭ୍ୟୁ ପଏଣ୍ଟ, ରେଷ୍ଟ ସେଡ୍ ଓ ଇକୋ ରିସୋର୍ଟ ଆଦିର ଅଭାବ ରହିଛି । ଯାହା ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟରେ ବହୁ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ସରକାର ଅଣ୍ଟା ଭିଡୁଥିବା ବେଳେ ଇନ୍ଦ୍ରାବତୀ ଜଳଭଣ୍ଡାର ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି ।



ଇନ୍ଦ୍ରାବତୀ ଉନ୍ନତି ପାଇଁ ସ୍ବତନ୍ତ୍ର ପାଣ୍ଠି ଦାବି:

ଇନ୍ଦ୍ରାବତୀରେ ଜଳଭଣ୍ଡାର ଚାଷୀଙ୍କ ପାଇଁ ଆଶୀର୍ବାଦ ଅଟେ । ତେଣୁ ଏହି ଜିଲ୍ଲା ଧାନ ଉତ୍ପାଦନରେ ରାଜ୍ୟରେ ଦ୍ଵିତୀୟ ସ୍ଥାନ ହାସଲ କରିଛି । ଏହି ଜଳଭଣ୍ଡାରକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ମିଳିଲେ ଏଠାରେ ପର୍ଯ୍ୟଟନ ଓ ସ୍ଥାନୀୟ ଲୋକଙ୍କୁ ରୋଜଗାର ପନ୍ଥା ମଧ୍ୟ ମିଳି ପାରନ୍ତା । ପର୍ଯ୍ୟଟନ ପାଇଁ ବୋଟିଂ ଓ ଇକୋ ଟୁରିଜମର ବ୍ୟବସ୍ଥା କରିଲେ ଏହି ଜିଲ୍ଲା ପର୍ଯ୍ୟଟନ କ୍ଷେତ୍ରରେ ଅନେକ ଆଗକୁ ବଢିପାରନ୍ତା । ସରକାର ହୀରାକୁଦ ଜଳଭଣ୍ଡାର ପାଇଁ ସ୍ବତନ୍ତ୍ର ପାଣ୍ଠି ବ୍ୟବସ୍ଥା କରୁଥିବା ବେଳେ ଇନ୍ଦ୍ରାବତୀ ଜଳଭଣ୍ଡାରର ଉନ୍ନତି ପାଇଁ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଦାବି ହୋଇଛି ।

The beautiful Indravati reservoir
ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଇନ୍ଦ୍ରାବତୀ ଜଳଭଣ୍ଡାର (ETV Bharat Odisha)
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଇନ୍ଦ୍ରାବତୀ ବନ୍ଧ ଓଡିଶାର ପର୍ଯ୍ୟଟନ ମାନଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିବାର ସାମର୍ଥ୍ୟ ରଖେ । କିନ୍ତୁ ବିକାଶ ଅଭାବରୁ ଏହା ଆଜି ପର୍ଯ୍ୟନ୍ତ ଅବହେଳିତ ହୋଇରହିଛି । ସ୍ଥାନୀୟ ଲୋକ ଏବେ ସରକାରଙ୍କ ତତ୍କାଳ ଦୃଷ୍ଟି ଆକର୍ଷଣ ଓ ପର୍ଯ୍ୟଟନ ବିକାଶ ପାଇଁ ଦାବି କରୁଛନ୍ତି । ଏନେଇ ସ୍ଥାନୀୟ ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି, "ବିଧାନସଭାରେ ଏନେଇ ପ୍ରଶ୍ନ ସହିତ ଉନ୍ନତିକରଣ ପାଇଁ ଦାବି କରାଯାଇଥିଲା । ହେଲେ କୌଣସି ସୁଫଳ ମିଳିନାହିଁ ।"
Indravati water reservoir
ଇନ୍ଦ୍ରାବତୀ ଜଳଭଣ୍ଡାର (ETV Bharat Odisha)

‘ସରକାରଙ୍କ ଇଚ୍ଛା ଶକ୍ତିର ଅଭାବ’:
ଥୁଆମୂଳ ରାମପୁର ବାସିନ୍ଦା ପ୍ରଦୀପ ପଣ୍ଡା କହିଛନ୍ତି, "ଇନ୍ଦ୍ରାବତୀ ନଦୀକୁ ସମ୍ପୂର୍ଣ୍ଣ ଅବହେଳା କରାଯାଇଛି । ଏଠାରେ ଇକୋ ଟୁରିଜମ ନିର୍ମାଣ ନେଇ ବିଜେଡି ସରକାର ଯୋଜନା କରିଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ଚିହ୍ନବର୍ଣ୍ଣ ଦେଖିବାକୁ ମିଳିନାହିଁ । ଏଥିରୁ ସରକାରଙ୍କ ଉଦାସୀନ ମନୋଭାବ ସ୍ପଷ୍ଟ ହେଉଛି । ପର୍ଯ୍ୟଟନ ପାଇଁ ଏଠାରେ ଭରପୁର ସ୍ଥାନ ରହିଛି । ଏହା ଉପରେ ଧ୍ୟାନ ଦେଇ ପାରିପାର୍ଶ୍ବିକ ବିକାଶ କଲେ, ଏଠାକୁ ବହୁ ପର୍ଯ୍ୟଟକ ଆସନ୍ତେ ।"

Indravati water reservoir
ଇନ୍ଦ୍ରାବତୀ ଜଳଭଣ୍ଡାର (ETV Bharat Odisha)

ଉନ୍ନତୀକରଣର ଆବଶ୍ୟକତା ରହିଛି:

ପର୍ଯ୍ୟଟକ ରଶ୍ମିତା ମହନ୍ତ କହିଛନ୍ତି,"ଇନ୍ଦ୍ରାବତୀ ଜଳଭଣ୍ଡାର ଦେଖିବା ପାଇଁ ବହୁତ ସୁନ୍ଦର । ଏଠାକୁ ଆସିବା ପାଇଁ ରାସ୍ତା ଟିକେ ଭଲ ହେଲେ ଆହୁରି ଭଲ ଭାବରେ ଲୋକେ ଆସି ପାରିବେ । ଏହା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ଥାନ ଅଟେ । ଏଠାରେ ଅନେକ ଝରଣା ମଧ୍ୟ ରହିଛି । ଯଦି ଏହି ନଦୀରେ ନୌବିହାରର ବ୍ୟବସ୍ଥା ହୁଅନ୍ତା, ତେବେ ଅନେକ ସୁନ୍ଦର ସ୍ଥାନ ପର୍ଯ୍ୟଟକ ମନଭରି ଉପଭୋଗ କରିପାରନ୍ତେ ।"

ସରକାରଙ୍କ ନିକଟରେ ଦାବି ରଖିଛି:
ସେପଟେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି, ‘ଏକ ସ୍ବତନ୍ତ୍ର ଇକୋ ଟୁରିଜମ କ୍ଷେତ୍ରର ନିର୍ମାଣ ଓ ଇ-ପର୍ଯ୍ୟଟନ କ୍ଷେତ୍ରରେ ସାମିଲ କରିବା ପାଇଁ ବିଧାନସଭା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି କରିଛି ।"

Indravati water reservoir
ଇନ୍ଦ୍ରାବତୀ ଜଳଭଣ୍ଡାର (ETV Bharat Odisha)


ପର୍ଯ୍ୟଟନର ବିକାଶ ପାଇଁ ୨ କୋଟି ଟଙ୍କା ମଞ୍ଜୁରୀ:

କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ କହିଛନ୍ତି, ‘କଳାହାଣ୍ଡି ଜିଲ୍ଲା ପାଇଁ ଏହା ଏକ ଖୁସିର କଥା । ଆମେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇନ୍ଦ୍ରାବତୀ ଜଳଭଣ୍ଡାର ନିକଟରେ ପର୍ଯ୍ୟଟନର ବିକାଶ ପାଇଁ ୨ କୋଟି ଟଙ୍କା ପାଇଛୁ । ଏନେଇ ଜାଗା ଚିହ୍ନଟ ମଧ୍ୟ ହୋଇସାରିଛି । ମହୁଲପାଟଣା ପାଖରେ ଏକ ପାର୍କ ନିର୍ମାଣ ହେବ ଏବଂ ନୌବିହାରର ବ୍ୟବସ୍ଥା ମଧ୍ୟ କରାଯିବ ।’

Indravati water reservoir
ଇନ୍ଦ୍ରାବତୀ ଜଳଭଣ୍ଡାର (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ପ୍ରେମ ସପ୍ତାହରେ କଳଙ୍କିତ ହେଲା ପ୍ରେମ: ଗର୍ଭବତୀ ପତ୍ନୀକୁ ହତ୍ୟା କରି ପୋତିଥିଲା ସ୍ବାମୀ, ଏମିତି ଖୋଲିଲା ରହସ୍ୟ

ମିଳୁନି ଟୋକନ, ମଣ୍ଡିରୁ ଉଠୁନି ଧାନ: ଚାଷୀ ସମସ୍ୟା ନେଇ ଗଜପତି ଓ କଳାହାଣ୍ଡିରେ ଗର୍ଜିଲା ବିଜେଡ଼ି

ଅନ୍ଧ, ମୂକ, ବଧିର ବିଦ୍ୟାଳୟରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ଘଟଣାସ୍ଥଳରେ ତଦନ୍ତକାରୀ ଟିମ


ଇଟିଭି ଭାରତ, କଳାହାଣ୍ଡି