ଓଡ଼ିଶାରେ ଏସଆଇଆର ପ୍ରକ୍ରିୟାର ସମୀକ୍ଷା କଲେ ଭାରତର ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀ
ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ୯ଟି ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କ ସହ ସେମାନଙ୍କ ଜିଲ୍ଲାର ସ୍ଥିତି ବାବଦରେ ପୃଥକ ଭାବେ ଆଲୋଚନା କରିଛନ୍ତି । ରିପୋର୍ଟ: ଭବାନୀ ଶଙ୍କର ଦାସ


Published : June 16, 2026 at 10:04 PM IST
Jnanesh Bharti reviews SIR process in Odisha, ଭୁବନେଶ୍ବର: ଓଡ଼ିଶାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର ପ୍ରକ୍ରିୟାର ଅଗ୍ରଗତି ନେଇ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଭାରତର ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀ ଏହି ବୈଠକରେ ସମସ୍ତ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିଛନ୍ତି ।
ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାକ ଏସଆଇଆର ସମୟରେ ରାଜ୍ୟରେ ଭୋଟର ସଂଖ୍ୟା ୩ କୋଟି ୩୩ ଲକ୍ଷ ଥିଲା । ସେମାନଙ୍କ ମଧ୍ୟରୁ ୩.୧୬ କୋଟି ଭୋଟରଙ୍କ ମ୍ୟାପିଂ ସଫଳତାର ସହ ଶେଷ ହୋଇଥିଲା । ମୋଟ ଭୋଟର ଏହା ୯୪.୬ ପ୍ରତିଶତ । ମାତ୍ର ୫.୩୪ ପ୍ରତିଶତ ଭୋଟର ଅନ୍-ମ୍ୟାପିଂ ରହିଛନ୍ତି । ଏବେ ସୁଦ୍ଧା ଅର୍ଥାତ ଜୁନ ୧୬ ସୁଦ୍ଧା ୯୯.୨୦ ପ୍ରତିଶତ ପରିଗଣନା ଫର୍ମ ବଣ୍ଟନ ହୋଇଛି । ସେଥି ମଧ୍ୟରୁ ୪୬.୪୪ ପ୍ରତିଶତ ଭୋଟରଙ୍କର ଡିଜିଟାଇଜେସନ ହୋଇଛି । ପରିଗଣନା ଫର୍ମ ବଣ୍ଟନ ଓ ଡିଜିଟାଇଜେସନ ପ୍ରକ୍ରିୟାରେ ସୁନ୍ଦରଗଡ଼ ଜିଲ୍ଲା ସାରା ରାଜ୍ୟରେ ଶୀର୍ଷରେ ରହି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି ।

ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ୯ଟି ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କ ସହ ସେମାନଙ୍କ ଜିଲ୍ଲାର ସ୍ଥିତି ବାବଦରେ ପୃଥକ ପୃଥକ ଭାବେ ଆଲୋଚନା କରିଛନ୍ତି । ଆଜି ସୁଦ୍ଧା କେତେ ପରିଗଣନା ଫର୍ମ ବଣ୍ଟନ କରାଯାଇଛି, ସେଥିରୁ କେତେ ପ୍ରତିଶତ ଡିଜିଟାଇଜେସନ ଶେଷ ହୋଇଛି ଓ କେଉଁ ସବୁ ସମସ୍ୟା ଯୋଗୁଁ ପ୍ରକ୍ରିୟାରେ ବିଳମ୍ବ ହେଉଛି, ସେ ସମସ୍ତ ଦିଗ ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଛି । ଏହି ଅବସରରେ ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତଙ୍କ ନିକଟରେ ରାଜ୍ୟରେ ଚାଲିଥିବା ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ଅଗ୍ରଗତି ଉପରେ ଏକ ପାୱାର ପଏଣ୍ଟ ଉପସ୍ଥାପନା ପ୍ରଦର୍ଶନ କରିଛନ୍ତି । ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଅଗ୍ରଗତି ନେଇ ଆତ୍ମସନ୍ତୋଷ ପ୍ରକାଶ କରିବା ସହ ସମୟ ଅବଧି ପୂର୍ବରୁ ସମସ୍ତ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଓଡ଼ିଶାରେ କେହି ଜଣେ ବି ଯୋଗ୍ୟ ଭୋଟର ଯେପରି ବାଦ ନପଡ଼ନ୍ତି, ସେ ଦିଗରେ ମଧ୍ୟ ଅଧିକ ଧ୍ୟାନ ରଖିବାକୁ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି । ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକୁ ଅଧିକ ସୁଗମ ଓ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ଏସଆଇଆର କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କ ବଦଳି ବା ନିଯୁକ୍ତି ଉପରେ ନିଷେଧାଦେଶ ଲାଗୁ କରାଯାଇଛି । ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସୁଚାରୁ ପରିଚାଳନା ପାଇଁ ଅତିରିକ୍ତ ୨୭୫ ଜଣ ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ରାଜ୍ୟରେ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ସହ ବୈଠକ ହୋଇଛି । ଦାବି ଏବଂ ଆପତ୍ତି ଅଭିଯୋଗର ଶୁଣାଣି ପାଇଁ ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀସ୍ତରରେ ଶୁଣାଣି ଶିବିର ପ୍ରତିଷ୍ଠା କରାଯାଇଛି ।

ଜିଲ୍ଲା ନିର୍ବାଚକ ପଞ୍ଜୀକରଣ ଅଧିକାରୀ, ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଓ ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ତରରେ ସହାୟତା କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି । ଯାହା ଫଳରେ ସାଧାରଣ ଭୋଟର ମାନେ ସେମାନଙ୍କ ଆପତ୍ତି ଅଭିଯୋଗ ଜଣାଇ ସହାୟତା ପାଇ ପାରିବେ । କ୍ଷେତ୍ର ଓ ରାଜ୍ୟ ସ୍ତରରେ ପର୍ଯ୍ୟାପ୍ତ କର୍ମଚାରୀ ନିୟୋଜନ ସୁନିଶ୍ଚିତ କରାଯାଇଛି । ଏସଆଇଆର- ୨୦୨୬ର ସଫଳ ରୂପାୟନ ପାଇଁ ୩୧ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀ ୧୪୭ ଜଣ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଓ ୯୯୪ ଜଣ ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ପରିଗଣନା ଫର୍ମ ବଣ୍ଟନ ଓ ଦାଖଲର ଶେଷ ସମୟ ସୀମା ଜୁନ ୨୮ ତାରିଖ ରହିଛି । କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଉପସ୍ଥିତ ଥିବା ୯ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆସନ୍ତା ଜୁନ ୨୩ ଓ ୨୪ ତାରିଖ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଉଚ୍ଚସ୍ତରୀୟ ବୈଠକରେ ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତଙ୍କ ସମେତ ଭାରତ ନିର୍ବାଚନ ଆୟୋଗର ପ୍ରମୁଖ ସଚିବ ଏସ ବି ଯୋଶୀ, ଭାରତ ନିର୍ବାଚନ ଆୟୋଗର ଉପ ସଚିବ ଅଭିନଭ ଅଗ୍ରୱାଲ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ଆର୍ ଏସ୍ ଗୋପଳନ, ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର, ଡେପୁଟି ସିଇଓ ଡ. ଲକ୍ଷ୍ମୀପ୍ରସାଦ ସାହୁ, ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ବାଲେଶ୍ବର ଜିଲ୍ଲାପାଳ ମୟୂର ବିକାଶ ସୂର୍ଯ୍ୟବଂଶୀ, ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର, ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ, ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଅନୁଗୁଳ ଜିଲ୍ଲାପାଳ ଅବଦାଲ ଏମ ଅଖତର, କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟର, ବିଏମସିର ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଭୁବନେଶ୍ୱର ଉପ ଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଡ.ମନୋରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ୨ ଦିନିଆ ଓଡ଼ିଶା ଗସ୍ତରେ ଉପନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀ; SIR ପ୍ରକ୍ରିୟାର କରିବେ ସମୀକ୍ଷା
ଏହା ମଧ୍ୟ ପଢ଼ନ୍ତୁ: SIR ପ୍ରକ୍ରିୟାରେ ତ୍ରୁଟି ଅଭିଯୋଗ ଆଣିଲା ବିଜେଡି; ବିଏଲଓଙ୍କୁ ମିଳିନାହିଁ ସଠିକ୍ ତାଲିମ
ଏହା ମଧ୍ୟ ପଢ଼ନ୍ତୁ: ଓଡିଶାରେ ଆଜିଠୁ ଏସଆଇଆର; ପ୍ରଥମ ଦିନରେ ୨ ଲକ୍ଷ ୫୯ ହଜାର ୧୬୬ ଭୋଟରଙ୍କୁ ପରିଗଣନା ଫର୍ମ
ଇଟିଭି ଭାରତ, ଭୁବନେଶ୍ବର

