ଶିଶୁମାନଙ୍କ ଅନଲାଇନ୍ ସୁରକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ; DEO ଓ ADEOମାନଙ୍କୁ ଦିଆଗଲା ପ୍ରଶିକ୍ଷଣ
“ଶିଶୁମାନଙ୍କ ଅନଲାଇନ୍ ସୁରକ୍ଷା”କୁ ଦୃଷ୍ଟିରେ ରଖି DEO ଏବଂ ADEO ମାନଙ୍କ ପାଇଁ ଆଜି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରିପୋର୍ଟ- ସତ୍ୟଜିତ ରାଉତ


Published : April 24, 2026 at 9:31 PM IST
ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଡିଜିଟାଲ ହେବା ଜରୁରୀ । ଆଉ ଏହାକୁ ଦୃଷ୍ଟିରେ ରଖି, ଆଜିର ଡିଜିଟାଲ ଯୁଗରେ ପିଲାମାନଙ୍କ ପାଇଁ ମଧ୍ୟ ମୋବାଇଲ ବ୍ୟବହାର ଜରୁରୀ ହୋଇପଡ଼ିଛି । ପାଠ ଏବଂ ଅନ୍ୟାନ୍ୟ କାମ ପାଇଁ ଶିଶୁମାନେ ଅନଲାଇନ୍ ରହୁଛନ୍ତି । ଏପରିସ୍ଥଳେ ପିଲାମାନଙ୍କ ଅନଲାଇନ୍ ସୁରକ୍ଷାକୁ ନେଇ ସମସ୍ତେ ଚିନ୍ତିତ ହୋଇଛନ୍ତି । ଏଭଳିସ୍ଥିତିରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ଏବଂ ଚାଇଲ୍ଡଫଣ୍ଡ୍ ଇଣ୍ଡିଆର ମିଳିତ ସହଯୋଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ADEO)ମାନଙ୍କ ପାଇଁ “ଶିଶୁମାନଙ୍କ ଅନଲାଇନ୍ ସୁରକ୍ଷା”କୁ ଦୃଷ୍ଟି ରେ ରଖି ଆଜି (ଶୁକ୍ରବାର) ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଖାରବେଳନଗରସ୍ଥିତ ଏକ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ OSCPCR, OSEPA, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଚାଇଲ୍ଡଫଣ୍ଡ୍ ଇଣ୍ଡିଆର ସଦସ୍ୟମାନଙ୍କୁ ମିଶାଇ ସମୁଦାୟ ୮୦ ଜଣ ଅଧକାରୀ ଯୋଗ ଦେଇଥିଲେ ।
ଏହି ପ୍ରଶିକ୍ଷଣରେ OSCPCR ଅଧ୍ୟକ୍ଷା ବବିତା ପାତ୍ର ଅଧ୍ୟକ୍ଷତା କରିଥିଲେ । ସେ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିବା ସହ ଅନଲାଇନ୍ ସୁରକ୍ଷା କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ପିଲାମାନଙ୍କୁ ଅନଲାଇନ୍ ବିପଦରୁ ରକ୍ଷା କରିବା ପାଇଁ ଶିକ୍ଷା ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ପ୍ରକାଶ କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍. ତିରୁମାଲା ନାଏକ ଏଭଳି ଏକ ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପଦକ୍ଷେପ ନେଇଥିବାରୁ ସେ OSCPCR ଏବଂ ଚାଇଲ୍ଡଫଣ୍ଡ୍ ଇଣ୍ଡିଆର ପ୍ରୟାସକୁ ପ୍ରଶଂସା କରିଥିଲେ । ପିଲାମାନଙ୍କୁ ଅନଲାଇନ୍ ଶୋଷଣରୁ ରକ୍ଷା କରିବା ପାଇଁ ପିଲା ଏବଂ ଅଭିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସେ ଅଧକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

OSEPA ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ଶିଶୁମାନଙ୍କ ଅନଲାଇନ୍ ସୁରକ୍ଷା ସମ୍ବନ୍ଧୀୟ ଶିକ୍ଷାକୁ ବିଦ୍ୟାଳୟର ପାଠ୍ୟକ୍ରମରେ ସାମିଲ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ବିଶେଷ କରି ପିଲାମାନେ ଯେପରି ଖେଳ ମାଧ୍ୟମରେ ଏହାକୁ ଆନନ୍ଦର ସହ ଶିଖିପାରିବେ, ସେଥିପାଇଁ ସେ ଗେମିଂ ପଦ୍ଧତି (Gaming method) ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ଚାଇଲ୍ଡଫଣ୍ଡ୍ ଇଣ୍ଡିଆ କାର୍ଯ୍ୟକ୍ରମ ନିର୍ଦ୍ଦେଶିକା ଶ୍ରାବନ୍ତୀ ସେନ୍ କେନ୍ଦ୍ରାପଡ଼ାଠାରେ ଶିଶୁ ଅନଲାଇନ୍ ସୁରକ୍ଷା ଉପରେ ହୋଇଥିବା ପାଇଲଟ୍ ପ୍ରକଳ୍ପର ତଥ୍ୟ ଉପସ୍ଥାପନ କରିଥିଲେ । ଏଥିସହ ଗୃହ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ OSCPCR ସଦସ୍ୟା ମନସ୍ମିତା ଖୁଣ୍ଟିଆ, କସ୍ତୁରୀ ମିଶ୍ର, ଚନ୍ଦନା ଦାସ ଏବଂ OSEPAର ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ରାଉତ ଓ ପ୍ରାଚୀ ତନୟା ଗିରି ପ୍ରମୁଖ ଉପସ୍ଥିତ ଥିଲେ । OSCPCRର ସଚିବ ଶ୍ରୀମତୀ ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରଶିକ୍ଷକ ଶ୍ରୀମତୀ ରୂପା କାପୁର୍ ସମସ୍ତ ପ୍ରତିଭାଗୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।

ଏନେଇ ଗଣମାଧ୍ୟମରେ ବବିତା ପାତ୍ର କହିଛନ୍ତି,"ପିଲାମାନେ ଅଧିକ ମାତ୍ରାରେ ମୋବାଇଲ ବ୍ୟବହାର କରୁଛନ୍ତି । ସେମାନେ ଅନଲାଇନରେ ରହିବା ସହ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ରହୁଛନ୍ତି । ବର୍ତ୍ତମାନ ସମୟରେ ଡିଜିଟାଲ ହେବା ମଧ୍ୟ ଜରୁରୀ । ପିଲାମାନେ ଅନଲାଇନରେ ବହୁତ ଜିନିଷ ଜାଣିବାକୁ ପାଉଛନ୍ତି । ନିଜର ଅନ୍ତର୍ନିହିତ ଗୁଣକୁ ବିକଶିତ କରିବା ପାଇଁ ଅନଲାଇନ୍ ଏକ ଭଲ ବ୍ୟବସ୍ଥା ମଧ୍ୟ । ହେଲେ ଅନଲାଇନର କୁପ୍ରଭାବ ମଧ୍ୟ ପଡୁଛି । ପିଲାମାନେ କେତେବେଳେ ଅପରାଧୀ କିମ୍ବା ପୀଡିତ ମଧ୍ୟ ହୋଇଯାଉଛନ୍ତି । ପିଲାମାନେ କିଭଳି ଡିଜିଟାଲ ବ୍ୟବହାରକୁ ସୁରକ୍ଷାର ସହ କରିପାରିବେ, ସେନେଇ ଏହି ପଦକ୍ଷେପ ନିଆଯାଇଛି । ପ୍ରଶିକ୍ଷଣ ପାଇ ଡିଇଓମାନେ ଟ୍ରେନର ଭାବେ ବିଇଓ, ଏବିଇଓ ଓ ସ୍କୁଲ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ଦେବେ," ବୋଲି ବବିତା ପାତ୍ର କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ- ଅନଲାଇନ୍ ଷ୍ଟକ୍ ଠକେଇ ଜାଲରେ ପୁଣେର ୭୫ ବର୍ଷୀୟ ଡାକ୍ତର, ଅଧିକ ଲାଭ ଆଶାରେ ହରାଇଲେ ୧୨ କୋଟିରୁ ଅଧିକ ଟଙ୍କା
ଏହା ମଧ୍ୟ ପଢ଼ନ୍ତୁ- ଫେକ୍ ଟ୍ରେଡିଂ ଆଳରେ ସାଇବର ଠକେଇ; ପୃଥକ ମାମଲାରେ ଦମ୍ପତିଙ୍କ ସମେତ ୩ ଜଣ ଗିରଫ
ଇଟିଭି ଭାରତ, ଭୁବନେଶ୍ବର

