ହାଡ଼ଭଙ୍ଗା ଶୀତରେ ଥରୁଛି କନ୍ଧମାଳ ଓ ଝାରସୁଗୁଡ଼ା, ଆହୁରି 5 ଦିନ ଘନ କୁହୁ଼ଡ଼ି
ଓଡ଼ିଶାରେ ଶୀତ ଏବଂ ଘନ କୁହୁଡ଼ି । 23ଟି ସ୍ଥାନରେ ପାରଦ 10 ଡିଗ୍ରୀରୁ ତଳେ ରହିଥିବା ବେଳେ, 13ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ଆଇଏମଡି ।

Published : January 8, 2026 at 8:12 AM IST
|Updated : January 8, 2026 at 9:32 AM IST
ODISHA WEATHER UPDATE ଭୁବନେଶ୍ବର: ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ଗତ 24 ଘଣ୍ଟାରେ 23ଟି ସ୍ଥାନରେ 10 ଡିଗ୍ରୀରୁ ତଳେ ରହିଛି ପାରଦ । ଆହୁରି 5 ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରାଜ୍ୟର ଅନେକାଂଶରେ ଦେଖିବାକୁ ମିଳିବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ଶୁଖିଲା ବାୟୁ ପ୍ରବାହ ଯୋଗୁଁ 13ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ଆଇଏମଡି (IMD) । ସେହିପରି 3ଟି ଜିଲ୍ଲାରେ ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସର୍ବନିମ୍ନ ତାପମାତ୍ରା:
ଗତ 24 ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ସେହିପରି ପର୍ବତାଞ୍ଚଳ ମଧ୍ୟରେ ଜି. ଉଦୟଗିରିରେ 3 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ନୟାଗଡ଼ ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ଘନକୁହୁଡ଼ି ଦୃଶ୍ୟମାନ ହୋଇଥିଲା । ସେହିପରି ସେମିଳିଗୁଡ଼ା ଠାରେ 4.1 ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ରାଉରକେଲାରେ 5.1 ଡିଗ୍ରୀ ସେଲସିୟସ୍ , ଝାରସୁଗୁଡ଼ାରେ 5.4 ଡିଗ୍ରୀ ସେଲସିୟସ୍ ଓ ଦାରିଙ୍ଗିବାଡ଼ିରେ 7ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ଼ ହୋଇଛି ।
Minimum Temperature Forecast for next 5 days #Odisha #WINTER #temperature pic.twitter.com/1EFy8HdouR
— Meteorological Centre, Bhubaneswar (@mcbbsr) January 7, 2026
5 ଦିନ ଯାଏଁ ଓଡ଼ିଶାରେ ଘନ କୁହୁଡ଼ି:
ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନାହିଁ । ଫଳରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ବର୍ଷା ହେବାର ବିଶେଷ ସମ୍ଭାବନା ନାହିଁ । ତେଣୁ ପୁଣି ଥରେ ଜାଡ଼ ବା ପ୍ରବଳ ଶୀତ ଅନୁଭବ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଉପକୂଳ ଅଞ୍ଚଳରେ ଦେଖା ଦେବାର ସମ୍ଭାବନା ରହିଛି । ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ବାଲେଶ୍ବର ଭଳି ଉପକୂଳବର୍ତ୍ତୀ ଅଞ୍ଚଳରେ ଏପରି କୁହୁଡ଼ି ଦେଖା ଦେବାର ସମ୍ଭାବନା ରହିଛି । ଆଗାମୀ 5 ଦିନ ପର୍ଯ୍ୟନ୍ତ କୁହୁଡ଼ି ଲାଗି ରହିବ । ବୌଦ୍ଧ, ନୟାଗଡ଼ ଓ କୋରାପୁଟ ଜିଲ୍ଲାରେ ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖିବାକୁ ମିଳିବ ।
Warning over the State. Day- 1 : Dense Fog Warning at isolated pockets in the marked districts. Day-1 to Day-3: Cold Wave warning over the marked districts. Day-4 to Day-7 : No Warning. #Odisha #fog #foggyweather #COLD pic.twitter.com/IdDsMX3qp9
— Meteorological Centre, Bhubaneswar (@mcbbsr) January 7, 2026
ୟେଲୋ ୱାର୍ଣ୍ଣିଂ:
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର 13ଟି ଜିଲ୍ଲାରେ ପ୍ରବଳ ଶୀତ ପ୍ରବାହ ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ସୋନପୁର, ଅନୁଗୋଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଢେଙ୍କାନାଳ, କେନ୍ଦୁଝର, ବାଲେଶ୍ବର, ସୁନ୍ଦରଗଡ଼, ଝାରସୁଗୁଡ଼ା ଆଦି ସ୍ଥାନରେ ପ୍ରବଳ ଶୀତ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଆସନ୍ତାକାଲି(ଜାନୁଆରୀ 9) 7ଟି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଦେଓଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଆଦି ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଦେଖା ଦେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।
10 ଡିଗ୍ରୀ ତଳେ ତାପମାତ୍ରା:
ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଆଜି 8 ଡିସେମ୍ବର 2026 ତାରିଖରେ 21ଟି ସ୍ଥାନରେ ପାରଦ 10 ଡିଗ୍ରୀ ତଳେ ରହିବ । ଆଗାମୀ 24 ଘଣ୍ଚା ମଧ୍ୟରେ ରାଜ୍ୟର 21ଟି ସ୍ଥାନରେ ତାପମାତ୍ରା 10 ଡିଗ୍ରୀରୁ କମ୍ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଏହା ସହିତ ଅନେକ ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିବ । ବୌଦ୍ଧ, ନୟାଗଡ଼ ଓ କୋରାପୁଟ ଜିଲ୍ଲା ଆଦି ସ୍ଥାନରେ ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖାଯିବାର ଚେତାବନୀ ଦେଇଛି ପାଣିପାଗ ବିଭାଗ । ଆସନ୍ତା 24 ଘଣ୍ଟାରେ ଏହି ସ୍ଥାନ ଗୁଡ଼ିକରେ ତାପମାତ୍ରା 10 ଡିଗ୍ରୀ ତଳେ ରହିବ ବୋଲି ପୂର୍ବାନୁମାନ କରାଯାଇଛି ।
- ଫୁଲବାଣୀ- 5
- ରାଉରକେଲା-5
- ଝାରସୁଗୁଡ଼ା-5
- ଭବାନୀପାଟଣା- 8
- କେନ୍ଦୁଝର- 8
- ଅନୁଗୋଳ- 8
- ସୁନ୍ଦରଗଡ଼- 8
- କୋରାପୁଟ-9
- ନବରଙ୍ଗପୁର - 9
- ବାରିପଦା- 9
- ବାଲେଶ୍ବର- 9
- ବଲାଙ୍ଗୀର-9
- ବୌଦ୍ଧ- 9
- ଢେଙ୍କାନାଳ-9
- ସୋନପୁର- 10
- ସମ୍ବଲପୁର- 10
- ରାୟଗଡ଼ା- 10
- ଖୋର୍ଦ୍ଧା- 10
- ଭୁବନେଶ୍ବର- 10
- କଟକ -10
- ଜଗତସିଂହପୁର- 10
ଇଟିଭି ଭାରତ, ଭୁବନେଶ୍ବର

