ଦୁଇ ଦିନ ପରେ ଓଡ଼ିଶାରେ ପୁଣି ବଢ଼ିବ ଜାଡ଼, 2ରୁ 4 ଡିଗ୍ରୀ କମିବ ତାପମାତ୍ରା: IMD
ଓଡ଼ିଶାରେ ଘନ କୁହୁଡ଼ି ଜାରି ରହିଛି । କିଛି ସ୍ଥାନରେ ଦୃଶ୍ୟମାନ କ୍ଷମତା 200 ମିଟରରୁ କମ୍ ରହୁଛି । 2 ଜିଲ୍ଲାକୁ ଅରେଞ୍ଜ, 10 ଜିଲ୍ଲାକୁ ଆଇଏମଡି ପକ୍ଷରୁ ୟେଲୋ ଆଲର୍ଟ ।

Published : January 5, 2026 at 9:19 AM IST
|Updated : January 5, 2026 at 10:48 AM IST
ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଘନ କୁହୁଡ଼ି ଚାଦରରେ ଢାଙ୍କି ହୋଇଯାଉଛି ଉପକୂଳ ଓଡ଼ିଶାର ଅନେକ ଜିଲ୍ଲା । ଘନ କୁହୁଡ଼ି ଜନଜୀବନକୁ ବ୍ୟତିବ୍ୟସ୍ତ କରି ପକାଉଛି । ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳ ସବୁଠି ଦୃଶ୍ୟମାନ ହେଉଛି ଘନ କୁହୁଡ଼ି । ସକାଳ ନଅଟା ପର୍ଯ୍ୟନ୍ତ ଘନ କୁହୁଡ଼ିରୁ ମିଳୁନି ନିସ୍ତାର । ବିିିଭିନ୍ନ ସ୍ଥାନରେ ଦୃଶ୍ୟମାନ କ୍ଷମତା 200 ମିଟରରୁ କମ୍ ରହୁଛି । ଆଜି ପାଇଁ ରାଜ୍ୟର 2ଟି ଜିଲ୍ଲାକୁ ଅରେଞ୍ଜ ଓ 10 ଜିଲ୍ଲାକୁ କୁହୁଡ଼ି ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ବର୍ତ୍ତମାନ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ 2 ରୁ 3 ଡିଗ୍ରୀ ପରିବର୍ତ୍ତନ ଆସିଛି । ଫଳରେ ଶୀତରୁ ସାମାନ୍ୟ ତ୍ରାହି ମିଳିଛି । ହେଲେ ଆସନ୍ତା 7 ତାରିଖ ଯାଏଁ ରାଜ୍ୟରେ ଘନ କୁହୁଡ଼ିକୁ ନେଇ ଚେତାବନୀ ଜାରି କରାଯାଇଛି । ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଯାଜପୁର ଓ ନୟାଗଡ଼ ଜିଲ୍ଲାରେ ଅତିପ୍ରବଳ ଘନ କୁହୁଡ଼ିକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାବାଦ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଗଜପତି, କନ୍ଧମାଳ, ଗଞ୍ଜାମ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଘନ କୁହୁଡ଼ିକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାରେ ଦୃଶ୍ୟମାନ କ୍ଷମତା 200 ମିଟରରୁ କମ୍ ରହିବ ।

ଅତିପ୍ରବଳ ଘନ କୁହୁଡ଼ିକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ
- ଯାଜପୁର
- ନୟାଗଡ଼
ଘନ କୁହୁଡ଼ିକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ
- ଖୋର୍ଦ୍ଧା
- ପୁରୀ
- କଟକ
- ଜଗତସିଂପୁର
- କେନ୍ଦ୍ରାପଡ଼ା
- ଢେଙ୍କାନାଳ
- ଗଜପତି
- କନ୍ଧମାଳ
- ଗଞ୍ଜାମ
- ସୁନ୍ଦରଗଡ଼
Warning over the State. Day- 1 & Day-2 : Dense to Very Dense Fog Warning at isolated pockets in the marked districts. Day-3 & Day-4 : Dense Fog Warning at isolated pockets in the marked districts. Day-5 to Day-7 : No Warning. #Odisha #fog #foggyweather #COLD pic.twitter.com/AIStaOCtFP
— Meteorological Centre, Bhubaneswar (@mcbbsr) January 4, 2026
ପୁଣି ବଢିବ ଶୀତ:
ଆଜି ଶୀତ ସାମାନ୍ୟ କମ୍ ରହିଥିବା ବେଳେ ଆଉ 2 ଦିନ ପରେ ପୁଣି ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । କିଛି ଦିନ ହେବ 2 ରୁ 3 ଡିଗ୍ରୀ ତାପମାତ୍ର ବଢିବା ପରେ ଶୀତ ସାମାନ୍ୟ ବ୍ରେକ ଲାଗିଥିଲା । ପୁଣି 2 ଦିନ ପରେ 2ରୁ 4 ଡିଗ୍ରୀ ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।
ଏହା ମଧ୍ୟ ପଢନ୍ତୁ:- ଘନ କୁହୁଡ଼ି ଚାଦରରେ ଓଡ଼ିଶା: ଶୀତରୁ ସାମାନ୍ୟ ଆଶ୍ବସ୍ତି, ଏସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଏହା ମଧ୍ୟ ପଢନ୍ତୁ:- ଜାଡରେ ଥରୁଛି ଓଡ଼ିଶା: ଆହୁରି 4 ଦିନ ଲାଗି ରହିବ ଘନ କୁହୁଡି, 12 ଜିଲ୍ଲାକୁ ସର୍ତକ ସୂଚନା
ଇଟିଭି ଭାରତ, ଭୁବନେଶ୍ବର

