ETV Bharat / state

କଲବଲ କରୁଛି ଶୀତ, ଟ୍ବିନସିଟିରେ 10 ଡିଗ୍ରୀ ତଳେ ପାରଦ, ଆହୁରି 2 ଦିନ ଥରିବ ଓଡ଼ିଶା

ରାଜ୍ୟରେ କମିଲା କୁହୁଡ଼ି ପ୍ରଭାବ କମିଥିବା ବେଳେ ବଢିଛି ଶୀତ ଲହରୀ । ପ୍ରବଳ ଜାଡ଼ରେ କମ୍ପୁଛି ସମଗ୍ର ରାଜ୍ୟ । ରାଜଧାନୀ ଭୁବନେଶ୍ବରରେ 10 ଡିଗ୍ରୀ ତଳକୁ ଖସିଲା ପାରଦ ।

Severe Cold wave
କଲବଲ କରୁଛି ଶୀତ (ANI)
author img

By ETV Bharat Odisha Team

Published : January 9, 2026 at 8:02 AM IST

|

Updated : January 9, 2026 at 9:10 AM IST

2 Min Read
Choose ETV Bharat

ଭୁବନେଶ୍ବର: ଭୟଙ୍କର ହାଡଭଙ୍ଗା ଶୀତରେ ଥରହର ଓଡିଶାବାସୀ । ରାଜଧାନୀରେ 10 ତଳକୁ ଖସିଲା ପାରଦ । ଆହୁରି 2 ଦିନ ପର୍ଯ୍ୟନ୍ତ ଶୀତ ଲହରୀରୁ ମିଳିବନି ନିସ୍ତାର । ଘନ କୁହୁଡ଼ିରୁ ସାମାନ୍ୟ ନିସ୍ତାର ମିଳିଥିବା ବେଳେ ପ୍ରବଳ ଜାଡ଼ରେ ଥରୁଛନ୍ତି ରାଜ୍ୟବାସୀ । ରାଜ୍ୟର 24ଟି ସ୍ଥାନରେ ତାପମାତ୍ରା 10ଡ଼ିଗ୍ରୀରୁ କମ୍ ଥିବା ରେକର୍ଡ଼ କରାଯାଇଛି । ସର୍ବନିମ୍ନ ତାପମାତ୍ରା 5 ଡିଗ୍ରୀ ସେଲସିୟସ୍ ଫୁଲବାଣୀ ଠାରେ ରେକର୍ଡ଼ ହୋଇଛି । ପର୍ବତାଞ୍ଚଳ ମଧ୍ୟରେ ଜି. ଉଦୟଗିରି ଠାରେ ସର୍ବନିମ୍ନ 2.5 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ଼ କରାଯାଇଛି । ଆଗାମୀ 3 ଦିନ ପର୍ଯ୍ୟନ୍ତ କୁହୁଡିର ପ୍ରକୋପ କମ୍ ରହିବା ସହିତ ଜାଡ଼ର ପ୍ରଭାବ ଅନେକ ସ୍ଥାନରେ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

କମିଲା କୁହୁଡ଼ି, ବଢିଲା ଶୀତ:

ସମଗ୍ର ରାଜ୍ୟରେ ଶୀତ ଲହରୀର ପ୍ରଭାବ ଅନୁଭୂତ ହେଉଛି । ରାଜଧାନୀରେ ସର୍ବନିମ୍ନ ତାପମାତ୍ରା 9.4 ଡିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ କଟକରେ ସର୍ବନିମ୍ନ ତାପମାତ୍ରା 9.6 ଡିଗ୍ରୀ ରେକର୍ଡ କରାଯାଇଛି । ଅନୁଗୋଳ, ଜଗତସିଂହପୁର, ଖୋର୍ଦ୍ଧା ଓ ଝାରସୁଗୁଡ଼ା ଜିଲ୍ଲାରେ ଶୀତ ପ୍ରବାହ ପରିସ୍ଥିତି ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେମିଳିଗୁଡ଼ାରେ 3.2 ଡିଗ୍ରୀ, ରାଉରକେଲାରେ 5.4 ଡିଗ୍ରୀ, ଝାରସୁଗୁଡାରେ 5.8 ଡିଗ୍ରୀ ସେଲସିୟସ୍, ଦାରିଙ୍ଗିବାଡ଼ି ଠାରେ 6 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ଏହା ସହିତ ରାଜ୍ୟରେ କୁହୁଡ଼ିର ପ୍ରଭାବ କମ୍ ରହିଛି । ବହୁ ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର କୁହୁଡ଼ି ଦେଖିବାକୁ ମିଳିଛି ।

12 ତାରିଖରୁ ପୁଣି କୁହୁଡ଼ି ସମ୍ଭାବନା:

ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନାହିଁ । ଯାହା ଫଳରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ବର୍ଷା ହେବାର ବିଶେଷ ସମ୍ଭାବନା ନାହିଁ । ତେଣୁ ପୁଣି ଥରେ ଜାଡ଼ ବା ପ୍ରବଳ ଶୀତ ଅନୁଭବ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଉପକୂଳ ଅଞ୍ଚଳରେ ଦେଖା ଦେବାର ସମ୍ଭାବନା ରହିଛି । ଆସନ୍ତା 12 ତାରିଖରୁ ରାଜ୍ୟରେ କୁହୁଡ଼ିର ପ୍ରାଦୁର୍ଭାବ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।

ଶୀତ ଲହରୀ:

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର 7ଟି ଜିଲ୍ଲାରେ ପ୍ରବଳ ଶୀତ ଲହରୀ ପ୍ରବାହ ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । କଳାହାଣ୍ଡି, କନ୍ଧମାଳ, ଅନୁଗୋଳ, ସୁନ୍ଦରଗଡ଼, ବାଲେଶ୍ୱର, ଜଗତସିଂହପୁର, ଖୋର୍ଦ୍ଧା ଆଦି ସ୍ଥାନରେ ପ୍ରବଳ ଶୀତ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆଜି(ଜାନୁଆରୀ 9) ସକାଳ ସୁଦ୍ଧା 11ଟି ଜିଲ୍ଲା ଯଥା: ଅନୁଗୋଳ, ବାଲେଶ୍ୱର,ଜଗତସିଂହପୁର, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା ଆଦି ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଦେଖା ଦେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।

ଥରୁଛି ରାଜ୍ୟ:

ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ଆସନ୍ତା 24 ଘଣ୍ଚା ମଧ୍ୟରେ 20ଟି ସ୍ଥାନରେ ପାରଦ 10 ଡିଗ୍ରୀ ତଳେ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଏହା ସହିତ ଅନେକ ସ୍ଥାନରେ ଶୀତ ଲହରୀର ପ୍ରଭାବ ଅନୁଭୂତ ହେବ । ଏହି ସବୁ ସ୍ଥାନରେ ପାରଦ 10 ଡିଗ୍ରୀ ତଳକୁ ଖସିବା ନେଇ ପାଣିପାଗ ବିଭାଗ ସୂଚନା ଜାରି କରିଛି ।

10 ଡିଗ୍ରୀ ତଳେ ତାପମାତ୍ରା

  • ଫୁଲବାଣୀ - 4 ଡିଗ୍ରୀ
  • ରାଉରକେଲା - 5 ଡିଗ୍ରୀ
  • ଭବାନୀପାଟଣା - 6 ଡିଗ୍ରୀ
  • ଝାରସୁଗୁଡ଼ା - 6 ଡିଗ୍ରୀ
  • ସୁନ୍ଦରଗଡ଼ - 6 ଡିଗ୍ରୀ
  • ନବରଙ୍ଗପୁର - 7 ଡିଗ୍ରୀ
  • ଅନୁଗୋଳ - 8 ଡିଗ୍ରୀ
  • ଢେଙ୍କାନାଳ - 8 ଡିଗ୍ରୀ
  • କେନ୍ଦୁଝର - 8 ଡିଗ୍ରୀ
  • କୋରାପୁଟ - 9 ଡିଗ୍ରୀ
  • ବୌଦ୍ଧ -9 ଡିଗ୍ରୀ
  • ବଲାଙ୍ଗୀର - 9 ଡିଗ୍ରୀ
  • ବାଲେଶ୍ଵର - 9 ଡିଗ୍ରୀ
  • ବାରିପଦା - 9 ଡିଗ୍ରୀ
  • ଖୋର୍ଦ୍ଧା - 9 ଡିଗ୍ରୀ
  • ଭୁବନେଶ୍ବର - 9 ଡିଗ୍ରୀ
  • କଟକ - 10 ଡିଗ୍ରୀ
  • ସୋନପୁର - 10 ଡିଗ୍ରୀ
  • ସମ୍ବଲପୁର - 10 ଡିଗ୍ରୀ
  • ବରଗଡ଼ - 10 ଡିଗ୍ରୀ
ଏହା ମଧ୍ୟ ପଢନ୍ତୁ: ବିଦେଶୀ ପକ୍ଷୀଙ୍କ ସ୍ୱର୍ଗ ହୀରାକୁଦ ଜଲଭଣ୍ଡାର; ପ୍ରତି ବର୍ଷ ବଢୁଛି ବିହଙ୍ଗ ସଂଖ୍ୟା, ପକ୍ଷୀ ସୁରକ୍ଷା, ସଚେତନତା ପାଇଁ 'ବାର୍ଡ ଭିଲେଜ'

ଇଟିଭି ଭାରତ, ଭୁବନେଶ୍ବର

Last Updated : January 9, 2026 at 9:10 AM IST