ଆଗାମୀ 48 ଘଣ୍ଟାରେ ଲଘୁଚାପ ସମ୍ଭାବନା: ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଘଡଘଡି ସହ ବର୍ଷିବ
ଆସନ୍ତା ୨୩ରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ।

Published : February 20, 2026 at 8:59 PM IST
ଭୁବନେଶ୍ବର: ବଦଳିବ ରାଜ୍ୟର ପାଣିପାଗ । ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଆସନ୍ତା ୨୩ ତାରିଖରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ବିଭାଗ ।
#Weather briefing (In #Odia) by Head & Scientist-F : Dr. Manorama Mohanty, based on 0830 Hrs IST observation of #20th February,2026.https://t.co/B2Hmr6vK7J
— Meteorological Centre, Bhubaneswar (@mcbbsr) February 20, 2026
ବର୍ଷା ସମ୍ଭାବନା:
ଲଘୁଚାପ ସୃଷ୍ଟି ହେବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଆସନ୍ତା ୨୩ ତାରିଖରୁ ରାଜ୍ୟର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ପୁରୀ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି ଭଳି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୪ ତାରିଖ ପାଇଁ ଖୋର୍ଦ୍ଧା, କଟକ, ମୟୂରଭଞ୍ଜରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରିଛି ବିଭାଗ ।

ଗତ 24 ଘଣ୍ଟାର ରିପୋର୍ଟ:
ରାଜ୍ୟରୁ ଉଭେଇଛି କୁହୁଡ଼ି । ଆଗାମୀ 3 ଦିନ ପାଇଁ ବିଶେଷ କିଛି ପାଣିପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବ । ଗତ 24 ଘଣ୍ଟା ମଧ୍ୟରେ ଫୁଲବାଣୀ ଠାରେ ନ୍ୟୁନତମ ତାପମାତ୍ରା 12.5 ଡିଗ୍ରୀ ରେକର୍ଡ଼ କରାଯାଇଛି । ସେହିପରି ପାହାଡିଆ ଅଞ୍ଚଳରେ ଜି.ଉଦୟଗିରି ଠାରେ 9.4 ଡିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି । ସର୍ବାଧିକ ଦିନ ତାପମାତ୍ରା ଝାରସୁଗୁଡ଼ା ଠାରେ 34.2 ଡିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି ।

ବଢିବ ରାତି ତାପମାତ୍ରା:
ଏପଟେ ବର୍ତ୍ତମାନ ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିଥିବା ବେଳେ ରାତ୍ରି ତାପମାତ୍ରା ପ୍ରାୟ ୨-୩ ଡିଗ୍ରୀ ବୃଦ୍ଧି ପାଇବ । ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ ପାଣିପାଗରେ କୌଣସି ବଡ଼ ପରିବର୍ତ୍ତନ ଦେଖା ଦେବନାହିଁ । ଏହି ବର୍ଦ୍ଧିତ ତାପମାତ୍ରା ସହ ଆଗାମୀ ଦଦିନରେ ପ୍ରବଳ ଖରା ଓ ଗରମ ଅନୁଭୂତି ହେବ ବୋଲି ବିଭାଗ ପୂର୍ବାନୁମାନ କରିଛି ।

ଏହା ମଧ୍ୟ ପଢନ୍ତୁ: ବଢୁଛି ତାପମାତ୍ରା କମୁଛି ଶୀତ, 3 ଦିନରେ 35 ଡିଗ୍ରୀ ଛୁଇଁପାରେ ତାପମାତ୍ରା |
ଇଟିଭି ଭାରତ, ଭୁବନେଶ୍ବର

