୩୫ ବର୍ଷ ଚାକିରିରେ ଓଡ଼ିଶା ଲୋକଙ୍କଠୁ ବହୁତ ସ୍ନେହ ପାଇଛି: ବିଦାୟୀ ସିଏସ
ମୁଖ୍ୟ ଶାସନ ସଚିବ ଭାବେ ବୁଧବାର ଅବସର ଗ୍ରହଣ କରିଛନ୍ତି ମନୋଜ ଆହୁଜା । ନୂଆ ମୁଖ୍ୟଶାସନ ସଚିବ ଅନୁ ଗର୍ଗଙ୍କୁ ଦାୟିତ୍ୱ ହସ୍ତାନ୍ତର ପରେ ମନୋଜ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।

Published : January 1, 2026 at 12:58 PM IST
ଭୁବନେଶ୍ବର: ଦୀର୍ଘ ୩୫ ବର୍ଷର ପ୍ରଶାସନିକ କାର୍ଯ୍ୟର ପୂର୍ଣ୍ଣଚ୍ଛେଦ ପଡିଛି । ମୁଖ୍ୟ ଶାସନ ସଚିବ ଭାବେ ବୁଧବାର ଅବସର ଗ୍ରହଣ କରିଛନ୍ତି ମନୋଜ ଆହୁଜା । ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଦାୟିତ୍ୱ ହସ୍ତାନ୍ତର ପରେ ମନୋଜ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ସେହିପରି ଗତକାଲି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ଭାବେ ସଚିବସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ ମନୋଜ ।
'୨୦୩୬ ଭିଜନ କେବଳ ସରକାର ନୁହେଁ ଲୋକ ମିଶି ପୂରଣ କରିବେ'

ଅବସର ପରେ ପ୍ରତିକ୍ରିୟା ରଖିଛନ୍ତି ବିଦାୟୀ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, "ନୂଆ ସରକାର ଆସିବା ପରେ ମୋତେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ମିଳିଥିଲା । ମଏହି ଦାୟିତ୍ୱ ନେବାବେଳେ ଅନେକ ଚ୍ୟାଲେଞ୍ଜ ଥିଲା । ନୂଆ ସରକାରର ଉଦ୍ଦେଶ୍ୟ ଥିଲା ନାଗରିକ କେନ୍ଦ୍ରିକ ସେବା ଓ ଶାସନ ପ୍ରଶାସନ ମଧ୍ୟରେ ଟିମ ୱାର୍କ ରଖି କାମ କରିବା । ପ୍ରଶାସନରେ ସ୍ଥିରତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖା ଯାଇଥିଲା । ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବା, ଧାନର ଇନପୁଟ ସବସିଡି, ସୁଭଦ୍ରା ଭଳି ଯୋଜନା କାର୍ଯକାରୀ କରିବା ବଡ ଉପଲବ୍ଧି । କାର୍ଯ୍ୟ କରିବା ବେଳେ ଅନେକ ସହଯୋଗ ମିଳିଛି । ଓଡ଼ିଶାରେ ୩୫ ବର୍ଷ ଚାକିରି କରିଛି । ଓଡ଼ିଶା ଲୋକ ବହୁତ ସ୍ନେହ ଦେଇଛନ୍ତି । ସରକାରରେ ସବୁବେଳେ ନୂଆ ନୂଆ ଚ୍ୟାଲେଞ୍ଜ ଥିଲା । ଲୋକଙ୍କ ଲାଗି କାର୍ଯ୍ୟ କରିବା ପାଇଁ ସରକାରରେ କ୍ଲାରିଟି ଥିଲା । ସ୍ୱଚ୍ଛ ସରକାର ଓ ଦୁର୍ନୀତି ମୁକ୍ତ ପ୍ରଶାସନ ଦାୟିତ୍ୱ ରହିଥିଲା । ଲୋକଙ୍କ କାମ ଠିକ ଭାବରେ ଓ ନିର୍ଦ୍ଧିଷ୍ଟ ସମୟ ଭିତରେ ସେବା ଦେବା ପ୍ରାଥମିକତା ଥିଲା । ନିଯୁକ୍ତି ଓ ବିକାଶ ବଡ ଲକ୍ଷ୍ୟ ଥିଲା । ୨୦୩୬ ଭିଜନ କେବଳ ସରକାର ନୁହେଁ ଲୋକ ମିଶି ପୂରଣ କରିବେ ।




ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି ଯେ ପ୍ରଶାସନିକ କ୍ଷେତ୍ରରେ ଓଡ଼ିଶାରେ ଏକ ଭଲ ଟିମ ରହିଛନ୍ତି । ସମସ୍ତଙ୍କର ଜ୍ଞାନର ଗଭୀରତା, ଦକ୍ଷତା ଓ ଗୁଣାତ୍ମକତାକୁ ସେ ପ୍ରଶଂସା କରିଥିଲେ । ଓଡ଼ିଶାର ବିକାଶ ଓ ଭବିଷ୍ୟତ ପାଇଁ ସେ ସକରାତ୍ମକ ଅଭିବ୍ୟକ୍ତି ଓ ଦୃଢୋକ୍ତି ପ୍ରକାଶ କରିଥିଲେ । ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ସେମାନଙ୍କର ଆଗାମୀ ଭବିଷ୍ୟତ ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ମନୋଜଙ୍କର କାର୍ଯ୍ୟଶୈଳୀ କଠୋର ଶାସନ ପ୍ରବୃତ୍ତିଭିତ୍ତିକ ନ ହୋଇ ସର୍ବଦା ଗଠନମୂଳକ ଓ ପରାମର୍ଶଭିତ୍ତିକ ଥିଲା ବୋଲି ସେ ପ୍ରକାଶ କରିଛନ୍ତି । ମନୋଜଙ୍କର ମୁଖ୍ୟ ଶାସନ ସଚିବ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ସଫଳତା, ସ୍ମୃତି ଆଧାରିତ ଏକ କ୍ଷୁଦ୍ର ପ୍ରାମାଣିକ ବୃତ୍ତ ଚିତ୍ର ପରିବେଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛି । ବୈଠକରେ ଅତ୍ୟନ୍ତ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ-ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କଲେ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ


