ନିଶା ମାଫିଆଙ୍କ ଅଣ୍ଟା ଭାଙ୍ଗିଲା କୋରାପୁଟ ପୋଲିସ; ୨୦୦ କୋଟିର ଗଞ୍ଜେଇ ତେଲ ଓ 5 କୋଟି ଟଙ୍କାର ଗଞ୍ଜେଇ ଜବତ; ୪ ଅଟକ
ନିଶା କାରବାର ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, କୋରାପୁଟ ପୋଲିସ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳରୁ ପ୍ରାୟ ୨୦୦ କୋଟି ଟଙ୍କା ମୂଲ୍ୟର ୧୮୦୦ ଲିଟର ଗଞ୍ଜେଇ ତେଲ ଜବତ କରିଛି ।

Published : February 26, 2026 at 1:24 PM IST
Ganja Oil Seized କୋରାପୁଟ: ନିଶା କାରବାର ଉପରେ କୋରାପୁଟ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ଓଡି଼ଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଲାପୁଟ ଜଳଭଣ୍ଡାର ନିକଟରୁ କୋଟି କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ । ଜିଲ୍ଲାର ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ଚାଲିଥିବା ଏକ ଆନ୍ତଃରାଜ୍ୟ ବେଆଇନ ଉତ୍ପାଦନ ୟୁନିଟ୍ ଠାବ କରିଛି କୋରାପୁଟ ପୋଲିସ । ଉତ୍ପାଦନ ପ୍ରକ୍ରିୟାରେ ବ୍ୟବହୃତ ଅନେକ ଅସ୍ଥାୟୀ ଉତ୍ପାଦନ ସେଟଅପ୍, ଉପକରଣ ଏବଂ ସାମଗ୍ରୀ ମଧ୍ୟ ଜବତ କରିବା ସହ ନଷ୍ଟ କରାଯାଇଛି । ଅନ୍ୟପଟେ କୋରାପୁଟରୁ 1144 କିଲୋ ଗଞ୍ଜେଇ ଜବତ ସହ 4 ଜଣଙ୍କୁ ପୋଲିସ ଅଟକ ରଖିଛି ।
ଗଞ୍ଜେଇ ତେଲ ଜବତ:
ଜଲାପୁଟ ଜଳଭଣ୍ଡାର ନିକଟବର୍ତ୍ତୀ ଏକ ଅତ୍ୟନ୍ତ ଦୁର୍ଗମ ଏବଂ ଘନ ଜଙ୍ଗଲ ଅଞ୍ଚଳରେ ବେଆଇନ ଭାବରେ ଗଞ୍ଜେଇ ତେଲ ପ୍ରସ୍ତୁତ ହେଉଥିବା ଅସ୍ଥାୟୀ ପ୍ରୋସେସିଂ ୟୁନିଟ୍ ଠାବ କରିବା ସହିତ 1800 ଲିଟର ତେଲ ଜବତ କରିଛି କୋରାପୁଟ ପୋଲିସ । ଯାହାର ଆନୁମାନିକ ମୂଲ୍ୟ 200 କୋଟି ଟଙ୍କାରୁ ଅଧିକ ରହିଛି । ଗୁଇନ୍ଦା ସୂଚନା ଆଧାରରେ କୋରାପୁଟ ଏସପିଙ୍କ ନେତୃତ୍ୱରେ ଏହି ଅପରେସନ କରାଯାଇଥିଲା । କର୍ତ୍ତୃପକ୍ଷ କହିଛନ୍ତି ଯେ, ଆନ୍ତଃରାଜ୍ୟ ନିଶା କାରବାରରେ ସମ୍ପୃକ୍ତ ନେଟୱାର୍କକୁ ଠାବ କରିବା ପାଇଁ ଅଧିକ ତଦନ୍ତ ଚାଲିଛି ।
5 କୋଟି ଗଞ୍ଜେଇ ଜବତ:
ସେହିପରି ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ନନ୍ଦପୁର ପୋଲିସ 2ଟି ପିକଅପ୍ ଗାଡି ସହିତ 1144 କିଲୋ ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ 5 କୋଟି ଟଙ୍କାରୁ ଅଧିକ ହେବ । ଗଞ୍ଜେଇ ଚୋରା ଚଲାଣରେ ସମ୍ପୃକ୍ତ ଥିବା 4 ଜଣଙ୍କୁ ପୋଲିସ ଅଟକ ରଖି ଅଧିକ ପଚାରଉଚରା କରୁଛି । ଏବେ ବି ଚଢ଼ାଉ ଜାରି ରହିଛି ବୋଲି କୋରାପୁଟ ଏସପି ରୋହିତ ବର୍ମା ସୂଚନା ଦେଇଛନ୍ତି ।
ଏହା ମଧ୍ଯ ପଢ଼ନ୍ତୁ... ଅପରେସନ ପ୍ରହାର; କୋଟିଏ ଟଙ୍କାର ଗଞ୍ଜେଇ, ଗୋଟିଏ ଟ୍ରକ୍ ଜବତ ମାଲକାନଗିରି ପୋଲିସକୁ ବଡ଼ ସଫଳତା; ଗଞ୍ଜେଇ ତେଲ କାରଖାନା ଠାବ, ୪ ଗିରଫ |
ସୁନାବେଡା ଏସଡିପିଓ ସୁମିତ୍ରା ଜେନା କହିଛନ୍ତି, "46ଟି ବସ୍ତାରୁ 1144 କେଜିର ଗଞ୍ଜେଇ ଜବତ କରାଯାଇଛି । ଗଞ୍ଜେଇ 2ଟି ପିକଅପ୍ ଭ୍ୟାନରେ ହରିୟାଣାକୁ ଚାଲାଣ କରାଯାଉଥିଲା । ଘଟଣାରେ 4 ଜଣଙ୍କୁ ଗିରଫ କରାଯାଇଛି । 2 ଜଣ ଡ୍ରାଇଭର ଲୋକନାଥ ବେହେରା ଓ କୁମାର ସୋନି ବେହେରା ଓ ହରିୟାଣାର ଦୁଇ ଜଣ ଗିରଫ ହୋଇଛନ୍ତି ।"
ଇଟିଭି ଭାରତ, କୋରାପୁଟ

