ହାଜତ ମୃତ୍ୟୁ ମାମଲା; OHRCକୁ ହସ୍ତାନ୍ତର ହେବ ଥାନାର ସିସିଟିଭି ଭିଜୁଆଲ
ଥାନାରେ ହାଜତ ମୃତ୍ୟୁ ଘଟଣାରେ OHRCଙ୍କୁ ଭେଟିଥିଲା ବିଜେଡି ଟିମ୍ । ସୁଶାନ୍ତଙ୍କ ପତ୍ନୀ ଦେଇଥିବା ଏଫଆଇଆର କୁଆଡେ ଗଲା ବିଜେଡି ପ୍ରଶ୍ନ କରିଥିଲା । ରିପୋର୍ଟ- ସମୀର ଆଚାର୍ଯ୍ୟ


Published : June 4, 2026 at 5:11 PM IST
ବ୍ରହ୍ମପୁର: ରାଜ୍ୟର ବାରଙ୍ଗ ପରେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନାରେ 'ଥାର୍ଡ ଡିଗ୍ରୀ' ଅଭିଯୋଗ ହୋଇଥିଲା । କବିସୂର୍ଯ୍ୟନଗର ଥାନାରେ ଜଣେ ଅଟକ ବ୍ୟକ୍ତିଙ୍କୁ ଦୀର୍ଘ ସାତ ଦିନ ଧରି ରଖି ମାତ୍ରାଧିକ ନିର୍ଯାତନା ଦିଆଯିବା ପରେ ପରିବାରବର୍ଗଙ୍କ ହେପାଜତରେ ଛାଡି ଦିଆଯାଇଥିଲା । ପରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଉକ୍ତ ଘଟଣାକୁ ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଏଚଆରପିସି ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି । ସେପଟେ ଏହି ଘଟଣାରେ କବିସୂର୍ଯ୍ୟନଗର ଥାନାରେ ଲାଗିଥିବା ୨୦ଟି ସିସିଟିଭି କ୍ୟାମେରାର ସମ୍ପୂର୍ଣ୍ଣ ଭିଜୁଆଲ ରାଜ୍ୟ ଏଚଆରପିସିର ତଦନ୍ତ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ହରିଶ ବିସି ।
କିଭଳି ଏବଂ କେଉଁ ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନାରେ ଦୀର୍ଘ ସାତ ଦିନ ଧରି ଅଟକ ରହିଥିବା ଜଣେ ଯୁବକଙ୍କୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବା ପରେ ଗୁରୁତର ହୋଇଥିଲେ ? ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟ ଏବଂ ପରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କଲା ପରେ ମୃତ୍ୟୁ ଘଟିଲା ? ତାହାକୁ ନେଇ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ କହିଛନ୍ତି ଯେ, ଥାନାରେ ଲାଗିଥିବା ସମସ୍ତ ୨୦ଟି ସିସିଟିଭି କ୍ୟାମେରାର ସମ୍ପୂର୍ଣ୍ଣ ଭିଜୁଆଲ ହସ୍ତାନ୍ତର କରାଯିବ । ଏହି ମାମଲାରେ ଅଭିଯୋଗ ଅନୁଯାୟୀ ଗତ ୨୦ ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ଥାନାର ଚତୁଃପାର୍ଶ୍ୱରେ ରହିଥିବା ସମସ୍ତ ୨୦ ଗୋଟି CCTV କ୍ୟାମେରା କାର୍ଯ୍ୟକ୍ଷମ ରହିଛି । ସେଥିରେ ରହିଥିବା ସମସ୍ତ ଫୁଟେଜ ରେକର୍ଡ ହୋଇଛି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସମସ୍ତ ଭିଡିଓ ଓ ଅଡିଓ ଫୁଟେଜ ତଦନ୍ତ କରୁଥିବା ରାଜ୍ୟର HRPC ମାଗିବା କ୍ଷଣି ପ୍ରଦାନ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଏସପି ।
ଏପରିକି ଉକ୍ତ ଘଟଣା ପରେ କବିସୂର୍ଯ୍ୟନଗର ଥାନା ଏବଂ ଏହାର ଅଧିନସ୍ଥ ଫାଣ୍ଡିର ସମସ୍ତ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ବଦଳି କରାଯାଇ ନୂତନ କର୍ମଚାରୀ ଓ ଅଧିକାରୀ ମୁତୟନ କରାଯାଇଛି । ଏଥିସହିତ ଜିଲ୍ଲା ବାହାର ଜଣେ ଅଧିକାରୀଙ୍କୁ ଥାନାଧିକାରୀ ଦାୟିତ୍ୱ ଦିଆଯିବ । ଫଳରେ ଲୋକଙ୍କ ଦ୍ୱାରା ପୋଲିସ ଆସ୍ଥାଭାଜନ ହୋଇପାରିବ ବୋଲି କହିବା ସହିତ ଏହି ଘଟଣାରେ ତଦନ୍ତ କରୁଥିବା HRPCକୁ ପୋଲିସ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଏସପି ।
ଏଥିସହ ମୃତକ ସୁଶାନ୍ତ ସାହୁଙ୍କ ସାନ ଭାଇଙ୍କ ପକ୍ଷରୁ ତାଙ୍କୁ ବୟାନ ବଦଳାଇବା ପାଇଁ ବ୍ରହ୍ମପୁର ମେଡିକାଲ ପୋଲିସ ଫାଣ୍ଡି ପକ୍ଷରୁ ତାଙ୍କ ଉପରେ ଚାପ ପକାଯାଉଥିବା ନେଇ ଯେଉଁ ଅଭିଯୋଗ ଆସିଛି ତାହାକୁ ନେଇ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ କହିବା କଥା ମେଡିକାଲ ଫାଣ୍ଡିରେ ରୁଜୁ ହୋଇଥିବା ଅପମୃତ୍ୟୁ ମାମଲା ସମ୍ପର୍କରେ ଗୋଟିଏ ଥର କଲରେ କଥା ହୋଇଥିବା କହିବା ସହିତ ଯଦି କିଛି ଅଭିଯୋଗ ଅଛି ତେବେ CDR ଯାଞ୍ଚ କରାଯିବ ବୋଲି କହିଛନ୍ତି ।
ସେପଟେ ଏହି ଘଟଣା ଗୁରୁତ୍ୱପୂର୍ଣ୍ଣ ରହିଥିବା ଯୋଗୁଁ ତଦନ୍ତରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସମସ୍ତ ଅଧିକାରୀଙ୍କୁ ବାହାର କରି ଦିଆଯାଇଛି । ପିପୁଲ୍ ଫ୍ରେଣ୍ଡଲି ପୋଲିସ ବ୍ୟବସ୍ଥା ଥାନା ଅଞ୍ଚଳରେ ଯୋଗାଇ ଦେବା ଉଦେଶ୍ୟରେ କାର୍ଯ୍ୟ କରାଯାଉଥିବା କହିଛନ୍ତି ଦକ୍ଷିଣାଞ୍ଚଳ ପୋଲିସ ଆଇ.ଜି ନୀତି ଶେଖର ।
କବିସୂର୍ଯ୍ୟନଗର ଥାନା ହାଜତରେ ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କୁ ପୋଲିସର ଅକଥନୀୟ ନିର୍ଯାତନା ଦେବା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଥିଲେ ବିଜେଡି ପ୍ରତିନିଧିମଣ୍ଡଳୀ । ପୋଲିସ ବିରୋଧରେ କାହିଁକି ମାମଲା ରୁଜୁ ହେଉନାହିଁ ଓ ସୁଶାନ୍ତଙ୍କ ପତ୍ନୀ ଦେଇଥିବା ଏଫଆଇଆର କୁଆଡେ ଗଲା ବୋଲି ବିଜେଡି ପ୍ରଶ୍ନ କରିଥିଲା । ସେହିପରି ସୁଶାନ୍ତଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ଦାବି କରିଥିଲା ବିଜେଡି ।
ଇଟିଭି ଭାରତ, ବ୍ରହ୍ମପୁର

