ଆଉ ଗର୍ଭାଶୟ କର୍କଟକୁ ରହିବନି ଭୟ, ଆରମ୍ଭ ହେଲା HPV ଟୀକାକରଣ
ଓଡ଼ିଶାରେ ସାଢେ ତିନି ଲକ୍ଷ କିଶୋରୀଙ୍କୁ ଦିଆଯିବ ଟୀକା । ରାଜ୍ୟ ସ୍ତରୀୟ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।


Published : February 28, 2026 at 6:02 PM IST
|Updated : February 28, 2026 at 6:57 PM IST
ରିପୋର୍ଟ- ବିକାଶ କୁମାର ଦାସ
CM INNAGURATES HPV VACCINATION IN ODISHA ଭୁବନେଶ୍ବର: କର୍କଟ ରୋଗର ମୁକାବିଲା କ୍ଷେତ୍ରରେ ଆଉ ଏକ ବଡ଼ ପଦେକ୍ଷେପ । ଦେଶରେ ମାନବ ପାପିଲୋମା ଭୁତାଣୁ (Human Papilloma Virus-HPV) ସଂକ୍ରମଣ ନିବାରଣ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପଟେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜ୍ୟ ସ୍ତରୀୟ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଭୁବନେଶ୍ଵର ସ୍ଥିତ କୃଷି ଭବନରେ ଆରମ୍ଭ କରିଛନ୍ତି ।
ଆମ ଦେଶର ଗର୍ଭାଶୟ ଗ୍ରୀବା କର୍କଟରେ (Cervical Cancer) ପୀଡ଼ିତ ମହିଳାମାନଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ଆହ୍ୱାନ । ବୈଜ୍ଞାନିକ ଅନୁସନ୍ଧାନ ଓ ପ୍ରମାଣରୁ ଜଣାପଡ଼ିଛି ଯେ, ପ୍ରାୟ ସବୁ ଗର୍ଭାଶୟ ଗ୍ରୀବା କର୍କଟ ପାପିଲୋମା ଭୁତାଣୁ ସଂକ୍ରମଣ ହେତୁ ହୋଇଥାଏ । ପ୍ରଥମରୁ ଏହି ରୋଗର କୌଣସି ଲକ୍ଷଣ ଜଣା ପଡ଼ିନଥାଏ । ଏହି ରୋଗର ନିରାକରଣ ମାନବ ପାପିଲୋମା ଭୁତାଣୁ (HPV) ଟୀକାର ଗୋଟିଏ ମାତ୍ରା ଦ୍ଵାରା ଟୀକାକରଣ ମାଧ୍ୟମରେ କରାଯାଇପାରିବ ।
ଓଡ଼ିଶାରେ ୧୪ରୁ ୧୫ ବର୍ଷ ବୟସ ମଧ୍ୟରେ ଥିବା ସମସ୍ତ ଯୋଗ୍ୟ କିଶୋରୀମାନଙ୍କୁ ଏହି ଅଭିଯାନରେ ସାମିଲ୍ କରାଯାଇଛି । ଯେଉଁ କିଶୋରୀ ମାନଙ୍କର ବୟସ ୧୪ ବର୍ଷ ହୋଇଥିବ ଏବଂ ୧୫ ବର୍ଷ ହୋଇନଥିବ ସେମାନେ ଏହି ଟୀକା ନେଇପାରିବେ । ଯଦି କିଶୋରୀଙ୍କୁ ପୂର୍ବରୁ କୌଣସି ଟୀକା ନେବା ପରେ ଆଲର୍ଜି ହୋଇଥାଏ, ଗର୍ଭଧାରଣ କରିଥିଲେ ବା ଗୁରୁତର ଅସୁସ୍ଥ (ଯେପରିକି ଗୁରୁତର ରକ୍ତହୀନତା, ନିମୋନିଆ, ଜ୍ଵର, ଇତ୍ୟାଦି) ହୋଇଥିଲେ ଏହି ଟୀକା ନେବେ ନାହିଁ । ଓଡ଼ିଶାରେ ପ୍ରାୟ ୩.୩୬ ଲକ୍ଷ କିଶୋରୀ ବାଳିକା ଏହି ଟୀକା ପାଇବେ ବୋଲି ଜଣାପଡ଼ିଛି ।

କେଉଁଠାରେ ଦିଆଯିବ ଟିକା:-
ଟୀକାକରଣ କାର୍ଯ୍ୟକ୍ରମକୁ ଅଭିଯାନ ଭିତ୍ତିରେ କରାହେବ । ଆଗାମୀ ୩ ମାସ ମଧ୍ୟରେ ସମସ୍ତ ହିତାଧିକାରୀମାନଙ୍କୁ ଟୀକା ଦେବାପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ମାସରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କରେ ଟୀକା ଦିଆଯିବ । ଏହା ସହିତ ଦ୍ୱିତୀୟ ମାସ ଓ ତୃତୀୟ ମାସରେ ଏହା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଦିଆଯିବାର ଯୋଜନା ରହିଛି । ଅଭିଯାନ ସମୟରେ ପ୍ରତ୍ୟେକ ଦିନ (ଛୁଟି ଦିନକୁ ଛାଡି) ସକାଳ ୯ଟାରୁ ଅପରାହ ୨ଟା ପର୍ଯ୍ୟନ୍ତ ନିର୍ଦିଷ୍ଟ ଚିକିତ୍ସାଳୟରେ ଟୀକାକରଣ କରାଯିବ । ପରେ ଏହି ଟୀକାକୁ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ୍ କରାଯିବ । ପର୍ଯ୍ୟାୟକ୍ରମେ ସମସ୍ତ ଉପଯୁକ୍ତ ହିତାଧିକାରୀମାନଙ୍କୁ ଏହି ଟୀକା ଦିଆଯିବାର ଯୋଜନା ରହିଛି । ଏଥିପାଇଁ ବ୍ୟଗ୍ର ନହୋଇ ସମସ୍ତ ହିତାକାରୀ ଧର୍ଯ୍ୟର ସହିତ ଟୀକାଦାନ ପାଇଁ ଅପେକ୍ଷା କରନ୍ତୁ ବୋଲି ସରକାର ଅନୁରୋଧ କରିଛନ୍ତି । ଟୀକାଗୁଡ଼ିକର ପରିବହନ ଓ ଯୋଗାଣକୁ ସୁରକ୍ଷିତ କରିବା ନିମନ୍ତେ ଉପଯୁକ୍ତ ଶୀତଳ ଶୃଙ୍ଖଳ (କୋଲ୍ଡ ଚେନ୍)ର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଟୀକା ପାଇଁ କ'ଣ ରହିଛି ନିୟମାବଳୀ:-
ଏହି ଟୀକା ନେବା ପାଇଁ ସରକାର କିଛି ଆବଶ୍ୟକୀୟ ନିୟମାବଳୀ ଜାରି କରିଛନ୍ତି ।
- ହିତାଧିକାରୀ ନିଜ ବାପା-ମା' କିମ୍ବା ଅଭିଭାବକଙ୍କ ସହିତ ଆସିବା ଆବଶ୍ୟକ ।
- ଟୀକା ନେବା ସମୟରେ ବୟସର ସଠିକତା ନିଶ୍ଚିତ କରିବା ପାଇଁ କିଶୋରୀ ଜଣକ ନିଜ ସାଥରେ ଏକ ବୈଧ ପରିଚୟ ପତ୍ର (ଯଥା: ଆଧାର କାର୍ଡ, ସ୍କୁଲ ଆଇଡି କିମ୍ବା ଜନ୍ମ ପ୍ରମାଣ ପତ୍ର) ଆଣିବା ଆବଶ୍ୟକ ।
- ଯଦି କୌଣସି କାରଣରୁ କିଶୋରୀ ଜଣକ ବୟସର ପ୍ରମାଣ ଦେଇପାରୁ ନାହାନ୍ତି, ତେବେ ସେମାନଙ୍କ ଅଭିଭାବକଙ୍କୁ କେନ୍ଦ୍ରରେ ଥିବା 'ବୟସ ଘୋଷଣା ପତ୍ର'ରେ ସ୍ବାକ୍ଷର କରିବାକୁ ହେବ ।
- ଟୀକା ନେବା ପାଇଁ ହିତାଧିକାରୀ ପେଟ ପୁରା ଖାଦ୍ୟ ଖାଇ ଆସିବା ଆବଶ୍ୟକ ।
- ଟୀକା ନେବା ପରେ କିଶୋରୀଙ୍କୁ 30 ମିନିଟ୍ ଟୀକାଦାନ କେନ୍ଦ୍ରରେ ପର୍ଯ୍ୟବେକ୍ଷଣରେ ରଖିବା ଦରକାର । ଟୀକା ନେବା ପରେ ସାମାନ୍ୟ କଷ୍ଟ ବା ଜ୍ଵର ହେବା ସ୍ବାଭାବିକ । ଯାହା ୨-୩ ଦିନରେ ଭଲ ହୋଇଯିବ ।
- ପ୍ରାୟତଃ ଏହି ଟୀକାର କୌଣସି ଗୁରୁତର ପାର୍ଶ୍ଵ ପ୍ରତିକ୍ରିୟା ହୁଏ ନାହିଁ ।

ଲୋକଙ୍କୁ କରାଯିବ ସଚେତନ:-
ଏହି କାର୍ଯ୍ୟକ୍ରମକୁ ମିଳିତ ଭାବେ ପୂର୍ଣ୍ଣ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଶିକ୍ଷକ, ଅଭିଭାବକ, ଗ୍ରାମ ଓ ପଂଚାୟତ ସ୍ତରୀୟ ଜନସାଧାରଣ, ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଛାସେବୀମାନଙ୍କୁ ଆହ୍ୱାନ ଦିଆଯାଇଛି । କିଭଳି ଭାବେ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରାଯିବ, ସେନେଇ ଅଧିକରୁ ଅଧିକ ସଚେତନତା କରାଯିବ ।
ଏନେଇ ଏମ୍ସ ଭୁବନେଶ୍ୱରର କ୍ୟାନ୍ସର ବିଭାଗ ମୁଖ୍ୟ ଦିଲୀପ କୁମାର ପରିଡ଼ା କହିଛନ୍ତି ଯେ,"ଦେଶରେ ଗର୍ଭାଶୟ ଗ୍ରୀବା କର୍କଟ ଏକ ମୁଖ୍ୟ ସମସ୍ୟା । ଯାହା କମ୍ ବୟସର କିଶୋରୀଙ୍କ ପକ୍ଷେ ଅଧିକ ମାତ୍ରାରେ ଦେଖାଯାଇଥାଏ । ପୂର୍ବରୁ ଏକ ନମ୍ବରରେ ରହିଥିବା ବେଳେ ବର୍ତ୍ତମାନ ଏହା ଦ୍ୱିତୀୟ ନମ୍ବରରେ ରହିଛି । ପ୍ରଥମରେ ରହିଛି ସ୍ତନ କର୍କଟ । ଆଜି ଯେଉଁ ସର୍ଭିକାଲ କ୍ୟାନ୍ସର ଟୀକାକରଣ କରାଯାଇଛି, ତାହା ବହୁତ ଭଲ ଆଉ ଆଗାମୀ ଦିନରେ ଏହାକୁ ନିରାକରଣ କରିବ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ବର୍ଷକୁ ଗର୍ଭାଶୟ ଗ୍ରୀବା କର୍କଟ ଦେଢ଼ ଲକ୍ଷରୁ ଅଧିକ ନୂଆ ନୂଆ କେସ୍ ଦେଖିବାକୁ ମିଳୁଛି । ଯେଉଁଥିରେ କି 80 ଜଣଙ୍କ ମୃତ୍ୟୁ ହୋଇଥାଏ," ବୋଲି ସେ କହିଛନ୍ତି ।


