HPV ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ
ପୁରୀ ଜିଲ୍ଲାରେ ଆରମ୍ଭ ହେଲା HPV ଟୀକାକରଣ ଅଭିଯାନ। ପ୍ରଥମ ପର୍ଯ୍ୟାୟରେ 9 ଜଣ କିଶୋରୀଙ୍କୁ ଏହି ଟୀକା ପ୍ରଦାନ କରାଯାଇଛି ।

Published : March 1, 2026 at 7:59 PM IST
ନିମାପଡ଼ା: HPV ଟୀକାକରଣ ଅଭିଯାନର ଶୁଭାରମ୍ଭ । ପୁରୀ ଜିଲ୍ଲା ପିପିଲି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି (ରବିବାର) ଜିଲ୍ଲାସ୍ତରୀୟ ଜାତୀୟ HPV ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କିଶୋରୀମାନଙ୍କୁ ସର୍ଭାଇକାଲ୍ କ୍ୟାନ୍ସରରୁ ସୁରକ୍ଷିତ ରଖିବା ପାଇଁ HPV ବା ହ୍ୟୁମାନ ପାପିଲୋମା ଭାଇରସ ଟୀକା ଦିଆ ଯାଇଛି । ୧୪ ବର୍ଷ ଯାଏଁ ଝିଅଙ୍କୁ ସିଙ୍ଗଲ ଡୋଜ୍ ଟୀକା ଦିଆଯିବ ଏବଂ ଏହା ସମସ୍ତ ସରକାରୀ ଡାକ୍ତରଖାନାରେ ମାଗଣାରେ ଉପଲବ୍ଧ ହେବ ।ଏଥିପାଇଁ ସେମାନଙ୍କ ଅଭିଭାବକମାନଙ୍କ ସହମତି ପରେ ଟୀକା ଦିଆଯିବ ।
HPV ଟୀକାକରଣ ଅଭିଯାନ:
ପ୍ରଥମ ପର୍ଯ୍ୟାୟରେ 9 ଜଣ 14 ବର୍ଷରୁ 15 ବର୍ଷର କିଶୋରୀଙ୍କୁ ଏହି ଟୀକା ପ୍ରଦାନ କରାଯାଇଛି । ଏହି ଅବସରରେ ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାରେ 3 ଲକ୍ଷ 36 ହଜାର ଟୀକାକରଣ ପାଇଁ ଲକ୍ଷ୍ୟ ରଖା ଯାଇଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ପୁରୀ ଜିଲ୍ଲା CDMO ଡାକ୍ତର ଅକ୍ଷୟ ଶତପଥୀ ମଧ୍ୟ ଯୋଗ ଦେଇଥିଲେ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି,"ଜୀବନରେ ଥରେ ଟୀକା ନେଲେ, ଜୀବନ ସାରା ଆମେ ଏହି ରୋଗଠାରୁ ଦୂରେଇ ରହିବା । ପୁରୀ ଜିଲ୍ଲାରେ ପ୍ରଥମ ଥର ପାଇଁ ଏହି ଟୀକାକରଣ ଆରମ୍ଭ ହୋଇଛି । ଆମ ଓଡ଼ିଶାରେ ୩ ଲକ୍ଷ ୩୬ ହଜାର ଝିଅଙ୍କୁ ଟୀକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଅଙ୍ଗନବାଡ଼ି ଓ ଆଶା କର୍ମୀମାନେ ପରିବାର ଲୋକଙ୍କୁ ବୁଝାଇ ଟୀକାକରଣରେ ସହଯୋଗ କରିବେ ବୋଲି ମୁଁ ଆଶା କରୁଛି । ଆମେ ପ୍ରତି ବର୍ଷ ଯାହାକୁ ୧୪ ପୁରଣ ହୋଇ ୧୫ ବର୍ଷ ଚାଲିବ, ସେମାନଙ୍କ ପାଖରେ ଆମେ ଟୀକା ପହଞ୍ଚାଇବା । ମହିଳା ସଶକ୍ତିକରଣ କେବଳ ରାଜନୀତି କ୍ଷେତ୍ରରେ ନୁହେଁ ସ୍ବାସ୍ଥ୍ୟଗତ କ୍ଷେତ୍ରରେ ମଧ୍ୟ ସୃଦୃଢ଼ ହୁଅନ୍ତୁ ।"
ସେହିପରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଶତପଥୀ କହିଛନ୍ତି," ଆଜି ଆମର ଜିଲ୍ଲାସ୍ତରୀୟ H.P.V.Vacine କାର୍ଯ୍ୟ ଆରମ୍ଭ ହୋଇଛି । ଯେଉଁ ଝିଅମାନଙ୍କୁ ୧୪ ବର୍ଷ ପୁରଣ ହୋଇ ୧୫ ବର୍ଷ ଚାଲିଲା, ସେମାନଙ୍କୁ ଏହି ଟୀକା ପ୍ରଦାନ କରାଯିବ । ସେମାନଙ୍କ ବାପା ମାଆ ସହମତି ପ୍ରକାଶ କଲେ ଏହି ଟୀକା ପ୍ରଦାନ କରାଯିବ । ଏହା ହେଉଛି ସର୍ଭାଇକାଲ କ୍ୟାନ୍ସର ପ୍ରତିରୋଧକ ଟୀକା । ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ ।"
ଏହା ମଧ୍ୟ ପଢନ୍ତୁ...ଆଉ ଗର୍ଭାଶୟ କର୍କଟକୁ ରହିବନି ଭୟ, ଆରମ୍ଭ ହେଲା HPV ଟୀକାକରଣ ଏହା ମଧ୍ୟ ପଢନ୍ତୁ...ଦେଶବ୍ୟାପୀ HPV ଟୀକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି |
ଇଟିଭି ଭାରତ, ନିମାପଡ଼ା

