ବିନା ପ୍ରଦୂଷଣ ଯାଞ୍ଚରେ ଟୋଲ୍ ଗେଟ୍ ରେ କେମିତି କଟିଲା ଫାଇନ୍, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ
ପରିବହନ ସଚିବ ଏବଂ ପରିବହନ କମିଶନରଙ୍କୁ ୧୫ ଦିନ ମଧ୍ୟରେ ଏହି ପ୍ରସଙ୍ଗରେ ଜବାବ ଦାଖଲ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ।


Published : January 9, 2026 at 10:44 PM IST
କଟକ: ବିନା ପ୍ରଦୂଷଣ ଯାଞ୍ଚରେ ଟୋଲ୍ ଗେଟ୍ ରେ ଚାଲାଣ କଟାଯିବା ପ୍ରସଙ୍ଗରେ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ପ୍ରଦୂଷଣ ସାର୍ଟିଫିକେଟର ବୈଧତା ଶେଷ ହୋଇଥିଲେ ମଧ୍ୟ ବିନା ନୋଟିସରେ ଚାଲାଣ କଟାଯିବା ପ୍ରସଙ୍ଗରେ ହାଇକୋର୍ଟ, ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ପରିବହନ ସଚିବ ଏବଂ ପରିବହନ କମିଶନରଙ୍କୁ ୧୫ ଦିନ ମଧ୍ୟରେ ଏହି ପ୍ରସଙ୍ଗରେ ଜବାବ ଦାଖଲ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଡକ୍ଟର କୀର୍ତିଧାରା ଦାସଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନୋଟିସ୍ ଜାରି କରିଛନ୍ତି ।
ଆବେଦନକାରୀ ପିପିଲି ଟୋଲ୍ ଗେଟ୍ ଅତିକ୍ରମ କରିବା ସମୟରେ ତାଙ୍କ ପିୟୁସିସି ର ବୈଧତା ନଥିବା ଅଭିଯୋଗରେ ୧୦ ହଜାର ଟଙ୍କାର ଚାଲାଣ କଟିଥିଲା । ମୋଟର ଯାନ ଆଇନ ଅନୁଯାୟୀ ପିୟୁସିସି ର ବୈଧତା ନଥିଲେ ସମ୍ପୃକ୍ତ ଗାଡି ମାଲିକଙ୍କୁ ବିଭାଗ ପକ୍ଷରୁ ନୋଟିସ୍ ପଠାଇ ପ୍ରଦୂଷଣ ଯାଞ୍ଚ କରାଇବା ପାଇଁ କୁହାଯିବାର ବ୍ୟବସ୍ଥା ରହିଛି ।
ଏପରିକି ଯାଞ୍ଚ ସମୟରେ ସମ୍ପୃକ୍ତ ଯାନଟି ପ୍ରଦୂଷଣ ଯୁକ୍ତ ହୋଇଥିଲେ ଚାଲାଣ କଟା ଯାଇପାରିବ ବୋଲି ଆବେଦନାକାରୀଙ୍କ ପକ୍ଷରୁ କୁହାଯାଇଛି । ତେବେ ବିନା ନୋଟିସ ଏବଂ ବିନା ଯାଞ୍ଚରେ ଚାଲାଣ କଟାଯିବା ମୋଟର ଯାନ ଆଇନର ଉଲ୍ଲଙ୍ଘନ ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାହାକୁ ନେଇ ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ, ଏନେଇ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।
ଏହା ପୂର୍ବରୁ ମଧ୍ୟ କାଠଗଡାରେ ପହଞ୍ଚିଥିଲା PUC ସାର୍ଟିଫିକେଟ୍ ନଥିଲେ ତେଲ ନମିଳିବା ପ୍ରସଙ୍ଗ । ବୈଧ ପ୍ରଦୂଷଣ ପ୍ରମାଣପତ୍ର (PUCC) ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ ଏବଂ ଜଷ୍ଟିସ୍ ରମଣ ଗତ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ରାଜ୍ୟ ସରକାର ଏବଂ ପରିବହନ କମିଶନରଙ୍କୁ ନୋଟିସ୍ ଜାରି କରିଥିଲେ । ଗାଡି ନାଁରେ ଚାଲାଣ ଥିଲେ ପ୍ରଦୂଷଣ ସାର୍ଟିଫିକଟ ନ ମିଳିବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ଲୋଡିଥିଲେ ହାଇକୋର୍ଟ । ଏସଂକ୍ରାନ୍ତରେ ଦୁଇ ସପ୍ତାହ ମଧ୍ୟରେ ସ୍ପଷ୍ଟୀକରଣ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସତ୍ୟପାଠ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତିନି ସପ୍ତାହ ମଧ୍ୟରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା PUC ସାର୍ଟିଫିକେଟ୍ ନିର୍ଦ୍ଦେଶନାମାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ଆବେଦନକାରୀ ସ୍ନିଗ୍ଧା ପାତ୍ରଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । ମୋଟର ଯାନ ଆଇନ, ୧୯୮୮ ଓ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, ୧୯୮୯ ଉଲଂଘନ କରି ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ହାଇକୋର୍ଟରେ ଜନସ୍ୱାର୍ଥ ମମାଲା ରୁଜୁ କରାଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ- No PUCC-No Fuel ନୀତିରେ ଅବ୍ୟବସ୍ଥା; ବିଜେପି ସରକାରକୁ ଘେରିଲେ ନବୀନ
ଏହା ମଧ୍ୟ ପଢ଼ନ୍ତୁ- PUCC ଟେନସନ୍; ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍, ପରିବହନ କମିଶନରଙ୍କୁ 2 ସପ୍ତାହରେ ସତ୍ୟପାଠ ନିର୍ଦ୍ଦେଶ
ଇଟିଭି ଭାରତ, କଟକ

