ETV Bharat / state

ହୋଲି ପାଳିଲେ...ଆଖିରେ ନୁହେଁ, ମନର ରଙ୍ଗରେ ରଙ୍ଗେଇ ହେଲେ ଦୃଷ୍ଟିବାଧିତ ପିଲା

ଅକ୍ଷମ ନୁହେଁ ଆମେ ସକ୍ଷମ... ଏହି ବାର୍ତ୍ତା ଦେଇ ନିଜ ଭିତରେ ଥିବା ପ୍ରତିଭାର ପ୍ରଦର୍ଶନ ସହ ହୋଲି ମନାଇଥିଲେ ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ପିଲାମାନେ ।

Holi celebration at bhima bhoi school for blind
.ଆଖିରେ ନୁହେଁ, ମନର ରଙ୍ଗରେ ରଙ୍ଗେଇ ହେଲେ ଦୃଷ୍ଟିବାଧିତ ପିଲା (Etv Bharat)
author img

By ETV Bharat Odisha Team

Published : March 4, 2026 at 3:05 PM IST

1 Min Read
Choose ETV Bharat

ଭୁବନେଶ୍ୱର: ସମସ୍ତଙ୍କ ପାଇଁ ଆସିଛି ହୋଲି । ରଙ୍ଗର ପର୍ବ..ଖୁସିର ପର୍ବ । ଏ ଖୁସିରେ ଏମାନେ ବି ହଜି ଯାଇଛନ୍ତି । ରଙ୍ଗ ମାଖି ହୋଇଛନ୍ତି । ଆଖିରେ ନୁହେଁ, ମନର ରଙ୍ଗରେ ରଙ୍ଗେଇ ହୋଇ ହୋଲି ଖେଳିଛନ୍ତି । ଏମାନେ ସାଧାରଣ ପିଲା ନୁହଁନ୍ତି । ଏମାନେ ଦୃଷ୍ଟିବାଧିତ ପିଲା । ଆଖି ଖୋଲିଲେ ଏମାନଙ୍କ ସାମ୍ନାରେ ଖାଲି ଅନ୍ଧାର ଆଉ ଆଉ ଅନ୍ଧାର । ହେଲେ ଆଜି ଏ ହୋଲିର ରଙ୍ଗ ସମସ୍ତଙ୍କୁ ରଙ୍ଗୀନ କରିଦେଇଛି । ରଙ୍ଗକୁ ଦେଖି ପାରୁନାହାଁନ୍ତି ସିନା, ରଙ୍ଗର ଖୁସିକୁ ଅନୁଭବ କରି ପାରୁଛନ୍ତି..ଖୁସିକୁ ଉପଭୋଗ କରୁଛନ୍ତି ।

ଆଖିରେ ନୁହେଁ, ମନର ରଙ୍ଗରେ ରଙ୍ଗେଇ ହେଲେ ଦୃଷ୍ଟିବାଧିତ ପିଲା (Etv Bharat)

ଆଜି ଭୁବନେଶ୍ୱରସ୍ଥିତ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ପିଲାମାନେ ହୋଲି ପର୍ବକୁ ଖୁବ ଧୁମଧାମରେ ପାଳନ କରିଛନ୍ତି । ପିଲାମାନଙ୍କର ଏଇ ଖୁସିରେ ସାମିଲ ହୋଇଥିଲା ଆମ ଇଟିଭି ଭାରତ ଟିମ । ସ୍କୁଲ ପଡିଆରେ ଏକାଠି ହୋଇଥିଲେ ସବୁ ପିଲା । ହାପି ହୋଲି...ସ୍ପରରେ ଉଛୁଳି ପଡୁଥିଲା ପଡିଆ । ପରସ୍ପର ମୁହଁରେ ରଙ୍ଗ ବୋଳି ଖୁସିରେ ଉଛୁଳି ପ଼ଡୁଥିଲେ ପିଲା । କିଛି ଘଣ୍ଟା ପାଇଁ ହେଉ ପଛେ, ଜୀବନର ରଙ୍ଗକୁ ମନଭରି ଉପଭୋଗ କରୁଥିଲେ । କିଏ ହାରମନିୟମ ବଜାଉଛି ତ କିଏ ମୃଦଙ୍ଗ ଆଉ କିଏ ତାବଲା...। ଆଉ କିଏ ସୁଲଳିତ ସ୍ପରରେ ସାରା ପରିବେଶକୁ କୃଷ୍ଣ ପ୍ରେମରେ ଭିଜେଇ ଦେଉଥିଲା । ଅକ୍ଷମ ନୁହେଁ ଆମେ ସକ୍ଷମ... ଏହି ବାର୍ତ୍ତା ଦେଇ ନିଜ ଭିତରେ ଥିବା ପ୍ରତିଭାର ପ୍ରଦର୍ଶନ ସହ ହୋଲି ମନାଇଥିଲେ ଏହି ଭିନ୍ନକ୍ଷମ ପିଲାମାନେ । ଖାଲି ଦୃଷ୍ଟି ବାଧିତ ନୁହେଁ, ଶ୍ରବଣବାଧିତ ଓ କଥା କହିପାରୁନଥିବା ପିଲାମାନେ ମଧ୍ୟ ନିଆରା ଇଙ୍ଗିତରେ ନିଜ ନିଜ ଭିତରେ ରଙ୍ଗ ମାରି, ନାଚିଗାଇ ଖୁସିର ସହ ହୋଲି ପାଳିଛନ୍ତି । ପ୍ରକୃତରେ ଏମାନଙ୍କ ସହ ହୋଲି ଖେଳିବାରେ ଖାଲି ଆନନ୍ଦ ନୁହେଁ ଆତ୍ମତୃପ୍ତି ମିଳିଥାଏ ।

ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ପିଲାଙ୍କ ସହ ଆଜି ହୋଲି ପାଳିବାକୁ ଆସିଥିଲେ କଂଗ୍ରେସର ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ । ପିଲାମାନଙ୍କ ସହ ହୋଲି ଖେଳିଥିଲେ । ଏହି ଅବସରରେ କଂଗ୍ରେସର ପୂର୍ବତନ ପିସିସି ସଭାପତି କହିଥିଲେ, 'ପିଲାଙ୍କ ସହ ରଙ୍ଗର ଏହି ପର୍ବ ପାଳନ କରି ଖୁବ ଖୁସି ଲାଗୁଛି । ପିଲାଙ୍କ ସହ ବିତାଇ ଥିବା ପ୍ରତିଟି ମୁହୂର୍ତ୍ତ ନିଆରା ଅନୁଭୂତି ହୋଇ ମୋର ମନେ ରହିବ' ବୋଲି କହିଥିଲେ ପ୍ରସାଦ ହରିଚନ୍ଦନ। ଏଥି ସହିତ ପିଲାମାନଙ୍କୁ ସଫଳତାର ବାର୍ତ୍ତା ଦେବା ସହ ଆଶୀର୍ବାଦ ଦେଇଥିଲେ ଓ ଖାଦ୍ୟ ବଣ୍ଟନ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ଏହା ମଧ୍ୟ ପଢନ୍ତୁ ପୁରୀରେ ହୋଲି ଖେଳିଲେ ଜାପାନୀ ପର୍ଯ୍ୟଟକ; କହିଲେ, ନିଆରା ଅନୁଭୂତି ପାଇଲୁ

ଏହା ମଧ୍ୟ ପଢନ୍ତୁ ହୋଲିରେ 'ନୋ କେମିକାଲ' ଆଉଟଫିଟ; ଆକର୍ଷଣ ସାଜିଛି ଡିଜାଇନର ଭାଇଙ୍କ ପ୍ରାକୃତିକ ରଙ୍ଗରେ ପ୍ରସ୍ତୁତ ଡ୍ରେସ