ହର୍ବାଲ ହୋଲିକୁ ମହିଳାଙ୍କ ଗୁରୁତ୍ବ, ଫଳ-ଫୁଲ-ପତ୍ରରୁ ପ୍ରସ୍ତୁତ କରୁଛନ୍ତି ପ୍ରାକୃତିକ ରଙ୍ଗ
ରାଜଧାନୀର କିଛି ମହିଳା ପ୍ରସ୍ତୁତ କରୁଛନ୍ତି ପ୍ରାକୃତିକ ରଙ୍ଗ । ସୁରକ୍ଷିତ ହୋଲି ପାଳିବା ପାଇଁ ପନିପରିବା ଓ ଫୁଲରୁ ପ୍ରସ୍ତୁତ କରୁଛନ୍ତି ପ୍ରାକୃତିକ ରଙ୍ଗ । ନିଜେ ଖେଳୁଛନ୍ତି, ଅନ୍ୟକୁ ବାଣ୍ଟୁଛନ୍ତି ।

Published : March 2, 2026 at 5:28 PM IST
ସ୍ପେଶାଲ ଷ୍ଟୋରୀ: ବିକାଶ କୁମାର ଦାସ
Herbal Holi 2026 ଭୁବନେଶ୍ବର: ଚାଙ୍ଗୁଡ଼ିରେ ଭରି ରହିଛି ଭଳିକି ଭଳି ଫୁଲ ଓ ପନିପରିବା । ଗେଣ୍ଡୁଠୁ ନେଇ ଗୋଲାପ ଓ ମନ୍ଦାର ...ଲାଲ ଲାଲ ଫୁଲର ସମ୍ଭାର । ଆଉ କିଛି ଚାଙ୍ଗୁଡ଼ିରେ ରହିଛି ଡାଳିମ୍ବଠୁ ନେଇ ସବୁଜ ଶାଗ । ବିଭିନ୍ନ ପନିପରିବାରେ ପୂରି ଉଠିଛି ଚାଙ୍ଗୁଡ଼ି । ତେବେ ଏ କୌଣସି ପୂଜାର ପ୍ରସ୍ତୁତି ନୁହେଁ । ସୁରକ୍ଷିତ ହୋଲି ପାଳିବା ପାଇଁ ରାଜଧାନୀର କିଛି ମହିଳା ଏକାଠି ହୋଇ ପ୍ରସ୍ତୁତ କରୁଛନ୍ତି ହର୍ବାଲ ରଙ୍ଗ । ଏଥିସହ ଏହାକୁ ମାଗଣାରେ ମଧ୍ୟ ବାଣ୍ଟୁଛନ୍ତି ।
ରଙ୍ଗର ପର୍ବ ହୋଲି..
ରଙ୍ଗର ପର୍ବ ହୋଲି । ଛୋଟ ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସବୁଠି ରଙ୍ଗ ଖେଳ ପାଇଁ ପ୍ରସ୍ତୁତି । ହେଲେ ଏହାରି ମଧ୍ୟରେ ହର୍ବାଲ ରଙ୍ଗକୁ ନେଇ ବେଶ ଗୁରୁତ୍ୱ ଦେଇଛନ୍ତି କିଛି ମହିଳା । ଭୁବନେଶ୍ବରର ଏକ ଆପାର୍ଟମେଣ୍ଟରେ ରହୁଥିବା କିଛି ପଡ଼ୋଶୀମାନେ ବିଭିନ୍ନ ଫୁଲ, ପତ୍ର, ବିହନ ଓ ଫଳରୁ ନିଜେ ରଙ୍ଗ ତିଆରି କରି ପରିବେଶ ଅନୁକୂଳ ହୋଲି ଖେଳିଥାନ୍ତି । ଭୁବନେଶ୍ବରର 50 ବର୍ଷୀୟା ପ୍ରିୟଦର୍ଶିନୀ ଦାସଙ୍କ ଦ୍ୱାରା ପ୍ରେରିତ ଆପାର୍ଟମେଣ୍ଟର ମହିଳାମାନେ ହୋଲି ପୂର୍ବରୁ ପ୍ରାୟ ଗୋଟିଏ ସପ୍ତାହ ଧରି ରଙ୍ଗ ପ୍ରସ୍ତୁତ କରୁଛନ୍ତି ।

କେମିକାଲ ନୁହେଁ ପ୍ରାକୃତିକ ରଙ୍ଗକୁ ଗୁରୁତ୍ବ:
ଆଜିକାଲି ବଜାରରେ ପ୍ରଚୁର ପରିମାଣରେ ମିଳୁଛି ରସାୟନ ତଥା କେମିକାଲ ଯୁକ୍ତ ରଙ୍ଗ । ଯାହା ତ୍ୱଚା, କେଶ ଓ ପରିବେଶ ପାଇଁ ବେଶ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଆଉ ମାତ୍ର ଦିନକ ପରେ ରଙ୍ଗର ପର୍ବ ହୋଲି । ଆବାଳ ବୃଦ୍ଧବନିତା ପରସ୍ପର ସହ ରଙ୍ଗ ବା ଫଗୁ ଖେଳି ମନାଇଥାନ୍ତି ହୋଲି । ବର୍ତ୍ତମାନ ସମୟରେ କେମିକାଲ ଫ୍ରି ହର୍ବାଲ ବା ପ୍ରାକୃତିକ ରଙ୍ଗର ଚାହିଦା ବଢିବାରେ ଲାଗିଛି । ଯୁବପିଢି ବିଶେଷ କରି ପ୍ରାକୃତିକ ରଙ୍ଗକୁ ବେଶ ଗୁରୁତ୍ବ ଦେଇଥାନ୍ତି । ଏହାକୁ ଦୃଷ୍ଟିରେ ମହିଳା ମାନେ ପ୍ରାକୃତିକ ରଙ୍ଗରୁ ଫଗୁ ତିଆରି କରୁଛନ୍ତି ।

ଗଛ ପତ୍ରରୁ ରଙ୍ଗ ପ୍ରସ୍ତୁତ:
ପ୍ରିୟଦର୍ଶିନୀ ଦାଶ କୁହନ୍ତି, ‘ପ୍ରତ୍ୟେକ ଲୋକଙ୍କ ଘରେ ଏଭଳି କିଛି ଜିନିଷ ରହିଛି ଯାହାକୁ ନେଇ ହର୍ବାଲ ରଙ୍ଗ ପ୍ରସ୍ତୁତ କରିହେବ । ଏପରିକି ଆଖପାଖରେ ଥିବା ବିଭିନ୍ନ ଗଛର ପତ୍ର ଯେମିତିକି ଆମ୍ବ ପତ୍ର, କଦଳୀ ପତ୍ର, ମଞ୍ଜୁଆତି ପତ୍ର ଭଳି ଅନେକ ଗଛର ପତ୍ରକୁ ନେଇ ରଙ୍ଗ ପ୍ରସ୍ତୁତ କରାଯାଉଛି ।’

- ପ୍ରଥମେ ଦୁଇରୁ ତିନୋଟି ବିଟ୍ କାଟି ପାଣିରେ ଫୁଟାନ୍ତୁ
- ପାଣି ଗାଢ଼ ଲାଲ ହୋଇଗଲେ, ଏହାକୁ ଥଣ୍ଡା କରନ୍ତୁ
- ଏଥିରେ ଚାଉଳ ଗୁଣ୍ଡ ମିଶାନ୍ତୁ
- ଏହାକୁ ଭଲ ଭାବରେ ପେଷ୍ଟ କରି ଖରାରେ ଶୁଖାଇ ପେଷି ଦିଅନ୍ତୁ
- ପରବର୍ତ୍ତୀ ସମୟରେ ଏଥିରୁ ଏକ ପ୍ରାକୃତିକ ଲାଲ ଫଗୁ ସୃଷ୍ଟି ହେବ
- ଏହା ସହିତ ଶୁଖିଲା ମେହେନ୍ଦି ପତ୍ର ଏବଂ ପାଳଙ୍ଗ ପାଉଡର ମିଶାଇ ମଧ୍ୟ ସବୁଜ ରଙ୍ଗ ତିଆରି କରିପାରିବେ
- ବିକଳ୍ପ ଭାବରେ ପାଳଙ୍ଗକୁ ଫୁଟାଇ ରସକୁ ଅଲଗା ରଖନ୍ତୁ ଏଥିରେ ଆରୋରୁଟ୍ ମିଶାଇ ରଙ୍ଗ ପ୍ରସ୍ତୁତ ମଧ୍ୟ କରାଯାଇଥାଏ
- ଏପଟେ ଗୋଲାପ ଫୁଲରୁ ଗୋଲାପୀ ରଙ୍ଗ ପ୍ରସ୍ତୁତ କରିପାରିବେ
- ଯାହା ତିଆରି କରିବା ବହୁତ ସହଜ ଅଟେ
- ସତେଜ ଗୋଲାପ ଫୁଲକୁ ଭଲ ଭାବରେ ଧୋଇ ଶୁଖାନ୍ତୁ
- ଏହାପରେ ପତ୍ରକୁ ଭଲ ଭାବରେ ଗ୍ରାଇଣ୍ଡ କରି ପାଉଡର ତିଆରି କରନ୍ତୁ
- ଏହିପରି ହୋଲି ସମୟରେ ଗୋଲାପୀ ରଙ୍ଗ ବ୍ୟବହାର କରି ରଙ୍ଗ ସହିତ ଖେଳିପାରିବେ
କେଉଁଥିରେ ହେଉଛି ପ୍ରସ୍ତୁତି ?

ବିଶେଷ କରି ହେନା ପତ୍ର, କଞ୍ଚା କଦଳୀ, ବିଲାତି ମୂଳ, ନିମ୍ବ ପତ୍ର, ଆମ୍ବ ପତ୍ର, ବେଲ ପତ୍ର, ମନ୍ଦାର ଫୁଲ, ଅପରାଜିତା ଫୁଲ, ଗେଣ୍ଡୁ, ଗୋଲାପ, ଆନାଟୋ ମଞ୍ଜି (କୁମ୍କୁମ୍), ଡାଳିମ୍ବ ଗୁଣ୍ଡ, ଅଁଳା ଆଦି ସଂଗ୍ରହ କରି ସେଥିରୁ ରଙ୍ଗ ବାହାର କରୁଛନ୍ତି । ଏହା ସହିତ ଚାଉଳ, ଅଟା, ମାଟି ଆଦିରୁ ମଧ୍ୟ ରଙ୍ଗ ପ୍ରସ୍ତୁତ ଜରାଯାଉଛି ।

କେଉଁଠାରୁ କରାଯାଉଛି ସଂଗ୍ରହ ?
ମନ୍ଦିରରୁ ବାହାରୁଥିବା ଫୁଲ, ଘରର ଠାକୁରଙ୍କ ନିକଟରୁ ବାହାରିଥିବା ଫୁଲ ସମେତ ସାହି ପଡୋଶୀଙ୍କଠାରୁ ମଧ୍ୟ ଫୁଲ ସଂଗ୍ରହ କରୁଛନ୍ତି ଏହି ମହିଳାମାନେ ।

‘ଶରୀର ପାଇଁ ହର୍ବାଲ ରଙ୍ଗ ଭଲ’
ରାଜଧାନୀ ବାସିନ୍ଦା ଆଦ୍ୟାନ୍ସି ସାହୁ କହିଛନ୍ତି ‘ମାର୍କେଟରେ ମିଳୁଥିବା ହର୍ବାଲ ରଙ୍ଗକୁ ବ୍ୟବହାର କରିଥାଉ । ହର୍ବାଲ ରଙ୍ଗ ପରିବେଶ ପାଇଁ ବହୁତ ଭଲ ଉପକାରୀ ଅଟେ । ଏହା ସହିତ ଚେହେରା ପାଇଁ ମଧ୍ୟ ବହୁତ ଭଲ ।’

ଆଦ୍ୟାନ୍ସି ଆହୁରି କୁହନ୍ତି, ‘କେମିକାଲ ରଙ୍ଗ ବ୍ୟବହାର ହେଲେ ଅନେକ ସମସ୍ୟା ଦେଖାଯାଇଥାଏ । ଯେମିତିକି ଚେହେରାରେ ସମସ୍ୟା ଦେଖାଦେବା, ପରିବେଶ ଦୂଷିତ ହେବା ସହିତ ଆଲର୍ଜି ମଧ୍ୟ ହୋଇଥାଏ । ସମସ୍ତେ ମିଶିକି ହର୍ବାଲ ରଙ୍ଗ ପ୍ରସ୍ତୁତ କରି ହୋଲି ପାଇଁ ପ୍ରସ୍ତୁତ ରହୁଛୁ । ଏହାକୁ ଆମେ 5-6 ବର୍ଷ ହେଲା ଆରମ୍ଭ କରିଛୁ । ବିଭିନ୍ନ ପତ୍ର ଓ ଫଳ ଫୁଲ ଯୋଗାଡ଼ କରିବା ପାଇଁ ଅଧିକ ସମୟ ଲାଗିଥାଏ । ଏହାକୁ ଶୁଖାଇ ଗୁଣ୍ଡ କରି ରଙ୍ଗରେ ପରିଣତ କରିହୋଇଥାଏ ।’

ଏହା ମଧ୍ୟ ପଢନ୍ତୁ: କେମିକାଲ୍ ନୁହେଁ ହର୍ବାଲ ହୋଲି: ପନିପରିବାରୁ ଫଗୁ ପ୍ରସ୍ତୁତ କରୁଛନ୍ତି କୋରାପୁଟ SHG ମହିଳା Holi 2026: ରଙ୍ଗର ପର୍ବକୁ କିପରି ସୁରକ୍ଷିତ ଭାବେ ପାଳିବେ, ଜାଣନ୍ତୁ ବିଶେଷଜ୍ଞଙ୍କ ଟିପ୍ସ |
ହର୍ବାଲ ରଙ୍ଗ ବିକ୍ରି କରୁଛନ୍ତି କି ମହିଳା ?

ବିଶେଷ କରି ବର୍ତ୍ତମାନ ସମୟରେ ଏହାକୁ ବିକ୍ରି କରିବା ପାଇଁ କୌଣସି ଲକ୍ଷ୍ୟ ନାହିଁ ବୋଲି କୁହନ୍ତି ରଙ୍ଗ ପ୍ରସ୍ତୁତ କରୁଥିବା ମହିଳା । କିନ୍ତୁ ଯାହା ପ୍ରସ୍ତୁତ କରାଯାଉଛି ତାହା ଆପାର୍ଟମେଣ୍ଟର ସମସ୍ତ ସଦସ୍ୟ ମାନେ ଏକାଠି ଖେଳିଥାନ୍ତି । ଆଖପାଖ ଲୋକ ସମସ୍ତେ ମିଶି ହର୍ବାଲ ରଙ୍ଗ ଖେଳିଥାଉ ।

ଇଟିଭି ଭାରତ, ଭୁବନେଶ୍ବର

