ETV Bharat / state

ଭୁବନେଶ୍ୱରରେ ହୋର୍ଡିଂ ପଡ଼ିବା ଘଟଣା: ଥାନାରେ ବିଏମ୍ସିର ଅଭିଯୋଗ, ତେଣେ ପୁଅକୁ ହରାଇ ସର୍ବଶ୍ବାନ୍ତ ପରିବାର

ଉଭୟ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF)ରୁ ₹୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା ।

ଭୁବନେଶ୍ୱରରେ ହୋର୍ଡିଂ ପଡ଼ିବା ଘଟଣା: ଥାନାରେ ବିଏମ୍ସିର ଅଭିଯୋଗ, ତେଣେ ପୁଅକୁ ହରାଇ ସର୍ବଶ୍ବାନ୍ତ ପରିବାର
ଭୁବନେଶ୍ୱରରେ ହୋର୍ଡିଂ ପଡ଼ିବା ଘଟଣା: ଥାନାରେ ବିଏମ୍ସିର ଅଭିଯୋଗ, ତେଣେ ପୁଅକୁ ହରାଇ ସର୍ବଶ୍ବାନ୍ତ ପରିବାର (ETV BHARAT ODISHA)
author img

By ETV Bharat Odisha Team

Published : February 25, 2026 at 8:09 PM IST

2 Min Read
Choose ETV Bharat

ଭୁବନେଶ୍ୱର: ଭୁବନେଶ୍ୱରରେ ହୋର୍ଡିଂ ପଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟଣାରେ ବିଏମସିର କଡ଼ା ଆଭିମୁଖ୍ୟ । ବେଆଇନ ହୋର୍ଡିଂ ଏଜେନ୍ସି ନାଁରେ ବିଏମସିର ଥାନାରେ ଅଭିଯୋଗ । ଅସୁରକ୍ଷିତ ହୋର୍ଡିଂକୁ ହଟାଯିବା ନିର୍ଦେଶ ଖିଲାପ କଲେ, ଘରୋଇ ବିଜ୍ଞାପନ ବନ୍ଦ ହେବ ବୋଲି କହିଲେ, ବିଏମସି କମିଶନର ଚଞ୍ଚଳ ରଣା । ଏପଟେ ପୁଅକୁ ହରାଇ ଦୁଃଖରେ ପୁରା ପରିବାର ।

ଭୁବନେଶ୍ୱରରେ ହୋର୍ଡିଂ ପଡ଼ିବା ଘଟଣା: ଥାନାରେ ବିଏମ୍ସିର ଅଭିଯୋଗ, ତେଣେ ପୁଅକୁ ହରାଇ ସର୍ବଶ୍ବାନ୍ତ ପରିବାର (ETV BHARAT ODISHA)

ଗତକାଲି ଆଇଗିଣିଆ ଦୁର୍ଗା ମଣ୍ଡପ ନିକଟରେ ଘଟିଥିବା ଦୁର୍ଘଟଣାରେ ବିଏମସିର କଡ଼ା କାର୍ଯ୍ୟାନୁଷ୍ଠାନ । ହୋର୍ଡିଂ ଏଜେନ୍ସି ନାଁରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ କରିଛି ବିଏମସି । ଗତକାଲି ହୋର୍ଡିଂ ପଡି ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇ ଏମ୍ସ ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ମୃତକ ୨ ଜଣ ହେଉଛନ୍ତି, ଟୁନା ଗୌଡ଼ ଓ ଛାତ୍ର ସଚିଦାନନ୍ଦ ପ୍ରଧାନ । ଏହି ଘଟଣାରେ ବିଏମସି କମିଶନେର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, "ଏହା ଏକ ଦୁଃଖଦ ଘଟଣା । ଆମେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛୁ । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ତରଫରୁ ମୃତକଙ୍କ ପରିବାର ଏବଂ ଆହତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସେହିଭଳି କାଳବୈଶାଖୀ ପାଇଁ SRC ତରଫରୁ ମଧ୍ୟ ପାଖାପାଖି 4 ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଯେଉଁ ହୋର୍ଡିଂରେ ଏଭଳି ଘଟଣା ଘଟିଥିଲା ତାହା ବେଆଇନ ହୋର୍ଡିଂ ଥିଲା । ତେଣୁ ଗତକାଲି ବିଏମସି ତରଫରୁ ମଧ୍ୟ ଥାନାରେ ଲିଖିତ ଭାବେ ଅଭିଯୋଗ କରାଯାଇଛି । ବେଆଇନ ହୋର୍ଡିଂକୁ ଡିସେମ୍ବର ମାସରେ ବିଏମସି ବେଆଇନ ଘୋଷଣା କରିଥିଲା । ଏହି ହୋର୍ଡିଂ ମଧ୍ୟ କାଢ଼ିବାକୁ ବିଏମସି ତରଫରୁ ନିର୍ଦେଶ ଦିଆଯାଇଥିଲା । ହେଲେ ସମ୍ପୃକ୍ତ ଏଜେନ୍ସି ଏହି ନିର୍ଦେଶକୁ ମାନି ନଥିଲେ । ଅସୁରକ୍ଷିତ ଭାବେ ହୋର୍ଡିଂଟି ରହିଥିବା ବେଳେ କାଲି ଖସିଯିବାରୁ ଏଭଳି ଦୁଖଦ ଘଟଣା ଘଟିଛି । ତେଣୁ ବିଏମସି ବର୍ତ୍ତମାନ ବେଆଇନ ହୋର୍ଡିଂ କାଟିବା ଅଭିଯାନ ଆରମ୍ଭ କରିସାରିଛି । ଗତ ସପ୍ତାହରେ ଏନେଇ ଟେଣ୍ଡର ହୋଇଛି । ଟେଣ୍ଡର ମାଧ୍ୟମରେ ହୋର୍ଡିଂ କାଟିବା ସହ ଏହାକୁ ବିକ୍ରି କରି ଏହାର ଅର୍ଥକୁ ବିଏମସିକୁ ଦେବାକୁ ନିଷ୍ପତି ହୋଇଛି । ଆସନ୍ତା ଏକ ମାସ ଭିତରେ ସମସ୍ତ ବେଆଇନ ହୋର୍ଡିଂ କାଟିବାକୁ ଅଭିଯାନ ଆରମ୍ଭ ହୋଇଛି । ଆଗାମୀ ଦିନରେ ଯଦି ବେଆଇନ ହୋର୍ଡିଂ କାରଣରୁ ଏଭଳି ଘଟଣା ଘଟେ ତେବେ ବିଏମସି ତରଫରୁ ଉକ୍ତ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।"

ଗତକାଲି ଆଇଗିଣିଆ ଦୁର୍ଗା ମଣ୍ଡପ ନିକଟରେ ହୋର୍ଡିଂ ପଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟଣା
ଗତକାଲି ଆଇଗିଣିଆ ଦୁର୍ଗା ମଣ୍ଡପ ନିକଟରେ ହୋର୍ଡିଂ ପଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟଣା (ETV BHARAT ODISHA)

ସେହିପରି କମିଶନେର କାହିଛନ୍ତି, "ବେଆଇନ ହୋର୍ଡିଂ କାଟିବା ପାଇଁ ଡ୍ରାଇଭ ଆରମ୍ଭ ହୋଇଛି । ଆଗରୁ କେବଳ ହୋର୍ଡିଂ ଚିରୁଥିଲୁ । ଏବେ ହୋର୍ଡିଂକୁ ସମ୍ପୂର୍ଣ୍ଣ ବାହାର କରାଯିବ । ଏନେଇ ଟେଣ୍ଡର ଡକାଯାଇଛି । ଏସବୁ କାର୍ଯ୍ୟ ନ ସାରିବା ଯାଏ ଗୋଟେ ବି ଏଜେନ୍ସି ଲାଇସେନ୍ସ ନବୀକରଣ କରାଯିବନି । ଆବଶ୍ୟକ ପଡ଼ିଲେ ଘରୋଇ ବିଜ୍ଞାପନକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯିବ । ଏପରିକି ଯଦି ଏଜେନ୍ସି ହୋର୍ଡିଂ ଫି ସମୟରେ ନ ଦେବେ ଆଉ ବିଏମସି ନର୍ମ ଅନୁସାରେ ଯଦି ବିଜ୍ଞାପନ ଏଜେନ୍ସି ନ ମାନନ୍ତି, ତେବେ ବେଆଇନ ହୋର୍ଡିଂ ଗୁଡ଼ାକୁ ସମ୍ପୂର୍ଣ ବନ୍ଦ କରିଦିଆଯିବ," ବୋଲି ସେ କହିଛନ୍ତି ।

ବେଆଇନ ହୋର୍ଡିଂ ଏଜେନ୍ସି ନାଁରେ ବିଏମସିର ଥାନାରେ ଅଭିଯୋଗ ।
ବେଆଇନ ହୋର୍ଡିଂ ଏଜେନ୍ସି ନାଁରେ ବିଏମସିର ଥାନାରେ ଅଭିଯୋଗ । (ETV BHARAT ODISHA)

ଭୁବନେଶ୍ୱରରେ ହୋର୍ଡିଂ ପଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟଣାରେ ପୁଅକୁ ହରାଇ ପୁରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି । ମୃତ ଛାତ୍ର ସଚ୍ଚିଦାନନ୍ଦ ପ୍ରଧାନଙ୍କ ମୃତ ଦେହ ପରିବାରକୁ ହସ୍ତାନ୍ତର ନ କରିବାରୁ ଆଜି ରାସ୍ତାରୋକ କରିଥିଲେ ପରିବାର ଲୋକେ । ଏକମାତ୍ର ପୁଅକୁ ହରାଇ ବାପା ପୁଅର ମୃତ ଦେହ ନ ପାଇ ଦୁଃଖରେ ଭାଙ୍ଗିପଡିଥିବା ବେଳେ ପରିବାର ଓ ପ୍ରିୟଜନ ଆଇଗିଣିଆ ଛକରେ ରାସ୍ତାରୋକ କରିବା ପରେ ଅପରାହ୍ନରେ ସଚ୍ଚିଦାନନ୍ଦଙ୍କ ମୃତ ଦେହ ପରିବାରକୁ ହସ୍ତାନ୍ତର ହୋଇଥିଲା । ହେଲେ ପଢୁଆ ପୁଅକୁ ହରାଇ ଏବେ ବି ଗୁମୁରି କାନ୍ଦୁଛି ବାପା ।

ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ଆଇଗିଣିଆ ଅଞ୍ଚଳରେ ଦୁଃଖଦ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସୋସିଆଲ ମିଡିଆ Xରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ହୋର୍ଡିଂ ଭୁଶୁଡ଼ି ଟୁନା ଗୌଡ଼ (ପିତା- ମୁରଲୀ ଗୌଡ଼) ଏବଂ ସଚ୍ଚିଦାନନ୍ଦ ପ୍ରଧାନ (ପିତା-ସନ୍ତୋଷ ପ୍ରଧାନ)ଙ୍କର ପ୍ରାଣହାନି ବିଷୟରେ ଜାଣି ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ଉଭୟ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF)ରୁ ₹୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ- ଭୁବନେଶ୍ୱରରେ ଡ୍ରେନ୍‌ କାମ ଚାଲିଥିଲା ବେଳେ କାନ୍ଥ ଭୁଶୁଡ଼ି 2 ମୃତ, ହୋର୍ଡିଂ ନେଲା 2 ଜୀବନ

ଏହା ମଧ୍ୟ ପଢ଼ନ୍ତୁ- ସୁପରମାର୍ଟ ଅଗ୍ନିକାଣ୍ଡ ଘଟଣା; ୪୦ ଘଣ୍ଟା ପରେ ବି କୁହୁଳୁଛି ଧୂଆଁ, ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତି

ଇଟିଭି ଭାରତ, ଭୁବନେଶ୍ବର