ETV Bharat / state

ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍; ଇନୋଭା ଧକ୍କାରେ ମହିଳାଙ୍କ ଗଲା ଜୀବନ

ଭୁବନେଶ୍ୱର କୋର୍ଟ ସାମ୍ନା ଲୁଇସ୍ ରୋଡ୍ ରେ ମର୍ମନ୍ତୁଦ ଦୁର୍ଘଟଣା । ମୃତକ ହେଲେ ବଡ଼ଗଡ଼ ଥାନା ଅଞ୍ଚଳର ବବିତା ମହାନ୍ତି (୩୨)।

ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍; ଇନୋଭା ଧକ୍କାରେ ମହିଳାଙ୍କ ଗଲା ଜୀବନ
ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍; ଇନୋଭା ଧକ୍କାରେ ମହିଳାଙ୍କ ଗଲା ଜୀବନ (ETV BHARAT ODISHA)
author img

By ETV Bharat Odisha Team

Published : February 23, 2026 at 8:07 PM IST

1 Min Read
Choose ETV Bharat

ଭୁବନେଶ୍ୱର: ରାଜଧାନୀରେ ଆଜି (ସୋମବାର) ପୁଣି ଏକ ହିଟ୍ ଆଣ୍ଡ ରନ୍ ଘଟଣା ସାମ୍ନାକୁକୁ ଆସିଛି । ଇନୋଭା ଧକ୍କାରେ ଜଣେ ମହିଳାଙ୍କ ଜୀବନ ଯାଇଛି । ଭୁବନେଶ୍ୱର କୋର୍ଟ ସାମ୍ନା ଲୁଇସ୍ ରୋଡ୍ ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ବଡ଼ଗଡ଼ ଥାନା ଅଞ୍ଚଳର ବବିତା ମହାନ୍ତି (୩୨)। ସ୍ୱାମୀ ମନୋଜ କୁମାର ଦାସଙ୍କ ଆଖି ଆଗରେ ବବିତା ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ଘଟାଇ ଇନୋଭା ଚାଳକ ଫେରାର ହୋଇଯାଇଥିଲା । ଏନେଇ ମନୋଜଙ୍କ ପକ୍ଷରୁ ବଡ଼ଗଡ଼ ଥାନାରେ ଏତଲା ଦିଆଯାଇଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍; ଇନୋଭା ଧକ୍କାରେ ମହିଳାଙ୍କ ଗଲା ଜୀବନ (ETV BHARAT ODISHA)

ଦ୍ରୁତଗତିରେ ଯମ ଭଳି ମାଡ଼ି ଆସିଲା ଇନୋଭା
ଦମ୍ପତି ମନୋଜ ଓ ବବିତାଙ୍କ କୋର୍ଟରେ କୌଣସି ଏକ ମାମଲାକୁ ନେଇ କାମ ଥିଲା । ସେମାନେ ପୂର୍ବାହ୍ନରେ ବାଇକରେ ଘରୁ ଆସିଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଲୁଇସ୍ ରୋଡ୍ ପାର୍ଶ୍ୱରେ ସେମାନେ ବାଇକ ଥୋଇଥିଲେ । ଏହାପରେ ସ୍ୱାମୀ ସ୍ତ୍ରୀ କୋର୍ଟ ପାର୍ଶ୍ଵକୁ ଚାଲି ଚାଲି ଯାଇଥିଲେ । ଏହି ସମୟରେ ଇନୋଭାଟି କଳ୍ପନା ଛକ ପଟୁ ଦ୍ରୁତଗତିରେ ମାଡି ଆସିଥିଲା । ବବିତାଙ୍କୁ ଗାଡ଼ିଟି ଶକ୍ତ ଧକ୍କା ଦେଇଥିଲା । ବବିତା ତଳେ ପଡ଼ିଯିବାରୁ ତାଙ୍କ ମୁଣ୍ଡ ଉପରେ ଇନୋଭା ଚକା ଚଢିଯାଇଥିଲା । ସ୍ଥାନୀୟ ଲୋକମାନେ ଗାଡ଼ିକୁ କାବୁ କରିବାକୁ ଚାହୁଁଥିବା ବେଳେ ଚାଳକ ଦ୍ରୁତଗତିରେ ଗାଡ଼ି ନେଇ ରବି ଟକିଜ୍ ଆଡ଼କୁ ଚାଲିଯାଇଥିଲା । ଫଳରେ ଦୁର୍ଘଟଣା ଘଟାଇଥିବା ଗାଡିକୁ ଲୋକମାନେ ଧରି ପାରି ନ ଥିଲେ । ଗୁରୁତର ବବିତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।


ସିସିଟିଭି ଯାଞ୍ଚ କରି ଗାଡିକୁ ଖୋଜୁଛୁ- ଥାନାଧିକାରୀ
ବଡ଼ଗଡ଼ ଥାନାଧିକାରୀ ତୃପ୍ତିରଞ୍ଜନ ନାୟକ କହିଛନ୍ତି,"ଘଟଣାକୁ ଆମେ ଗୁରୁତ୍ଵର ସହ ନେଇଛୁ । ଚାଳକ ଗାଡ଼ି ନେଇ ଫେରାର ହୋଇଯାଇଛି । ଦୁର୍ଘଟଣାସ୍ଥଳ ଓ ଗାଡିଟି ଯାଇଥିବା ରୁଟର ସିସିଟିଭି ଯାଞ୍ଚ କରୁଛୁ । ବହୁତ ଶୀଘ୍ର ଗାଡ଼ିକୁ ଚିହ୍ନଟ କରାଯାଇ ଚଳକକୁ ଗିରଫ କରାଯିବ," ବୋଲି ସେ କହିଛନ୍ତି ।

ମନରୁ ଲିଭିନି ପାତ୍ରପଡ଼ା ହିଟ୍ ଆଣ୍ଡ ରନ୍ ଘଟଣା
ଗତବର୍ଷ ଅଗଷ୍ଟ ୯ (ରକ୍ଷା ବନ୍ଧନ)ରେ ପାତ୍ରପଡ଼ା ପେଟ୍ରୋଲ ପମ୍ପ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ହିଟ୍ ଆଣ୍ଡ ରନ୍ ଘଟିଥିଲା । ଥାର୍ ଧକ୍କାରେ ଫୁଲେଶ୍ୱରୀ ବସ୍ତିର ମା' ରେବତୀ ରାଉଳ ଓ କୁନିଝିଅ ଜାଗୃତିଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଖଣ୍ଡଗିରି ଥାନା ପୋଲିସ ଥାର୍ ମାଲିକଙ୍କ ସମେତ ୫ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଗିରଫ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ- Jharsuguda Accident: ବୋଲେରୋକୁ ଧକ୍କା ଦେଲା ଟ୍ରକ, ୫ ପୋଲିସ ମୃତ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଏହା ମଧ୍ୟ ପଢ଼ନ୍ତୁ- ରାଜଧାନୀରେ ପୁଣି ଛାତିଥରା ଦୁର୍ଘଟଣା, ଡାଲା ଅଟୋକୁ ଧକ୍କା ଦେଲା ଟ୍ରାଭେଲର, ହୋମଗାର୍ଡଙ୍କ ସମେତ ୪ ଆହତ

ଇଟିଭି ଭାରତ, ଭୁବନେଶ୍ବର