ଶ୍ରୀମନ୍ଦିରରେ ଗଣ୍ଡଗୋଳ ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟ ପ୍ରଶାସକ,ଏଣିକି ନୂଆ SOPରେ ପ୍ରୋଟକଲ ଦର୍ଶନ
ଶ୍ରୀ ମନ୍ଦିର ଭିତରେ ଡ୍ୟୁଟିରେ ଥିବା ପୋଲିସ ଏବଂ ଶ୍ରୀମନ୍ଦିର କର୍ମଚାରୀଙ୍କ ଖୋଲାଖୋଲି ମୋବାଇଲ ଫୋନ ବ୍ୟବହାର ଉପରେ କଡା କଟକଣା ଲାଗୁ ହୋଇଛି ।


Published : January 5, 2026 at 9:03 PM IST
ପୁରୀ: ଶ୍ରୀମନ୍ଦିର ଭିତରେ ରବିବାର ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀ ଏବଂ ଶ୍ରୀମନ୍ଦିର କମାଣ୍ଡର, ଜେଟିପି ମଧ୍ୟରେ ଗଣ୍ଡଗୋଳ ଘଟଣାକୁ ସବୁ ମହଲରେ ନିନ୍ଦା କରାଯିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ପୁରୀ ଏସପି ପ୍ରତୀକ ସିଂ ସମସ୍ତ ଘଟଣାର ତଦନ୍ତ କରି ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୁରୀ ଏସପିଙ୍କୁ କହିଛନ୍ତି । ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀ ଏବଂ ଶ୍ରୀମନ୍ଦିର କମାଣ୍ଡର ଙ୍କ ମଧ୍ୟରେ ଗତକାଲିର ଗଣ୍ଡଗୋଳ ଘଟଣାକୁ ନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀର କମାଣ୍ଡାଣ୍ଟ, ବରିଷ୍ଠ ପୋଲିସ ଅଧିକାରୀ, ଶ୍ରୀମନ୍ଦିର କମାଣ୍ଡର, ଜେଟିପି ଉପସ୍ଥିତ ରହିଥିଲେ । ଗତକାଲିର ଗଣ୍ଡଗୋଳ ଘଟଣା କିଭଳି ଏବଂ କାହିଁକି ହେଲା ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ତେବେ ପ୍ରୋଟୋକଲ ଦର୍ଶନକୁ ନେଇ ବିବାଦ ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ SOP ପ୍ରସ୍ତୁତ କରାଯାଇଛି ।
ତେବେ ଶ୍ରୀମନ୍ଦିର ଭିତରେ ଶ୍ରୀମନ୍ଦିର ସୁରକ୍ଷା ବାହିନୀର ଶ୍ରୀମନ୍ଦିର କମାଣ୍ଡରଙ୍କ ପ୍ରତି ଆଚରଣକୁ ନିନ୍ଦା କରିଛନ୍ତି ସେବାୟତ । ଶ୍ରୀ ମନ୍ଦିରର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ଶ୍ରୀମନ୍ଦିର ଏକ ଆଧ୍ୟାତ୍ମିକ ସ୍ଥାନ । ଏଣୁ ଏହାକୁ ରଣକ୍ଷେତ୍ର ନଭାବି କିଭଳି ଶ୍ରୀମନ୍ଦିରରେ ଶୃଙ୍ଖଳା ରକ୍ଷା ହୋଇପାରିବ ସେ ଦିଗରେ ପୋଲିସ କର୍ମଚାରୀ ଏବଂ ଶ୍ରୀମନ୍ଦିର କର୍ମଚାରୀ କାର୍ଯ୍ୟ କରିବା ଆବଶ୍ୟକ। ଯେଉଁ ଗଣ୍ଡଗୋଳ ଘଟଣା ଘଟିଛି ତାହା ନିନ୍ଦନୀୟ । ଆଗାମୀ ଦିନରେ ଯେଭଳି ଏହି ଭଳି ଘଟଣା ପୁନରାବୃତ୍ତି ନ ହୁଏ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କଡା ପଦକ୍ଷେପ ନେବା ଆବଶ୍ୟକ ରହିଛି ।"
ରବିବାର ଶ୍ରୀମନ୍ଦିର ସାତ ପାହାଚ ନିକଟରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଭକ୍ତଙ୍କ ଦର୍ଶନ ପାଇଁ ଥିବା ଏକ ବ୍ୟାରିକେଡ଼ ରାସ୍ତାକୁ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ବନ୍ଦ କରି ରଖିଥିଲେ । ଏ ସମ୍ପର୍କରେ ଶ୍ରୀ ମନ୍ଦିର କମାଣ୍ଡରଙ୍କୁ ପୋଲିସଙ୍କୁ ଏନେଇ ପଚାରିବାରୁ ଡ୍ୟୁଟିରେ ଥିବା ପୋଲିସ ଓ ଶ୍ରୀ ମନ୍ଦିର କମାଣ୍ଡରଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ଧସ୍ତାଧସ୍ତି ହୋଇଥିଲା ।
ଯାହାକୁ ନେଇ ଶ୍ରୀ ମନ୍ଦିରରେ ଥିବା ଜଗନ୍ନାଥ୍ ମନ୍ଦିର ପୁଲିସ (ଜେଟିପି), ସେବାୟତ ବିରୋଧ କରିଥଲେ । ଫଳରେ ଦୀର୍ଘ ୩୦ ମିନିଟ ରୁ ଅଧିକ ସମୟ ଦର୍ଶନ ବନ୍ଦ ରହିଥିଲା । ଯାହାକୁ ନେଇ ଦର୍ଶନାର୍ଥିମାନେ ବହୁ ଅସୁବିଧା ସମ୍ମୁଖୀନ ହୋଇଥିଲେ । ପୁରୀ ଏସପି ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ଆୟତ କରିବା ପରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଥିଲା ।
ତେବେ ଶ୍ରୀ ମନ୍ଦିର ଭିତରେ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ, ଜେଟିପି, କମାଣ୍ଡର ଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ଜଗନ୍ନାଥ୍ ପ୍ରେମୀ ଉଦବେଗ ପ୍ରକାଶ କରିଛନ୍ତି ।
ଏହା ବି ପଢନ୍ତୁ- ନୂଆବର୍ଷରେ ଲୋକାରଣ୍ୟ ଶ୍ରୀକ୍ଷେତ୍ର; ଜଗନ୍ନାଥଙ୍କ ଆଶିଷ ଲଭିଲେ ଲକ୍ଷାଧିକ ଭକ୍ତ
ଇଟିଭି ଭାରତ, ପୁରୀ

