ହାଇକୋର୍ଟଙ୍କ ରୋଷଣୀ କଟକଣା: ଲେଜର ଲାଇଟ୍, ବିକଟାଳ ଶବ୍ଦ ଯୁକ୍ତ DJ, ରାତି ୧୦ଟା ପରେ ବିବାହ ପ୍ରସେସନ୍ ମନା
ଓଡ଼ିଶା ହାଇକୋର୍ଟ ଏହି ମାମଲାକୁ ଅତି ଗୁରୁତ୍ୱର ସହ ନେଇ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହାର ବ୍ୟବହାର ଉପରେ କଟକଣା ଲାଗୁ କରିଛନ୍ତି ।

Published : February 12, 2026 at 9:00 PM IST
କଟକ: ଲେଜର ଲାଇଟ୍ ଉପରେ ବ୍ୟାନ୍ ଲଗାଇଲେ ହାଇକୋର୍ଟ । ବିଶେଷକରି କଟକ ସହର ମଧ୍ୟରେ ହୋଇ ପାରିବ ନାହିଁ ଲେଜର ଲାଇଟ୍ ବ୍ୟବହାର । ଆଜି ଠାରୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି କଟକଣାକୁ କାର୍ଯ୍ୟକାରୀ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିବାହ ସମୟରେ ଲେଜର ଲାଇଟ୍, ଯାହାକି ବଡ଼ ସମସ୍ୟା ସୃଷ୍ଟି କରୁଛି । ରାସ୍ତାରେ ରୋଷଣୀ ସମୟରେ ଏହି ଲାଇଟ୍ ଯୋଗୁଁ ଅନେକ ଲୋକଙ୍କ ଆଖି ମଧ୍ୟ ଖରାପ ହେଉଛି । ଯାହାକୁ ନେଇ ଆବେଦନକାରୀ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କୋର୍ଟ ଏହି ମାମଲାକୁ ଅତି ଗୁରୁତ୍ୱର ସହ ନେଇ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହାର ବ୍ୟବହାର ଉପରେ କଟକଣା ଲାଗୁ କରିଛନ୍ତି ।
କେବଳ ସେତିକି ନୁହେଁ ବରଂ ରାତି ୧୦ଟା ପରେ ବିବାହ ରୋଷଣୀ ସଂପୂର୍ଣ୍ଣ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରୋଷଣୀ ଆଦିରେ ଡିଜେ ବ୍ୟବହାର ନେଇ ମଧ୍ୟ କଟକଣା ଲାଗୁ କରିଛନ୍ତି କୋର୍ଟ । ବିକଟାଳ ଶବ୍ଦ ଯୁକ୍ତ ଡିଜେ ବ୍ୟବହାର ହୋଇ ପାରିବ ନାହିଁ ବୋଲି କୋର୍ଟ ଆଜି ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି । ତେଵେ ୬୫ ଡେସିବିଲ ସାଉଣ୍ଡ ମଧ୍ୟରେ ଡିଜେ ବଜାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାଠାରୁ ଅଧିକ ହେଲେ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ କମିଶନରେଟ ପୋଲିସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ବରିଷ୍ଟ ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ହାଇକୋର୍ଟଙ୍କ ରାୟକୁ ସ୍ବାଗତ କରିବା ସହ କଟକ କମିଶନରେଟ ପୋଲିସ ଅଞ୍ଚଳରେ ଏହି ନିୟମକୁ ସଠିକ ଢଙ୍ଗରେ କାର୍ଯ୍ୟକାରୀ କରାଯାଉଛି କି ନାହିଁ, ଏପରିକି ଏହାକୁ କିପରି ମନିଟର କରାଯାଉଛି, ତାହାର ତଥ୍ୟ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ କୋର୍ଟ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି । କଟକ ସହର ସମସ୍ୟା ମାମଲାର ଶୁଣାଣିରେ ହାଇକୋର୍ଟ ଏହିସବୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ- ଡିଜେରେ କଟକଣା ! ଡିଜେ ଗାଡି ଉପରେ ଅଙ୍କୁଶ ଲଗାଇଲେ ସରକାର, ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜାରି ହେଲା ସର୍କୁଲାର
ଇଟିଭି ଭାରତ, କଟକ

