ETV Bharat / state

ଆର୍ବିଟ୍ରେସନ ପ୍ରକ୍ରିୟା ପାଇଁ ମୁଖ୍ୟ ସଚିବଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ-ମାସେ ଭିତରେ ଆଇନଜୀବୀଙ୍କ ଦକ୍ଷ ପ୍ୟାନେଲ ଗଠନ କର

ପ୍ୟାନେଲଭୁକ୍ତ କରାଯିବା ପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କ ପେଶାଗତ ପ୍ରମାଣପତ୍ର, ଅଭିଜ୍ଞତା, ଦକ୍ଷତା, ପୂର୍ବ କାର୍ଯ୍ୟର ରେକର୍ଡ, ଅତୀତର ପ୍ରଦର୍ଶନକୁ ସୂକ୍ଷ୍ମ ଭାବେ ଯାଞ୍ଚ କରାଯିବ। ରିପୋର୍ଟ-ନାରାୟଣ ସାହୁ

high court order to form a competent panel of lawyers
ଆର୍ବିଟ୍ରେସନ ପ୍ରକ୍ରିୟା ପାଇଁ ମାସେ ଭିତରେ ଆଇନଜୀବୀଙ୍କ ଦକ୍ଷ ପ୍ୟାନେଲ ଗଠନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ (Etv Bharat)
author img

By ETV Bharat Odisha Team

Published : August 28, 2026 at 2:21 PM IST

1 Min Read
Choose ETV Bharat

କଟକ :ଆର୍ବିଟ୍ରେସନ ପ୍ରକ୍ରିୟା ପାଇଁ ମାସେ ଭିତରେ ଆଇନଜୀବୀଙ୍କ ଦକ୍ଷ ପ୍ୟାନେଲ ଗଠନ ପାଇଁ ମୁଖ୍ୟ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆର୍ବିଟ୍ରେସନ ମାମଲା ଗୁଡ଼ିକରେ ରାଜ୍ୟ ସରକାରଙ୍କ ଉପଯୁକ୍ତ ପ୍ରତିନିଧିତ୍ବ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ରାଜ୍ୟ ସରକାର ବା ଏହାର ସଂସ୍ଥା ପକ୍ଷ ଥିବା ଆର୍ବିଟ୍ରେସନ ମାମଲା ପରିଚାଳନା ପାଇଁ ଏହି ଆଇନରେ ପ୍ରମାଣିତ ପାରଦର୍ଶିତା, ବୃତ୍ତିଗତ ସାଧୁତା, କାର୍ଯ୍ୟଦକ୍ଷତା ଥିବା ବ୍ୟକ୍ତିଙ୍କୁ ନେଇ ଏକ ମାସ ଭିତରେ ଏକ ପ୍ୟାନେଲ ଗଠନ ପାଇଁ ହାଇକୋର୍ଟ ନିର୍ଦ୍ଦେଶରେ କହିଛନ୍ତି।

ପ୍ୟାନେଲଭୁକ୍ତ କରାଯିବା ପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କ ପେଶାଗତ ପ୍ରମାଣପତ୍ର, ଅଭିଜ୍ଞତା, ଦକ୍ଷତା, ପୂର୍ବ କାର୍ଯ୍ୟର ରେକର୍ଡ, ଅତୀତର ପ୍ରଦର୍ଶନକୁ ସୂକ୍ଷ୍ମ ଭାବେ ଯାଞ୍ଚ କରାଯିବ। ଏହା ଦ୍ବାରା ରାଜ୍ୟର ସ୍ବାର୍ଥକୁ ସୁରକ୍ଷା ଦେବାର ଦାୟିତ୍ବ ଆବଶ୍ୟକ ଯୋଗ୍ୟତା ଓ ପେଶାଗତ ଦକ୍ଷତା ଥିବା ଆଇନଜୀବୀଙ୍କୁ ପ୍ରଦାନ କରାଯାଇ ପାରିବ ବୋଲି ହାଇକୋର୍ଟ କହିଛନ୍ତି। ଆର୍ବିଟ୍ରେସନ ପ୍ରକ୍ରିୟା ସଂପର୍କିତ ମାମଲାରେ ରାଜ୍ୟ ସରକାରଙ୍କ ବିଫଳତା ପାଇଁ କର୍ତ୍ତବ୍ୟ ସଂପାଦନ ଠିକ ଭାବେ କରି ନଥିବା, ଅବହେଳା କରିଥିବା ଓ ପ୍ରତିପକ୍ଷଙ୍କ ସହିତ ମିଶିଥିବା ଅଧିକାରୀଙ୍କ ଚିହ୍ନଟ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକ ସ୍ବଚ୍ଛ ଓ ନିର‌ପେକ୍ଷ ତଦନ୍ତରୁ ଯଦି ଏପରି କୌଣସି ଅଧିକାରୀଙ୍କ ସଂପୃକ୍ତି ସ୍ପଷ୍ଟ ହୁଏ ତେବେ ତୁରନ୍ତ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆଇନ ଅନୁସାରେ ଆରମ୍ଭ କରାଯିବ।

ଆବଶ୍ୟକ ସ୍ଥଳେ ଏଭଳି ଅଧିକାରୀଙ୍କୁ ଭବିଷ୍ୟତରେ ଆର୍ବିଟ୍ରେସନ ମାମଲାର ତଦାରଖ ଓ ଦାୟିତ୍ବରୁ ବାରଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଜନସାଧାରଣଙ୍କ ଟଙ୍କା ବା ସରକାରୀ ପାଣ୍ଠି ରାଜ୍ୟର ବ୍ୟକ୍ତିଗତ ବା ନିଜସ୍ୱ ସମ୍ପତ୍ତି ନୁହେଁ, ଏହା ଜନସାଧାରଣଙ୍କ ପାଇଁ ଏକ ଅମାନତ (ଟ୍ରଷ୍ଟ) ଭାବରେ ସଂରକ୍ଷିତ ଥାଏ ବୋଲି ହାଇକୋର୍ଟ କହିଛନ୍ତି। ସେପ୍ଟେମ୍ବର ୨୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଆର୍ବିଟ୍ରେସନ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ତରଫରୁ ଉପଯୁକ୍ତ ଭାବେ ମାମଲା ପରିଚାଳନା ହେଉ ନଥିବା ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ଏହା ଦ୍ବାରା ସରକାରୀ ତହବିଲରୁ ବହୁ ଅର୍ଥ ଚାଲି ଯାଉଛି। ସରକାର କ୍ଷତି ସହୁଛନ୍ତି ବୋଲି ଦର୍ଶାଯାଇଥିଲା।