ETV Bharat / state

ହୋଲିରେ 'ନୋ କେମିକାଲ' ଆଉଟଫିଟ; ଆକର୍ଷଣ ସାଜିଛି ଡିଜାଇନର ଭାଇଙ୍କ ପ୍ରାକୃତିକ ରଙ୍ଗରେ ପ୍ରସ୍ତୁତ ଡ୍ରେସ

ଦୁଇ ଫ୍ୟାସନ ଡିଜାଇନର ଭାଇ ଅଂଶୁମାନ ଓ ଅଭିଷେକ ହୋଲି ପାଇଁ ପ୍ରାକୃତିକ ରଙ୍ଗ ବ୍ୟବହାର କରି ଡ୍ରେସ ପ୍ରସ୍ତୁତ କରିଛନ୍ତି । ଯାହା ଚର୍ମ ପାଇଁ ନିରାପଦ ଓ ପରିବେଶ ଅନୁକୂଳ ।

Celebrity Fashion Designer Anshuman Nayak and International Fashion Designer Ankit Abhishek Nayak
ସେଲିବ୍ରେଟି ଫ୍ୟାସନ ଡିଜାଇନର ଅଂଶୁମାନ ନାୟକ ଓ ଇଣ୍ଟରନ୍ୟାସନାଲ ଫ୍ୟାସନ ଡିଜାଇନର ଅଙ୍କିତ ଅଭିଷେକ ନାୟକ (ETV Bharat)
author img

By ETV Bharat Odisha Team

Published : March 4, 2026 at 9:05 AM IST

5 Min Read
Choose ETV Bharat

ସ୍ପୋଶାଲ ରିପୋର୍ଟ: ଭବାନୀ ଶଙ୍କର ଦାସ

Herbal Holi 2026 ଭୁବନେଶ୍ବର: ହସ, ଉଲ୍ଲାସ ଏବଂ ରଙ୍ଗର ପର୍ବ ହେଉଛି ହୋଲି । ହୋଲି ସେଲିବ୍ରେସନକୁ ଅଧିକ ରଙ୍ଗୀନ କରିବା ପାଇଁ ଲୋକେ ବିଭିନ୍ନ ବ୍ୟବସ୍ଥା କରନ୍ତି । କଟକର ଦୁଇ ଫ୍ୟାସନ ଡିଜାଇନର ଭାଇ ହର୍ବାଲ ହୋଲିକୁ ଥିମ କରି ସ୍ୱତନ୍ତ୍ର ପରିଧାନ ପ୍ରସ୍ତୁତ କରିଛନ୍ତି । ପ୍ରାକୃତିକ ରଙ୍ଗକୁ ବ୍ୟବହାର କରି ଦୁଇ ଡିଜାଇନର ଭାଇ ପ୍ରସ୍ତୁତ କରିଥିବା ଏହି ଡ୍ରେସ ଲୋକାଦୃତ ହେବା ସହ ପ୍ରଶଂସା ସାଉଁଟୁଛି । ଆମେ କହୁଛୁ ଫ୍ୟାସନ ଦୁନିଆର ଦୁଇ ଉଦୟମାନ ତାରକା ତଥା ସେଲିବ୍ରେଟି ଫ୍ୟାସନ ଡିଜାଇନର ଅଂଶୁମାନ ନାୟକ ଓ ଇଣ୍ଟରନ୍ୟାସନାଲ ଫ୍ୟାସନ ଡିଜାଇନର ଅଙ୍କିତ ଅଭିଷେକ ନାୟକଙ୍କ କଥା ।

ହୋଲିରେ 'ନୋ କେମିକାଲ' ଆଉଟଫିଟ; ଆକର୍ଷଣ ସାଜିଛି ଡିଜାଇନର ଭାଇଙ୍କ ପ୍ରାକୃତିକ ରଙ୍ଗରେ ପ୍ରସ୍ତୁତ ଡ୍ରେସ (ETV Bharat)

ଦୁଇ ଭାଇଙ୍କ ନିଆରା ହୋଲି ଥିମ୍‌:

ଚାରି ଆଡ଼େ ହୋଲିର ମହୋଲ । ରଙ୍ଗର ପର୍ବ ହୋଲିକୁ ନେଇ ସବୁ ଆଡେ ସେଲିବ୍ରେସନର ମୁଡ । କେମିକାଲ ରଙ୍ଗ ବ୍ୟବହାର ବଦଳରେ ହର୍ବାଲ ହୋଲିର ବଢୁଛି ଚାହିଦା । ହର୍ବାଲ ହୋଲିକୁ ନଜରରେ ରଖି ବିଭିନ୍ନ ଆଡେ ପ୍ରସ୍ତୁତି ମଧ୍ୟ ହେଉଛି । ରଙ୍ଗ ସହିତ ହୋଲି ସାମଗ୍ରୀ ଯେପରି ଶରୀରରେ କୂପ୍ରଭାବ ନପକାଇବା ସେଥିପାଇଁ ସଚେତନ ବୃଦ୍ଧି ପାଉଛି । ଏ କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇ ନୂଆ ପଦକ୍ଷେପ ନେଇଛନ୍ତି ଫ୍ୟାସନ ଡିଜାଇନର ଦୁଇ ଭାଇ ଅଂଶୁମାନ ନାୟକ ଓ ଅଙ୍କିତ ଅଭିଷେକ ନାୟକ । ହର୍ବାଲ ହୋଲିକୁ ଗୁରୁତ୍ୱ ଦେଇ ଦୁଇ ଡିଜାଇନର ଭାଇ ପ୍ରସ୍ତୁତ କରିଛନ୍ତି ଟ୍ରେଣ୍ଡି ଆଉଟଫିଟ । କଟନ ଡ୍ରେସରେ ପ୍ରାକୃତିକ ରଙ୍ଗ ବ୍ୟବହାର କରି ଡ୍ରେସ ଡିଜାଇନ କରିଛନ୍ତି । ଯାହା ଦେଖିବାକୁ ଆକର୍ଷଣୀୟ ଓ ଶରୀର ପାଇଁ ଲାଭଦାୟକ । ପ୍ରାକୃତିକ ରଙ୍ଗ ବ୍ୟବହାରରେ ପ୍ରସ୍ତୁତ ଡ୍ରେସ ପିନ୍ଧିଲେ ଏହା ସ୍କିନ ଉପରେ କୌଣସି କୁପ୍ରଭାବ ପକାଇବ ନାହିଁ ବୋଲି ଦୁଇ ଭାଇ କହିଛନ୍ତି ।

Fashion designer brothers Ansumaan Nayak and Ankit Abhishek Nayak
ସେଲିବ୍ରେଟି ଫ୍ୟାସନ ଡିଜାଇନର ଅଂଶୁମାନ ନାୟକ ଓ ଇଣ୍ଟରନ୍ୟାସନାଲ ଫ୍ୟାସନ ଡିଜାଇନର ଅଭିଷେକ ନାୟକ (ETV Bharat)

ପ୍ରାକୃତିକ ରଙ୍ଗ ବ୍ଯବହା କରି ଡ୍ରେସ ଡିଜାଇନ:

ଇଣ୍ଟରନ୍ୟାସନାଲ ଫ୍ୟାସନ ଡିଜାଇନର ଅଙ୍କିତ ଅଭିଷେକ ନାୟକ କହିବା କଥା ଯେ, ସେ ବିଭିନ୍ନ ଥିମ୍‌କୁ ନେଇ ଡ୍ରେସ ପ୍ରସ୍ତୁତ କରନ୍ତି । ଏଥର ହୋଲିକୁ ନେଇ କିଛି ନୂଆ କରିବା ପାଇଁ ଯୋଜନାରେ କରିଥିଲେ । ପ୍ରାକୃତିକ ରଙ୍ଗକୁ ନେଇ କିଛି କରିବା ପାଇଁ ତାଙ୍କ ମନକୁ ଆସିଥିଲା । କେମିକାଲ କିମ୍ବା ଅନ୍ୟାନ୍ୟ ରଙ୍ଗ ଦେହରେ ଲାଗିଲେ କିଛି ଲୋକଙ୍କର ଚର୍ମରେ ସମସ୍ୟା ଦେଖାଯାଇଥାଏ । ଏହାକୁ ଲକ୍ଷ୍ୟ କରି କଟନ ଫ୍ୟାବ୍ରିକ ଉପରେ କାମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କଟନ ଫ୍ୟାବ୍ରିକ ସହ ପ୍ରାକୃତିକ ରଙ୍ଗକୁ ଯୋଡିବାକୁ ବିଚାର କରିଥିଲେ । ପ୍ରାକୃତିକ ପଦାର୍ଥର ବ୍ୟବହାର କରି ରଙ୍ଗ ପ୍ରସ୍ତୁତ କରିଥିଲେ । ଯେମିତିକି ଲିମ୍ବ ପତ୍ର, କଞ୍ଚା ହଳଦୀ, କଦଳୀ ମଞ୍ଜା, ଅପରାଜିତା ଫୁଲ, ବିଟ୍‌ ଏବଂ ଗାଜରକୁ ରଙ୍ଗ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରିଥିଲେ । ଯାହା ଶରୀର ପାଇଁ ଆଦୌ କ୍ଷତିକାରକ ନୁହେଁ ।

A model wearing a dress made with herbal Colors
ହର୍ବାଲ ରଙ୍ଗରୁ ପ୍ରସ୍ତୁତ ଡ୍ରେସ ପିନ୍ଧିଥିବା ଜଣେ ମଡେଲ (ETV Bharat)

ପକେଟ ଫ୍ରେଣ୍ଡଲି ଡ୍ରେସ:

ଅଙ୍କିତ ଅଭିଷେକ ନାୟକ କହିଛନ୍ତି, "ସବୁଜ ରଙ୍ଗ ପାଇଁ ଲିମ୍ବ ପତ୍ର ବ୍ୟବହାର କରିଛୁ । ଯାହା ସ୍କିନ ପାଇଁ ଭଲ । କୌଣସି ପ୍ରକାର କ୍ଷତି କରିବ ନାହିଁ । ଅପରାଜିତା ଫୁଲରୁ ନୀଳ ରଙ୍ଗ, ହଳଦୀରୁ ହଳଦିଆ ରଙ୍ଗ, ବିଟ୍‌ରୁ ଲାଲ ରଙ୍ଗ, କେଶରୀ ରଙ୍ଗ ପାଇଁ କମଳା ଓ ଗାଜରର ବ୍ୟବହାର କରିଛୁ । ପ୍ରାକୃତିକ ରଙ୍ଗକୁ ନେଇ ଆଉଟଫିଟ ପ୍ରସ୍ତୁତ କରିଛୁ । ପ୍ରସ୍ତୁତ ଡ୍ରେସ ପକେଟ ଫ୍ରେଣ୍ଡଲି । ସାଧାରଣ ଲୋକ ତଥା ବିଭିନ୍ନ ବର୍ଗର ଲୋକ ଏହାକୁ ପିନ୍ଧିପାରିବ ।"

Dress made in herbal colors
ହର୍ବାଲ କଲରରେ ପ୍ରସ୍ତୁତ ହୋଇଥିବା ଡ୍ରେସ (ETV Bharat)
କେମିତି କରନ୍ତି ଡ୍ରେସ ଡିଜାଇନ:

ଫ୍ୟାସନ ଷ୍ଟାଇଲିସ ସ୍ନେହାଶିଷ ମହାନ୍ତିଙ୍କ କହିବା ଅନୁସାରେ, ଡ୍ରେସ ଗୁଡ଼ିକୁ ନୂଆ ରୂପ ଦେଇ ପ୍ରସ୍ତୁତ କରିବାରେ ପ୍ରାକୃତିକ ରଙ୍ଗର ବ୍ୟବହାର ହୋଇଛି । ଡ୍ରେସରେ ନୂଆ ନୂଆ ରୂପ ଦେବା ପାଇଁ ଭିନ୍ନ ଭିନ୍ନ ଟେକ୍ନିକ ରହିଛି । ଯାହାକୁ ତିଆରି କରିବା ପାଇଁ ମେସିନର ବ୍ୟବହାର ନ କରି ହାତରେ ହିଁ କରାଯାଇଥାଏ । ହାତରେ ହିଁ କପଡ଼ା ଉପରେ ସ୍ପାଇରଲ, ବିଭିନ୍ନ ପ୍ରକାର ଫୁଲ ଓ ଚିତ୍ର କରାଯାଇଥାଏ । ଧଳା ରଙ୍ଗର କଟନ ସୂତା ଜରିଆରେ ଡ୍ରେସକୁ ବିଭିନ୍ନ ଷ୍ଟାଇଲରେ ବାନ୍ଧି ରଙ୍ଗ ଦିଆଯାଇଥାଏ । ଖରାରେ ନଶୁଖାଇ ପ୍ରଥମେ ପବନ ଜରିଆରେ ସୁଖାଯାଏ । ଖରାରେ ରଙ୍ଗ ଉଡିଯିବାର ସମ୍ଭାବନା ଥାଏ । ପ୍ରିଣ୍ଟ ବାହାରିବା ପରେ ଖରାରେ ଶୁଖା ଯାଇଥାଏ । ଶୁଖିବା ପରେ ରଙ୍ଗକୁ ଦୀର୍ଘ ଦିନ ରଖିବା ପାଇଁ ଫିକ୍ସର ବ୍ୟବହାର କରାଯାଇଥାଏ । ଏହା ପରେ ପାଣିରେ ଧୋଇଲେ ମଧ୍ୟ ରଙ୍ଗ ଛାଡ଼ିବ ନାହିଁ ।

Models walk the ramp wearing dresses designed by two brothers
ଦୁଇ ଭାଇ ପ୍ରସ୍ତୁତ କରୁଥିବା ଡିଜାଇନ ଡ୍ରେସ ପିନ୍ଧି ରାମ୍ପରେ ଚାଲୁଛନ୍ତି ମଡେଲ (ETV Bharat)

ସ୍ନେହାଶିଷ ମହାନ୍ତି କହିଛନ୍ତି, " ଆମେ ହ୍ୟାଣ୍ଡ ପେଣ୍ଟ କରୁ । କାରଣ ହାତରେ ଯେଉଁ କାଳକୃତି କରି ହେବ, ତାହା ମେସିନ କରିପାରିବ ନାହିଁ । ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ କରିବା ପାଇଁ ଗୋଟେ ଦିନ ଲାଗେ ।"

ସେଲିବ୍ରେଟି ଫ୍ୟାସନ ଡିଜାଇନର ଅଂଶୁମାନ:

କଟକ ଜଗତପୁର ଅଞ୍ଚଳର ବ୍ୟବସାୟୀ ଅସିତ କୁମାର ନାୟକ ଓ ଗୃହିଣୀ ଜ୍ୟୋତ୍ସ୍ନାରାଣୀ ନାୟକଙ୍କ ଦୁଇ ପୁଅ ହେଉଛନ୍ତି ଅଂଶୁମାନ ଓ ଅଙ୍କିତ । 2000 ମସିହା ଅଗଷ୍ଟ 13 ତାରିଖରେ ଅଂଶୁମାନ ଏବଂ 2005 ଜୁନ 29ରେ ଅଙ୍କିତ ଜନ୍ମଗ୍ରହଣ କରିଥିଲେ । ଭଲ ପାଠ ପଢୁଥିବା ଅଂଶୁମାନ ଛୋଟବେଳୁ ଫ୍ୟାସନ ଫ୍ରେଣ୍ଡଲି ଥିଲା । ଫ୍ୟାସନ ପ୍ରତି ଆଗ୍ରହ ଥିଲେ ମଧ୍ୟ ପରିବାର ଇଚ୍ଛାରେ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ । 2016ରେ ମେଟ୍ରିକ, 2018ରେ ଜେକେବିକେ କଲେଜରୁ ଯୁକ୍ତ ଦୁଇ ଶେଷ କରିଥିଲେ । ଉତ୍କଳ ବିଶ୍ଵବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ବିଏସି ଓ ହାଇଦ୍ରାବାଦର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ଭୂଗୋଳରେ ଏମ୍ଏସି ଶେଷ କରିଥିଲେ । ଏହା ସହ ନିଯୁକ୍ତି ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ ।

Dress made in herbal colors
ହର୍ବାଲ କଲରରେ ପ୍ରସ୍ତୁତ ହୋଇଥିବା ଡ୍ରେସ (ETV Bharat)
ଇଣ୍ଟରନ୍ୟାସନାଲ ଫ୍ୟାସନ ଡିଜାଇନର ଅଙ୍କିତ ଅଭିଷେକ:

ସେହିପରି ଅଙ୍କିତ 2020ରେ ମେଟ୍ରିକ, 2022ରେ ଯୁକ୍ତ ଦୁଇ ପରେ ଫ୍ୟାସନ ଡିଜାଇନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ଏ ବିବାଦରେ ବିଶେଷ ଜ୍ଞାନ ନଥିବାରୁ ପରିବାର ଲୋକ ଅନିଚ୍ଛା ପ୍ରକାଶ କରିଥିଲେ । ସାନ ଭାଇ ଅଙ୍କିତର ଇଚ୍ଛା ପୂରଣ କରିବା ପାଇଁ ଆଗକୁ ଆସିଥିଲେ ଅଂଶୁମାନ । ବଡ଼ ଭାଇ ଭାବରେ ସାନ ଭାଇ ଅଙ୍କିତର ସ୍ଵପ୍ନ ପୂରଣ କରିବା ଦାୟିତ୍ୱ ନେଇଥିଲେ ଅଂଶୁମାନ । ଭାଇର ସ୍ୱପ୍ନ ପୂରଣ କରିବା ଇଚ୍ଛା ଅଂଶୁମାନଙ୍କୁ ଫ୍ୟାସନ ଦୁନିଆକୁ ଟାଣି ଆଣିଲା । ଫ୍ୟାସନ ବାବଦରେ ଜାଣିବା ପାଇଁ ଫ୍ୟାସନ ସୋ'ରେ ସାମିଲ ହୋଇଥିଲେ ଅଂଶୁମାନ । ରିସର୍ଚ୍ଚ କରିବା ସହ ନିଜେ ଡିଜାଇନିଂ ଶିଖିବା ଆରମ୍ଭ କରିଥିଲେ । ବିଭିନ୍ନ ତଥ୍ୟ ସଂଗ୍ରହ ସହ ଏ ବାବଦରେ ଅବଗତ ହେବା ପରେ ଅଙ୍କିତଙ୍କୁ ଫ୍ୟାସନ ଡିଜାଇନିଂ ପଢ଼ାଇବା ପାଇଁ ପରିବାର ଲୋକଙ୍କୁ ମନାଇଥିଲେ ଅଂଶୁମାନ ।

A model wearing a dress made with herbal dyes
ହର୍ବାଲ ରଙ୍ଗରୁ ପ୍ରସ୍ତୁତ ଡ୍ରେସ ପିନ୍ଧିଥିବା ଜଣେ ମଡେଲ (ETV Bharat)


ମିଷ୍ଟର ଇଣ୍ଟରନ୍ୟାସନାଲରେ ଦୁଇ ଭାଇ ସାମିଲ:

ପରେ ଅଙ୍କିତ ଡ୍ରିମ୍ସ ସ୍କୁଲ ଅଫ ଫ୍ୟାସନରେ ନାଁ ଲେଖାଇଥିଲେ । ଏହାରି ଭିତରେ ମା'ଙ୍କ ନାଁ'ରେ ଜ୍ୟୋତ୍ସା ଫ୍ୟାସନ ବ୍ରାଣ୍ଡ ଆରମ୍ଭ କରିଥିଲେ ଦୁଇ ଭାଇ । ଯାହାର ଫାଉଣ୍ଡର ଅଛନ୍ତି ଅଂଶୁମାନ । ଅଙ୍କିତ ଆସିଷ୍ଟାଣ୍ଟ ଡିଜାଇନର ଭାବେ କାର୍ଯ୍ୟ କରୁଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ପ୍ରଥମ କରି ଦୁଇ ଡିଜାଇନିଂ ଡ୍ରେସ ପ୍ରଦର୍ଶନୀ କରିଥିଲେ । ପରେ କଟକର ବୈଶାଖୀ ମେଳା, ଉଭୟ ସାଧାରଣ ଓ ଭିନ୍ନକ୍ଷମଙ୍କୁ ନେଇ ପୁରୀରେ ଆୟୋଜିତ ସୋ'ରେ ସାମିଲ ହୋଇଥିଲେ । ଏହା ପରେ ଦୁଇ ଭାଇ ଆଉ ପଛକୁ ଫେରି ଚାହିଁନାହାନ୍ତି । ଗତବର୍ଷ ଇଣ୍ଡୋନେସିଆରେ ଆୟୋଜିତ ହୋଇଥିବା ମିଷ୍ଟର ଇଣ୍ଟରନ୍ୟାସନାଲରେ ଦୁଇ ଭାଇ ସାମିଲ ହୋଇଥିଲେ । ଏଥିରେ 148ଟି ଦେଶ ଭାଗ ନେଇଥିଲେ । ଦୁଇ ଭାଇଙ୍କ ଦ୍ଵାରା ପ୍ରସ୍ତୁତ ପୌରାଣିକ ଚରିତ୍ର ସୂର୍ଯ୍ୟ ଦେବଙ୍କୁ ନେଇ ପ୍ରଦର୍ଶିତ ଡ୍ରେସ ତୃତୀୟ ସ୍ଥାନ ହାସଲ କରିଥିଲା ।

Models walk the ramp wearing dresses designed by two brothers
ଦୁଇ ଭାଇ ପ୍ରସ୍ତୁତ କରୁଥିବା ଡିଜାଇନ ଡ୍ରେସ ପିନ୍ଧି ରାମ୍ପରେ ଚାଲୁଛନ୍ତି ମଡେଲ (ETV Bharat)


ଦେଢ଼ ବର୍ଷର ଅଭିଜ୍ଞତାରେ 20ଟି ସୋ'ରେ ଭାଗ ନେଇଛନ୍ତି:

ଦୁଇ ଭାଇ ପ୍ରସ୍ତୁତ କରୁଥିବା ଡିଜାଇନ ଡ୍ରେସକୁ ଚଳଚ୍ଚିତ୍ର ଅଭିନେତ୍ରୀମାନେ ପିନ୍ଧି ରାମ୍ପରେ ଚାଲୁଛନ୍ତି । ରାଜ୍ୟ ବାହାର ମଡେଲ ମଧ୍ୟ ଅଂଶୁମାନ-ଅଙ୍କିତଙ୍କ ଡ୍ରେସ ପରିଧାନ କରୁଛନ୍ତି । ଦେଢ଼ ବର୍ଷର ଅଭିଜ୍ଞତାରେ ପ୍ରାୟ 20ଟି ସୋ'ରେ ଭାଗ ନେଇଛନ୍ତି । ସେଲିବ୍ରେଟି ଫ୍ୟାସନ ଡିଜାଇନର ଅଂଶୁମାନ ନାୟକ କହିଛନ୍ତି, "ଛୋଟ ବେଳୁ ଫଟୋ ଉଠେଇବାକୁ ବହୁତ ଭଲ ଲାଗେ । ଫ୍ୟାସନକୁ ଭଲ ପାଉଥିବା ମଣିଷ ଜଣେ । ପାଠ ଭଲ ହେଉଥିବାରୁ ଫ୍ୟାସନ ବଦଳରେ ଅନ୍ୟ କ୍ଷେତ୍ରରେ କ୍ୟାରିଅର ଆଗକୁ ବଢ଼େଇବା ପାଇଁ ଘରେ ପରାମର୍ଶ ଦେଇଥିଲେ । ଅଙ୍କିତ ମନରେ ଫ୍ୟାସନକୁ ନେଇ ବହୁତ କିଛି ଆଶା ଥିଲା । ଏ କ୍ଷେତ୍ରରେ କିଛି କରିବା ସେ ପାଇଁ ଚାହିଁଲେ । ଅଙ୍କିତ ଜଣେ କ୍ରିଏଟିଭ ପର୍ସନ । କିନ୍ତୁ ଫ୍ୟାସନ ବାବଦରେ ଘରେ କେହି ନଥିବାରୁ ସହଯୋଗ ମିଳିନଥିଲା । ଭାଇର ଜୀବନର ଯାତ୍ରାକୁ ଆଗକୁ ବଢ଼େଇବା ଲାଗି ଏକ୍ଷେତ୍ରକୁ ଆସିଲି । ଭାଇର ସ୍ୱପ୍ନ ପୂରଣ କରିବା ସହ ଅଧୁରା ରହିଥିବା ଇଚ୍ଛା ଫ୍ୟାସନ ଦୁନିଆର ଏଇଠିକୁ ଆଣିଛି ।"

ଏହା ମଧ୍ୟ ପଢ଼ନ୍ତୁ...

ନାରୀଶକ୍ତିର ନୂଆ ଚେହେରା ପଙ୍କଜିନୀ: ଶାଢ଼ୀରେ ପଟ୍ଟଚିତ୍ର କରି ଓଡ଼ିଆ କଳାକୁ ଦେଇଛନ୍ତି ନୂଆ ପରିଚୟ

ଓଡିଆ ସଂସ୍କୃତିର ପରିଚୟ ପଟ୍ଟଚିତ୍ର; କଳାକୁ ବଞ୍ଚାଇ ରଖିବା ପାଇଁ ଦୁଇଭାଇ ଦେଉଛନ୍ତି ମାଗଣା ତାଲିମ

ବିବାହ ହେଉ କି ରିସେପସନ, ଭଡାରେ ମିଳୁଛୁ ଓ୍ବେଡିଂ ଡ୍ରେସ୍‌; ନିବେଦିତାଙ୍କ ଏକ ଓର୍‌ ବାର୍‌ ଷ୍ଟୋର


ଇଟିଭି ଭାରତ, ଭୁବନେଶ୍ବର